Unknown

 

 

 

 

 

 

 

 

 

 

 

ମଞ୍ଚକନ୍ୟାର କାହାଣୀ

ଅବନୀ କୁମାର ବରାଳ

 

ଖୁବ୍ ଜୋରରେ ହସିଉଠିଲେ ସମସ୍ତେ । ଅନୀଲା, ସୀତା, ବେବୀ, ଗୀତା, ସନ୍ଧ୍ୟା–ସବୁ ଅଭିନେତ୍ରୀଙ୍କର ହସର ସମାରୋହରେ ଗ୍ରୀନ୍‍ରୁମ୍‍ଟା ସତେ କି ଫାଟିପଡ଼ିଲା ।

 

ଷ୍ଟେଜ୍‍ ଭିତରୁ ଜଣେ କିଏ ଦଉଡ଼ିଆସି ପୂରାପୂରି ଭିତରକୁ ନ ପଶି କଡ଼ରେ ଛିଡ଼ା ହୋଇ କହିଲା, “ହେ ଧୀରେ...ଧୀରେ...ସିଆଡ଼େ ଷ୍ଟେଜ୍‍ ଭିତରେ ଗଣ୍ଡଗୋଳ ଶୁଭୁଛି–”

 

ଶେଷ ଅଙ୍କର ଦ୍ୱିତୀୟ କି ପ୍ରଥମ ଦୃଶ୍ୟ ଚାଲିଥିଲା ବୋଧହୁଏ–ଆଉ ଗୋଟିଏ କି ଦୁଇଟି ସିନ୍‍ ପରେ ନାଟକ ଶେଷ ହେବ । ଅଭିନେତ୍ରୀମାନଙ୍କ ଭିତରୁ ସୀତା, ବେବୀ, ଅନୀଲା ଇତ୍ୟାଦିଙ୍କର ସରଗଲାଣି । ଏଇ ଶେଷ ଦୃଶ୍ୟଗୁଡ଼ିକ ସୁନୀଲା ଏବଂ ଗୀତାଙ୍କର ଅଛି ।

 

ଲୁଗା ବଦଳୁ ବଦଳୁ ଅନୀଲାର ପୂରା ଦେହରୁ ଲୁଗା ଖସିପଡ଼ିଲା । ଖୋଲା ଦେହକୁ ତାର ଚାହିଁ କ’ଣ ଗୋଟାଏ କହିଲା ବେବୀ । ଆଉ ଜଣେ କିଏ କହିଲା, “ହେ, ଲୁଗାଟା ଜଲ୍‍ଦି ଘେରେଇ ହୋଇଯା–କିଏ ଆସିଯିବ କାଳେ !” ହସି ହସି ସେମିତି ନିର୍ଲିପ୍ତ ଭାବରେ ଅନୀଲା କହିଲା, “କିଏ ଆଉ ନ ଦେଖିଚି ଯେ, ଲୁଚି ଲୁଚି ଆସିବ, ଏଇ ଦେଢ଼ ଟଙ୍କାରେ କିଣା ଯୌବନକୁ–-? ଦିନରେ ସିନା ସମସ୍ତଙ୍କ ଆଗରେ ସାଧୁ, ସୁପୁରୁଷ, ରାତିରେ ଗୋଟାପଣେ ବାଘ– ଏକାକୀ ପାଇଲେ, ହାଡ଼, ମାଉଁସ ଯାହା ପାଇବେ ଗିଳିଯିବେ ଏକାବେଳକେ ।”

 

ଟିକିଏ କଣେଇ ଚାହିଁ ଜଣେ କିଏ ପୁରୁଷ ଅଭିନେତା କି ସ୍ୱେଚ୍ଛାସେବକ ଚାଲିଗଲା ।

 

–“ଦେଖ...ଦେଖ, ଟିକେ ଆଖି ପଡ଼ିଗଲେ କୃତାର୍ଥ ହୋଇଯିବେ...ଏ ରାତିଟା ପାଇଁ ସ୍ୱପ୍ନକୁ ମଧୁର କରିବାର ଉପାଦାନ ମିଳିଗଲା ।”

 

ତା’ରି ରଙ୍ଗଢ଼ଙ୍ଗ ଆଉ ସମାଲୋଚନା କରିବାର ଭଙ୍ଗୀ ଦେଖି ସମସ୍ତେ ହସୁଥିଲେ ।

 

ଜଣେ ଦୁଇ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତଙ୍କର ବୟସର ତଳବରଡ଼ା ଖସି ଖସି ଆସୁଛି–ଗହଳ କେଶରାଶି କ୍ରମଶଃ ପାତଳ ହୋଇ ଆସିଲାଣି–ଆଖି କୋରଡ଼ କୋରଡ଼–ଗାଲ ଟାକୁଆ । ବହେ ରଙ୍ଗ ବୋଳି, ପାଆଁଶ ହଜାରେ କ୍ୟାଣ୍ଡଲ୍ ଲାଇଟ୍ ଆଗରେ ଠିଆ ହେଲେ, ସବୁ ଖାଲ ଢିପ, ଉଚ୍ଚ ନୀଚ, ଫାଟ ସମାନ ଦିଶେ ବୋଲି, ଏମାନେ ବେଳେ ବେଳେ ଚମତ୍କାର ଦିଶନ୍ତି ।

 

ଯାଦୁକରୀ ଆଲୋକରେ ଜୀବନର ରଙ୍ଗ ପରିବର୍ତ୍ତିତ ହୋଇ ଦେଖାଯାଏ–କୁତ୍ସିତା କଦାକାର ବି ଅପରୂପା ରୂପସୀ ହୁଏ–ସୁନ୍ଦରୀ ତନ୍ୱୀ ଚମଧୋଡ଼କା ବୁଢ଼ୀରେ ପରିଣତ ହୁଏ । ମାୟାବିନୀ ଏ ମଞ୍ଚ–

 

ପର ଦୃଶ୍ୟରେ ସୁନୀଲାର ଅଛି । ଦରକାରୀ ମେକଅପ୍ ଅଦଳ ବଦଳ କରି ଲୁଗା ପାଲଟି ଆସି ସେ ଉଇଙ୍ଗସ୍ କଡ଼ରେ ଛିଡ଼ା ହେଲା । ତା’ଦେଖାଦେଖି ଅନ୍ୟମାନେ ବି ଗ୍ରୀନ୍‍ରୁମରୁ ବାହାରକୁ ଆସି ସେଇଠି ଛିଡ଼ାହେଲେ । ନିଜ ବ୍ଲାଉଜ ଓ ଲୁଗା ପିନ୍ଧି ଷ୍ଟେଜ୍ ତରଫରୁ ଦିଆ ହୋଇଥିବା ଲୁଗା ସେଇଠି ପକେଇ ଦେଇ ଅନୀଲା ବାହାରକୁ ଆସିଲା ।

 

ଅନ୍ଧାରିଆ ହୋଇଚି ଷ୍ଟେଜ୍‍ର ଠିକ୍ ପଛ ପାଖଟା–ଦଉଡ଼ା ଦଉଡ଼ି ହୋଇ ପର ଦୃଶ୍ୟ ପାଇଁ ଷ୍ଟେଜ୍ ରିକ୍ୟୁଜାଇଟସ୍ ବୁହା ଚାଲିଚି । ଜଣେ ଦୁଇଜଣ ବିନା କାରଣରେ ଏପଟୁ ସେପଟକୁ ଚାଲିଯାଉଛନ୍ତି । କିଏ ଜଣେ ଧକ୍‍କା ମାରିଦେଇ ଗଲା ଅନୀଲା ଦେହରେ । ଆଉ କେତେ ଜଣ ଓର ଉଣ୍ଡି ଠିକ୍ ଛାତିକି ଲଗାଇଦେଇ ଦିହକୁ ଦିହ ଘଷି, ଝିଅମାନଙ୍କ ପଛରେ ଛିଡ଼ା ହୋଇ ମଞ୍ଚ ଭିତରକୁ ଚାହିଁଛନ୍ତି ସେଇ ଉଇଙ୍ଗସ୍ ପାଖରେ । ସତେ ଯେମିତି ଅନ୍ୟ ସ୍ଥାନଗୁଡ଼ିକ ଭରପୂର ବା ସେଠୁ ସବୁ ଦେଖାଯାଉ ନାହିଁ ଦୃଶ୍ୟଟା । ମଞ୍ଚରେ ଓହ୍ଲାଇଲେ ଏମିତି ଅଭିଜ୍ଞତା ଅନେକ ହୁଏ । ଠିକ୍ ଗେଣ୍ଡା ଭଳି ଏ ଲୋକମାନେ । ଅନ୍ଧାର ଭିତରେ ଛାତିଏ ଛାତିଏ ଭୟ ଧରି ଦିହ ଛୁଇଁଦେବେ, ହାତ, ପାଦ, ଚାପିଦେବେ । ଟିକେ ଆଗେଇ ଅକସ୍ମାତ୍ ବାଜିଲା ବୋଲି ଦେଖେଇ ଛାତିରେ ହାତ ବଜେଇଦେବେ । ଅତି ସାବଧାନତାର ସହିତ, ସନ୍ତର୍ପଣରେ ନିଜକୁ ପ୍ରକାଶ କରିବେ ଜଗିରଖି । କାଳେ ଆଉ କିଏ ଦେଖିନେବ ଅବା କିଏ ଓଲଟା ପ୍ରତିଉତ୍ତର ଦେବ ! ବେଳେ ବେଳେ ଦୟାକରି ବିରକ୍ତିରେ ଏଗୁଡ଼ାଙ୍କୁ କଛି କହି ହୁଏନା । ହାତ ପାଦ ଚାପିଦେଇ ନିରାମିଷ ଆନନ୍ଦ ପାଆନ୍ତି ଏମାନେ । ପଦେ ପଦେ ବଢ଼ୁଥିବେ । କିଛି ନ କହି, ନ ଅନେଇ, ପ୍ରଶ୍ରୟ ଦେଲେ ହଠାତ୍ ହାତ ଧରି ପକେଇ ଆଖି ଛୋଟକରି ଏକ କଡ଼ିକିଆ ଜାଗାରେ ପ୍ରେମ ନିବେଦନ କରିବେ କି ଫୁଲଟାଏ ଖୋସିଦେବେ । ହଠାତ୍ ବୁଲିପଡ଼ି ରାଗିଲା ଆଖି କରି ଚାହିଁଦେଲେ, ଡରିମରି ଅସ୍ଥିର । ଠିକ୍ ଗେଣ୍ଡାଟିଏ ଭଳି ନିଜକୁ ସଙ୍କୁଚିତ କରିନେବେ–ଗୋଟାଇନେବେ ! ସତେ ଯେମିତି କିଛି ଜାଣି ନାହାନ୍ତି ବା ଭୁଲବଶତଃ ଏମିତି ହୋଇଗଲା । ଏମାନେ ଦୁଇଟି କାରଣରୁ ଡରନ୍ତି । ଏଇ ଝିଅମାନଙ୍କ ଭିତରୁ କାଳେ କିଏ ବେଜ୍ଜିତ୍ କରିଦେବ !! କିମ୍ବା କିଏ ଯଦି ଜାଣିବ, ଏମିତି ଝିଅମାନଙ୍କ ସହିତ ମିଶୁଚି ବୋଲି ! କାଚ କଣ୍ଢେଇ ଭଳି ଚରିତ୍ର ଏମାନଙ୍କର ଟିକିଏ ଆଘାତରେ ଚୂରମାର୍ !

 

ବିଚିତ୍ର ଜୀବଗୁଡ଼ିଏ ! ଅନ୍ଧାରିଆ ଷ୍ଟେଜ୍ କଡ଼ରେ ପ୍ରେମ ନିବେଦନ କରିବାକୁ ବାଘ ! ବାହାରେ ଆଉ ଲୋକଙ୍କ ଆଗରେ ପଦେ କଥା କହିବାକୁ ହେଲେ ଡରିମରି ଅସ୍ଥିର !

 

ଧକ୍‍କା ଖାଇଲେ ବି ଡରିମରି ରହିବାକୁ ପଡ଼େ । ଦେହରେ ଦେହ ବାଜି ସ୍ପନ୍ଦନ ଅନୁଭୂତ ହେଲେ ବି କିଛି କହିହୁଏ ନାହିଁ । ପିଠିରେ ଉଷୁମ ଛାତି, ମୁଣ୍ଡରେ ତାତିଲା ନିଶ୍ୱାସର ଝଡ଼ ବହିଗଲେ ବି ଚୁପ୍ ରହିବାକୁ ପଡ଼େ ।

 

ହେଲେ ବି ଦେହ ଆଉ ମନ ବେଳେ ବେଳେ ଅଭିନୟ କରିବାକୁ ନାରାଜ ହୁଅନ୍ତି–ବୋଲ ମାନନ୍ତି ନାହିଁ । ତଥାପି ଏମାନେ ଅଭିନେତ୍ରୀ । ଅଭିନୟ ବାହାରେ ବି ଅଭିନୟ କରିବାକୁ ପଡ଼େ । ହଁରେ ନାହିଁ–ନାହିଁରେ ହଁ ଅଜାଣତରେ, ଅଲକ୍ଷ୍ୟରେ କେତେବେଳେ ସାରା ଜୀବନଟା ତୁଚ୍ଛା ଅଭିନୟ ପାଲଟିଯାଏ । ରୋକି ହୁଏନା, ଗତି ବଦଳାଇ ହୁଏନା । ବଡ଼ ତିକ୍ତ, ମଧୁର ଅନୁଭୂତି ଏ ନାଟକର–

 

ହସ ହସ ମୁହଁରେ ତାରି ଆଡ଼କୁ ଚାହିଁ ରସିକମୋହନ ବାବୁ ଇସାରା ଦେଉଛନ୍ତି ସେ ପାଖକୁ ଯିବାକୁ । ଅନୀଲା ବୁଝେ ଏ ଇସାରା । ଅନ୍ୟ କେହି ଅନାଇଁ ରହିଲେ ବି ବୁଝିପାରିବେ ନାହିଁ । ଚମତ୍କାର ଅଭିନେତା ଏ ରସିକମୋହନ । ଆଖି, ଓଠ କିଛି ବଦଳିବ ନାହିଁ, ଅଥଚ ଅନୀଲା ଜାଣିପାରିବ ହସରୁ । ରସିକବାବୁ ମଞ୍ଚ ଉପରକୁ ଉଠିଲେ ଦର୍ଶକ ଆନନ୍ଦରେ ଉତଫୁଲ୍ଲ ହୋଇଉଠନ୍ତି । ଅନୀଲା ଜାଣେ, ସମସ୍ତେ ବି କହନ୍ତି, ତାଙ୍କର ଅନେକ ଦୁର୍ଗୁଣ ଅଛି । ତଥାପି ତାଙ୍କ ପାଖରେ ଦିହଘଷରା ହୋଇ ଚଳିବାକୁ ମନ ଡାକେ । ବହୁ ନାରୀଙ୍କୁ କୁଆଡ଼େ ଲାଞ୍ଛିତା କରିଛନ୍ତି ରସିକମୋହନ । ତଥାପି ଆଉ ଗୋଟିଏ ସଂଖ୍ୟା ଯୋଗ କରିବାକୁ ଅନୀଲା ଆଗଭର ।

 

ଗୋଟାଏ ଗୋଟାଏ ଲୋକର ଏମିତି ଅଦ୍ଭୁତ ଆକର୍ଷଣୀ ଶକ୍ତି ଅଛି କି କ’ଣ ! ଯେତେ ଭାବିଚନ୍ତି ଏଡ଼ାଇ ହୁଏନା । ପରିଣତି ଜାଣି ବି ଅନେକ ଗୋଡ଼ ଖସେ । ସୁନୀଲା ବୁଝେ । ବୁଝିଲେ ବି କିଛି କହିପାରେନା । ଏକାନ୍ତରେ କହିଲାବେଳେ ଡବଡବି ଅନୀଲାଟା ହୋ’ ହୋ’ ହୋଇ ହସେ ବଡ଼ ପାଟିରେ । ସତେ ଯେମିତି ତା’ ହସର ଉଚ୍ଛ୍ୱାସରେ ଦୁନିଆ ଭସେଇଦେବ ସେ ! ହସି ହସି କାନ୍ଦି ପକାଏ–ନ ହେଲେ ରାଗରେ ଇଆଡ଼ୁ ସିଆଡ଼ୁ ବକେ । ପାଟିରେ ତା’ର ବାଡ଼ ବତା ରହେନା । ତାକୁ ଶାନ୍ତ ରଖିବା ଭଲ । ତଥାପି ସୁନୀଲା ଜଗେ ।

 

ନିଜ ଜୀବନରୁ ସୁନୀଲା ଜାଣିଚି ଏ ରକତଖିଆ ବାଘଙ୍କୁ । ରସିକମୋହନ ସେଇ ଭିତରୁ ଜଣେ । କଞ୍ଚା ମାଂସର ପ୍ରଲୋଭନ ତା’ ପାଖରେ ଯେତେ, ଜଙ୍ଗଲର ହିଂସ୍ର ବାଘ ପାଖରେ ସେତେ ଥିବ କି ନାହିଁ ସନ୍ଦେହ । ମନା ନ ମାନିଲେ ବି ଯେତିକି ଜଣାହବ, ସୁନୀଲା ସେତିକି କରେ ।

 

ଅନ୍ୟମନସ୍କ ହୋଇ ମଧ୍ୟ ମଞ୍ଚ ଭିତରକୁ ପଶିଗଲା ସୁନୀଲା । ତା’ର ପାର୍ଟ ପଡ଼ିଲା ଏଥର । ଅଭ୍ୟାସ ଏମିତି ପଡ଼ିଗଲାଣି ଯେ, ଏ ସବୁଥିରେ ଆଉ ଭୁଲ ହେବା ଅସମ୍ଭବ । ଆଗରେ ଅଜସ୍ର ଆଖିର ଭୋକ ଭିତରେ ସୁନୀଲା ଭୁଲିଗଲା ସବୁ । ସେ ସେଇ ରଙ୍ଗ–ପରିବାରର ଜଣେ । ଯନ୍ତ୍ର ଭଳି ଅଭିନୟ କରିଗଲା ସେ ।

 

ଅନୀଲା ସିଧା ଚାହିଁଲା ରସିକମୋହନଙ୍କ ମୁହଁକୁ । ସ୍ପଷ୍ଟ ଭାବରେ ସେଇ ଇସାରା–ସଙ୍କେତ । ଅଟୁ କଡ଼ ଉଇଙ୍ଗସ୍ ରସିକବାବୁ ଆଡ଼େଇଗଲେ । ଝିଅ ଗହଳ ଭିତରୁ । ଅନୀଲା ବି ପଛ ଫେରାଇଲା । ସୁନୀଲାର ଆକ୍‍ଟିଂ ସମ୍ପର୍କରେ କିଏ ଜଣେ ଭଲ ବୋଲି କ’ଣ ମନ୍ତବ୍ୟ କଲା ସେଇଠି । ହୁଏତ ଅନୀଲାକୁ ଦେଖି । ମନ୍ତବ୍ୟକାରୀ ମୁହଁକୁ ଈଷତ୍ କଣେଇ କଣେଇ ଚାହିଁ ଅନୀଲା ଆଗେଇଗଲା ସିନ୍‍ର ପଛପାଖକୁ । ତା’ପରେ ଧୀରେ ଧୀରେ ସେଇ ଅନ୍ଧାର ଭିତରେ ଆଗକୁ ଆଖି ଫାଡ଼ି ଚାହିଁ ଚାହିଁ ଆରପଟକୁ ଚାଲିଲା ।

 

“ତୋର କ’ଣ ସରିଗଲାଣି କି ଆଗରୁ ?” ଦରାଣ୍ଡି ହେଲା ଭଳି ହୋଇ ଆଗପଟୁ ବାପା ଆସୁଛନ୍ତି ସିଗାରେଟ୍‍ଟାଏ ଟାଣି ଟାଣି । ଖାଇବା ଜିନିଷ ପାଇଁ ଲୁଚି ଲୁଚି ଯାଉଥିବା ପିଲା ଆଗରେ ହଠାତ୍ ମା’କୁ ଦେଖି ଯେମିତି ମୁହଁ କରେ ସେଇଭଳି ମୁହଁ କରି ।” ଅନୀଲା କହିଲା–“ହଁ ।” ତାର ମୁହଁ ସେ ଅନ୍ଧାର ଭିତରେ ବାରି ହେଲାନି ।

–“କ’ଣ ଖିଆପିଆ ସରିଗଲାଣି ତୋର ?”

–“ନା, ଅପାର ସରିଗଲା ପରେ ସମସ୍ତେ ଏକାଠି ଖାଇବୁ ।”

–“ଚା’ ହରିକା କ’ଣ ଦେଲେଣି ?

–‘‘ନା ।”

ସାନ ଭାଇ ହୋଇଥିଲେ ବାପାଙ୍କୁ କଷିକରି ଗୋଟାଏ ଥାପୋଡ଼ ଦେଇଥାନ୍ତା ଅନୀଲା । ମଦନ ଦାସଙ୍କର ଏହି ତତ୍ତ୍ୱ ନେବାର ଅର୍ଥ ତା’ନିକଟରେ ଅତି ସ୍ପଷ୍ଟ । ତାଙ୍କର ଚା’ ଦରକାର ପଡ଼ିଚି-। ଅଭିନେତ୍ରୀଙ୍କର ବାପାକୁ ଚା’ ଦେବାର ଆବଶ୍ୟକତାଟା ଉପଲବ୍‍ଧି କରି ନାହାନ୍ତି କେହି-। ଖାଇବାକୁ ଦେବାର ଦରକାର ନାହିଁ । ଏକାଠି ଖାଇଲେ ବାଧ୍ୟ ହୋଇ ଦେବେ ଏବଂ ଝିଅକୁ ଚା’ ଦେଇନ, କଳାକାରଙ୍କର ଅବମାନନା କରୁଚ ଇତ୍ୟାଦି କହି, ଏଇନେ ସେ ନିଜେ କପେ ପାଇବେ-। ଏଇଥିପାଇଁ ଏତେ ମାତ୍‍ବରୀ ।

ମୁହଁ ତାଙ୍କର ଭଣଭଣ ଗନ୍ଧାଉଚି । କୋଉ ଲଫଙ୍ଗା ସିନ୍‍ଟଣାଳୀ କି ମଦ ନ ପିଇଲେ କଳା ହୁଏନା ବୋଲି ଥିଓରୀ କାଢ଼ୁଥିବା ଟୋକାଠାରୁ ଚାନ୍ଦାକରି, ଢୋଲେ ପିଇ ଦେଇଛନ୍ତି ସେ ।

ନିର୍ଲଜ୍ଜ ଛୋଟଲୋକ–ବେହିଆ, ମନେ ମନେ ବହେ ଗାଳି ବର୍ଷିଗଲା ଅନୀଲା ଉପରେ କିନ୍ତୁ ନୀରବ ରହିଲା ।

 

ଅନୀଲା ଜାଣେ, ସୁନୀଲା ବି ଜାଣେ, ଆଖପାଖରେ ଡ୍ରାମା ହେଲାବେଳେ, ତତ୍ତ୍ୱାବଧାରକ କାହାରି ଦରକାର ନ ଥିଲେ ମଧ୍ୟ, ମଦନ ଦାସ, ତାଙ୍କ ବାପା, ମାଗି ଯାଚି ହୋଇ, ପଶି, ଅକାରଣରେ ମାମଲତକାରୀ କରନ୍ତି, ମାତ୍‍ବରୀ ଦେଖାନ୍ତି ।

 

ଡ୍ରାମା ତ ଦେଖାହୁଏ । ନିର୍ଲଜ୍ଜ ଭାବରେ ମାଗି ମାଗି ମାଗଣାରେ ସିଗାରେଟ୍ ଖାଆନ୍ତି ସିଗାରେଟ୍ ବାଣ୍ଟୁଥିବା କୌଣସି ସ୍ୱେଚ୍ଛାସେବକଙ୍କ ପାଖରୁ । କହନ୍ତି, ଏ ବାଜେ ସିଗାରେଟ୍‍ଗୁଡ଼ାକ ମୁଁ ଖାଇପାରେନା–ଚା’ଗୁଡ଼ାକ ମାଗଣା କୋଉଠୁ ଆଣିଚ କି ? ଏମିତି ସବୁ ବାଜେ କଥା । ବାଧ୍ୟ ହୋଇ ସମସ୍ତେ ସହନ୍ତି ବିରକ୍ତି, ଘୃଣା ସତ୍ତ୍ୱେ ମଧ୍ୟ, କାରେ ଅଭିନେତ୍ରୀ ବିଗିଡ଼ିଯିବେ !

 

ଅପା କ’ଣ କରିବ କେଜାଣି–ଅନୀଲା ଭାବେ, ତା’ ବାପା ମଦନ ଦାସଙ୍କୁ କେହି ଅପମାନ ଦେଲେ ସେ ବୋଧେ ଖୁସି ହେବ । ସେ ବିରକ୍ତ ହୋଇ ଯେତିକି ଘରେ କହିପାରେ, ତା’ ଅପେକ୍ଷା ଅଧିକ କିଏ ଶୁଣାନ୍ତା କି !

 

ବେଶ୍ ରୁଚିସମ୍ପନ୍ନ ଭଦ୍ରଲୋକ ଭଳି ପୋଷାକ ତାଙ୍କର । ଅନୀଲା, ସୁନୀଲାଙ୍କର ରୋଜଗାରରେ । ନ ଜାଣିଥିବା ଲୋକ–ହଠାତ୍ ଦେଖି, ତାଙ୍କର ସଠିକ୍ ବ୍ୟବସାୟ ବାରିପାରିବା ସମ୍ଭବ ନୁହେଁ ।

 

“–ଶିରୀଷବାବୁ, ଦୁଇ କପ୍ ଚା’ ଦେଇଯିବେ”–ବାପାଙ୍କ ଉଦ୍ଦେଶ୍ୟ ବୁଝିପାରି ଚାଲିଯାଉଥିବା ଜଣେ ସ୍ୱେଚ୍ଛାସେବକକୁ ଡାକି କହିଲା ଅନୀଲା । କୃତକୃତ୍ୟ ହୋଇ, ‘ପଠାଇଦେଇଛି’ ବୋଲି କହି, ଶିରୀଷବାବୁ ଭଦ୍ରଲୋକଟି ଆଗେଇଗଲେ । ମଦନବାବୁ ପଛରୁ କହିଲେ, “ଏଗୁଡ଼ାକ ଭଲ କଥା ନୁହେଁ–ଆକ୍ଟିଂ କରିବୁ ବୋଲି ଜୀବନ ନାହିଁ । ଏତେବେଳେ ହେଲାଣି, ଗର୍ଜି ଗର୍ଜି ପିଲାଗୁଡ଼ାଙ୍କର ତଣ୍ଟି ପଡ଼ିଗଲା । କେହିହେଲେ ଚା’ ଟୋପାଏ କି ସରବତ୍‍ଟା ଦେଇ ନାହାନ୍ତି ? ଏଇଥିପାଇଁ, ଏ ଧରଣର ଛୋଟ ଅର୍ଗାନାଇଜେସନ୍‍ ସବୁରେ କଣ୍ଟ୍ରାକ୍ଟ ନ ନେବାକୁ ମୁଁ କହେ ।”

କିଛି ଉତ୍ତର ସେ ଆଶା କରୁ ନ ଥିଲେ । ତେଣୁ ଅନୀଲା ନୀରବ ରହିଲା । ଚା’ ନୁହେଁ, ସରବତ୍ ଗିଲାସେ ତାଙ୍କର ଚାହିଦା ଜାଣିଲା ସେ । ଅପ୍ରକୃତିସ୍ଥ ମଦନବାବୁ ଆଗେଇଲେ ପୁଣି କଡ଼ରେ ଛିଡ଼ାହୋଇ ଦେଖିବେ ବୋଲି । ଚା’ ଏଥର ନିଶ୍ଚୟ ଆସିବ ।

ପୁଣି କ’ଣ ମନେହେଲା ପଛକୁ ବୁଲିପଡ଼ି ଆଗଉଥିବା ଅନୀଲାକୁ କହିଲେ–‘ତୁ, ଗୋଟାଏ ଜାଗାରେ ବସୁନୁ ? ଏମିତି ବୁଲୁଚୁ କାହିଁକି ? କୋଉଠି କ’ଣ ଝୁଣ୍ଟିବୁ ସେ ଅନ୍ଧାରଟାରେ–

“–ଇସ୍, ଉପଦେଶ ଦିଆ ହେଉଚି !” ବୋଲି ଫୁସ୍‍କିନା କହି ତା’ ଗନ୍ତବ୍ୟ ପଥରେ ଆଗେଇଗଲା ଅନୀଲା । ଅପେକ୍ଷା ନ ରଖି ମଦନବାବୁ ବି ଉଇଙ୍ଗସ୍ କଡ଼କୁ ଚାଲିଆସିଲେ ।

ସେଇ ସିନରେ ପାର୍ଟ ଥିଲା ବୋଧହୁଏ ରସିକ ମୋହନଙ୍କର । ବାପାଙ୍କର ଚା’ର ବରାଦ ଶୁଣୁଶୁଣୁ ତାଙ୍କର ପାର୍ଟ ପଡ଼ିଯାଇଛି ।

ନିରାଶ ହୋଇ କଣେଇ ଚାହିଁଲା ଅନୀଲା ମଞ୍ଚ ଉପରକୁ ।

 

ଅପାକୁ କୋଳକୁ ଆଉଜେଇ ଆଣି କ’ଣ ପ୍ରେମର ଡାଇଲଗ୍ କରୁଛନ୍ତି ରସିକବାବୁ ଅତି ଜୀବନ୍ତ ଭାବରେ । କରୁଣତାରେ ଅପାର ମୁହଁ ଛାଇଯାଇଚି । ମଳିନ ଦିଶୁଚି ଯେମିତି । କପୋଳରୁ ବହିଆସୁଛି ଧାର ଧାର ଝାଳ, ଆଖି କୋଣରେ ତାର କାକର ବିନ୍ଦୁ ଭଳି ଦୁଇ ଧାର ଲୁହ । ହୁଏତ ଲାଇଟକୁ ନିର୍ନିମେଷ ଆଖିରେ ଚାହିଁ ଚାହିଁ ଢଳାଇଛି ସେତକ । ସେମାନଙ୍କ ଉପରେ ସ୍ପଟ ଲାଇଟ୍ ପଡ଼ିଚି ।

 

ଏ ଓରାଲ୍‍ଟା ସେ କରିଥିଲେ ଭାରି ମଜା ହୋଇଥାଆନ୍ତା !

 

ସୁନୀଲା ଅତି ଚମତ୍କାର ଅଭିନୟ କରୁଥିଲେ ମଧ୍ୟ କାହିଁକି କେଜାଣି ସେଇ ମୁହୂର୍ତ୍ତରେ ଅଭିନେତ୍ରୀ ଅନୀଲାର ମନ ଭିତରଟା ଗୋଳେଇ ଘାଣ୍ଟି ହୋଇଗଲା । ସେ ଭଲ ଭାବରେ ଜାଣିଚି, ମଞ୍ଚ ଉପରର ପ୍ରେମ ଓ ପ୍ରେମିକ, ଏ ଦୁଇଟି କେତେ ବଡ଼ ଭାଣ୍ଡାମୀ । ତା’ ନ ହୋଇଥିଲେ ମନ ତାର ନିଜର ଏମିତି ବେଳେ ବେଳେ ଗୁମୁରି ଗୁରୁରି ବାହୁନିଉଠେ କାହିଁକି ? ପଚାଶ କି ଶହେ ଥର ତ ସେ ବାହା ହେଲାଣି ଜୀବନରେ !

 

ଛଳନା ବୋଲି ଜାଣିଲେ ବି ବେଳେ ବେଳେ ଛଳନାକାରୀ ନିଜେ, ଦିନେ ସେଇ ଛଳନାକୁ ବିଶ୍ୱାସ କରେ ସତ୍ୟ ବୋଲି । ଅନୀଲାର ବୋଧହୁଏ ତାହା ହିଁ ହୋଇଥିଲା ।

 

ସୁନୀଲା ପ୍ରତି ଅହେତୁକ ଭାବରେ ତା’ର ମନ ଈର୍ଷାରେ ପୂରିଉଠିଲା । ଅଡ଼ିଟୋରିୟମରେ ଦର୍ଶକମାନଙ୍କ ଆଖିରେ ଆବେଗର ଅଶ୍ରୁ, ଆନନ୍ଦର ଅଶ୍ରୁ । କଡ଼େଇ ଚାହିଁ ଦେଖିଲା ଅନୀଲା–ପ୍ରେମିକାର ସକରୁଣ ବାତାବରଣ ଭିତରକୁ ଟାଣିଆଣୁଚି । ମୁଗ୍‍ଧତା ସୁସ୍ପଷ୍ଟ ।

 

ବିଷେଇ ଉଠିଲା ଅନୀଲାର ମନ । ଇଚ୍ଛା ହେଲା, ସେହି ମୁହୂର୍ତ୍ତରେ ମଞ୍ଚ ଭିତରକୁ ପଶିଯାଇ, ରସିକବାବୁଙ୍କ ଛାତିରୁ ତାର ନିଜ ଭଉଣୀ ସୁନୀଲାକୁ ଓଟାରିଆଣନ୍ତା । ବଦମାସ୍, ଯୋଉଠି ଦେଖିବ ସେଠି ଏ ମୋ ସାଙ୍ଗରେ ଥିବ ! ଏଥରକ ଅଲଗା କଣ୍ଟ୍ରାକ୍ଟ କରିବି । ଅକାରଣରେ ଅନୀଲାର ମନକୁ ଆସିଲା, ସୁନୀଲା ଜାଣିଶୁଣି ତାକୁ ଅନୁସରଣ କରୁଛି ! ଜୋକ ଭଳି ଲାଗିରହିଛି ତା’ସାଙ୍ଗରେ–ମଞ୍ଚ ଉପରର ତୀବ୍ର ଆଲୋକରେ ମଧ୍ୟ ତାକୁ ଅନ୍ଧକାର ଦେଖାଯାଉଥିଲା । କିଛି ନ ଦେଖି ଅନର୍ଥକ ସେମିତି ସେ ଛିଡ଼ାହୋଇ ଚାହିଁରହିଥିଲା ମଞ୍ଚଭିତରକୁ–କିଛି ଦେଖୁ ନ ଥିଲା ।

 

ରସିକମୋହନଙ୍କୁ ସତରେ କ’ଣ ସେ ଭଲ ପାଏ ? ସେ କ’ଣ ଅନୀଲାକୁ ଭଲ ପାଆନ୍ତି-? ମନଭିତରେ ଅନୀଲା ନିଶ୍ଚିତ ଯେ ମିଛକଥା ଇଏ ! ଭଲ ପାଇବାଟା ଗୋଟାଏ ବୋଲି, ଗୋଟାଏ ଡାଇଲଗ୍‍ ଭଳି କହିଯିବା କଥା ! କିଛି ନାହିଁ ସେଥିରେ–ତଥାପି ତାର ମନଭିତରର କେଉଁ ଅନ୍ଧାରୀ କୋଣ ବେଦନାରେ, ଅଭିମାନରେ, ପୁଣି ଈର୍ଷାରେ ଥରି ଉଠୁଥିଲା–ଗୁମୁରି ଉଠୁଥିଲା ।

 

ତାର ଭାବନାର ଖିଅକୁ ଛିଡ଼ାଇ କିଏ ଜଣେ କାନ୍ଧ ହଲାଇଦେଇ କହିଲା, “ଚା’ଟା ନିଅନ୍ତୁ, ଥଣ୍ଡା ହୋଇଯିବ” । ନିଜର ଭାବନାର ଖିଅକୁ ଛିଡ଼ାଇଦେଇ ଅନୀଲା କାନ୍ଧ ଧରି ହଲାଇ ଦେଇଥିବା ଲୋକଟି ପ୍ରତି ବିରକ୍ତ ହୋଇଉଠିଲା ମନେ ମନେ । ମୁହଁ ବିରକ୍ତି, ଘୃଣାରେ କୁଞ୍ଚିତ କରି ଅନୀଲା ପଛକୁ ଫେରି ଚାହିଁଲା । କାନ୍ଧ ଛୁଇଁଦେଇଥିବା ଭଦ୍ରଲୋକ ମନେ ମନେ ଗର୍ବିତ ହୋଇଉଠୁଥିଲେ ବୋଧହୁଏ–ହସ ଉକୁଟି ଉଠିଥିଲା ମୁହଁରେ–ଅନୀଲାର ଭ୍ରୂକୁଞ୍ଚନ ଦେଖି ମଉଳିଗଲା ତାଙ୍କ ହସ । ବୋଧହୁଏ ତାର ମନୋଭାବ ଜାଣିପାରିଲେ ସେ ଭଦ୍ରଲୋକ । ଅନୁନୟ ଭଙ୍ଗୀରେ କହିଲେ, “ଅନେକ ସମୟରୁ ମୁଁ ଚା’ଟା ଧରି ଛିଡ଼ା ହୋଇଚି... ଆପଣଙ୍କୁ ଡାକିଲେ ବି ନ ଶୁଣିବାରୁ...” ଲଜ୍ଜିତା ହେଲା ଅନୀଲା । ଲୋକଟାର କଥା ଉପରେ ଭରସା ଆସିଲା ତାର । ପଚାରିଲା, “ବାପାଙ୍କୁ ଗୋଟାଏ ଚା...” “ଦେଇଚି” ବୋଲି କହି ଭଦ୍ରଲୋକ ଜଣକ ଆଗେଇଗଲେ ।

ତାତିଲା ମନ ତାର ତତଲା ଚା’ କପକରେ ସତରେ ଥଣ୍ଡା ହୋଇଗଲା । ଜମାଟ ବାନ୍ଧି ଆସୁଥିବା ବିରକ୍ତି, ହତାଶା, ଘୃଣା, ବିଷଜନିତ ଦୁଃଖ ସବୁ କେମିତି ଅପସରିଗଲା ମାତ୍ର କପେ ଚା’ରେ ।

ମଞ୍ଚକୁ ଚାହିଁ ସେହି ମୁହୂର୍ତ୍ତରେ ସେ ଭାବିଲା, ଅପା, ସେ, ବେବୀ, ଗୀତା ଏମିତି ଆଉ ଅନେକ ଝିଅ, କେତେ ପୁଅ ସମସ୍ତେ ଗୋଟିଏ ପରିବାରର ଅନ୍ତର୍ଭୁକ୍ତ । ଏଇ ରଙ୍ଗମଞ୍ଚର ଚଉହଦ, ସୀମା ଭିତରେ–ଏଇ ଆଲୁଅ ଅନ୍ଧାରର ପରିପାର୍ଶ୍ୱ ଭିତରେ, ରଙ୍ଗରେ, ସୁରରେ, ସେମାନେ ସମସ୍ତେ ଗଢ଼ି ତୋଳିଛନ୍ତି ଏକ ଅଭିନବ, ନୂତନ ସଂସ୍ଥା । ଗୋଟିଏ ଘର–ଗୋଟିଏ ପରିବାର । ସେଠି ଆଉ କେହି ନାହାନ୍ତି । ମା’ବାପା, ଭାଇ ଏମାନଙ୍କର ଅସ୍ତିତ୍ୱ ନାହିଁ ।

ଗୋଟିଏ ଧାରାରେ, ଗୋଟିଏ ସୁଅରେ କଳ କଳ ତଟିନୀ ଭଳି, ନାନା ବାଧା ପ୍ରତିବନ୍ଧକ ଡେଇଁ ଡେଇଁ ଆଗେଇ ଯାଉଛି ଏମାନଙ୍କର ଜୀବନ । କରୁଣତା, ଆନନ୍ଦ ସବୁର ସମ୍ମିଶ୍ରଣରେ ଏକ ନବୀନ, ନୂତନ ଅନୁଭୂତି ଜାଗୃତ ହେଉଛି, ଯାହାର ସ୍ପନ୍ଦନ କେବଳ ଏଇମାନେ ହିଁ ଅନୁଭୋଗ କରନ୍ତି–ଏଇ କେତେ ଜଣ ହିଁ ଅଙ୍ଗେ ନିଭାନ୍ତି ।

ଅଭିନୟର ରାଜ ରାଣୀ, ସ୍ୱାମୀ–ସ୍ତ୍ରୀ, ନଟନଟୀ ହୋଇ ଏମାନେ ଜୀବନକୁ ଦେଖନ୍ତି ରଙ୍ଗବେରଙ୍ଗ ଚିତ୍ର ରୂପରେ । କେତେ ଘଣ୍ଟାର ଅଗଣନ ମଣିଷଙ୍କର ସ୍ୱପ୍ନଚାରୀ, ସ୍ୱପ୍ନଚାରିଣୀ ଏମାନେ, ପରମୁହୂର୍ତ୍ତର, ପରଦା ଉପରେ ଚଳଚ୍ଚିତ୍ର ଛବି ଭଳି ଉଭେଇଯାଆନ୍ତି ସମସ୍ତଙ୍କର ମନରୁ–ଦୁନିଆର ନାନା ଜୀବନ, ନାନା ଜୀବିକା, ବହୁ ଧରଣର ମଣିଷଙ୍କର ମନୋବେଦନା ରୂପ ପାଏ ଏମାନଙ୍କ ଭିତରେ । ହେଲେ କେହି କେବେ ଏମାନଙ୍କର ଅନ୍ତର୍ଦାହ ବୁଝିବାକୁ ଦଣ୍ଡେ ହେଲେ ଭାବନ୍ତି ନାହିଁ । ମଣିଷ ଜୀବନର ପ୍ରତିଚ୍ଛବି ବୋଲି, ଧ୍ୱନିର ପ୍ରତିଧ୍ୱନି ବୋଲି ହୁଏତ ଏମାନେ ଏକ ଧ୍ୱନିରେ, ଛବିରେ ପରିଣତ ହୋଇ ଯାଇଛନ୍ତି କାହିଁ କେଉଁ କାଳରୁ–ନା, ମଣିଷ ଏମାନେ ନୁହନ୍ତି । ଦୟନୀୟ ବୋଲି, ସମାଜଛଡ଼ା ବୋଲି ଏମାନଙ୍କର ଏକ ପରିବାର...ଗୋଷ୍ଠୀ ରାତିକର ରାଜା–ରାଣୀର ସମ୍ମାନ–ଘଣ୍ଟାକର ପ୍ରଣୟ–ପ୍ରଣୟିନୀର ମଧୁର, ସୁନ୍ଦର ସ୍ୱପ୍ନ, ମୁହୂର୍ତ୍ତକର ଲୋଭନୀୟ ଜୀବନ ପର ମୁହୂର୍ତ୍ତରେ ଉଭେଇଯାଏ । ନିଜର କଳ୍ପନାର ଦୁନିଆ ଭିତରେ ହଜିଯାଇ, ଏମାନେ ସାରା ଦୁନିଆକୁ ଭୁଲିଯିବାକୁ, ହଜାଇ ଦେବାକୁ ଚେଷ୍ଟା କରନ୍ତି ।

ଅଭିନେତ୍ରୀ–ଅଭିନେତା ଏମାନେ–ନିଜର ଭେକ ବଦଳାଇ, ରୂପକୁ ପନ୍ଥା କରି ଜୀଅନ୍ତି–ପରିଚୟ ସେତିକିରେ ସମ୍ପୂର୍ଣ୍ଣ । ଦେହ ଅଛି, ମନ ନାହିଁ–ରୂପ ଅଛି, ପ୍ରାଣ ନାହିଁ । ଦେହସର୍ବସ୍ୱ ପ୍ରାଣୀ ଏମାନେ–ମନଟାକୁ ଫିଙ୍ଗି ଦେଇଛନ୍ତି କାହିଁ କେଉଁ କୋଣରେ କେଉଁଠି ଏ ମଞ୍ଚ ଉପରେ ପାଦ ଦେଲା ଦିନୁଁ ।

ମନ ସେଇ ଦିନଠୁଁ ଆଉ ଟଣକେ ନାହିଁ–ଟଣକିବା, ଚହଲିବା କଥା ନୁହେଁ । ମନର କାରବାର ଏମାନେ କରନ୍ତି ନାହିଁ ।

ଏକ ଅତୀନ୍ଦ୍ରିୟ ଜଗତକୁ ଚାଲିଯାଇଥିଲା ଅନୀଲା । ମଞ୍ଚର ଛାଇ ଆଲୁଅ, ତା’ ଆଖିରେ ଆଙ୍କି ଦେଇଥିଲା ବାଘନିସହଲାନାର ସପ୍ତବର୍ଣ୍ଣ ଇନ୍ଦ୍ରଧନୁର ଝଲକ । ଏମିତି ହୁଏ ବେଳେ ବେଳେ । ଚାହୁଁ ଚାହୁଁ ହଜିଯାଏ କୁଆଡ଼େ କେଜାଣି !

 

ସେହି କ୍ଷଣକରେ ଅପା ସୁନୀଲା ପାଇଁ ମନ ତାର ଓଦା ହୋଇଉଠିଲା–କରୁଣତାରେ ଭାରାକ୍ରାନ୍ତ ହୋଇଗଲା । ଆଖିକୁ ଲୁହ ନ ଆସିଲେ ବି ଆବେଗରେ କଣ୍ଠ ତା’ର ଛାଏଁ ଛାଏଁ ରୁନ୍ଧି ହୋଇଗଲା ଦଣ୍ଡକ ପାଇଁ ।

 

ଏଇ ପରିବାରର ଜଣେ ସେ । ଯାହାର ମନ ହଜିଯାଇଚି କେବେଠାରୁ । ତା’ର ପୁଣି ଭାବନା ଶକ୍ତି ଆସିଲା କୋଉଠୁ ? ଅନୀଲା ବା ଈର୍ଷା କରୁଛି କାହାକୁ ? ରସିକବାବୁ ଭଲ ପାଉଛନ୍ତି କାହାକୁ ପୁଣି ? ସବୁ ମିଛ, ଧପପାବାଜି–ନାଟକର ଗୋଟିଏ ଗୋଟିଏ ଦୃଶ୍ୟ–ଯାହାସବୁ ଗୁନ୍ଥା ହୋଇ ହୋଇ ବଡ଼ ନାଟକଟିଏ ହୁଏ । ସେଇ ମୁହୂର୍ତ୍ତରେ ତାକୁ ଲାଗିଲା, ଯେମିତି ସୁନୀଲା ତା’ ଅପା ନୁହେଁ । ଏ ମଞ୍ଚ ପରିବାରର କନ୍ୟାଟିଏ । ଆଉମାନଙ୍କ ଭଳି ବଡ ଦୟନୀୟା ସେ । ସେଇମାନେ ସେଇମାନଙ୍କୁ ଦୟା କରନ୍ତି–କରୁଣା କରନ୍ତି । ଆଉ କୌଣସି ସମ୍ପର୍କର ପ୍ରଶ୍ନ ଉଠିପାରେ ନା ।

 

ନିଜର ଭାବନା ପୁଣି ଥରେ ଭାବିଲାବେଳକୁ ଅନୀଲାକୁ ଲାଜ ଲାଗିଲା । ଅଦ୍ଭୁତ ଭାବରେ । କ’ଣ ସେ କଳ୍ପନା କରିଯାଉଚି ? ନାଟକର ଲକ୍ଷ ଚରିତ୍ରକୁ ନିଜ ଭିତରେ ପ୍ରକାଶିତ କରାଇ, ବହୁ ବଚନିକା କହି କହି ଭାବନାଟା ବି କେମିତି ପ୍ରଭାବିତ ହୋଇଯାଇଚି ବୋଧହୁଏ । ଅନ୍ତତଃ ତାହା ହିଁ ସତ୍ୟ ବୋଲି ତାର ଧାରଣା ହେଲା । ନ ହେଲେ ଏତେ ବଡ଼ ଚିନ୍ତା ତାର ଆସନ୍ତା କୁଆଡ଼ୁ ?

 

ଏସବୁ ସେଇ ରଙ୍ଗମଞ୍ଚର ସୃଷ୍ଟି । ନିଜ ଗଢ଼ା ଜିନିଷ ।

 

ନିଦରୁ ହଠାତ୍ ଉଠିଲା ଭଳି ଲାଗିଲା ତାକୁ । ଘଣ୍ଟା ବାଜିଲା ଏବଂ ଡ୍ରପ୍ ଓ ସ୍କ୍ରିନ୍ ଉଭୟ ପଡ଼ିଯାଇ ଦର୍ଶକଙ୍କଠାରୁ ମଞ୍ଚକୁ ପୂରାପୂରି ବିଚ୍ଛିନ୍ନ କରିଦେଲା । ନିଜ ନିଜ ଭିତରେ ଆଳାପ ଆଲୋଚନାରେ ବ୍ୟସ୍ତ ରହିଲେ ସମସ୍ତେ । କିଏ ପରଚୂଳା ଖୋଲୁ ଖୋଲୁ, ମୁହଁରୁ ନିଶ କାଢ଼ୁ କାଢ଼ୁ, କିଏ ବା ଶାଢ଼ି ବଦଳୁ ବଦଳୁ, କୃତ୍ରିମ ଏ କେତେ ଘଣ୍ଟାର ଗଢ଼ା ଦୁନିଆଟିର କଥା ଆଲୋଚନା କରିବାକୁ ଲାଗିଲେ ।

 

ଧୀରେ ଧୀରେ ଗହଳି କମିଆସିଲା ପ୍ରେକ୍ଷାଳୟ ଆଖପାଖରୁ ।

 

ଗୋଟିଏ ପରେ ଗୋଟିଏ ବତୀ ଲିଭିଗଲା । କେବଳ ମଞ୍ଚ ଭିତରରର କେତୋଟି ବତୀ ଛଡ଼ା ଆଉ ସବୁ ଲିଭିଗଲା । ଚାରିଆଡ଼ ଅନ୍ଧାର ହୋଇଆସିଲା ।

 

କିଛି ସମୟ ଆଗରୁ ଲକ୍ଷ ଆଖି ଆଗରେ ଫୁଟି ଉଠିଥିବା ସଂସାରଟି ରାତିର ଅନ୍ଧକାର ଭିତରେ ମିଳେଇଗଲା–ନିଶ୍ଚିହ୍ନ ହୋଇଗଲା । ମୋହ ସୃଷ୍ଟି କରୁଥିବା ସେ ରଙ୍ଗର ବିଭବ, ସେ ଆଲୋକର ବନ୍ୟା, ସବୁ ନିଶ୍ଚିହ୍ନ ହୋଇଗଲା ।

 

ନା, ଆଉ କଳ୍ପନା ନୁହଁ–କାଳ୍ପନିକ ସେ ଦୁନିଆ ନୁହଁ, ବାସ୍ତବକୁ ଫେରିଆସିବାକୁ ପଡ଼ିବ-। ଭୋକରେ ପେଟ ଜଳୁଚି । ଖାଇସାରି ଘରକୁ ଯିବାକୁ ହେବ ନିଦ୍ରିତ ସହରର ଏ ଅନ୍ଧକାରାଚ୍ଛନ୍ନ ରାଜରାସ୍ତାରେ । ସବୁ କ୍ରମଶଃ ନୀରବ, ନିଶ୍ଚଳ ହୋଇ ଆସିଲାଣି । ସବୁ ଆଲୁଅ ଲିଭିଯାଇ କେବଳ ଗୋଟିଏ ବତୀ ଜଳୁଥିଲେ ଅନ୍ଧାର ଭିତରେ ଆଖିଟା ଯେମିତି ଛାଏଁ ଛାଏଁ ସେଇ ଏକକ ଆଲୋକ ନିକଟକୁ ଚାଲିଯାଏ, ଅକାରଣରେ ଠିକ୍ ସେମିତି ଚାରିଆଡ଼ ନୀରବ ହୋଇଗଲେ, ସମସ୍ତେ କିଏ କୁଆଡ଼େ ଚାଲିଗଲେ, ମଣିଷ ନିଜକୁ ଦେଖେ ଏକାକୀ–ନିଜ ଛଡ଼ା ତା’ପାଖରେ ଆଉ କିଛି ରହେନା, ସେଇ ଏକାଟିଆ ବତୀଟି ଭଳି । ମନଟା କ’ଣ ଗୋଟାଏ ପାଇବା ଲାଗି ଛଟପଟ ହୁଏ ।

 

ଖାଇସାରି ସୁନୀଲା ଦେଖିଲା, ବାପା ଏ ଅନୁଷ୍ଠାନର ସେକ୍ରେଟାରୀଙ୍କଠାରୁ ସୁନୀଲା–ଅନୀଲାର ଗାର୍ଡିଆନ୍ ହିସାବରେ ଟଙ୍କା ଆଣୁଛନ୍ତି ବୋଧହୁଏ । ଟଙ୍କା ଧରିଛନ୍ତି ବୋଲି ତାଙ୍କର ଅନ୍ତଃସ୍ଥଳୀ ଭିତରୁ ହସ ଉପୁଚିଉଠୁଚି ଆତ୍ମତୃପ୍ତିରେ । ଦରଦାମ କଷାକଷିର ଆବଶ୍ୟକତା ପଡ଼ି ନାହିଁ ବୋଧହୁଏ । ମନଫୁଲାଣିଆ ହୋଇ ବଡ଼ ଆମୋଦରେ ମନଖୋଲା ଗପୁଛନ୍ତି ସେ । କେତେ ଜଣ ବସି ଖାଉ ଖାଉ ଗପୁଛନ୍ତି । ସୀତା, ସନ୍ଧ୍ୟା, ବେବୀ, ଗୀତା, ଆଉ ଅନ୍ୟମାନେ, ଲୁଗାପଟା ଗୋଟାଏ ଗୋଟାଏ ଧରି କିଏ ବା ଖାଲି ଷ୍ଟେଜ୍‍ କଡ଼ରେ ପଡ଼ିଥିବା ସୋଫା ଉପରେ ବସି ଖୁସି ଗପରେ ମାତିଛନ୍ତି ଜଣ ଜଣଙ୍କ ସହିତ ।

 

ଅନୀଲାକୁ ଖୋଜିବା ପାଇଁ ଆଖି ବୁଲାଇଲା ସେ । କୋଉଠି ହୁଏ ତ ଗପୁଥିବ କାହା ସହିତ । ପ୍ରତି ନାଟକ ଶେଷରେ ଏମିତି ଗପ ଚାଲେ । ଏ ଗପ ମଞ୍ଚ ପରିବାରର ଏକାନ୍ତ ନିଜସ୍ୱ । ଭୋଜି ସରିଲା ପରେ, ବାହାଘର କି ପର୍ବପର୍ବାଣି ଶେଷ ହେଲେ, କାମିକା ଲୋକେ ଥକ୍‍କା ମାରି ବସି ଯେମିତି ଆଲୋଚନା କରନ୍ତି, ନିଜ ନିଜର କାମର ଅବା ଗୋଟାଏ ଗୋଟାଏ ଘଟନାର, ଠିକ୍ ସେମିତି ଏଠାରେ ଆଲୋଚନା ହୁଏ । କିଏ କେମିତି କଲା, କାହାର ମର୍ଡର ହେଲା, କେତେବେଳେ ଅବା ଆବଶ୍ୟକୀୟ ଜିନିଷଟି ମିଳିଲା ନାହିଁ, କିଏ ହସିଦେଲା, ଦର୍ଶକ ଲୋକଟିଏ କେମିତି କାହା ଚାହାଁଣୀ ଦେଖି ହଡ଼ବଢ଼େଇଗଲା... ଏମିତି ଅନେକ ଗପ...ସବୁ ସରିଲା ପରେ ଖାଁ ଖାଁ ଲାଗେ–ଫାଙ୍କା ଲାଗେ ମନଟା...

 

କିନ୍ତୁ କାହିଁ ଅନୀଲା ? କୋଉ କଣରେ ତ ସେ ଦେଖାଯାଉ ନାହିଁ । ଫାଜିଲ୍... ନିଜ କଥା ଆଦୌ ବୁଝେନା... ମନେ ମନେ ବିରକ୍ତ ହେଲା ସୁନୀଲା । କୋଉଠି କାହା ସାଙ୍ଗେ ମାତିଥିବ ଏଇନେ । ତା’ପାଇଁ ବଡ଼ ଭଉଣୀ ସୁନୀଲାର ମନରେ ରୀତିମତ ଆଶଙ୍କା ।

 

ଜୀବନଟା ଅଭିନୟ ହେଲେ ବି ଅଭିନୟଟା ଯେ ଜୀବନ ହୋଇପାରେନା, ଏ କଥା ସୁନୀଲା ବୁଝେ–କିନ୍ତୁ ଅନୀଲାକୁ ବୁଝାଇ ହୁଏ ନାହିଁ । ଅନୀଲା ପରି ଆଉ କେତେ ଜଣ ବି ବୁଝି ବୁଝନ୍ତି ନାହିଁ । ଚୈତ୍ରର ଶୁଖିଲା ପତ୍ର ଭଳି ଘୂର୍ଣ୍ଣିବାତ୍ୟାରେ କାହିଁ କୁଆଡ଼େ ଉଡ଼ିଯାଆନ୍ତି–ଭାସିଯାଆନ୍ତି ।

 

ଟିକେ ଆଗକୁ ଗଲା ସୁନୀଲା । ମଞ୍ଚରୁ ଅଧିକାଂଶ ଆଲୁଅ ଲିଭିଗଲାଣି । ଗୋଟିଏ ବେଶୀ ପାଓ୍ୱାର ବଲରେ ମଞ୍ଚ ଭିତରଟି ଆଲୋକିତ ହୋଇଛି । ବହୁ ଅଂଶ ଅନ୍ଧାର । ଟିକେ ଆଗରୁ ସାଜସଜ୍ଜାର ଆତିଶଯ୍ୟରେ ଫାଟିପଡ଼ୁଥିବା ବହୁ ନାୟକଙ୍କ ନିକଟରେ ମୁଖରା ଗଳ୍ପରତା ତରୁଣୀ କ୍ଲାନ୍ତ ଶ୍ରାନ୍ତ ହୋଇ, ଶ୍ଲଥ ବେଶବାସରେ ଢଳିପଡ଼ିଲେ ଯେମିତି ଲାଗେ, ସେଇଭଳି ଦିଶୁଛି ମଞ୍ଚଟା ।

 

ଯେଉଁଠି ଛିଡ଼ା ହୋଇ କିଛି ସମୟ ଆଗରୁ ଅଭିନୟ କରୁଥିଲା, ଠିକ୍ ସେଇଠି, ସିଧା ଷ୍ଟେଜ୍‍ ମଝିରେ ଛିଡ଼ା ହୋଇ ପରଦାଗୁଡ଼ାକ ଟେକି କଡ଼େଇ କଡ଼େଇ, ପ୍ରେକ୍ଷାଗୃହକୁ ଚାହିଁଲା ସୁନୀଲା । କେହି କୁଆଡ଼େ ନାହାନ୍ତି । ଜଗୁଆଳ ଓ ଝାଡ଼ୁଦାର ଦୁହେଁ ଏକାଟିଆ ଘରଟା ସାରା ଘୂରି ଘୂରି ଚଉକି ସଜାଡ଼ି ରଖୁଛନ୍ତି । ସବୁଦିନେ ତାଙ୍କର ଏ କାମ । ସୁନୀଲା ଜାଣେ, ଏଇ ମଞ୍ଚରେ ଅଭିନୟ ସରିଲା ମାତ୍ରେ ଖୁଁ ଖୁଁ କାଶି ଜଗୁଆଳୀ ବୁଢ଼ା ପାହାଚ କଡ଼ରେ ଶୋଇପଡ଼ିଥିବା ଝାଡ଼ୁଦାରକୁ ଡାକିବ । ତା’ପରେ ଦୁହେଁ ମିଶି ଘୂରି ଘୂରି ଅସଜଡ଼ା ଚଉକିକୁ ବାଗେଇ ରଖିଦେବେ–ଝାଡ଼ିଦେବେ । ଆଗାମୀ କାଲି ସକାଳର କାମ ସେମାନେ ଏଇ ରାତିରୁ କାହିଁକି କେଜାଣି ସାରିଦିଅନ୍ତି । ଖାଲି ଫାଙ୍କା ଘରଟାରେ, ଶୂନ୍ୟ ଚଉକିଗୁଡ଼ାକ ମୃତ ଆତ୍ମାର ସଦ୍‍ଗତି ପାଇଁ ନୀରବ ପ୍ରାର୍ଥନା କରୁଥିଲା ଭଳି ଜଣାଯାଉଛନ୍ତି । ସେମାନଙ୍କର ସତେ ଯେମିତି ଜୀବନ ଅଛି । ସେମାନେ ଯେମିତି ଦେଖୁଛନ୍ତି ଏଇ ନୀରବ, ଶୂନଶାନ୍ ରଙ୍ଗମଞ୍ଚଟାକୁ । କିଛି ସମୟ ଆଗରୁ କୋଳାହଳ, କଳଗୁଞ୍ଜନରେ ପୂରିଯାଇଥିବା ରଙ୍ଗମଞ୍ଚର ହଠାତ୍ ଏ ମୌନ ବିଜନତା, ନିର୍ଜନତା ସେ ଚଉକିଗୁଡ଼ାକୁ ଭୀତ କରୁଛି ।

 

ସୁନୀଲାର ଖିଆଲ୍ ହେଲା ଯେ, ସେ ଅନୀଲାକୁ ଖୋଜିବାକୁ ଆସି ଚାହିଁଥିଲା ସ୍କ୍ରିନ୍ ଫାଙ୍କରେ । ଦ୍ୱାରର କେଉଁ ପିଟା ଘଣ୍ଟାରେ ରାତି ବାରଟା ବାଜିବାର ସମୟ ସଙ୍କେତ ଅନେକ ବେଳୁ ଶୁଭିଲାଣି ।

 

କାହିଁ ଅନୀଲା ?

 

ସ୍କ୍ରିନ୍‍ଟା ଛାଡ଼ିଦେଇ ଭିତରକୁ ଆସିଲା ସୁନୀଲା ।

 

ଜଣ ଜଣ ହୋଇ ଅଭିନେତା, ଅଭିନେତ୍ରୀ ବାହାରିଗଲେଣି । କିଏ କିଏ ବାହାରି ଯାଉଛନ୍ତି ଖୁସିଗପ କରି କରି । ହସରୁ ଚେନାଏ ଚେନାଏ ଛିଟିକି ଆସୁଚି, ରାତିର ପବନରେ ।

 

ପ୍ରଥମେ ପ୍ରଥମେ ଡ୍ରାମାରେ ଓହ୍ଲାଇଲାବେଳେ ସୋ’ ସରିଲାପରେ ଭାରି ଖରାପ ଲାଗୁଥିଲା । ବହୁଦିନ ପର୍ଯ୍ୟନ୍ତ ଏମିତି ଲାଗୁଥିଲା । ଫାଙ୍କା–ଖାଲି–ଖାଁ ଖାଁ–ଜୀବନର ସମସ୍ତ କୋଳାହଳ, ସରସତା ଯେମିତି ହଠାତ୍ ନୀରବ ହୋଇଗଲା ମୁହୂର୍ତ୍ତକରେ । ଅତି ଗଣ୍ଡଗୋଳ କରୁଥିବା ଦୁଷ୍ଟ ପିଲା ଖୁବ୍ ବେମାର ପଡ଼ି ନୀରବ ହୋଇଗଲେ ଘରେ ଯେମିତି ଲାଗେ ।

 

କିଛିଦିନ ପର୍ଯ୍ୟନ୍ତ ରାତିଟାଯାକ ମନେ ପଡ଼ୁଥିଲା ନାଟକର କାହାଣୀ, ଅଭିନୟ, ସହ–ଅଭିନେତାମାନଙ୍କର କଥାବାର୍ତ୍ତା, ଚାଲିଚଳଣ, ସବୁ–ଫଳରେ ରାତିରେ ନିଦ ହୁଏନା । ସମୟେ ସମୟେ କାନ୍ଦ ମାଡ଼ୁଥିଲା–ଯେମିତି ଆଉ କାହା ସହିତ କେବେ ଦେଖାହେବ ନାହିଁ !

 

ବି ବିଚିତ୍ର !

 

ନାଃ, ଅନେକ ଦିନୁଁ ମନର ଏ ଅଯଥା ଭାରାକ୍ରାନ୍ତ ହେବାର ଖୋଇ ହଜିଗଲାଣି । ନିତି ନିତି ଦେଖି ଦେଖି ମଞ୍ଚର ଆଲୋକ, ଜନଗହଳି ଚିଟା ଲାଗିଲାଣି । ସରିଗଲେ ଖୁସିଲାଗୁଚି । ଶନିଗ୍ରହ ଗଲା ! ନିତିଦେଖା ଦିହଘଷରା ଜିନିଷ ପାଇଁ ଆବେଗ କି ଆଗ୍ରହ ନ ଥାଏ ।

 

ତଥାପି କେତେବେଳେ ମୁହୂର୍ତ୍ତକ ପାଇଁ ମନର କେଉଁ ଏକ ଗୋପନୀୟ କୋଣରେ ଆଘାତ ଲାଗେ । ଦରଜ ହୋଇଥିବା ଜାଗା ଅଜାଣତରେ ଚିପି ହୋଇଗଲା ଭଳି ।

 

ନାଟକ ସାରି ବିଦାୟ ମାଗି ଫେରିଲାବେଳେ ଅବା ଅନ୍ୟାନ୍ୟ ସମସ୍ତେ ଚାଲି ଯାଉଥିଲାବେଳେ ସେଇ ଅବସାଦ ଆକସ୍ମିକ ଭାବରେ କ୍ଷଣକ ପାଇଁ ହେଲେ ମଧ୍ୟ ମନଟାକୁ ଆଚ୍ଛନ୍ନ କରିଦିଏ । ଅଲକ୍ଷ୍ୟରେ କାନ୍ଦିଉଠେ ମନଟା–ଟଣକିଉଠେ କେଇଟା ସୂକ୍ଷ୍ମ ତନ୍ତ୍ରୀ । ପର କ୍ଷଣରେ ମିଳେଇଯାଏ ପୁଣି ।

 

ଫେରିପଡ଼ି ସୁନୀଲା ମଞ୍ଚ ପଛ କଡ଼କୁ ଗଲା ଅଭିନେତା, ଅଭିରାମ, ନନ୍ଦ, ଭିକାରୀ, ଏମାନେ ସବୁ ଗୀତାକୁ ଘେରି କ’ଣ ଗପି ଗପି ବାହାରି ଯାଉଛନ୍ତି । ଷ୍ଟେଜ୍‍ କବାଟ ପାଖରେ ବାପା ଛିଡ଼ା ହୋଇ, ସିଗାରେଟ୍ ଧୂଆଁ ଉଡ଼ାଇ ଚାଲିଛନ୍ତି ।

 

କୁଆଡ଼େ ଗଲା ଅନୀଲା ?

 

ଷ୍ଟେଜ୍‍ ଚାରିକଡ଼କୁ ଆଖି ବୁଲାଇଲା ରସିକମୋହନକୁ ଖୋଜିବା ପାଇଁ ।

 

ସିଏ ବା କାହିଁ ?

 

ଏକାବେଳକେ ଷ୍ଟେଜ୍‍ର ପଛକଡ଼କୁ ଗଲା । ସୁନୀଲା ହଠାତ୍ ଆଲୁଅ ଭିତରୁ ବାହାରକୁ ବାହାରି ଆସିବାରୁ ଅନ୍ଧାର ଆହୁରି ଘନୀଭୂତ ହେଲା ଭଳି ଜଣାଗଲା ତାକୁ । ଆଖି ଦୁଇଟାରେ ଅନ୍ଧାରର କାଳିମା ନେସି ହୋଇଯାଇଛି । ଥରେ ଦୁଇ ଥର ଆଖି ବୁଜି ଫିଟାଇଲା ସେ ।

 

ସବାଶେଷ କଣରେ କିଏ ଦୁଇ ଜଣ ଖୁବ୍ ପାଖାପାଖି ଲଗାଲଗି ହୋଇ ଛିଡ଼ାହେଲା ଭଳି ଝାପ୍‍ସା ଦେଖାଯାଉଛି । ସନ୍ଦେହ ହେଲେ ମଧ୍ୟ ଆଉ ପାଦେ ଦୁଇ ପାଦ ଆଗେଇଯାଇ ଅଟକିଗଲା ସୁନୀଲା । କାହିଁକି କେଜାଣି ଉଚିତ ମଣିଲା ନାହିଁ ସେମାନଙ୍କ ପାଖକୁ ଯିବାକୁ । ନିଜର ଭାବନା ଭିତରେ ସେମାନେ ଏତେ ବେଶୀ ବୁଡ଼ିରହିଥିଲେ ଯେ, ସୁନୀଲାକୁ ଦେଖିବାର ଅବକାଶ ପାଇ ନାହାନ୍ତି ।

 

ଅନ୍ଧାରର କୁହୁଡ଼ି ଏଥର ଆଖି ଆଗରୁ ଅପସରିଗଲାଣି । ଅସ୍ପଷ୍ଟ ହେଲେ ବି ସୁନୀଲା ଦେଖିଲା, ପୁଅଟିର ମୁହଁ ଝିଅର ମୁହଁ ସହିତ ମିଶି ପୁଣି ଛାଡ଼ିଗଲା । ସମ୍ଭବତଃ ଝିଅଟିର କଟିବେଷ୍ଟନ କରୁଛି ପୁଅଟିର ଦୁଇହାତ ।

 

ଅତି ନିବିଡ଼ ଭାବରେ, ଏକ ହୋଇ ସେମାନେ ଛିଡ଼ା ହୋଇଛନ୍ତି ।

 

ଅନୀଲା–ତା’ର ସାନ ଭଉଣୀ । ରସିକମୋହନ–ତାର ସହ-ଅଭିନେତା–ବନ୍ଧୁ ।

 

ବହୁ ନାଟକର ନାୟିକା, ଅଭିନୟରେ ଶତାଧିକ ପ୍ରଣୟିନୀଙ୍କର ବୋଲି ଆଉଡ଼ାଇଥିବା ସୁନୀଲା ପକ୍ଷରେ ସେମାନଙ୍କର ଉପସ୍ଥିତ କଥାବାର୍ତ୍ତା, ଭଙ୍ଗୀ ସମ୍ପର୍କରେ ଶୁଣିବାକୁ ବା ଜାଣିବାକୁ ଆଗେଇଯିବାକୁ ହେଲା ନାହିଁ । ସେଇଠି ରହି ସେ ସେତିକିମାତ୍ର ଦେଖି ଶୁଣିପାରିଲା ଅନୀଲା ଓ ରସିକମୋହନଙ୍କର କଥାବାର୍ତ୍ତା ।

 

ଗ୍ରୀନରୁମ୍‍ ପଛକଡ଼େ କ’ଣ କଥାବାର୍ତ୍ତା ହୁଏ, ସେ ଭଲ କରି ଜାଣେ । ଢେର୍ ଅଭିଜ୍ଞତା ସେ ଅର୍ଜ୍ଜନ କରିଛି ।

 

ନାଃ, ଈର୍ଷାରେ ଜଳିଗଲା ନାହିଁ ସେ । କାରଣ ପ୍ରେମ ପାଇଁ ଈର୍ଷା ହୁଏ–ପ୍ରବଞ୍ଚନା ପାଇଁ ନୁହେଁ । ଜଣେ ହୁଏତ ଭାବିପାରେ, ମୋତେ କାହିଁକି ସେ ଭଲ ନ ପାଇଲା ବୋଲି–ମାତ୍ର ମୋତେ କାହିଁକି ସେ ପ୍ରବଞ୍ଚିତ କଲା ନାହିଁ ?

 

ଦୟା, ଅନୁକମ୍ପାରେ ତା’ର ପ୍ରାଣ ପୂରିଗଲା ଅନୀଲା ପାଇଁ । ବିଚାରୀ ! ଟଙ୍କା ରୋଜଗାର କରିବା ପାଇଁ, ବାଧ୍ୟ ହୋଇ ମୁହଁରେ ରଙ୍ଗ ବୋଳୁଛି ସେ । ମନରେ ଟିକେ ରଙ୍ଗ ଆଣିବା ପାଇଁ କି ଅଦମ୍ୟ ଲାଲସା ? କି ଉତ୍କଣ୍ଠା !

 

ଟଙ୍କା ପାଇବା ପାଇଁ, ଶତାଧିକ ଆଖି ଆଗରେ ଅନେକ ଲୋକଙ୍କର ପାଦ ଧରିବାକୁ ପଡ଼ିଚି । ପ୍ରଣୟିନୀ ସାଜିବାକୁ ପଡ଼ିଚି ! ସତରେ ପାଦ ଧରି କାହାରି ଜୀବନ ଲୁଟେଇ ଦେବାପାଇଁ ମନ ତଥାପି କାନ୍ଦିଉଠୁଚି !

 

ଭିକାରୀ ବି ବେଳେ ବେଳେ ବୁଭୁକ୍ଷୁକୁ ଦୟା କରେ ! ସୁନୀଲାର ମନ କରୁଣାରେ ପୂରିଗଲା ।

 

ଆଉ କେତୋଟି ମିନିଟ୍ ଆଗରୁ ରସିକ ବାବୁ, ଠିକ୍ ଏଇ ଭଙ୍ଗୀରେ ତାକୁ ଆଲିଙ୍ଗନ କରୁଥିଲେ ମଞ୍ଚ ଉପରେ । ସେତେବେଳେ ସେ ନାଟକର ଯେଉଁ ସଂଳାପ କହୁଥିଲେ, ବର୍ତ୍ତମାନ ହୁଏତ ସେଇଭଳି କାହାଣୀ ସେ ନୀଚ ଗଳାରେ ଶୁଣାଉଛନ୍ତି ଅନୀଲାକୁ । ଫୁସ୍ ଫୁସ୍ ହୋଇ କହୁଥିବେ ସେ । କାମନା ପ୍ରବଳ–ତେଣୁ ସହଜ ଗଳାରେ କଥା କହିପାରୁ ନଥିବେ । ଅନୁମାନ କଲା ସୁନୀଲା ।

 

ସାରା ମଞ୍ଚ ଶୂନ୍ୟ ହୋଇଗଲାଣି । ବାପା, ଅନୀଲା, ରସିକମୋହନ ଓ ତାକୁ ଛାଡ଼ି ବାକି ସମସ୍ତେ ବୋଧହୁଏ ଚାଲିଗଲେଣି । କର୍ମକର୍ତ୍ତା ଜଣକେତେ ହିସାବ କରୁଛନ୍ତି ଲାଭକ୍ଷତିର । ଏଠି ଯୋଉମାନେ ରୁହନ୍ତି, ସେମାନେ ଗଞ୍ଜି ଲୁଙ୍ଗି ପିନ୍ଧି, ଟହଲ ମାରୁଛନ୍ତି । ମଞ୍ଚ ଖାଲି ହେଲେ, ଏଠି ସେଠି ପଡ଼ିଯିବେ । କେତେଜଣ ଶୋଇବା ପାଇଁ, ପ୍ରସ୍ତୁତିପର୍ବ ଆରମ୍ଭ କରି ଦେଲେଣି, ଅଡ଼ିଟୋରିୟମ ପଛପଟେ ହାଇ ପରେ ହାଇ ଉଠୁଚି ।

 

ଅତି ବିରକ୍ତ ହେଲେ ମଧ୍ୟ, ଅନୀଲାକୁ ପାଟିକରି ଡାକିପାରୁ ନଥିଲା ସେ । ଏଇ, ଏମାନେ ବୋଧହୁଏ ପ୍ରକୃତିସ୍ଥ ହେଲେ । ପାଖର ଦୋତାଲା କୋଠାଟା ଉପରେ ଜଳୁଥିବା ଆଲୁଅଟାଏ ନିଭିଗଲା । କିଛି ଅଂଶ ପୁଣି ଅନ୍ଧାର ହୋଇଗଲା । ସେହି ଲିଭିଯିବା ଆଲୋକର ସଙ୍କେତରେ ସମ୍ଭବତଃ, ଏ ଜଗତକୁ ଓହ୍ଲାଇ ଆସିଛନ୍ତି । ଅନୀଲା ଓ ରସିକମୋହନ ।

 

ପଛକୁ ଚାହିଁ ସୁନୀଲା ଦେଖିଲା, ବିରକ୍ତରେ ଓ ଅବସନ୍ନ ଦେହ ମନରେ ହାଇ ମାରି ମାରି ବାପା ରିକ୍‍ସା ଦୁଇଖଣ୍ଡ ଡାକି ଆଣିଲେଣି । ଅନୀଲା ଫେରୁଚି ।

 

ଲାଜଟା ଚୋରକୁ ହେବା କଥା । ଯେ ଦୋଷ କରିଥାଏ, ସେ ଲଜ୍ଜିତ ହୁଏ–ମୁହଁ ଲୁଚାଏ-। କିନ୍ତୁ ଆଶ୍ଚର୍ଯ୍ୟ ସୁନୀଲାକୁ ଲାଜ ମାଡ଼ିଲା–ସେ ସେଠାରେ ଛିଡ଼ା ହୋଇ ରହି ପାରିଲା ନାହିଁ-। ତା’ ମୁହଁ ରଙ୍ଗା ପଡ଼ିଗଲା ସତେ ଯେମିତି ।

 

ଧୀରେ ଧୀରେ ଶ୍ରୀହୀନ ହୋଇ ଆସୁଥିବା ମୁହଁକୁ ତା’ର ଚାହିଁ ଦେଖିବାକୁ ସେତେବେଳେ ସେଠି କେହି ନ ଥିଲେ ବି, କେହି ଥିଲେ, ଜାଣିପାରିଥାନ୍ତା ଯେ, ସୁନୀଲା ମୁହଁରେ, ମନରେ ବି ଇନ୍ଦ୍ରଧନୁ ଅଛି । ଏବେ ବି ଉଭେଇ ଯାଇନାହିଁ ସେ ରଙ୍ଗର ସମାରୋହ ।

 

ସୁନୀଲା ପାଦ ଘୋଷାରି ଘୋଷାରି ମଞ୍ଚରୁ ବାହାରି ଆସି ରିକ୍‍ସାରେ ବସିଲା । “ଅନୀଲା କାହିଁ” ? ପଚାରିଲେ ବାପା । “ଆସୁଚି ସେ” ବୋଲି ସଂକ୍ଷିପ୍ତ ଉତ୍ତରଟିଏ ଦେଲା ସେ ।

 

ଅନୀଲା ଦ୍ରୂତପଦରେ ଆସି ରିକ୍‍ସାରେ ବସିପଡ଼ିଲା । ରସିକମୋହନ ସାଇକେଲରୁ ଚାବି ଖୋଲୁ, ସେମିତି ନଇଁ ପଡ଼ିଥିବା ଅବସ୍ଥାରେ ନିର୍ଲଜ୍ଜ ଭାବରେ କହିଲା–‘କାଲି ଦେଖା ହେବ’ ଅନୀଲା କେବଳ ମୁହଁରେ ହସ ଉକୁଟାଇଲା । କୌଣସି ଉତ୍ତର ଦେଲା ନାହିଁ । ତା’ପରେ ମଦନବାବୁଙ୍କୁ ନମସ୍କାର କଲା ସେ । ବାଧ୍ୟ ହୋଇ ସୁନୀଲା, ଅନୀଲା ସହିତ ହାତ ଉଠାଇ ନମସ୍କାର କଲା ତାକୁ ।

 

ଝିଅଙ୍କୁ ବସାଇଚି ବୋଲି ମୋହରେ, ଯୁବକ ରିକ୍‍ସାବାଲା ଜୋରରେ ପ୍ୟାଡେଲ୍ ଉପରେ ଗୋଡ଼ ଚଳାଇଲା ।

 

ହଠାତ୍ ହୋ ହୋ ହୋଇ ହସିଉଠି ଅନୀଲା କହିଲା, “ତୋତେ ଲାଜ ମାଡ଼ୁଚି କିଲୋ, ଅପା ?”

 

“ଧେତ୍, ବଜାରୁଣୀ”–ବୋଲି ସୁନୀଲା ଅଯଥାରେ କହିଲା ।

 

ଜନଗହଳି ପତଳା ହୋଇ ଆସିଲାଣି ରାଜରାସ୍ତାରୁ । କାଁ ଭାଁ କୋଉଠି କିଏ ଜଣେ ଅଧେ ଯାଉଛନ୍ତି । ରାତି ବଢ଼ି ଚାଲିଚି । ମ୍ୟୁନିସିପାଲିଟିର ବତୀଗୁଡ଼ାକ ନିର୍ବିକଳ୍ପ ଭାବରେ, ଫିକା ଫିକା ଆଲୁଅ ବିଞ୍ଛାଡ଼ି ଚାଲିଛନ୍ତି ।

 

କାଲୁଆ ଲାଗୁଚି, ରିକ୍‍ସାଟା ଜୋରରେ ଚାଲିବାରୁ । ଦେହରେ କାନି ଘେରେଇ ଆଣିଲା ଅନୀଲା ।

 

ନିଦରେ ଆଖିପତା ଟଳମଳ ହେଉଥିଲା ସୁନୀଲାର–

 

ଧୀରେ ଆଖିପତା ମେଲିଲା ସୁନୀଲା । ଆଲୋକର କ୍ଷୀଣ ସ୍ରୋତ ସହିତ ଶବ୍ଦର ତରଙ୍ଗ ପଶି ଆସୁଛି, ରୁଦ୍ଧ ଘର ଭିତରକୁ ।

 

ଦେହରେ, ବିଛଣାରେ ଗତ ରାତ୍ରିର ଗ୍ଳାନି । ଝାପ୍‍ସା ଅନ୍ଧକାର, ସହିତ ବନ୍ଦ ଘରର ଗନ୍ଧ ଏକ ଅଦ୍ଭୁତ ପରିବେଶ ସୃଷ୍ଟି କରୁଛି ।

 

ହାତ ବଢ଼ାଇ, ଡାହାଣ ପାଖେ ଥିବା ଝରକାର ଉପର କବାଟଟା ଖୋଲିଦେଲା ସେ । ଆଲୋକ ଓ ପବନ ପଶି ଆସିଲା ଆହୁରି ବେଗରେ ।

 

ସକାଳ ହୋଇଗଲାଣି ।

 

ଝରକାବାଟେ ଆକାଶରୁ ଖଣ୍ଡେ ଦେଖାଯାଉଚି । ଛୋଟିଆ ଅଂଶ ଖଣ୍ଡେ । ମୁହଁ ଫଣଫଣ କରିଚି ଆକାଶଟା । ପାଉଁଶିଆ ପାଉଁଶିଆ ରଙ୍ଗ ବୋଳା ହୋଇଚି ଆକାଶଟାରେ–ତା’ପରେ ମାପିଚୁପି ଜଗି ଜଗି କିଏ ଯେମିତି ଅତି ସନ୍ତର୍ପଣରେ ଲାଲ୍ ରଙ୍ଗ ବୋଳି ଦେଉଛି । ଆଉଟିକେ ପରେ, ସୁନେଲୀ ରଙ୍ଗର ପଲସ୍ତରା ଭିତରେ ଏ ଲାଲିମିଶା ପାଉଁଶିଆ ରଙ୍ଗ, କାହିଁ କୁଆଡ଼େ ମିଳେଇଯିବ । ଉଭେଇଯିବ ।

 

ସକାଳୁଆ ପବନଟା, ସତେ କି ନରମ କରି ଆଉଁଷି ଦେଇଯାଉଚି ଦେହଟା ସାରା । ଆଖିପତା ପୁଣି ମୁଦି ହୋଇ ଆସୁଥିଲା ସୁନୀଲାର–ଜୋର୍ କରି ଫିଟାଇ ରଖିଲା ପତା ଦୁଇଟାକୁ ।

 

ସେଇ ବିଛଣାରେ ସେମିତି ପଡ଼ିରହି ସେ ଘର ଭିତରେ ଆଖି ବୁଲାଇଲା । ଆରକଡ଼କୁ ଗୁଞ୍ଜିଗାଞ୍ଜି ହୋଇ ଶୋଇଛି ଅନୀଲା । ତା’ ଆରପଟକୁ ମା’ । ଦେହ ମୁଣ୍ଡ ମୁକୁଳା ଫୁଙ୍ଗୁଳା ତାର । ଛାତିରେ ଲୁଗା ନାହିଁ । ଧୋଡ଼କା ଚମ–କୋରଡ଼ିଆ ଆଖି–ଟାକୁଆ ହାଡ଼ୁଆ ମୁହଁ । ହାଡ଼ୁଆ ଦେହର ତାର ବହୁଅଂଶ ସ୍ପଷ୍ଟ ଦେଖାଯାଉଚି । ମୁର୍ଦ୍ଦାରଟାଏ ଭଳି ପଡ଼ିଛି ସେ ।

 

ଆଗରେ ଅଛି ସାରା ଜୀବନ । ପୁଣି ଆଜି ପାଇଁ ଦିନଟିଏ ।

 

ସୁନୀଲା ମନେ ମନେ ଭାବୁଥିଲା ସାରାଦିନଟାର କାର୍ଯ୍ୟକ୍ରମ–ଯେଉଁ ଦିନଟି ଆସୁଛି, ହାରିଯାଇଥିବା ଯୋଦ୍ଧା ଭଳି ସନ୍ତ୍ରସ୍ତ ହୋଇ ଯେଉଁ ଦିନକୁ ଗତ ରାତ୍ରି ବାଟ ଛାଡ଼ି ଦେଇଛି ଟିକକ ଆଗରୁ ।

 

ଆଉ ଖୁବ୍ ଅଳ୍ପ ସମୟ ସେ ଏଇ ବିଛଣାରେ ପଡ଼ି ରହିପାରିବ–ଆକାଶର ଦେଖାଯାଉଥିବା ଅଂଶଟା ନାରଙ୍ଗୀ ହୋଇଆସିବା ପର୍ଯ୍ୟନ୍ତ ।

 

ତା’ପରେ ? ତା’ପରେ ସେଇ ଆଦିମ ଶୋଷ । ଜୀବନକୁ ପିଇଯିବାର, ଚା’ ପରି ଶେଷ କରିଦେବାର ଉଦ୍ଦାମ ଶୋଷ ନେଇ ସମସ୍ତେ ଲାଗିବେ । ବ୍ୟାକୁଳ ହୋଇ ଲାଗିପଡ଼ିବେ । ଜୀବନର କଳରୋଳ ଭିତରେ ସଦ୍ୟସ୍ନାତ ଉଷାର ଏ ମଧୁର ନୀରବତା ହଜିଯିବ ।

 

ଏ ଲାଲିମା, ଏ ସୁନ୍ଦରତା, ଏ ଶୀତଳ ପବନ, ସବୁ ମିଳେଇଯିବ ସେଇ ଆଗାମୀ ରୁଦ୍ର ତପ୍ତଶ୍ୱାସ ଭିତରେ–ଉଜ୍ଜ୍ୱଳ ପ୍ରଖର ତେଜ ଆଉ ବର୍ଣ୍ଣ ଭିତରେ ।

 

ନିଜର ଅତି ଛୋଟ ମନ ନେଇ ସୁନୀଲା ଚିନ୍ତା କଲା ଏବଂ ବିସ୍ମିତା ହେଲା । ଯାହକୁ ପଚାର ସମସ୍ତେ ଦୁଃଖୀ–ନ ପାଇବାର ରୋଗରେ ସଭିଏ ଭୋଗୁଛନ୍ତି । କିଏ ବା କ’ଣ ପାଇ ନାହାନ୍ତି, ତଥାପି ପାଇବାର ଦୁର୍ବାର ଲାଳସା ନେଇ ଏ ଦଉଡ଼, ଏ ଧାଁଧପଡ଼ କାହିଁକି ? ସମସ୍ତେ ଶୋଇରହିଲେ କ’ଣ କ୍ଷତି ହୁଅନ୍ତା ?

 

ମୁହଁରୁ ରଙ୍ଗ ଲିଭାଇବା ଆଗରୁ ସୁନୀଲା ଓ ଅନୀଲା ପରସ୍ପରକୁ ଚାହିଁ ହସିବେ ଟିକେ । ନିଃଶବ୍ଦ ସେ ହସ । କେବଳ ଓଠ ବଙ୍କେଇଯିବ । ବିଛଣାରୁ ଉଠିଲା ମାତ୍ରେ ଏ ହସ ଦୁହିଁଙ୍କୁ ମାଡ଼ିବ-। ଏଇ ଦୁହିଁଙ୍କ ଭିତରୁ ଜଣେ ହେଲେ କେହି ଚା’ କରିବାକୁ ରୋଷେଇ ଘର କବାଟ ଫିଟାଇବେ-। ଆଉ କବାଟ ଫିଟାଇବା ମାତ୍ରେ ଖଡଖାଡ୍ ହୋଇ ଦୁଇ ଚାରିଟା ମୂଷା, ଚୁଚୁନ୍ଦ୍ରା, ପଞ୍ଝାଏ ଅସରପା ଏଠୁ ସେଠୁ ବାହାରି ପଳାଇଯିବେ ପ୍ରାଣ ବିକଳରେ ।

 

ଦିନର ଆଲୋକ ମାଡ଼ିଆସିବ ଏଥର । ଖରା ପଡ଼ିବ ଘର ଚାଳରେ–ଅଗଣାରେ । ମା’ ଡେରିରେ ଉଠିବ । ଆଗରୁ ସକାଳୁ ଜଲ୍‍ଦି ଉଠିବାର ଅଭ୍ୟାସ ଥିଲା ବୋଲି ସେ କହେ । କିନ୍ତୁ କେଜାଣି କାହିଁକି ସୁନୀଲାର ସ୍ମରଣଶକ୍ତି ଯେଉଁ ପର୍ଯ୍ୟନ୍ତ ଅତୀତକୁ ଯାଇପାରେ, ସେଦିନଠାରୁ ମା’ କେବେ ସକାଳୁ ଉଠି ନାହିଁ । ଅନ୍ତତଃ ସୁନୀଲା କେବେ ଦେଖି ନାହିଁ । ବାପା ଉଠି ପାଖରେ ଥୁଆ ହୋଇଥିବା ଗୋଟାଏ ଡବାରୁ ବିଡ଼ିଟାଏ ଆଣି ଫସ୍ କରି ଦିଆସିଲି ମାରି ଜାଳି ଦମେ ଦି’ଦମ୍ ଟାଣିବେ । ଗୋଡ଼ଗଳା କଠଉଟା ମାଡ଼ି ଖଡଖଡ୍ କରି ଆଖି ପୋଛି ପୋଛି ହେଉ ବା ଲୁଙ୍ଗିଟା ସଜାଡ଼ୁ ସଜାଡ଼ୁ ବାରିପଟକୁ ଉଠିଯିବେ ।

 

ମା’ ଉଠିଲାବେଳକୁ ଏ ଘରକୁ ଦିନ ମାଡ଼ି ଆସିଥିବ । ପିଲାଏ ପଢ଼ୁଥିବେ । ରୋଷେଇ ବସି ସାରିଥିବ । ଅଧେ ଲୋକ ଗାଧୋଇ ସାରିଥିବେ । ବର୍ତ୍ତମାନର ଏ ଫିକା କଅଁଳିଆ ସକାଳ, ପୁଣି ଦିନଟିଏ ପାଇଁ ଛପିଯାଇଥିବ ଆକାଶର କୋଉ ଗୋଟାଏ କୋଣରେ ।

 

ଅନୀଲା ଉପରେ ଓ ସୁନୀଲା ତଳେ ଭାଇ–ସୁରେଶ । ଡାକ ନାଁ ସୁର । ଦାଣ୍ଡଘର ବୋଲି ଯାହାକୁ ସମସ୍ତେ କହନ୍ତି, ସେଇ ଅଣଓସାରିଆ ଗଳି ବାଟ ଘରେ ଶୁଏ ସୁରେଶ । ଖରା ଟାଣ ନ ହେଲା ଯାଏ ତାର ନିଦ ଭାଙ୍ଗେନା । କହେ, ସକାଳୁଆ ସୂର୍ଯ୍ୟଙ୍କୁ ମୋ ଜାଣତରେ କେବେ ମୁଁ ଦେଖି ନାହିଁ । ହଲାଇ, ଗଡ଼ାଇଦେଲେ ମଧ୍ୟ ନୁହେଁ । ରାସ୍ତାଟାରେ ସେ ଶୋଇଥିବାରୁ ବାହାରକୁ ଯିବାକୁ, ଭିତରକୁ ଆସିବାକୁ ଅସୁବିଧା ହୁଏ । ତାକୁ ଅନୀଲା ଯାଇ ଡାକିଆଣେ ଘର ଭିତରକୁ । ଆଖିଟା ସେମିତି ବୁଜିରଖି ତେଲଚିକିଟାରେ ଚିକ୍‍କଣ କାଳିଆ ପଡ଼ିଯାଇଥିବା ତକିଆ, ଗୋଟାଏ ସତରଞ୍ଜି ବା କନ୍ଥା ଗୋଟେଇ ଧରି କାଖରେ ଜାକି ସେ ଉଠି ଆସେ ଭିତରକୁ । ପୁଣି ଶୋଇଯାଏ-

 

ମା’ କୋଳରେ ଜାକିଜୁକି ହୋଇ ଛାତି ଶୋଷି ଶୋଷି ବଙ୍କେଇଯାଇ ଶୋଇଚି ଗୋଟାଏ ଦେଢ଼ ବରଷର ସାନ ଭାଇ । ରୋଗରେ ତାର ପେଟଟା ବାହାରିପଡ଼ିଚି ଆଟିକା ଭଳି । ଛାତି, ପିଚା ପଶିଯାଇଚି । ଚମ ଧୋଡ଼କା । ତା’ ଉପରେ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ । ସେମାନଙ୍କର ଭବିଷ୍ୟତ ହୁଏ ତ ସେଇମାନେ ହିଁ ଗଢ଼ିବେ । ନ ହେଲେ ବିଧାତା ଥିଲେ–ସେମାନଙ୍କୁ ଟିକେ କଡ଼େଇ ଚାହିଁଲା ସୁନୀଲା । ତମ୍ବୁରେ ଯୁଦ୍ଧଶ୍ରାନ୍ତ, କ୍ଳାନ୍ତ ସୈନିକ ଧାଡ଼ିବାନ୍ଧି ପଡ଼ିଥିଲା ଭଳି ପଡ଼ିଛନ୍ତି ସମସ୍ତେ । ଅନୀଲା, ବୁଟୁ, ରୀନା, ଛୋଟ କୁନା ଓ ସେ ନିଜେ ।

 

ଯୁଦ୍ଧର ନ ହେଲେ ମଧ୍ୟ ପ୍ୟାରେଡର ହୁଇସିଲ୍ ବାଜିଲାଣି ଏଥର । ସମସ୍ତେ ସାଜ ସାଜ ରବରେ ଉଠିପଡ଼ିବେ । ବୁଟୁ ଓ ରୀନା କ’ଣ ଦିଇଟା ଖାଇ ଦେଇ ପାଠ ପଢ଼ିବସିବା ନାଁରେ ସକାଳ ନଅଟାଯାଏ ପିଟାପିଟି ହେବେ । ତା’ପରେ ଗାଧୋଇ ଖାଇ ସ୍କୁଲକୁ ଯିବେ ।

 

ରୀନାକୁ ସାତ ପୂରି ଆଠ ଚାଲିଲାଣି । ବାପା ଆଉ ମା ବୋଧହୁଏ ମନେ ମନେ ଖୁସି ହେଲେଣି । ସେ ଯେତେ ଶୀଘ୍ର ବଡ଼ ହେବ, ସେତେ ଶୀଘ୍ର ଲାଭ । ଅନୀଲା, ସୁନୀଲାଙ୍କ ଭଳି ରୋଜଗାର କରି ଆଣିବ ।

 

ସୁନ୍ଦର ସକାଳ ! ଏ ବାଜେ କଥା ଭାବି ଅଯଥା ମନ ଭାରାକ୍ରାନ୍ତ କରି ଲାଭ ନାହିଁ । ସୁନୀଲା ଜାଣିଶୁଣି ଭାବନାକୁ ରୋକିଦେଲା ।

 

ଆଉ ଟିକେ ପରେ ହୁଏତ କେଉଁ ଗାଁର କି ସହରର କେଉଁ ବସ୍ତିର ନାଟକ ସଂଘ ବା କ୍ଲବ, ସମିତିର ଜଣେ ଦୁଇ ଜଣ ମାମଲତକାର, ମୁଖିଆ ସଫା ବାସି ଧୋତି ପଞ୍ଜାବୀ ଅବା ପ୍ୟାଣ୍ଟ ସାର୍ଟ ପିନ୍ଧି ପୂରା ନୂଆ ସିଗାରେଟ୍‍ଟାଏ ଲଗାଇ ଦାଣ୍ଡ କବାଟ ଖଡ୍ ଖଡ୍ କରିବେ । ନ ହେଲେ ସାଇକେଲ୍ ଘଣ୍ଟି ଟିଣ୍ ଟିଣ୍ କରିବେ । କବାଟ ଫିଟାଇଲା ମାତ୍ରେ ନାଟକୀୟ ଭଙ୍ଗୀରେ ଆଗରୁ ରିହର୍ସାଲ୍ କରି ଆସିଲା ଭଳି ନମସ୍କାର କରିବେ ।

 

ତା’ପରେ ଆରମ୍ଭ ହେବ ତାଙ୍କର ବକ୍ତବ୍ୟ । ଟାଉନରୁ ଆସିଥିଲେ ଦୁଇ ଚାରି ପଦ ଟେକାଟେକି କରି କହିବେ, କଳା–ସଂସ୍କୃତି ଇତ୍ୟାଦି ଶବ୍ଦ କହି ଟଙ୍କା କମ୍ କରିବାକୁ କହିବେ, ‘ନୂଆ ଅନୁଷ୍ଠାନ’, ‘ଆପଣମାନଙ୍କ ଭଳି ଅଭିନେତ୍ରୀ’ ଇତ୍ୟାଦି ଢଗ ଶୁଣାଯିବ–ମଫସଲୀ ହୋଇଥିଲେ ସାରା ଓଡ଼ିଶାରେ ଆପଣଙ୍କ ଅଭିନୟ ପ୍ରତିଭା ଅଦ୍ୱିତୀୟ, ଅତୁଳନୀୟ ଇତ୍ୟାଦି ଶୁଣାଇବେ ।

 

ଏଇଟା ଏତେ ସାଧାରଣ ଓ ଗତାନୁଗତିକ ଯେ, ବେଳେବେଳେ ଲୋକଟିର ବେଶପୋଷାକ ଢଙ୍ଗ ଢାଙ୍ଗ ଦେଖିଲେ ସ୍ପଷ୍ଟ ଜାଣିହେବ ସେ କ’ଣ କହିବେ ।

 

ଦିନତମାମ୍ ଡ୍ରାମା, ରିହର୍ସାଲ, ଡିରେକ୍ଟର, ସଂସ୍କୃତି, ସଙ୍ଘ, ଡାଇଲଗ୍‍ ଏମିତି ଗୁଡ଼ାଏ କଥା ଶୁଣିବାକୁ ପଡ଼ିବ । ବହି ମୁଖସ୍ଥ କରିବାକୁ ପଡ଼ିବ । ଛୁଟିଦିନ ହୋଇଥିଲେ ରିହର୍ସାଲକୁ ମଧ୍ୟ ଯିବାକୁ ପଡ଼ିବ । ତାରିଖ ଦେଇଥିଲେ ମଫସଲ ବା ଅନ୍ୟ କୌଣସି ବାହାର ସହରକୁ ଯିବା ପାଇଁ ବେଡିଂ ବାନ୍ଧି ଅପେକ୍ଷା କରିବାକୁ ପଡ଼ିବ ।

 

ଏଇ ହେଲା ସାରା ଦିନର ରୁଟିନ୍–ସୁନୀଲା–ଅନୀଲାଙ୍କୁ ମାନି ଚଳିବାକୁ ପଡ଼ିଛି ଅନେକ ଦିନ ହେଲା ।

 

ସକାଳର ମଧୁରତା କ୍ରମଶଃ ମିଳେଇଯାଇଛି–ଚାନ୍ଦର ବର୍ଣ୍ଣ ଫିକା ହୋଇଆସିଛି । ଏଥର ଆଲୋକର ଆତିଶଯ୍ୟରେ ଅସ୍ପଷ୍ଟ ହୋଇଗଲାଣି–ଆଉ ଦେଖାଯାଉ ନାହିଁ । ଘରେ ବାହାର ଆଲୋକର ବନ୍ୟା ।

 

ବେଳେବେଳେ ନିଜର ଭାବନା ନିଜକୁ ଏତେ ଖରାପ ଲାଗେ ଯେ, ଆଉ କାହା ସହିତ ଅଂଶୀଦାର ହୋଇ ଭାବିବାକୁ ଇଚ୍ଛା ହୁଏ । ବେଳେ ବେଳେ ପୁଣି ଜବରଦସ୍ତ ବନ୍ଦ କରିଦେବାକୁ ଇଚ୍ଛା ହୁଏ ।

 

ସମସ୍ତଙ୍କର ଉଠିବାର ଡେରି ଦେଖି ସୁନୀଲା ଭାବିଲା କାହାକୁ ହେଲେ ଜଣକୁ ଉଠାଇ ଦେବାକୁ । କାରଣ ନିଜର ଭାବନାକୁ ଏକାକୀ ଭାବିବାକୁ ତାକୁ ଡର ଲାଗୁଥିଲା । ଜୀବନ ଓ ଭାବନାର ଭୟଙ୍କରତା ତାକୁ ଗ୍ରାସ କରୁଥିଲା ।

 

ଅନୀଲାକୁ ଡାକିଦେଲେ ହୁଅନ୍ତା... ଭାବିଲା ସୁନୀଲା ।

 

ପର ମୁହୂର୍ତ୍ତରେ ପୁଣି ମନେପଡ଼ିଲା ତାର, ଗତ ରାତିରେ ସେମାନେ ପ୍ରାୟ ସାଢ଼େ ଗୋଟାଏ ବେଳେ ଘରକୁ ଫେରି ଶୋଇଛନ୍ତି । ଆଜିକାଲି ସେ ଓ ଅନୀଲା ରାତିରେ ଘରେ ପ୍ରାୟ ଖାଉ ନାହାନ୍ତି । ଡ୍ରାମା ଥାଉ କି ନ ଥାଉ ଖାଇବାକୁ ମିଳେ ନିଶ୍ଚୟ ।

 

ଗତ ରାତିରେ ଡ୍ରାମା ଥିଲା ।

 

ଅନୀଲାର ମୁହଁକୁ ଚାହିଁଲା ସେ । ରାତ୍ରିର କୃତ୍ରିମ ଆଲୋକରେ ଯେଉଁ ରଙ୍ଗର ସମାରୋହ ତାକୁ ମଞ୍ଚ ଉପରେ ଏତେ ଲୋଭନୀୟ, ଆକର୍ଷଣୀୟ କରିଥିଲା, ସକାଳର ଆଲୋକରେ କେତେ ବୀଭତ୍ସା, କେତେ ଘୃଣ୍ୟ ଦେଖାଯାଉଛି ସେ ରଙ୍ଗ ! ସେଇ ମୁହଁ ! ଅଥଚ ଅନୀଲା ଅସୁନ୍ଦରୀ ନୁହେଁ । ଅନ୍ତତଃ କେହି ତାକୁ ସେ କଥା କହିବାର ଅନୀଲା ଶୁଣି ନାହିଁ କେବେ ।

 

ଯୌବନ ତାର ଢଳଢଳ । ପୂରି ରହିଛି ଦେହରେ । ଯାହା ସୁନୀଲାର ଚାଲିଯାଇଛି–ଯାଉଛି... ତା’ରି ଦାଉରେ ଅନୀଲା ବ୍ୟତିବ୍ୟସ୍ତ । ଅଥଚ ଏତେ କଦର୍ଯ୍ୟ ଦିଶୁଛି ତାକୁ !

 

ନିଜେ ସେ ତା’ହେଲେ କ’ଣ ଦେଖାଯାଉଥିବ ? ଗତ ରାତିରେ ଅନୀଲା ତାକୁ ଗ୍ରୀନରୁମ୍‍ ରେ କହୁଥିଲା, ‘ଅପା, ତୋତେ ଆଜିକା ମେକ୍‍ଅପଟା ବେଶ୍ ମାନୁଛି ଲୋ !’ ଅଇନାରେ ସତେ ସେ ନିଜେ ଭାରି ସୁନ୍ଦର ଦେଖାଯାଉଥିଲା ।

 

ବାହାରେ ଜନକୋଳାହଳ ଧୀରେ ଧୀରେ ବଢ଼ିଚାଲିଛି–ରିକ୍‍ସା, ମଟରର ହର୍ଣ୍ଣ ଶୁଭିଲାଣି । ସକାଳ ନିଜର ଆସନ ଜମାଇ ନେଲାଣି ।

 

ଚା’ ଖାଇସାରି ସେମାନେ ପେଣ୍ଟିଂ ପୋଛିବେ ନଡ଼ିଆ ତେଲ ମାରି–ସାବୁନ ଘଷି ଘଷି । ଆଗରୁ ନୂଆ ନୂଆ ଡ୍ରାମା କରିବାକୁ ଯାଉଥିଲା ବେଳେ ଡ୍ରାମା ସାରି ସେଇଠି ସଫା ହୋଇ ପଡ଼ୁଥିଲା ସୁନୀଲା–ଅନୀଲା ମଧ୍ୟ । ଏବେ କିନ୍ତୁ ତା’ର ଆଉ ଆବଶ୍ୟକତା ପଡ଼ୁନାହିଁ । ସେତେବେଳେ ଦିନେ ଦିନେ ଏଇ ରଙ୍ଗ ବୋଳି ହେବାକୁ ପଡ଼ୁଥିଲା–ମଝିରେ ମଝିରେ ଦରକାର ପଡ଼ୁଥିଲା । ଏବେ ପ୍ରାୟ ସବୁଦିନେ । ତେଣୁ ଅନର୍ଥକ ସମୟ ନଷ୍ଟ କରିବା ଅପେକ୍ଷା ସେଇ ରଙ୍ଗବୋଳା ମେକ୍‍ଅପ୍ ଲଗା ମୁହଁରେ ଶୋଇଯିବାଟାକୁ ଅଧିକ ସମୀଚୀନ ଓ ଆରାମପ୍ରଦ ଲାଗେ ବୋଲି ଅନୀଲା ସୁନୀଲା ତାହା ହିଁ କରନ୍ତି ଏବେ ।

 

କୋଳ ଛୁଆଟାର ନିଦ ଭାଙ୍ଗିଯାଇଛି କି କ’ଣ ! ମା’ର ସେମେଟା ଛାତିରୁ ଜୋରରେ ଜୋରରେ ଦୁଧ ଓଟାରି ପକାଉଛି ସେ । ମା’ କିନ୍ତୁ ନିଶ୍ଚିନ୍ତ ମନରେ ଧେଡ଼ି କୁତୀ ଭଳି ଦେହ ଫୁଙ୍ଗୁଳା କରି ପଡ଼ିରହିଛି ।

 

ମା’କୁ ଖାଲିଦେହରେ ଦେଖିଲେ କାହିଁକି କେଜାଣି ମନଭିତରଟା ବିଷେଇଉଠେ । ଘିନ୍ ଘିନ୍ ହୋଇ ଉଲୁସିଉଠେ ଦେହ ।

 

ଏଇ ମା ପୁଣି କୁଆଡ଼େ ଭାରି ସୁନ୍ଦରୀ ଥିଲା ! ତା’ଦେହ ବଳିଲା ବଳିଲା ଥିଲା ! ଭସାଣିଆ ଆଖିରେ ଥିଲା ମାଦକତା–ଯାଦୁକରୀ ଆଖି କୁଆଡ଼େ । ଥରେ ଆଖି ମିଳିଲେ ଯାଦୁ କରି ଦେଉଥିଲା ଏଇ ମା’–ମୁଣ୍ଡରେ ଥିଲା ଆଣ୍ଠୁଏ ଲମ୍ବା ଗହବା ବାଳ–କଳା ମୁଚୁମୁଚୁ ହୋଇ ସାରା ପିଠି ଘୋଡ଼ାଇ ପକାଉଥିଲା–ଯୋଉଥିରୁ କେରାଏ ଦି’କେରା ଉଦ୍‍ବୃତ୍ତ ଅଛି ! ଆଉ ଛାତିରେ ଥିଲା ଛାତିଏ ଯୌବନ !

 

ତାକୁଇ ଦେଖି ସେଦିନର ଯୁବକ ଟ୍ରକ ଡ୍ରାଇଭର ତା’ ବାପା କଡ଼ରେ ବସାଇ ନେଇ ଆସିଥିଲେ । ସମ୍ବଲପୁରର କେଉଁ ଅଖ୍ୟାତ ପଲ୍ଲୀ ଗାଁରୁ–ନିତି ନିତି ସେଇଠି ଦେଖା ହେଉଥିଲା ପ୍ରଥମେ ପ୍ରଥମେ–ଟ୍ରକ ନେଇ ଗଲା ଆସିଲା ବେଳେ । ଏଇ ଝିଅଟିର ଇସାରାରେ ଇଂଜିନ୍ ବାରମ୍ବାର ବିଗିଡ଼ି ଯାଉଥିଲା–ଟ୍ରକର ଆଗଚକ କି ପଛଚକ ପଙ୍କ୍‍ଚର ହୋଇଯାଉଥିଲା ସେଇଠି–ଆଉ ସେଇଠି ଠିକ୍ ରାସ୍ତାକଡ଼ ଗାଁର ଝିଅଟିଏ ନାଲି ଧୂଳି ମାଡ଼ ଖାଇ ସତେ କି ଅପେକ୍ଷା କରୁଥିଲା ଏଇ ଟ୍ରକର ଡାଲା ପଛରେ ଲେଖା ହୋଇଥିବା ‘ଫିର୍ ମିଲେଙ୍ଗେ’ ପଢ଼ିବା ପାଇଁ–

 

ହସିହସି ସିଏ ବି ସେଦିନ ଚାଲିଆସିଥିଲା ମଦନ ଦାସର ଚଉଡ଼ା ଛାତିରେ ମୁଣ୍ଡ ଗୁଞ୍ଜି ଦେଇ । ଆକସିଲେଟର ଦାବି, ସ୍ପିଡରେ ଟ୍ରକ ଉଡ଼ାଇ, ଗଡ଼ ଜିତି ଆସୁଥିଲାବେଳେ କ୍ଲିନର୍ ମକରା କୁଆଡ଼େ ଚଳନ୍ତା ଟ୍ରକର ଡାଲାରେ ନାଚି ନାଚି ତାଳପକାଇ ହିନ୍ଦୀ ସିନେମାର ପ୍ରେମଗୀତ ଗାଉଥିଲା ଏମାନଙ୍କର ମିଳନରେ ମୁଗ୍‍ଧ ହୋଇ–

 

ତା’ପରେ–

 

ତା’ ପର କାହାଣୀ ଅତି ସାଦାସିଧା–

 

ଏମାନେ ଘର ବାନ୍ଧିଥିଲେ । ସୁନୀଲା, ପୁଅ ସୁର, ଅନୀଲା...ଏମିତି ଗୋଟିଏ ପରେ ଗୋଟିଏ ପେଟରେ ଧରିଥିଲା ମା’ ।

 

ସେ ଏକ ବିରାଟ, ଲମ୍ବା କାହାଣୀ...ସିନେମାର କାହାଣୀ ଭଳି ମଜାଦାର୍ ପୁଣି କରୁଣ । ମନ ଖୁସିଥିଲା ବେଳେ ସେଇ ମା’ ଦିନେ ବସି ଗପୁଥିଲା ଏସବୁ ।

 

ମନକୁ ମନ ଟିକେ ହସିଦେଲା ସୁନୀଲା । ବାପା–ମାଆଙ୍କର ଏଇ ପ୍ରେମ କାହାଣୀ କଥା ଭାବିଲା ବେଳକୁ କେମିତି ଆଈମା କାହାଣୀ ଭଳି ଲାଗେ । ବିଶ୍ୱାସ କରି ହୁଏନି । ବିଶ୍ୱାସ ଆସିଲେ ସେତେବେଳର ବାପ–ମାଆଙ୍କର ରୂପ, ଚାଲିଚଳଣ, ଢଙ୍ଗରଙ୍ଗ, ସବୁ କଳ୍ପନା କରିକରି ମନକୁ ମନ ଲାଜ ଲାଗେ । ଛି, ଏମାନେ କ’ଣ ଭଲ ପାଉଥିବେ ମ ? ଆମେ ଭଲ ପାଇଲେ ଏବେ ଆମ ମନରେ ଯେଉଁ ଧାରଣାସବୁ ଆସେ, ତାଙ୍କ ମନରେ କ’ଣ ସେଇ ଧାରଣା ସବୁ ଆସୁଥିବ ? ସେମାନେ କ’ଣ ଏମିତି ବ୍ୟବହାର କରୁଥିବେ ? ଛି ! ନିଜ ଲାଜରେ ସେ ସକାଳଟାରେ ନିଜେ ଆଖି ବୁଜି ପକାଇଲା ସୁନୀଲା । ତା’ ପରେ ଆଖି ଫିଟାଇ ପୁଣି ମା’କୁ ଚାହିଁଲା ।

 

ଶୋଇଥିବା ମା’ର ରୂପକୁ ଦେଖି ସେ କଳ୍ପନାର ଅତୀତ ଦିନର ମା’ର ଛବି ଉଭେଇଗଲା କାହିଁ, କୁଆଡ଼େ !

 

ଘରଟା ସାରା ଆଖି ବୁଲେଇ ଆଣୁଆଣୁ ତା’ ଆଖି ପଡ଼ିଗଲା ବୁଟୁ ଉପରେ । ଚଗଲାଟା ମଟ ମଟ କରି ତାକୁଇ ଚାହିଁରହିଛି ବୁଟୁ । କ’ଣ ଭାବୁଚି କେଜାଣି ମନେ ମନେ ? କେମିତି ଗୋଟାଏ ଆଶ୍ଚର୍ଯ୍ୟ ହେବାର ଭାବ ତା’ ଆଖିରେ । ମୁହଁରେ ଦୁଷ୍ଟାମିର ଛୋଟ ହସ । ଆଖି ଦି’ କଡ଼କୁ ବହିଆସିଛି ଦୁଇ ମେଞ୍ଚା ଲେଞ୍ଜେରା । ନିଜେ ନିଜକୁ ଦେଖି ନ ପାରିଲେ ବି ସୁନୀଲା ବୁଟୁ ଆଖି ଓ ଭାବଧାରାକୁ ଅନୁସରଣ କରି ନିଜ ମୁହଁର ପ୍ରତିଚ୍ଛବି କଳ୍ପନା କରିବାକୁ ଚେଷ୍ଟା କଲା ।

 

ସେମିତି ଚାହିଁରହିଛି ସେ–

 

ଆରେ ! ମୁହଁରେ ତା’ର ଗତ ରାତିର ପେଣ୍ଟିଂ ରଙ୍ଗ ଲାଗିରହିଛି ସେମିତି । ଅପା ମୁହଁରେ ଲାଗିଥିବା ସେ ପେଣ୍ଟିଂ ରଙ୍ଗ ବୋଧହୁଏ ବୁଟୁକୁ ବିଚିତ୍ର ଲାଗୁଛି । ସବୁଦିନେ ନ ହେଲେ ବି ଅନେକ ଥର ବୁଟୁ ଦେଖିଛି ସୁନୀଲାର ଏ ରଙ୍ଗବୋଳା ମୁହଁ । ଆଜିକାର ମେକ୍‍ଅପଟା ବୋଧହୁଏ ଭିନ୍ନ !

 

ଓଃ, ଗତ ରାତିରେ ଶେଷ ସିନରେ ତାକୁ ବୋହୂ ସାଜିବାକୁ ପଡ଼ିଥିଲା । କପାଳରେ ନାଇଥିଲା ଟିପା ଚନ୍ଦନ ଆଉ ସୀମନ୍ତରେ ବହଳ ସିନ୍ଦୂରରେଖା, ଗଣ୍ଡରେ ବୋଳାହୋଇଥିଲା କସ୍ତୁରୀର ବର୍ଣ୍ଣ ।

 

ସେଇ ସିନ୍ଦୂର, ଟିପା ଚନ୍ଦନ, କସ୍ତୁରୀ ଲାଗିରହିଛି ସୁନୀଲା ମୁହଁରେ–ଏଇ ରୂପଟା ବୋଧହୁଏ ବୁଟୁକୁ ନୂଆ ଲାଗୁଛି ।

 

–ଅପା, ତୁ ଭାରି ସୁନ୍ଦର ଦିଶୁଛୁ । ଠିକ୍ କନିଆଁ ଭଳି । ସେଦିନ ମହାନ୍ତି ଘର ଶାନ୍ତି ଅପା ବାହା ହେଲାବେଳେ ଏମିତି ବେଶ ହୋଇଥିଲା । ସିଏ ଭଲ ଶାଢ଼ି ପିନ୍ଧଥିଲା–ତୁ ମସିଆଟଏ ପିନ୍ଧିଚୁ-। ଶୋଇରହି ବୁଟୁ କହିଲା ।

 

କାହିଁକି କେଜାଣି, ଶେଥା ସକାଳ ହଠାତ୍ ଆହୁରି ବିବର୍ଣ୍ଣ ହୋଇଉଠିଲା ସୁନୀଲା ପାଖରେ । ଛଅ ବରଷର ସାନ ଭାଇର କଥା ଶୁଣି ଥଣ୍ଡାମିଶା ହେମାଳ ପବନ ତାତିଲା ତାତିଲା ଲାଗିଲା ତାକୁ । ମନଟା ଅଜାଣତରେ କେମିତି ବିଷେଇଗଲା ।

 

ବୁଟୁ କ’ଣ ଥଟ୍ଟା କରୁଛି ?

 

ଯାହା ଜୀବନରେ କେବେ ହୋଇପାରିବ ନାହିଁ, ସେହି ଅବସ୍ଥା କଳ୍ପନା କରିବାକୁ ଭଲ ଲାଗେନା । ଅଯଥାରେ ସେଇ କଥା ପ୍ରତି ବିରକ୍ତି ଆସେ । ଆଜେ ବାଜେ କଥା କହି ଏଡ଼ାଇଯିବାକୁ ମନ ହୁଏ । ଅକସ୍ମାତ୍ ସେଇ କଥା କେହି କହିଦେଲେ ମନଭିତରର କୋଉ ଅଜଣା କୋଣରେ ପରାସ ଲାଗେ । ଧକ୍‍ କରି ଟଣକିଉଠେ, ଅଥଚ ଶୁଣିବାକୁ ଭଲ ଲାଗେ ।

 

ଦରଜ ଲାଗୁଥିବା ଜାଗାଟାରେ କଷ୍ଟ ଲାଗୁଥିଲେ ବି ଯେମିତି ଚିପି ଦେବାକୁ ଇଚ୍ଛା ହୁଏ-

 

ଧେତ୍ ! କି ବାଜେ କଥାସବୁ ସେ ଭାବୁଚି ମନକୁ ମନ ? ଏଡ଼େ ଛୋଟ ପିଲାଟା, ସେ ଅବା ଥଟ୍ଟା କରିବ କାହିଁକି ? ସିଏ ବା କେମିତି ଜାଣିବ ସୁନୀଲାର ଦିହ ଭିତରର ବ୍ୟଥା ? ସାହି ଝିଅଙ୍କର ବାହାଘରକୁ ଯାଇଥିଲା ବୋଧହୁଏ । କନିଆର ରୂପଟା ଭଲ ଲାଗିଚି । ସେଇଥିପାଇଁ କହିଲା କଥାଟା । ସିଏ କ’ଣ ବୁଝୁଚି ଅନ୍ୟମାନେ ଜୀବନରେ ଥରେ ସେ ରୂପ, ସେ ବେଶ ହେଲେ ବି ତା’ଅପା ନିତି ନିତି ସେ ବେଶ ହୁଏ ? ପୁଣି ଲିଭାଇଦିଏ ?

 

ବୁଟୁକୁ କିଛି ଉତ୍ତର ନ ଦେଇ ସେ ନୀରବ ରହିଲା ।

 

ବିଛଣା ଉପରେ ଉଠିବସିଲା ବୁଟୁ । ହସ ହସ ମୁହଁରେ ପଚାରିଲା–ଅପା, ତୋ ବାହାଘର କେବେ ହବ ?

 

ହଠାତ୍ କିଏ ଜଣେ ଆସି ଥାପଡ଼ ମାରିଥିଲେ ବି ବୋଧହୁଏ ଏତେ ଖରାପ ଲାଗି ନ ଥାନ୍ତା । ବିରକ୍ତ ହୋଇଉଠିଲା ସେ । କିଛି ନ କହିଲାରୁ ଏଡ଼େ ଟିକେ ପିଲା ବସି ବସି ବୁଢ଼ା ଖୁଣ୍ଟଙ୍କ ଭଳି ବଡ଼ ବଡ଼ କଥା ପଚାରୁଛି ! କ’ଣ ଗୋଟାଏ କହିଆସୁଥିଲା ସେ ବିରକ୍ତିରେ । ପାଖରେ ଶୋଇଥିବା ଅନୀଲା ସେମିତି ଆଖିବୁଜି ରହି ପାଟିକରି ଉଠିଲା, “ଚୋପ୍ ମେଞ୍ଚଡ଼ ଟୋକା–ସକାଳୁ ବସି ନବରଙ୍ଗ ବାହାର କରୁଛି ! ଯା–ଦାନ୍ତ ଘଷିବୁ ଯା !”

 

ସେ ଚେଇଁରହି ଏମିତି ସବୁ ଆଜେବାଜେ କଥା ସବୁ ଭାବୁଚି ବୋଲି ଅନୀଲା କ’ଣ ଜାଣିପାରିଛି ? ସିଏ ବି କ’ଣ ଅନେକବେଳୁ ଏମିତି ଚେଇଁ ରହିଛି ? ସୁନୀଲାର ମନେହେଲା, ଅନୀଲା ଏମିତି କ’ଣ ସବୁ ଭାବୁଥିବ ଏଇ ସମୟତକ, ଆଉ ମନ ଖରାପ କରୁଥିବ ? ତା’ ଭାବନା ବି ସୁନୀଲା ଭଳି ଥଳକୂଳ ପାଉ ନ ଥିବ ?

 

ନା, ସେ ଆଉ କାହା କଥା ଭାବୁଛି ଶୋଇ ଶୋଇ, ଅନ୍ୟ କାହାକୁ ଜଣାଇବାକୁ ନ ଦେଇ ?

 

ସେଇ ମୁହୂର୍ତ୍ତରେ ସୁନୀଲାର ଇଚ୍ଛାହେଲା, ଅନୀଲାର ମନ ଭିତରର ସବୁ କାହାଣୀ, ଭାବନା ଜାଣିହୋଇ ପାରୁଥାନ୍ତା କି ? ଆଉ କାହାରି ମନଭିତରର ସେ ଅତଳ ଦରିଆଟାରେ ଡୁବ ମାରି ହେଉଥାଆନ୍ତା କି ? ସମସ୍ତଙ୍କର ମନକଥା ଜାଣି ହୁଅନ୍ତା କି ?

 

–ଉଠିଲୁଣି କିଲୋ ? ସୁନୀଲା ଏଥର ନୀରବତା ଭାଙ୍ଗି ପଚାରିଲା । ଅନୀଲା ଆଖିପତା ମେଲାଇଲା ନାହିଁ । ସେଇଭଳି ମୁଣ୍ଡ ଉପରେ ଦି’ ହାତ ଟେକିରଖି ଶୋଇରହି କହିଲା–“ତୋର ଅନେକ ଆଗରୁ”–

 

ବୁଟୁ ବିଛଣା ଉପରେ ଉଠି ଛିଡ଼ା ହେଲା । କନ କନ ହୋଇ ଚାହିଁଲା ବି ଅପାଙ୍କ ଆଡ଼େ-। ଜଣକର ମୁହଁର ରଙ୍ଗ ତାକୁ ଭଲ ଲାଗିଥିଲା । ଆଉ ସେଇକଥା କହି ପକାଇଥିଲା ବୋଲି ସେ ନିଦକୁ ଉଠୁ ଉଠୁ ଗାଳି ଖାଇଛି । ସେଥିପାଇଁ ଦୁଷ୍ଟ ମନ ନେଇ ସେ କ’ଣ ଗୋଟାଏ କହିବ ବୋଲି ଭାବୁଥିଲା । ସେଇଠି ଛିଡ଼ା ହୋଇ, ବଡ଼ମଣିଷଙ୍କ ଭଳି ହାତ ଉପରକୁ ଟେକି ଗୋଟାଏ ହାଇମାରି କହିଲା, “ବୁଝିଲୁ ସାନଅପା, ତୋ ମୁହଁନା, ଏକାବେଳକେ ଗୋଟାଏ ରାକ୍ଷସୀ ଭଳି ଦିଶୁଛି-।”

 

ତଡ଼ା ଖାଇବ ବୋଲି ସେ ରେଡ଼ି ହୋଇଥିଲା ।

 

ବିଛଣାରୁ ଉଠିପଡ଼ି ଅନୀଲା ପାଟିକରି କହିଲା, “ଯା’ ଭାକ୍, ପଳା ଏଠୁ ।” ବୁଟୁ ଦୌଡ଼ି ପଳାଇଗଲା । ରୀନା ଉଠିପଡ଼ି ବଡ଼ ବଡ଼ ଆଖି ମେଲି ଚାହିଁଲା ବୁଟୁର ଦୌଡ଼ିଯିବା ଆଡ଼େ । ତା’ପରେ ଚାହିଁଲା ସୁନୀଲା ଓ ବିଛଣାରେ ଉଠି ବସିଥିବା ଅନୀଲା ଆଡ଼େ ।

ସକାଳ ପହରର କୁଣ୍ଢେଇ ବାହାଘର ସ୍ୱପ୍ନ ତା’ର ଭାଙ୍ଗିଗଲା କି କ’ଣ । ଆଖିରୁ ତା’ର ତନ୍ଦ୍ରାର ଜଡ଼ତା କଟି ନାହିଁ ସେଯାଏଁ । ଚାରିଆଡ଼େ ଖୋଜିଲା ଖୋଜିଲା ଚାହାଣିରେ ଦେଖିନେଇ ବିଛଣାରୁ ଉଠିପଡ଼ିଲା ସେ । ବୁଟୁକୁ ଅନୁସରଣ କରି ବାହାରକୁ ଚାଲିଗଲା ।

ମା’ ଅନେକ ଡେରିରେ ଉଠିବ ।

ସୁନୀଲାର ନଇଁ ଆସୁଥିବା ଛାତିରେ ହଠାତ୍ ଲୋଟିପଡ଼ିଲା ଅନୀଲା । କୁତୁକୁତୁ ଲାଗିଲା ଭଳି ହସିଉଠି ଜୋରରେ ନିଶ୍ୱାସ ନେଇ ଅନୀଲାକୁ ପେଲି ଉଠାଇଦେଇ ନିଜେ ଉଠି ବସିଲା ସୁନୀଲା ।

ରାତିରେ ଅସଜଡ଼ା ଲୁଗାପଟା ସଜାଡ଼ି ନେଇ ମା’ଆଡ଼କୁ ସନ୍ତର୍ପଣରେ ଚାହିଁ ହସ ରୋକି ଦୁହେଁ ବାହାରକୁ ଦୌଡ଼ି ଆସିଲେ । ଆଗେ ସୁନୀଲା–ତା’ପଛେ ପଛେ କାନି ଧରି ଧରି ଅନୀଲା ।

କାରଣ ନ ଥିଲେ ବି ଦୁହେଁ ହସିଲେ । ‘ଫାଜିଲ୍’ କହିଲା ସୁନୀଲା ।

ଅଲାଜୁକୀ ଅନୀଲାଟା ହୋ’ ହୋ’ ହୋଇ ହସିଉଠିଲା ଜୋରରେ... ଜୋରରେ...

ସକାଳର ସୂର୍ଯ୍ୟ ମଝିରେ ଲାଲ୍ ହୋଇ ଉଠିଥିଲା । ହଳଦିଆରେ ପରିଣତ ହେଲାଣି ଏଥର । ସକାଳ ସୂର୍ଯ୍ୟର ହଳଦିଆ କିରଣ ଆସି ଚାଳ ଉପରେ ପଡ଼ିଲାଣି । କାଲୁଆ ଶୀତୁଆ ପବନ କ୍ରମଶଃ ତାତିଲା ହୋଇଯାଉଛି ।

 

ମା’ ବାପା ଉଠିବେ ଏଥର ।

 

ବୁଟୁ, ରୀନା ଦାନ୍ତ ଘଷିସାରି ଖାଇବାକୁ ମାଗିଲେ ସୁନୀଲାକୁ । ନଡ଼ିଆତେଲ କାଢ଼ି ମୁହଁରେ ଘଷିବାକୁ ଆରମ୍ଭ କରୁ କରୁ ସେ କହିଲା, “ଅନି, ସେ ଦିଇଟାଙ୍କୁ କ’ଣ ଦେଇଦବୁଟି ଲୋ ! ରୋଷେଇଘରେ ଦେଖ, ମା’ କ’ଣ ରଖିଥିବ ।”

 

ଦାନ୍ତ ଘଷିସାରି ଜିଭ ଛେଲୁଥିଲା ଅନୀଲା । ଶେଷ ଥର ପାଇଁ ଜିଭଛେଲାଟା ଜିଭରେ ଘଷିଆଣି ତଳକୁ ଫୋପାଡ଼ିଦେଇ ବିରକ୍ତିରେ ମୁହଁଟେକି କହିଲା, “ଓହୋଃ, ମହାରାଣୀ ଭଳିଆ ଶୋଇଛି ଏତେବେଳଯାଏଁ–ମୁଁ ଦେଇପାରିବି ନାହିଁ ଖାଇବାକୁ ।”

 

ମା’ ଉପରେ ସୁନୀଲା ବିରକ୍ତ ହେଲେ ବି ତାର ପ୍ରତିଦ୍ୱନ୍ଦ୍ୱୀ ଭଳି ଏମିତି କହିବାକୁ କାହିଁକି କେଜାଣି ମନରେ ଖଟକା ଲାଗେ ତାକୁ । ଯୋଉଟା ଅନୀଲାକୁ ଆଦୌ ବାଧେ ନାହିଁ । ସୁନୀଲା ଏଥିପାଇଁ ମନେ ମନେ ଅତି ଚିଡ଼ିଲେ ବି ଖରଖରୀ ଅନୀଲାକୁ କିଛି କହେ ନାହିଁ–କହିପାରେ ନାହିଁ ମୁହଁ ଖୋଲି । ଏକୁଟିଆ ପାଇ ଯେତେବେଳେ କୁହେ, ସେତେବେଳେ ବରଂ ଅନୀଲାର ବିଦ୍ରୋହ ନିଆଁରେ, ନିଜ ମନକୁ ଜାଳିଦେବା ହିଁ ସାର ହୁଏ ।

 

ମଣିଷ ଏପରି ଏକ ଅବସ୍ଥାରେ ଆସି ପହଞ୍ଚେ, ବୟସ, ଅବସ୍ଥା, ଅଭାବ ସବୁ ମିଶି ତାକୁ ଏମିତି ବିବ୍ରତ କରିପକାନ୍ତି, ଯାହା ଫଳରେ ସେ କେବଳ ନିଜ ଉପରେ ନୁହେଁ, ଜଗତ ଉପରେ ଚିଡ଼େ । ମା’କୁ ମା’ର ଜାଗାରେ, ବାପକୁ ବାପର ଜାଗାରେ ରଖିବାକୁ ମନ ବଳେ ନାହିଁ । ସେମାନେ କୁଆଡ଼େ ଓହ୍ଲାଇଯାଆନ୍ତି ରସାତଳକୁ ।

 

ସୁନୀଲା ମା’ର ଯେଉଁ ରୂପ ଦେଖିଛି, ହୁଏତ ଅନୀଲା ସେଇଟା ଦେଖିବାକୁ ପାଇ ନାହିଁ-। ବାପ ମା’ଙ୍କର ପ୍ରଥମ ସନ୍ତାନ ସେ । ଅଭାବ, ଅସୁବିଧା ପଡ଼ିଲେ ବି ଅନୀଲା ବେଳକୁ ସେଇଟା ଯେତେ ବେଶୀ ଅନୁଭବ ହେଉଛି, ତା’ବେଳକୁ ସେଇଟା ଜଣା ଯାଉ ନ ଥିଲା । ମା’ର ଏ ହୀନତା, ଏ ଛୋଟଲୋକୀ ତା ଆଖିରେ ପଡ଼ି ନ ଥିଲା ବେଶୀ । ତାକୁ ଭଲ ପାଉଥିଲେ ବାପ–ମା’–ସେଇଥିପାଇଁ ମା’କୁ ସେ କିଛି କହି ପାରେନା । ଆଉ ଠିକ୍ ସେଇ କାରଣରୁ ମା’କୁ ମା’ଭଳି ସମ୍ମାନ ଦେଖାଇବାକୁ ଅନୀଲା ପ୍ରସ୍ତୁତ ନୁହେଁ ।

 

ମା’ ନୁହେଁ ତ, ଗୋଟାଏ ଛୁଆ ଜନ୍ମ କରିବାର ଯନ୍ତ୍ର ! ଆଉ ତା’ର ତତ୍ତ୍ୱ ନେବାର ନାଁ ଗନ୍ଧ ସୁଦ୍ଧା ନାହିଁ । ତାଙ୍କରିଠାରୁ କେମିତି କେତେ ଉପାୟରେ ଆୟ, ଆଦାୟ କରାଯାଇପାରେ, ସେଇ ଚିନ୍ତା ସଦାବେଳେ–

 

ନିଦରୁ ଉଠିଲା ମାତ୍ରେ ମା’ର ଯେଉଁ ଭଟର ଭଟର ହେବା ଆରମ୍ଭ ହୁଏ, ନ ଶୋଇଲା ପର୍ଯ୍ୟନ୍ତ ସେଇଟା ସେମିତି ଲାଗି ରହିଥାଏ । ସେ ଭଲଭାବେ ଜାଣେ, ବାର ଆଡ଼ୁ ବାର ପ୍ରକାର ଲୋକ ଆସିବେ ଅନୀଲା-ସୁନୀଲାଙ୍କ ପାଖକୁ । ମିଛରେ ହେଉ, ସତ କାମରେ ହେଉ, ତାଙ୍କୁ ଜଗିବାର ଅର୍ଥ ନାହିଁ–କୌଣସି ଅର୍ଥ ଥାଇ ନ ପାରେ । ଯେଉଁ ଝିଅ ଅନ୍ୟ ସହରରେ, ଆଉ କାହା ଘରେ ରାତି ବିତାଉଛନ୍ତି, ସମୟ କଟାଇ ଆସୁଛନ୍ତି, ତାଙ୍କୁ ଘଣ୍ଟା କେତେଟା ପାଇଁ ଘରେ ଜଗିବାର କୌଣସି ମାନେ ବୋଧହୁଏ ହୁଏନା ! ତଥାପି ସେ କହେ, ମା’ ମନ ସହିପାରେନା ବୋଲି ଆଉ ଅଯଥାରେ ଗରର୍ ଗରର୍ ହୁଏ, ବକର ବକର ହୁଏ ଦିନସାରା ।

 

ଅନୀଲା ତାକୁ କୁହେ, ହିଂସାରେ ଜଳିପୋଡ଼ି ଯାଉଛି ବୋଲି ।

 

ବିରକ୍ତ ହେଲେ ବି ମୁହଁହାତ ଧୋଇ ସାରି ଅନୀଲା ଉଠିଗଲା । ପତର ଉପରୁ ଢଳ ଢଳ ହୋଇ ପାଣି ଗଡ଼ିଆସିଲା ପରି ପେଣ୍ଟିଂବୋଳା ମୁହଁରୁ ତା’ର ପାଣିଗୁଡ଼ାକ ଝରି ଆସୁଥିଲା ।

 

ପିନ୍ଧା ମଇଳା ଲୁଗା କାନିରେ ମୁହଁଟା ପୋଛିଦେଇ ରୋଷେଇଘରୁ ହାଣ୍ଡି–କୁଣ୍ଢେଇ ଏପଟ ସେପଟ କରି ଦି’ପଟ ବାସି ରୁଟି, ମେଞ୍ଚାଏ ଲେଖାଏଁ ଗୁଡ଼ ତାଙ୍କୁ ଧରାଇଦେଲା । ମୁହଁଟା ଲୁଗାରେ ପୋଛିଦେବାରୁ କେତେକ ଅଂଶରୁ ରଙ୍ଗ ଖସିଯାଇ ଛଉଛଉକା ଦିଶିଲା । ତାକୁ ଚାହିଁ ବୁଟୁ ହସି ହସି ପୁଣି କହିଲା, “ଅଇନାରେ ତୋ ମୁହଁ ଟିକେ ଦେଖୁନୁ ?”

 

ଖଁ ଖଁ କାଶି ବିଡ଼ିଟାଏ ଲଗାଇ ବାପା ଉଠିଆସିଲେ ଆର ଘରଟା ଭିତରୁ ।

 

ଘର ବୋଲି ସମୁଦାୟ ଦୁଇ ବଖରା । ଆଉ ଖଣ୍ଡେ ଗଳି–ଦାଣ୍ଡଘର ସେଇଟା । ବାଟଟାଏ–ସେଇଠି ସାଇକେଲ ଡେରାହୁଏ । ଚଟି, ଜୋତା ରଖାଯାଏ ଅଇଲେ, ଗଲେ । ବାକି ରୋଷଇଘର । ଯେଉଁ ବଖରାଟିରେ ମା’ ଆଉ ପିଲାଏ ଶୁଅନ୍ତି, ସେଇ ଗୋଟିକ ମାତ୍ର ଘର ଟିକିଏ ପ୍ରଶସ୍ତ । ବାପା ଯେଉଁ ଘରଟିରେ ଶୁଅନ୍ତି, ବାକି ସମୟତକ ସେଇଟା ପିଲାଙ୍କ ପଢ଼ିବା ଘର, ବୈଠକଖାନା, ସବୁ ଭାବରେ ବ୍ୟବହାର କରାଯାଏ । ବାପାଙ୍କ ବିଛଣାଟା ଗୁଡ଼େଇ ଦେଇ ଉଠାଇ ଆଣନ୍ତି ଏମାନଙ୍କ ଶୋଇବା ବଖରାକୁ ।

 

ଏଇ ହେଲା ମଦନ ଦାସଙ୍କର ବାଙ୍ଗଲୋର ସାଧାରଣ ରୂପରେଖ । ଅନୀଲା–ସୁନୀଲାଙ୍କର ଚେମ୍ବର । ସବୁ ।

 

ଆଗରୁ ବୋଧହୁଏ ବୈଠକଖାନାର ଆବଶ୍ୟକତା ନ ଥିଲା । କିଏ ବା କାହିଁକି ଆସିବ ଟ୍ରକ୍ ଡ୍ରାଇଭର ମଦନ ଦାସ ଘରକୁ ଆଡ଼୍‍ଡା ଦେବାକୁ ? କିଏ କଦବା କେମିତି ଡକାହକା କଲେ ତାଙ୍କ ପାଇଁ ଘର ଆଗପଟେ ଥିବା ଅପ୍ରଶସ୍ତ ବାରଣ୍ଡା ଯଥେଷ୍ଟ ଥିଲା ।

ଅନୀଲା–ସୁନୀଲା ଏଇ ଅଭିନୟକୁ ପେଶା କରିବା ଦିନଠାରୁ ଅକାରଣରେ ବହୁ ଲୋକ ଆସନ୍ତି ବସି ଗପ କରିବା ପାଇଁ । କହନ୍ତି–ସାଂସ୍କୃତିକ ଆଲୋଚନା କି କଳା ଚର୍ଚ୍ଚା କରିବାକୁ ଆସିଲୁ ବୋଲି ।

ଘରକାମ ପଡ଼େ ବୋଲି ପାଳି କରି ଅଦଳ ବଦଳ କରି ସୁନୀଲା–ଅନୀଲା ବସନ୍ତି ଏମାନଙ୍କ ପାଖରେ । ଦିନେ ଦିନେ ବିରକ୍ତିରେ ‘ଯାଆନ୍ତୁ’ ବୋଲି କହିଲେ କି ମୁହଁ ଟେକି ହାଇ ମାରିଲେ ବି ଏମାନେ ଯାଆନ୍ତି ନାହିଁ । ଅଯଥାରେ ବସି କୋଉଠି କୋଉ ଡ୍ରାମା ହେଲା, କିଏ ରୋଲ୍ କଲା, ଅମୁକ ଲୋକ ପିକ୍‍ଚର କରୁଚି, କାହାକୁ କାହାକୁ ରୋଲ୍ ପାଇଁ ବାଛିବ ଏମିତି ଆଜେ ବାଜେ ଲକ୍ଷେ କଥା ପଡ଼େ ।

ମଦନ ଦାସ ବି ହସି ହସି ଏଇସବୁ କଥାରେ ବେଶ୍ ମଜ୍ଜାରେ ଜମିଯାଆନ୍ତି । ସତେ କି ନାଟକର ପୋଖତ୍ ସମଝଦାର୍ !

ସୁରେଶ ସୁନୀଲା ତଳର ଆଉ ଅନୀଲା ଉପରର ଭାଇ । ତା’ର ଏମିତି ଲଫଙ୍ଗା ସାଙ୍ଗ ବାବୁରୀ ବାଳ ରଖିଯିବା ସାଂସ୍କୃତିକ କର୍ମ୍ମୀସବୁ ଆସନ୍ତି । କଥା କଥାକେ ଦେଶର ସଂସ୍କୃତି ଆଉ ଅନୁଷ୍ଠାନ ବୋଲି ବସ୍ତୁ ଦିଇଟାକୁ ସତେ କି ଆଉ ଦିନ କେଇଟା ଭିତରେ ସ୍ୱର୍ଗକୁ ଉଠାଇନେବେ । ସେମିତି ଢଙ୍ଗରେ କଥା କହନ୍ତି ଏମାନେ । ସେଇ କାଟର ବହୁ ଲୋଲଙ୍କୁ ଡ୍ରାମା ହେଲାବେଳେ ଉଇଙ୍ଗସ୍ କଡ଼ରେ ଉଣ୍ଡୁଥିବାର ଦେଖିଛନ୍ତି ସୁନୀଲା ଅନୀଲା । କଥା ପଦେ ୟାଙ୍କ ସାଙ୍ଗରେ କହିଦେଲେ କିବା କାମଟାଏ କରିବାକୁ ବତେଇଦେଲେ ଏଗୁଡ଼ାକ କୃତକୃତ୍ୟ ହୋଇଯାଆନ୍ତି । ସେ କାମ କରିପାରିଥିବାରୁ ତାଙ୍କଦ୍ୱାରା ଅନେକ କାମ କିନ୍ତୁ କରାଇ ହୁଏ । ଚା’ପାନ ଅଣା, ରିକା ଡକା, ଏମିତି ସବୁ ଛୋଟ ଛୋଟ ବୋଲହାକ ଅବଶ୍ୟ ।

ଖରା ଟାଣ ହେଇଆସୁଛି । ବାହାରେ କୋଳାହଳ କ୍ରମଶଃ ବଢ଼ିଚାଲିଛି । ସକାଳର ସେ ଫକାସିଆ ସୂର୍ଯ୍ୟ ଏଥର ତାତି ଉଠିଲାଣି ।

କିଏ ସାଇକେଲଟାଏ ରଖିବା ଭଳି ଶୁଭିଲା ।

ଉତ୍‍କର୍ଣ୍ଣ ହୋଇ ଶୁଣୁଥିଲା ଅନୀଲା । କାହାକୁ ଯେମିତି ସେ ଅପେକ୍ଷା କରିଛି ! ସୁନୀଲା ଜାଣିଥିଲା ରସିକମୋହନ ଆସିବ ବୋଲି । କିନ୍ତୁ ଏତେ ସକାଳୁ ରାତି ନ ପାହୁଣୁ ଆସିବ ବୋଲି ଧାରଣା ନ ଥିଲା ତା’ର ।

ସାଇକେଲ୍ ଘଣ୍ଟା ଟଣ୍ ଟଣ୍ ହେଲା ଖୁବ୍ ଜୋରରେ । ପରସ୍ପର ମୁହଁ ଚାହାଁଚାହିଁ ହେଲେ–ସୁନୀଲା ଓ ଅନୀଲା ।

ତା’ପରେ ହଠାତ୍ ବାହାରକୁ ଦଉଡ଼ିଗଲା ଅନୀଲା ଅପା ମୁହଁକୁ ଚାହିଁ ଫିକ୍‍କିନା ହସିଦେଇ–

ମନେ ମନେ ପ୍ରମାଦ ଗଣିଲା ସୁନୀଲା, ସତେ ଯେମିତି ସେ ନିଜେ ଚୋରି କରିବାକୁ ଯାଉଛି ! କନ କନ କରି ଚାରିଆଡ଼କୁ ଚାହିଁ ଦେଖିଲା ସେ ।

 

ମା ଏତେବେଳଯାଏ ଉଠି ନାହିଁ । ବାପା ବାରିଆଡ଼କୁ ଚାଲିଗଲେଣି । ଅନେକ ଡେରିରେ ସେ ଫେରନ୍ତି ପାଇଖାନାରୁ–ବୁଟୁ ଆଉ ରୀନା ଦିହେଁ ଖାଉଛନ୍ତି । ଖାଇ ସାରି, ଶୋଇବା ଘରଟାରେ ପଢ଼ି ବସିବା ନାଁରେ କଜିଆ ଲଗେଇବେ ଏଇନା, ନିଜ ନିଜ ଭିତରେ ଉଖୁରାଉଖୁରି ହେଇ ।

 

ମନେ ମନେ ସେ ଚାହୁଁଥିଲା ଏ ବଡ଼ିସକାଳୁ ରସିକମୋହନ ଆସି ନ ପହଞ୍ଚୁ ବୋଲି ।

 

ରସିକମୋହନ ହେଉ କି ଗୋବର୍ଦ୍ଧନ ହେଉ, ଯେ କୌଣସି ସମୟରେ ତାଙ୍କ ସହିତ ଦେଖା କରିବାକୁ ଆସିପାରନ୍ତି–ଆସନ୍ତି ମଧ୍ୟ ।

 

ବାପା ମଧ୍ୟ ଏ ସମ୍ପର୍କରେ କେବେ କିଛି କହିବାର ବା ବିରୁଦ୍ଧରେ ମତାମତ ଦେବାର ସେ ଶୁଣି ନାହିଁ । ବରଂ ସୁନୀଲା ଭାବେ, ସେ ବୋଧହୁଏ ଖୁସି ହୁଅନ୍ତି । କଥା–ଗପ ମଝିରେ ସିଗାରେଟ୍ ପିଅନ୍ତି ମାଗିମାଗି । ନ ହେଲେ ଆସିଥିବା ଭଦ୍ରଲୋକଙ୍କଠାରୁ ପଇସା ଆଣି ବୁଟୁକୁ ଡାକି ସାହି ଦୋକାନରୁ କିଣି ଆଣିବାକୁ ପଠାନ୍ତି ।

 

ଅତି ନିର୍ଲଜ୍ଜ ଭାବରେ ହସିଦେଇ ମଝିରେ ମଝିରେ ଉଠିଯାଆନ୍ତି ବାହାରକୁ ସୁନୀଲା ବା ଅନୀଲା ସହିତ ଆଗନ୍ତୁକ ଭଦ୍ରଲୋଲଙ୍କର ନିଭୃତରେ ଆଳାପ କରିବାର ସୁଯୋଗ ଦେଇ ।

 

ଭଦ୍ରବ୍ୟକ୍ତି ଜଣକ ଯାଇସାରିଲା ପରେ ବୁଝନ୍ତି କିଛି ନୂଆ କଣ୍ଟ୍ରାକ୍ଟ ମିଳିଲା କି ନାହିଁ ବୋଲି । ମିଳିଥିଲେ କେତେ ଦରଦାମ ହେଲା । ବଗିଚାରେ ପନିପରିବା କରିଥିବା ଲୋକ ଯେମିତି ଦରଦାମ କଷାକଷି କରେ, ମାଲ କଟାଏ, ଅନେକଟା ସେମିତି । ସୁନୀଲା ଆଉ ଅନୀଲାଙ୍କୁ ସେ ତାଙ୍କ ବଗିଚାର ପରିବା ବୋଲି ବିଚାରନ୍ତି କି କ’ଣ !

 

ହାତ ବାଜିଲେ ବା ସାମାନ୍ୟ ଆଘାତ ପାଇଲେ ତେଲୁଣିପୋକ ଯେମିତି ସଙ୍କୁଚିତ ହୋଇଯାଏ ଛାଁକୁ ଛାଁ, ମା’ର ପାଟିତୁଣ୍ଡ ଗରର୍ ଗରର୍ ହେବା ସବୁ ଟଙ୍କା ନାଁ ଶୁଣିଲେ ସେମିତି ଠିକ୍ ବନ୍ଦ ହୋଇଯାଏ ।

 

ଚେଷ୍ଟାକରି ମୁହଁରେ ତା’ର ହସ ଫୁଟେ । ଝିଅଙ୍କର ଭାରାକ୍ରାନ୍ତ ମନଜୀବନର ବେଦନା ସେ ଚେଷ୍ଟାକରି ଏଡ଼ାଇଯାଏ–ଭୁଲିଯାଏ । ତଥାପି ବେଳେବେଳେ କିଏ କେମିତି ଆସି ଅଯଥାରେ ଅନେକ ବେଳଯାଏ ଗପିଲେ କି ହେଁ ହେଁ ଫେଁ ଫେଁ ହେଲେ ମା ସୁନୀଲାକୁ ଡାକି ଶୁଣାଏ । ଅନୀଲାକୁ ତାର ପ୍ରାଣେ ଭୟ ।

 

ତଥାପି ବାପା କାଳେ କ’ଣ ଭାବିବେ–ମା’ ଉଠିଲେ କ’ଣ ଭାବିବେ ବୋଲି ଚିନ୍ତା କରୁଥିଲା ସୁନୀଲା ।

 

ନିଜର ପାପ ଦେଖିଥିବା ମନର ପାପ ଛୁଉଁଥିଲା ତାକୁ ।

 

ବୁଟୁ, ରୀନା ହାତ ଧୋଇ ଘର ଭିତରକୁ ଗଲେ । କ’ଣ କରୁଚି ଅନୀଲା ଏତେବେଳେ ଯାଏ ? ସିଆଡ଼େ ଲାଖିଗଲା ଏକେବେଳକେ ! ରସିକମୋହନ ବି କେମିତି ନିର୍ଲଜ୍ଜ ! ସକାଳୁଟାରୁ ଉଠିଆସିଚି ! କୁଆଡ଼େ ଭାରି ବଡ଼ ଲୋକ, ସମ୍ଭ୍ରାନ୍ତ ଘରର ପିଲା ସିଏ !

 

ଅକାରଣରେ ଦିନେ ଦିନେ ମନଟା ବିଷେଇଯାଏ । ନାନା ଆଡ଼େ ବାଜେ ତୁଚ୍ଛା କଳ୍ପନା, ଖିଆଲ, ମନକୋଣରେ ଦେଖାଦିଏ । ଜମାଟବନ୍ଧା ମେଘ ଭଳି ଖିଆଲଗୁଡ଼ାକ ମନ–ଆକାଶରେ ଚରିବୁଲି, ଢାଙ୍କିଦିଏ–ଆଚ୍ଛନ୍ନ କରିଦିଏ ମନଟାକୁ । ଉଦାସ, ଉଦାସ ଲାଗେ । ଇଚ୍ଛା ନ ଥିଲେ ବି ଏକାଟିଆ ରହି ସେଇସବୁ କଥା ଭାବିବାକୁ ଭାରି ଭଲଲାଗେ ।

 

ଏମିତି ନାନା ବାଜେ କଳ୍ପନା କରୁ କରୁ ସୁନୀଲା ରୋଷେଇ ଘରେ ପୁଶି ଚୁଲି ଲଗାଇବାକୁ ବସିଲା । ଏଯାଏ କେହି ଉଠି ନାହାନ୍ତି–ସାନଭାଇ ସୁରେଶକୁ ହୁଏତ ବର୍ତ୍ତମାନ ରାତି ଅଧ । ଘୁଙ୍ଗୁଡ଼ି ମାରୁଥିବ ସେ । ସୁରେଶ, ବାପା, ମା ଏମାନଙ୍କ ଅପେକ୍ଷା ଅନୀଲା ଉପରେ ଚିଡ଼ିଉଠିଲା ତା ମନ । ଦାଣ୍ଡପଟେ ଛିଡ଼ାଟା ହୋଇ ଭୋରରୁ କଥାବାର୍ତ୍ତା ହଉଛି–ଘର ଦୁଆର ମୁହଁଟାରେ ସୁରେଶ ଚିତ୍‍ପଟାଙ୍ଗ ହୋଇ ପଡ଼ିଥିବ । ରସିକମୋହନ କ’ଣ ଭାବୁଥିବ ?

 

ଚୁଲି ଧରିଆସିଲା ବେଳକୁ ହଠାତ୍ ସୁନୀଲା ଉଚ୍ଛ୍ୱସିତ କଳରୋଳ ଶୁଣିଲା ବାରଣ୍ଡାରେ–ଅଭ୍ୟାସବଶତଃ ଦେହ ଉପରକୁ ଖସିଯାଇଥିବା ଲୁଗାପଟାକୁ ଗଡ଼େଇ ଆଣିଲା ସେ, ଯଦିଓ ଯୌବନ ତାର ନଗ୍ନ ଭାବରେ ଆଦୌ ଦର୍ଶନୀୟ ନୁହେଁ, ବରଂ ଲୁଗା ଖସିଯାଇଥିବା ଦେହ ଅପେକ୍ଷା ଢାଙ୍କି ହୋଇ ରହିଥିବା ଦେହ ତା’ର ଅଧିକ ଲୋଭନୀୟ ।

 

ଆରେ ! ବୁଲାଭାଇ...ଗୋଟାଏ ଉଚ୍ଛ୍ୱାସରେ ମୁହଁରୁ ତାର ବାହାରି ପଡ଼ିଲା । ଅନୀଲା ସହିତ ହସି ହସି ବୁଲାଭାଇ ପଶି ଆସୁଥିଲା ଘର ଭିତରକୁ ।

 

–କିଲୋ ଦୁର୍ଗା, କ’ଣ କରୁଚୁ ? ଚା’ ହୋଇ ନ ଥିଲେ ମୋ ପାଇଁ କପେ କର–କହିଲା ବୁଲା–

 

ଦୁର୍ଗା ସୁନୀଲାର ନାଁ । ଜାତକଦତ୍ତ ଶ୍ରଦ୍ଧା ନାମ । ଯାହା ଏଯାଏ କେବଳ ଦିଓଟି ଲୋକ, ଏଇ ବୁଲାଭାଇ ଆଉ ମା ମୁହଁରେ ରହିଛି । ଅନେକ ଦିନୁଁ ମଞ୍ଚରେ ତାର ଏଇ ପୁରୁଣାକାଳିଆ ଠାକୁରାଣୀ ନାଁ ବଦଳାଇ ନାଟ୍ୟକାର ଶୁଭେନ୍ଦୁ ବାବୁ ‘ସୁନୀଲା’ ବୋଲି ନୂଆ ନାମକରଣ କରିଥିଲେ-। ତା’ରି ସହିତ ଯୋଡ଼ ପକେଇ, ତାଳ ରଖିବା ପାଇଁ ‘ବିମଳା’ ନାଁ ମଧ୍ୟ ଅନୀଲାରେ ପରିଣତ ହୋଇଛି । ‘ଦୁର୍ଗା’ ‘ବିମଳା’ ନାଁ ହଜିଗଲାଣି କୋଉକାଳୁ । କେମିତି ଅଖାଡ଼ୁଆ ଅଖାଡ଼ୁଆ ଲାଗେ ସେ ନାଁ ଶୁଣିଲେ । ଅଖାଡ଼ୁଆ ଲାଗିଲେ ବି ବାରବୁଲା ବୁଲାଭାଇର ଏ ଡାକଟା ସୁନୀଲାକୁ ଭାରି ଭଲ ଲାଗେ । ନାଁ ତାର କାଙ୍ଗାଳୀ ନାଁ କ’ଣ । ବାପ ମା କେବେ ଦେଇଥିଲେ । ବାପା ମାଙ୍କୁ ବୁଲା ଯେମିତି ଭୁଲିଯାଇଥିଲା–ସେ ନାଁଟାକୁ ମଧ୍ୟ ଠିକ୍ ସେମିତି ଭୁଲିଯାଇଛି । ସମସ୍ତେ ଜାଣନ୍ତି ଆଉ ଡାକନ୍ତି ଏଇ ଡାକ ନାଁରେ–କାହାର କିଛି ହୁଏନା ସେ । ପୁଣି ସମସ୍ତଙ୍କର ସବୁ । ଦରକାର ପଡ଼ିଲେ ସମସ୍ତେ ଡାକନ୍ତି... କାମ କରାନ୍ତି–ଭୁଲିଯାଆନ୍ତି ତାପରେ ପରେ । କୋଉଠି ଥାଏ, କ’ଣ ଖାଏ, କ’ଣ କରେ, କେହି ବୁଝନ୍ତି ନାହିଁ କି ଜାଣନ୍ତି ନାହିଁ ।

 

ସତରେ ସେ ବୁଲାଟିଏ–ବାରଆଡ଼େ ବୁଲିବା ତାର କାମ ବାର ଲୋକଙ୍କୁ ନିଜର କରିବା ତା’ ଧର୍ମ । କୋଉଠି କାହାର କ’ଣ ଅସୁବିଧା ହେଲା, କାହାର କ’ଣ କଷ୍ଟ ହେଲା, ବୁଲା ବୁଲି ବୁଲି ବୁଝିଯାଏ । ଭଦ୍ର ସେ ନୁହେଁ । ଅଭଦ୍ର କହିହେବ ନାହିଁ । କିନ୍ତୁ ମଣିଷଟା ମଣିଷ, ତା’ଛଡ଼ା ତାର ବୋଧେ ଆଉ ପରିଚୟ କିଛି ନାହିଁ । ମଣିଷତ୍ୱରେ, ପ୍ରାଣପ୍ରାଚୁର୍ଯ୍ୟରେ ଭରପୂର, ବାରବୁଲା ଫକୀରଟିଏ–କୁଟୁମ୍ବ କେହି ନାହିଁ, ସହରରେ ସମସ୍ତେ ପୁଣି ତା’ନିଜର, କିଏ ଭାଇ, କିଏ ଦାଦା, କିଏ ଅପା, କିଏ ଭାଉଜ, କିଏ ଖୁଡ଼ୀ, କିଏ ମଉସା–କେତେ କ’ଣ ତାର ।

 

ସେଇ ବୁଲାଭାଇ ସକାଳୁ ଆସିଛି–ସକାଳୁ ବୁଲାଭାଇକୁ ଦେଖି କାହିଁକି ଜେଜାଣି ସୁନୀଲାର ମନଟା ଉଲ୍ଲସିତ ହୋଇଉଠିଲା ।

 

ଆପଣାର କହିଲା ଭଳି ପରମଣିଷଟିଏ ଏଇ ଏକା ।

 

ବୁଲା ଘର ଭିତରକୁ ପଶିଆସି ପଚାରିଲା–“ମାଉସୀ କ’ଣ ଉଠି ନାହିଁ ଏତେବେଳ ଯାଏ-?” –ଘର ଭିତରକୁ ପଶିଆସିବା ଆଉ ନିଜର ଲୋକ ଭଳି ବ୍ୟବହାର କରିବା ପାଇଁ ବୁଲା ଛଡ଼ା ଆଉ ବୋଧେ କାହାର ଅଧିକାର ନାହିଁ ।

 

ଏ ଅଧିକାର ତାକୁ କେହି ଦେଇ ନାହିଁ । କିନ୍ତୁ ନିଜେ ନିଜେ ଏ ଅଧିକାର ସେ ବିସ୍ତାର କରିଛି ।

 

–ଶୋଇଛି ମା’ ।

 

–ମାଉସୀଟା ଗଧଟାଏ ।

 

“କିରେ ବୁଲା, ତୁ କୁଆଡ଼େ ଏଡ଼େ ସକାଳୁ ?” ମା’ ନିଦମଳମଳ ଆଖିରେ ଉଠି ଆସୁ ଆସୁ ପଚାରିଲା ।

 

–“ସକାଳୁ ଉଠି ନିଦରୁ ଏଇ ଦୁର୍ଗା ମୁହଁଟା ଦେଖିବାକୁ ଆସିଲି ଯେ, ଚଣ୍ଡୀଟାର ମୁହଁ ଦେଖିଲି । ଦାଣ୍ଡ ଘରଟାରେ କାଠଗଡ଼ ଭଳି ଗଡ଼ୁଚି ସୁରେଶଟା, ତାକୁ ବି ଦେଖିଲି ।”

 

ମୁହଁରେ ପାଣି ଛିଞ୍ଚଡ଼ା ମାରୁ ମାରୁ ମା’ ହସୁଥିଲା । ସମସ୍ତେ ହସିଲେ ।

 

–“ମୋ ମୁହଁ କାହିଁକି ଦେଖିବ କିଓ ?”

 

“ପ୍ରଭାତେ ଉଠିଆ... ଶୁଣିନୁ କିଲୋ ସେ ଗୀତ ? ଶେଷଟା କ’ଣ, “ଦିନ ଯାବେ ଆଜ ଭାଲୋ–ନା କ’ଣ ?”

 

ସୁନୀଲାର ମୁହଁ କାହିଁକି କେଜାଣି ଲାଜରେ ରଙ୍ଗା ପଡ଼ିଗଲା ।

 

“ଧେତ୍, ଫାଜିଲ୍ କୋଉଠିକାର–’’

 

“ହଉ ହଉ, ଯା’ ଚା କର”–ବୁଲା ଆଦେଶ ଦେଲା ।

 

“ବୁଲାଭାଇ, ଏତେଦିନ ଯାଏ ତମେ କୋଉଠି ଲୁଚିଯାଇଥିଲ ?” –ଅନୀଲା ପଚାରିଲା-

 

“କାହିଁକି ? ଯେମିତି ମୋ କଥା ତୁ ସବୁଦିନେ ଭାବୁଥିଲୁ ?” ତା’ପରେ ଆଉରି କ’ଣ ଗୋଟାଏ କଥା ଫୁସ୍‍କିନା କହିଲା ବୁଲା, ରୋଷେଇଘରେ ଚୁଲିଟା ଲଗାଉ ଲଗାଉ କଥାଟାର ଧାସ ବାଜିଗଲା ସୁନୀଲା କାନରେ । ମନକୁ ମନ ହସିଲା ସେ ।

 

ନିଶ୍ଚେ ରସିକ କଥା ପଚାରୁଚି ବୁଲା । ଅନୀଲା ତୁନି ହୋଇଗଲା କିଛି ସମୟ ପାଇଁ । ଭାବୁଥିଲା ବୋଧେ କ’ଣ କହିବ ବୋଲି ।

ଗୁଡ଼ାଖୁ ଟିପେ ଧରି ଦାନ୍ତରେ ଘଷୁ ଘଷୁ ମା’ ସାନବାରଣ୍ଡାଟାରୁ କହିଲା, “ବୁଲା, କାଲି ଏମାନେ କୋଉଠିକି ଗୋଟାଏ ଯିବେ–ଇଏ ତ ଯାଇପାରିବେ ନାହିଁ । ତମେ ଟିକେ ଯାଇ ଛାଡ଼ିଦେଇ ଆସନ୍ତ ନାହିଁ ? ସେଠି ନ ରୁହନ୍ତ ପଛେ... ପରେ ଯାଇ ନେଇଆସନ୍ତ– !”

ମନେ ମନେ ସୁନୀଲା ସେଇଆ ହିଁ ଭାବୁଥିଲା । ଭାରି ମଜା ହବ କିନ୍ତୁ ! ହେ ଭଗବାନ-! ବୁଲାଭାଇ ହଁ କହନ୍ତା କି !

କିଛି ସମୟ ପର୍ଯ୍ୟନ୍ତ ନୀରବ ରହିଲା ବୁଲା । ତା’ପରେ କହିଲା, “ହଉ ଆଜି ସନ୍ଧ୍ୟାବେଳେ ମୁଁ କହିବି, ଯାଇପାରିବି କି ନାହିଁ–’’

“ଓହୋଃ, ସତେ ଯେମିତି ଭାରି ଗୋଟାଏ ବଡ଼ କାମରେ ଲାଗିଯାଇଚ କୋଉଠି !” ଚିଡ଼େଇବା ପାଇଁ ଅନୀଲା କହିଲା ତାକୁ ।

“ମୁଁ କ’ଣ ଆଉ ରାତିଏ ଯାଇଁ ହାତୀଏ ଆଣୁଚି ?” ଉତ୍ତର ଦେଲା ବୁଲା–ଯେତେ ଦୋଷାବହ କଥା କହିଲେ ବି ତା’ କଥାରେ କେହି କେବେ କ୍ଷୁଣ୍ଣ ହୁଅନ୍ତି ନାହିଁ । ଠିକ୍ ସେମିତି ଅତି ଅପମାନିତ କଲେ ବି ବୁଲାକୁ ଅପମାନ ବାଧିଛି ବୋଲି କେହି ଶୁଣି ନାହାନ୍ତି ।

“କାହିଁକି ଲଗେଇଚ ରେ ?” ମମତା ଦେଖାଇ ମା’ କହିଲେ–“ଦୁର୍ଗା, ଚା’ କଲୁଣି କିଲୋ-?”

“ହଁ କରୁଚି ।” –ସୁନୀଲା ଉତ୍ତର ଦେଲା ।

 

“ସେ ବଜାରୀ–ବଜାରୁଣୀ ଦିଇଟା କାହାନ୍ତି ?” ବୁଟୁ ଆଉ ରୀନାଙ୍କ କଥା ପଚାରିଲା ବୁଲା ।

 

“ସେଇ ଘରେ ବସି ପଢ଼ୁଛନ୍ତି ବୋଧେ ।” ଅନୀଲା ଉତ୍ତର ଦେଲା ।

 

“ପଢ଼ୁଚନ୍ତି ନା ଗଣ୍ଡଗୋଳ କରୁଚନ୍ତି ?” କହୁକହୁ ରୀନାର କାନ୍ଦ ଭାସିଆସିଲା ସେଇ ବଖରା ଭିତରୁ । କାନ୍ଦି କାନ୍ଦି ରୀନା ବୋଧହୁଏ କଣଗୁଡ଼ାଏ ଗାଳି ଦେଇଯାଉଥିଲା ବୁଟୁକୁ । ବୁଟୁ ପ୍ରତିଉତ୍ତରରେ ନିଜର ବଡ଼ଭାଇତ୍ୱ ଜାହିର୍ କରି କହୁଥିଲା ଧମକାଣ ସ୍ୱରରେ, “ସେମିତି କହିଲେ, ପୁଣି ଏଇନେ ଦିଇଟା ବସେଇଦେବି ଯେ, ମଜା ଛାଡ଼ିଯିବ ।”

 

“କେହି କାହାଠାରୁ ଊଣା ନୁହେଁ ବୀରତ୍ୱରେ–“ବୋଲି କହି କହି ବୁଲା ସେଇ ଘରଭିତରକୁ ଗଲା । ସାଙ୍ଗେ ସାଙ୍ଗେ ରୀନାର କାନ୍ଦ ବନ୍ଦ ହୋଇଗଲା । ଆଉ “ଆରେ, ବୁଲାଭାଇ ରେ ବୁଲାଭାଇ–“ବୋଲି ପାଟିକଲେ ବୁଟୁ ଆଉ ରୀନା । ମଝିରେ ମଝିରେ ବୁଲାର “ରହ...ରହ...ଦଉଚି...ଦଉଚି-’’ ବୋଲି ଡାକରା ଶୁଭୁଥିଲା ।

 

ସୁନୀଲା ଚୁଲି ଉପରେ ଚା’ ବସାଇ ଜଳନ୍ତା ନିଆଁକୁ ଚାହିଁ ରହିଥିଲା ।

 

ମା’ ପାଟି କଲେ ବାରଣ୍ଡାରୁ–“ହେ, ଅନୀଲା–ବୁଲାଭାଇକି ତୋର କହିଦବୁଟି ଲୋ, ସେ ଘରୁ ସେ ଦିଇଟାଙ୍କୁ ବାହାରକୁ ଆଣି ପାଟି କରେଇବ–ଛୁଆଟା ଏଇନେ ଯଦି ଉଠିବ ତ କିଛି କାମ କରେଇ ଦବ ନାହିଁ ।”

 

ପରେ ପରେ କିନ୍ତୁ ରାହାଧରି ଛୁଆଟା କାନ୍ଦିଉଠିଲା । ମୁହଁ ପୋଛି ଆସୁ ଆସୁ ମା’ ଜୋରରେ ପାଦପକାଇ ପଶିଗଲା ଶୋଇବା ଘରକୁ । ଗଲାବେଳେ ପୁଣି ଥରେ “ଅନୀଲାକୁ କହିଦେଇଗଲା, ଅନୀଲା, ଭାଇକି କହୁନୁଁ ଲୋ ସେ ଗୋହୀରିଟାରେ ଶୋଇଚି, ଏ ଘରକୁ ଉଠିଆସିବ ।”

 

ଛୁଆଟା ତୁନି ହୋଇଗଲା । ଅନୀଲା ବୋଧେ ସୁରେଶକୁ ଉଠାଇ ପୁଣି ଥରେ ଶୁଆଇବାକୁ ଚାଲିଗଲା ।

 

ବାରିଆଡ଼ୁ ଜୋରରେ କଠଉ ଶବ୍ଦ କରି ଲୁଙ୍ଗି ଭଳି ପିନ୍ଧିଥିବା ଚିରା, ମଇଳା ଲୁଗାଟାର କାନିରେ ମୁହଁ ପୋଛି ପୋଛି, ଓଦା ସରସର ବାଁ ହାତଟାକୁ ପୋଛି ପୋଛି ପଶିଆସିଲେ ମଦନବାବୁ ।

 

“କ’ଣ ମା ସୁନୀଲା ! ଚାହା ହେଲାଣି ?” ମୁଣ୍ଡ ହଲାଇ ସମ୍ମତି ଜଣାଇଲା ସୁନୀଲା ।

 

“ମୋତେ କପେ ଦେଇଆସିବୁ ସେଇ ଘରେ । କିଏ ଆଇଚି କିଲୋ ? ପାଟି ଶୁଭୁଚି ।” ଶୁଣିପାରିଲେ ବୋଧେ ବୁଲାଭାଇର କଣ୍ଠସ୍ୱର “ବୁଲାଭାଇ–ସେ ଘରେ ବୁଟୁ, ରୀନାହେରିକାଙ୍କ ସାଙ୍ଗେ ଗପୁଛନ୍ତି” ବୋଲି ଜଣାଇଲା ସୁନୀଲା ।

 

“କିଓ ବୁଲା... ସକାଳୁ କେମିତି ମନେପଡ଼ିଲା ?”

 

ସେଇଠୁ ଡାକି ଡାକି ଆଗେଇଲେ ବାପା । ବୁଲା ତାଙ୍କୁ ସଂଭ୍ରମରେ ଗୁରୁଜନ ଭଳି ଦେଖିଲେ ମଧ୍ୟ ସେ ତାକୁ ବନ୍ଧୁ ଭଳି ବ୍ୟବହାର କରନ୍ତି । ବେଳେ ବେଳେ ପୁଣି ଦୁହେଁ ଅତି ନିର୍ଲଜ୍ଜ ଭାବରେ ଥଟ୍ଟା ପରିହାସ ବି ହୁଅନ୍ତି ।

 

ବୁଲା କୌଣସି ବୟସର ସରହଦ ମାନେନା । ସେଇଥିପାଇଁ ବହୁ ପରିବାରରେ ସେ ବଡ଼ଭାଇ ସାନଭାଇ ଉଭୟଙ୍କର ବନ୍ଧୁ, ବାପପୁଅ ଦୁହିଙ୍କର ବି ବନ୍ଧୁ । ସତରେ ସେ ବୁଲାଟିଏ–

 

ଚା’ ପାଣି ଟକମକ୍ ହୋଇ ଫୁଟୁଚି । ବାହାର ବାରଣ୍ଡାକୁ ଖରା ଓହ୍ଲାଇ ଆସିଲାଣି । ଆକାଶଟା ସାରା ଫୁଟିଲା କନିଅର ଫୁଲର ବର୍ଣ୍ଣ ଗୋଳି ହୋଇଗଲାଣି ।

 

ରହିରହି ଶୁଭୁଛି ଛୁଆଗୁଡ଼ାଙ୍କର କୋଳାହଳ । ବାପା ବୁଲାଭାଇ ଆଉ ମା କ’ଣ କଥାବାର୍ତ୍ତା କରୁଛନ୍ତି । ଏଇ ଆଗାମୀ କାଲି ଯିବା ବିଷୟରେ ବୋଧେ ।

 

ଅନୀଲା ଥର ଥର କରି ଡାକ ଛାଡ଼ୁଛି । ଉଁ କହି ସୁର ଶୋଇଯାଉଛି ପୁଣି । ବହେ ବେଳଯାଏ ଏମିତି ଗେଁ ଗେଁ ହୋଇ ସେ ଉଠେ ।

 

ବାପା–ମା’ଙ୍କ ମୁହଁରେ ଏଇ ସୁନୀଲା, ଅନୀଲା ଡାକ କେମିତି ଖାପଛଡ଼ା ଶୁଭେ ।

 

“ସୁନୀଲା... ଚା’ ହେଲା ?”–ବାପା ପଚାରୁଥିଲେ ସବୁବେଳେ । ଏ ଡାକ ନୂଆ ନୂଆ ନାଟକର, ନୂଆ ଚରିତ୍ରର ନାଁ ଭଳି ଲାଗେ । ଅତି ନୂଆ ଲୋକଟିଏ ସତେକି ଡ୍ରାମାର ଡାଇଲଗ ଆଉଡ଼ଉଛି । ଶୁଣିବାକୁ ଭଲ ଲାଗେ ନାହିଁ । ମନକୁ ବି ସୁହାଏ ନାହିଁ...

 

ଆଗରୁ ମା’ତାକୁ ଦୁର୍ଗା ବୋଲି ଡାକିବାକୁ ଅସୁବିଧା ହୁଏ ବୋଲି ‘ଦୁରୀ’ ନ ହେଲେ ‘ଦୁରୁଗୀ’ ବୋଲି ଡାକୁଥିଲା । ଅନୀଲାକୁ ଡାକୁଥିଲା ‘ବିମ’, ନ ହେଲେ ‘ବିମଳା’ ବୋଲି ।

 

ଯିଏ ବିମଳା ଡାକିପାରୁନଥିଲା, ସିଏ ପୁଣି ଡାକୁଛି ଅନୀଲା !

 

ତାକୁ କ’ଣ ଲାଗେ କେଜାଣି, ନିଜକୁ ଭାରି ଲାଜ ଲାଗେ ଏ ଏ ଡାକ ଶୁଣି... ।

 

ସୁନୀଲାର ହଠାତ୍ ମନେପଡ଼ିଲା, ପ୍ରଥମ କରି ଯେଉଁ ଦିନ ଦୁର୍ଗା ନାଁ ବଦଳି ସୁନୀଲା ହେଲା, ସେଇଦିନର କାହାଣୀଟା–

 

ବାର କି ତେର ବରଷର ଝିଅଟିଏ । ସେଦିନ ରଙ୍ଗମଞ୍ଚର ମ୍ୟାନେଜରଙ୍କ ଆଗରେ ଠିଆ ହୋଇଥିଲା–ଛାତି ତା’ର ଦୁକ୍ ଦୁକ୍ ହୋଇ ପଡ଼ୁଥିଲା... ପଡ଼ୁଥିଲା–ଉଠୁଥିଲା, ଗୁଡ଼ାଏ ନୂଆ ନୂଆ ମୁହଁର ଗହଣରେ–

 

ଖେଦାରେ ପଡ଼ିଥିବା ନୂଆ ହାତୀଟାକୁ ପୋଷା ମନାହେଲାବେଳେ ପୁରୁଣା ପୋଷାହାତୀଙ୍କ ଭଳି ଆଉ ଚାରି ପାଞ୍ଚ ଜଣ ଝିଅ ତାକୁ ଚାହିଁ ମୁରୁକି ମୁରୁକି ହସୁଥିଲେ । ବେଳେ ବେଳେ ଥଟ୍ଟା କରି କ’ଣ ସବୁ କହୁଥିଲେ !

 

କେମିତି କିନ୍ତୁ ଅଲଗା ଅଲଗା ଲାଗୁଛନ୍ତି ଏମାନେ । ସାଧାରଣ ଝିଅସବୁ ଯାହା, ସେମିତି ଦିଶୁ ନାହାନ୍ତି । ବେହିଆ–ଦିହଘଷରା–ଅଲାଜୁକୀ ଜଣାଯାଉଛନ୍ତି ।

 

ଠିଆ ହୋଇଥାଆନ୍ତି ଆଉ ଜଣେ ଦି’ଜଣ ଟୋକା । ଝିଅଗୁଡ଼ାକ ତାଙ୍କ କାନରେ କ’ଣ ଫୁସ୍ ଫୁସ୍ କରି କହିଦେଉଛନ୍ତି–ସେମାନଙ୍କ କାନ୍ଧରେ ଭରାଦେଇ ଠିଆ ହୋଇ ଯାଉଥାଆନ୍ତି–

 

ସେଥିରୁ ଜଣେ ଗୋଟାଏ ଟୋକାକୁ ଚାହିଁ ଏ ଝିଅଟି ଆଡ଼କୁ ଦେଖାଇଦେଇ ଅଶ୍ଳିଳ ଇଙ୍ଗିତ ଦେଲା–ଏ ଝିଅଟି ବୁଝିପାରିଲା ସେ ଇଙ୍ଗିତର ଅର୍ଥ । “କେମିତି ହୋଇଛ ? ମନକୁ ପାଉଚି ତ ?”

 

ସବୁ ଥଟ୍ଟା କରିହାସ, ଇଙ୍ଗିତ, ବେହିଆ ଝିଅ ପୁଅଙ୍କର ସେ ଆଡ଼୍‍ଡା । କିଛି ପଡ଼ୁ ନ ଥିଲା ଏ ଝିଅଟି କାନରେ–କାନ୍ଥରେ ମରାହୋଇଥିବା ଛବି, ଫୋନ୍, ଏଇସବୁକୁ ଗୁରେଇ ତୁରେଇ ଚାହୁଁଥିଲା ଆଉ ତା’ରି ଉଚ୍ଚତାର କି ତାଠାରୁ ଅଳ୍ପ ନୀଚ ଗୋଟାଏ ଟେବୁଲ୍ ର କଡ଼ଟାକୁ ଧରି ଛିଡ଼ାହୋଇଥିଲା ସେ–

 

ପାଦଠାରୁ ହାତ ପର୍ଯ୍ୟନ୍ତ ତା’ର ନିଜ ଅଜାଣତରେ ଥରୁଥିଲା ।

 

ଏକ ନୂଆ ଜୀବନର ଅଭିଜ୍ଞତା ତା’ର ଆଜି ହେବାକୁ ଯାଉଛି । ସମ୍ପୂର୍ଣ୍ଣ ଅଜଣା, ଅପରିଚିତ ଏକ ପରିବେଶ ।

 

ସେ ମଞ୍ଚକୁ ଆସିଛି ଅଭିନୟ କରିବ ବୋଲି । ଅଭିନୟ ନୁହେ... ଚାକିରି କରିବ ବୋଲି-। ଆଉ ଚାକିରିଟା ତା’ର ହେବ ମୁହଁରେ ରଙ୍ଗ ବୋଳି ଆଲୁଅରେ ଠିଆ ହେବା । ଅଗଣିତ ଲୋକଙ୍କ ଆଗରେ ନିଜକୁ, ନିଜ ଦେହକୁ ଦେଖାଇବା–ମିଛ ହସ ହସି, ମିଛ କାନ୍ଦ କାନ୍ଦି ତାଙ୍କର ମନ ବହଲେଇବା ।

 

ଛୋଟିଆ ଜୀବନଟିର ଛୋଟ ପରିସର ଭିତରେ ଥରେ କି ଦି’ଥର କାହା ସାଙ୍ଗେ କେତେବେଳେ ଆସି ନାଟକ ଦେଖିଛି ସେ । ଭଳିକି ଭଳି ଆଲୁଅରେ ମଞ୍ଚ ଉପରେ ଛିଡ଼ାହୋଇ କଥା କହୁଥିବା ପୁଅଝିଅଙ୍କ ହସ କାନ୍ଦ ସହିତ ନିଜକୁ ସାମିଲ କରି କାନ୍ଦିଛି–ହସିଛି–ବଡ଼ ଅଦ୍ଭୁତ ଲାଗିଛି ସେମାନଙ୍କୁ । ସୁନ୍ଦର ସୁନ୍ଦର କାହାଣୀର କି ଉପନ୍ୟାସର ମଣିଷ ଭଳି ବିଚିତ୍ର–

 

ଏବେ ସେ ନିଜେ ବି ଗୋଟିଏ କାହାଣୀର ଜୀବ ହେବାକୁ ଯାଉଛି... ତା’ର ରୂପ, ଆଖି, କାନ, ହାତ, ଗୋଡ଼, କଥାବାର୍ତ୍ତା, ଚାଲିଚଳନ ମଧ୍ୟଦେଇ କାହାଣୀ ଫୁଟିଉଠିବ–ରୂପ ପାଇବ ରୂପ କଥା ।

 

ବଡ଼ ବିଚିତ୍ର ଅଭିଜ୍ଞତା କିନ୍ତୁ– !

 

ମାଇନର ଯାଏ ପାଠ ପଢ଼ିବା ପାଇଁ ସ୍କୁଲକୁ ଯାଇଛି ସେ । ସ୍କୁଲରେ ସବୁଠାରୁ ଭୟ ଲାଗେ ପରୀକ୍ଷାକୁ । ସେଇ ପରୀକ୍ଷା ସେ ଜୀବନରେ ତିନି ଚାରି ଥର ଦେଇଛି । ଭୟ ଲାଗିଲେ ବି ସାଙ୍ଗ ସାଥୀମାନଙ୍କ ସହିତ ମିଶି ସେ ଭୟକୁ ଅତିକ୍ରମ କରିଛି ।

 

ପିଲାଦିନର ସେ ସ୍କୁଲ ପରୀକ୍ଷା ଅପେକ୍ଷା ଏ ପରୀକ୍ଷା ଆହୁରି କଷ୍ଟକର, ଭୟପ୍ରଦ ବୋଧ ହେଲା ତାକୁ–

 

ତା’ର ସମସ୍ତ ସ୍ୱାତନ୍ତ୍ର୍ୟ ସବୁ ମନଫୁଲାଣିଆ ହାବ ଭାବ, ସବୁ କିଛି କେମିତି ଧୀରେ ଧୀରେ ସଙ୍କୁଚିତ ହୋଇଆସୁଥିଲା–ତେଲୁଣିପୋକକୁ ଛୁଇଁଦେଲେ ଗୋଟାଇ ହୋଇଗଲା ପରି ।

 

ବେଳେ ବେଳେ ସେ କଣେଇ କଣେଇ ଚାହୁଁଥିଲା, ଚଉକିରେ ଚାରିକଡ଼େ ଘେରି ବସିଥିବା ଭଦ୍ର ଲୋକମାନଙ୍କୁ–ବାପା ଆସି ବସିଛନ୍ତି ଗୋଟାଏ କଡ଼ରେ । ଏପଟକୁ ବୁଲାଭାଇ । ତା’ରି ବିଷୟରେ ସେମାନେ ସବୁ କ’ଣ ଗପୁଛନ୍ତି–ଏମାନେ ସବୁ କୁଆଡ଼େ ବଡ଼ ବଡ଼ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର–ଲୋକେ ଜାଣନ୍ତି–ଭାରି ପ୍ରସିଦ୍ଧ ଏମାନେ ।

 

ସୁନୀଲା କିନ୍ତୁ ଆଗରୁ ଏମାନଙ୍କ ଭିତରୁ କାହାକୁ ଦେଖି ନ ଥିଲା କି ଜାଣି ନ ଥିଲା–

 

ରେଡ଼ିଓରୁ ଗୋଟାଏ କୌଣସି କାର୍ଯ୍ୟକ୍ରମ ସରିଗଲେ ଯେମିତି ହଠାତ୍ ନୀରବତା ଆସେ, ସେମିତି ତାଙ୍କ କଥାବାର୍ତ୍ତା ସବୁ ଧିମେଇ ଆସିଲା–

 

କାହିଁକି କେଜାଣି ସମସ୍ତେ ତା’ରି ଆଡ଼କୁ ଅନାଇଲେ ଖୋଜିଲା ଖୋଜିଲା ଆଖିରେ–ଯେମିତି ସେ ଆଖିଗୁଡ଼ାକ ଶାଣୁଆ ବର୍ଚ୍ଛା–କୋଉ ଭିତରକୁ ପଶିଯିବ ଏକାବେଳେ । ଓଟାରି କାଢ଼ିଆଣିଲା ବେଳକୁ ମେଞ୍ଚାଏ ଅନ୍ତବୁଜୁଳା ବାହାରକରି ଆଣିବ; ଭିତରଟାକୁ ଦେଖାଇଦେବା ପାଇଁ–

 

ଜଣ ଜଣଙ୍କର ଆଖି ସୁନୀଲାର ଦେହର ପ୍ରତ୍ୟେକ କନ୍ଦି ବିକନ୍ଦିକୁ ଏପରି କି ଅଶ୍ଳିଳ ଭାବରେ ସୁନୀଲାର ନୂଆହୋଇ ଫୁଟିଉଠୁଥିବା ନାରୀତ୍ୱର ସନ୍ତକ ଉପରେ ଚରି ବୁଲୁଥାଏ ।

 

ସୁନୀଲା ଆହୁରି ସଙ୍କୁଚିତ ହେଲା–ତାର କାନମୂଳ ଲାଲ୍ ହୋଇଉଠିଲା ।

 

ବାହାରେ ଛିଡ଼ାହୋଇଥିବା ଝିଅମାନଙ୍କ ଭିତରୁ ଜଣେ ହଠାତ୍ କାହିଁକି ହୋ ହୋ ହୋଇ ହସିଉଠିଲା–ହୁଏତ ତା’ର ଲାଜ ଲାଜ ଭାବ ଦେଖି ।

 

ଏଠି ଲାଜ ରହି ପାରେନା–ସବୁ ମିଛ ସହିତ, ଲାଜ ବି ଏଠି ମିଛ ହୋଇଯାଇଛି–ଯେଉଁତକ ଲାଜ ଥାଏ, ସେତକ ସାଇତା କେବଳ ମଞ୍ଚଉପରେ ବେଳେ ବେଳେ ଦେଖାଇବା ପାଇଁ–

 

ସୁନୀଲା ଆହୁରି ବିବ୍ରତ ବୋଧ କଲା ଝିଅଟିର ହସ ପାଇଁ ।

 

ବସି ଚାହିଁରହିଥିବା ଲୋକଙ୍କ ଭିତରୁ ଜଣେ ପୁଚୁକା ପୁଚୁକି ହୋଇ ଗେଡ଼ା ସୁନ୍ଦରିଆ ମଣିଷଟିଏ–ଆଖି ଦିଇଟା ତାଙ୍କର ଛୁରୀ ଭଳି ସୁନୀଲାର ଦେହସାରା ବିଦ୍ଧ ହେଉଛି । ହଠାତ୍ ପଚାରିଲେ ସେଇ–

 

“ତମ ନାଁ କ’ଣ ?”

 

ସବୁ କଥା ନ ଶୁଣିଥିଲେ ମଧ୍ୟ ଯେତିକି ତା’ର କାନରେ ବାଜିଛି ସେତିକିରୁ ସେ ବୁଝିଛି, ବାପା ଆଉ ବୁଲାଭାଇ, ଏଇ ସ୍ୱଳ୍ପ ସମୟର ଆଲୋଚନା ଭିତରେ ତା’ ନାଁ ଲକ୍ଷ୍ୟ ଥର କହିଛନ୍ତି–ପୁଣି ନାଁ କ’ଣ ?

 

ବୟସ ନ ହୋଇଥିଲେ ମଧ୍ୟ; ଲାଜରେ ଗାଲଦୁଇଟା ଲାଲ୍ ହୋଇଗଲା ଭଳି ବୟସ ହୋଇଯାଇଥିଲା ତାର । ଅନେକ କଥା ବୁଝିଲାଣି–

 

ଗାଲଟା ତାର ଲାଲ୍ ହୋଇଆସିଲା–କାନମୂଳ ଦୁଇଟା କେମିତି ଉଷୁମ ଉଷୁମ ହୋଇଗଲା–

 

ଅଚିହ୍ନା ଅଜଣା ଜାଗାରେ ଅପରିଚିତ ଲୋକର ପ୍ରଶ୍ନରେ ଝାଉଁଳିପଡ଼ି ସେ ତଳକୁ ମୁହଁ ପୋତିଲା–

 

“ଲାଜ କଲେ ଚଳିବ ? ଏଁ ? ତମେ ପରା ଅଭିନୟ କରିବ ?” ବୁଝେଇ କହିଲା ଭଳି ବେଶ କଅଁଳ ଗଳାରେ କହି ସେଇ ଭଦ୍ରଲୋକ ଜଣକ ବେଶ ନିର୍ଲିପ୍ତ ଭାବରେ ତାର ଗାଲର ଠିକ୍ ଗୋଲାପୀ ହୋଇଯାଇଥିବା ଅଂଶଟିକୁ ଚିପିଧରି ମୁହଁ ଟେକିଦେଲେ ଉପରକୁ ।

 

ବାପା, ବୁଲାଭାଇ ଏମାନେ ମଧ୍ୟ କିଛି କହିଲେ ନାହିଁ ।

 

ଲାଜର ଜୁଆର ମାଡ଼ି ଆସୁଥିଲେ ବି ସେଥିରେ ବନ୍ଧ ପକାଇଲା ସେ ଏଥିରୁ ମୁକ୍ତିପାଇବା ପାଇଁ । ଅସ୍ଫୁଟ ସ୍ୱରରେ କହିଲା–“ଦୁର୍ଗା” ।

 

ସେଇ ପୁଣି କହିଲେ, “ଦେଖନ୍ତୁ ମଦନବାବୁ, ଏ ମା ଠାକୁରାଣୀଙ୍କ ନାଁ ଏଠି ଚଳିବ ନାହିଁ–ଏ ନାଁ ବଦଳାଇବାକୁ ପଡ଼ିବ । ଭୁଲିଯିବାକୁ ପଡ଼ିବ ବିଲକୁଲ୍ ।”

 

“-ହେଁ...ହେଁ... ଆଉ ଗୋଟାଏ ନାଁ ବାଛିଦିଅନ୍ତୁ ଏବେ-’’ ବାପା କହିଲେ ।

 

“ବେଶ୍ ବେଶ୍, କୁହନ୍ତୁ ଗୋଟାଏ ନାଁ ଶୁଭେନ୍ଦ୍ରବାବୁ–ଆପଣ ତ ନାଟ୍ୟକାର–ସେଇ ନାଁଟି ଆମ ଦୁର୍ଗାର ହେବ ଷ୍ଟେଜ୍ ନାଁ–“

 

ଭାବିଲା ଭଳି ହୋଇ; ଶୁଭେନ୍ଦ୍ରବାବୁ ବୋଲି ଯାହାଙ୍କୁ ଚାହିଁ ସମସ୍ତେ କହିଲେ, ସେଇ ବ୍ୟକ୍ତି ଜଣକ କିଛି ସମୟ ପାଇଁ...ଉଁ...ଉଁ ହୋଇ ମୁଣ୍ଡ ଉପରକୁ ଟେକିରଖି, ତା କାନ୍ଧରେ ହାତରଖି କହିଲେ–ବେଶ୍ ତମ ନାଁ ହବ...ନାଁ, ହବ...ସୁନୀଲା ‘

 

‘ଚମତ୍କାର...ଚମତ୍କାର...’

 

‘ବଢ଼ିଆ ନାଁଟିଏ–’

 

‘ସୁନ୍ଦର ଶୁଭିବ–’

 

“ବମ୍ବେର ଫିଲ୍ମଷ୍ଟାରମାନଙ୍କ ଦ୍ୱିତୀୟ ନାଁ ଭଳି ଏଇଟା ବେଶ୍ ଲୋକମାନଙ୍କୁ ଭଲ ଲାଗିବ–’’

 

ସେଇଦିନଠାରୁ ଦୁର୍ଗା ବୋଲି ସହଜ ସରଳ ସାଧାରଣ ଗୋଟିଏ ଝିଅ ସୁନୀଲା ଭିତରେ ହଜିଗଲା–ମିଳେଇଗଲା । ଦୁର୍ଗାର ଅସ୍ତିତ୍ୱ ନିଭିଗଲା ସେଇ ମୁହୂର୍ତ୍ତରୁ ।

 

ସ୍ଲେଟ୍ ପିଠିରୁ ଖଡ଼ିରେ ଲେଖାହୋଇଥିବା ଅକ୍ଷରଟାଏ ପୋଛି ହୋଇଗଲା...

 

ନୂଆ ନୂଆ ଅକ୍ଷର ଲେଖାହେଲା–ଲିଭିଲା–ପୁଣି ଲେଖାହେଲା ।

 

ନାରୀ ସୁନୀଲା ଭିତରେ ଗ୍ରାମ୍ୟ ଦୁର୍ଗାର କନ୍ୟାତ୍ୱର ମୃତ୍ୟୁ ଘଟିଲା–ସେହି ମୁହୂର୍ତ୍ତରେ ଦୁର୍ଗା ନାରୀ ହୋଇଗଲା ।

 

ଆଉରି କେତେ ଘଟଣା... କେତେ କାହାଣୀ... ଷ୍ଟେଜ୍‍ ଉପରକୁ ତାକୁ ନେଇ ସେଇ ବେହିଆ ଝିଅ ପୁଅମାନଙ୍କ ଭିତରେ ଛିଡ଼ାକରି; ଜଣେ କହିଲେ, ଏଇ ବାବୁ ଯାହା କହିବେ, ତୁ ସେସବୁ କହିବୁ ଷ୍ଟେଜ୍‍ ଉପରେ–ତାଙ୍କ ନାଁ ପ୍ରମ୍ପଟର–ସ୍ମାରକ ।

 

ଶୁଆ କହିଲା ଭଳି ସୁନୀଲା ଆଉଡ଼ାଇଗଲା ସବୁକଥା ସେଦିନ ।

 

ସମସ୍ତେ ହସୁଥାଆନ୍ତି...

 

ତା’ର କିଛିଦିନ ପରେ ସେଇ ମଞ୍ଚ ଉପରେ ରଙ୍ଗବେରଙ୍ଗୀ ଆଲୁଅ ମୁହଁରେ ପକାଇ ସେଇ ଝିଅଟି ଭଳିକି ଭଳି କଥା ଡଗ ଡଗ କରି କହିଗଲା–

 

ଲୋକେ ତାଳି ମାରିଥିଲେ...

 

ଦୁର୍ଗା... ଦୁରୁଗୀ ସୁନୀଲା ଭିତରେ ପେଷି ହୋଇଗଲା କୋଉଠି...

 

ତଥାପି ବେଳେ ବେଳେ ସୁନୀଲା ଭିତରୁ ସେଇ କଅଁଳ ଛନଛନିଆ ଦୁରୁଗୀକୁ ଖୋଜାପଡ଼େ । ଦୁର୍ଗା ପାଇଁ ମନ ବ୍ୟାକୁଳ ହୋଇ କାନ୍ଦିଉଠେ–

 

ସୁନୀଲା ଦୁର୍ଗାକୁ ମନେପକାଇ ଖୋଜି ଖୋଜି ଗୁମୁରି ଗୁମୁରି କାନ୍ଦିଉଠେ ବେଳେ ବେଳେ...

 

ସେଇ ମୋଟା ସୋଟା, ଗଞ୍ଜାଭଳି ଭଦ୍ରଲୋକ... ଫୁଲିଲା ଫୁଲିଲା ବେକ... ସେକା ପାଉଁପୁଟି ଭଳି ଗାଲ ଯାହାଙ୍କର, ବିଖ୍ୟାତ ନିର୍ଦ୍ଦେଶକ... ସେଦିନ, ପାର୍ଟ ଶିଖାଇବାପାଇଁ, ତାଙ୍କ ଭାଷାରେ ଆର୍ଟିଷ୍ଟ ଗଢ଼ି ତୋଳିବାପାଇଁ, ତାକୁ ଏକୁଟିଆ ସେ ଘରଟାକୁ ଡାକିନେଲେ–ଷ୍ଟେଜ୍‍ ଉପରେ ସୁନୀଲା କାଳେ ‘ସାଏ’ ଫିଲ୍ କରୁଛି–ତାକୁ ଏକାକୀ ବୁଝାଇବା ଦରକାର–ଶିଖାଇବା ଦରକାର–

 

ସୁନୀଲା ତାଙ୍କୁ ସମ୍ମାନ କରୁଥିଲା–ସେ ଗୁରୁ ।

 

ଘର କବାଟ ଆଉଜାଇ ଆଣି, ଗମ୍ଭୀର ହୋଇ ବହିଟା ଧରି, ସେ ବସି ପଡ଼ିଲେ । ତା’ପରେ ଗୁଡ଼ାଏ ଡାଇଲଗ ପଢ଼ିଗଲେ ବଡ଼ ପାଟିରେ ମନକୁ ମନ । ସୁନୀଲା ତାଙ୍କୁ କେବଳ ଚାହିଁ ରହିଥାଏ–

 

ପାଖକୁ ଡାକିଲେ–ଗୋଟିଏ ଡାଇଲଗ୍‍ ପଢ଼ି ଶୁଣାଇଲେ ତାକୁ... ‘ମୁଁ ତମକୁ ଭଲପାଏ’–ନାଟକଟିରେ, ଏକାନ୍ତରେ ଝିଅଟିଏ ପୁଅକୁ କହୁଛି–

 

“ବୁଝିପାରୁଚ ? ପ୍ରେମ କ’ଣ ଜାଣିଚ ? ... ଭଲପାଇବା କ’ଣ ବୁଝିଚ ?’’

ସୁନୀଲା କେବଳ ତାଙ୍କ ମୁହଁକୁ ଚାହିଁରହିଲା, କୌଣସି ଉତ୍ତର ନଦେଇ ।

ଧୀରେ ଧୀରେ ସେ ଉଠି ଛିଡ଼ାହେଲେ । ସୁନୀଲାର କାନ୍ଧି ଉପରେ ଦି’ହାତ ଦେଇ, ତା ମୁହଁକୁ ଚାହିଁଲେ । “କେହି ତମକୁ ଭଲପାଇ ଯଦି ଏମିତି ଧରେ, କ’ଣ ତମେ କରିବ କହିଲ ? କି ଆକ୍‍ସନ ଦବ ?”

ସୁନୀଲା ବୋକାଙ୍କ ଭଳି ସେମିତି ଚାହିଁ ରହିଲା । ଏଥର ସୁନୀଲାର ଚିବୁକ ଧରି, ସେ ମୁହଁଟାକୁ ତା’ର ଉପରକୁ କରିଦେଲେ–

“ଦେଖିଲ–ମୋ ଆଖିକୁ ଚାହଁ... କ’ଣ ଦେଖୁଚ ?”

ଆଖିରେ ତାଙ୍କର ହିଂସ୍ର ବାଘର ଲୋଭ–କ୍ଷୁଧା–ଲୋକଟା ସତେକି ବଦଳିଗଲାଣି–ମୁହଁଟା ତାର ଆଉ କେମିତି ଭୟଙ୍କର ହୋଇଗଲାଣି... କଣ୍ଠ ତା’ର ଥରିଲା ଥରିଲା ଶୁଭୁଛି–ଜିଭ ଶୁଖିଗଲାଣି ବୋଧେ–

“କ’ଣ ଦେଖିଲ ?”

“କିଛି ନାହିଁ ତ ?”–ସୁନୀଲା ନୀରବତା ଭାଙ୍ଗି କହିଲା ।

“ତମେ ଶିଖିନ–ମୋ ଆଖିରେ ଢଳ ଢଳ କରୁଛି ପ୍ରେମ... ଭଲପାଇବା... ମୁଁ ତମକୁ ଭଲପାଏ ସୁନୀଲା... ।”

ଏଥର ସେ ସୁନୀଲାକୁ ଆଉଜାଇନେଲେ ଆହୁରି ନିକଟକୁ–ନିଜ ଛାତିରେ ଚାପି ଧରିଲେ ।

ଦେହ ତାଙ୍କର ଥରୁଥିଲା...

ସୁନୀଲା ଧୀରେ ଧୀରେ ନିଜକୁ ହଜାଇ ଦେଇଥିଲା... ଭୟ, ସଙ୍କୋଚ, ସମ୍ଭ୍ରମ ସବୁ ମିଳିମିଶି ତା’ ମୁଣ୍ଡ ଭିତରେ ଗୋଟାଏ ଅଦ୍ଭୁତ ପରିବେଶ ସୃଷ୍ଟି କରୁଥିଲେ–

ତାଙ୍କ ମୁହଁ ସୁନୀଲାର ମୁହଁ ଉପରକୁ ନଇଁ ଆସୁଥିଲା...

ସୁନୀଲା ଆଖି ବୁଜିଦେଲା–ବିଖ୍ୟାତ ନିର୍ଦ୍ଦେଶକ ତାକୁ ଅଭିନୟ ଶିଖାଉଥିଲେ ।

ସେ ଦିନଗୁଡ଼ାକର କଥା ମନେପଡ଼ିଲେ, ସୁନୀଲାକୁ ହସ ମାଡ଼େ–କାନ୍ଦି ବି ଆସେ ।

ସେଦିନ ସେ ହୁଏତ ତାଙ୍କୁ ମାରି ପାରିଥାଆନ୍ତି–ଦଉଡ଼ି ପଳାଇ ଆସି ପାରିଥାଆନ୍ତି–ଚିତ୍କାର କରି ପାରିଥାଆନ୍ତା ।

ସୁନୀଲା ନୁହେଁ, ନିରୀହା ଦୁର୍ଗା କିନ୍ତୁ ସେଦିନ କିଛି କରିପାରି ନଥିଲା–

ଆଜିର ସୁନୀଲା ସେଦିନ ହୁଏତ ଅନ୍ୟ ପ୍ରକାରର ବ୍ୟବହାର କରିଥାଆନ୍ତି–ସୁନୀଲା ଲାଜକୁଳୀ ଲତାଟିଏ ନୁହେଁ–

ବିଚାରୀ ଦୁର୍ଗା... ମଫସଲ... ଦୁନିଆ ନ ଦେଖିଥିବା, ସହର ବଜାର ନ ଜାଣିଥିବା, ବୋକା ଝିଅଟିଏ–କିଛଇ ଜାଣି ନଥିଲା... କିଛି ଜାଣି ନଥିଲା ସେ–

 

ବୁଲାଭାଇର ଦୁର୍ଗାଡାକ କ୍ଷଣକ ପାଇଁ ଅନ୍ତତଃ ମନେ ପକାଇ ଦିଏ ଯେ, ସେ ଛଳନା ନୁହେଁ–ସେ କେବଳ ଅଭିନୟ ନୁହେଁ । ତା’ଭିତରେ ଅସ୍ତିତ୍ୱ ଅଛି । ମଣିଷଟା ମରିନାହିଁ ଭିତରେ ତା’ର । ତା’ର ନାରୀତ୍ୱ ଅଛି ।

 

ସେ ନାରୀତ୍ୱ, ତାକୁ ସୁନୀଲା ଦେଇ ପାରିବ ନାହିଁ । ସୁନୀଲା ନାରୀତ୍ୱର ଅପମୃତ୍ୟୁ... ଧୋକା... ଛଳନା... !

 

ଛେଳିଛୁଆ ବାଘଛାଲରେ ପଶିଲା ଭଳି ସୁନୀଲା ଗୋଟାଏ ଆବରଣ ମାତ୍ର–

 

କିନ୍ତୁ ଦୁର୍ଗା କାହିଁ ? କାହିଁ ସେ ଛନ୍ଦଚପଳା ବାଳିକା... କୁଆଡ଼େ ବେପତ୍ତା ହୋଇଯାଏ ସେ–ବାହବ୍‍ବାର ବୃଥା କୋଳାହଳ ଭିତରେ ହଜିଯାଇ ବୟସ, ନାରୀତ୍ୱ, ମନ ସବୁ କିଛି ପୋଡ଼ିପାଡ଼ି ଖାଇସାରିଛି ସେ–

 

ନାଁ କାନ୍ଦୁନାହିଁ ସେ… ! ଏ ଦୁଇବିନ୍ଦୁ ପାଣି ବୋଧହୁଏ ତା’ର ଛଳନାର ପ୍ରତୀକ ! କିନ୍ତୁ ଝାଳ ତ ନୁହେଁ ଇଏ । ଭ୍ରମରେ ପଡ଼ିଲା ସୁନୀଲା ।

 

ସୁରେଶକୁ ଉଠାଇଦେଇ ଅନୀଲା ଆସି ପହଞ୍ଚିଲା ସେଇ ରୋଷେଇଘରେ । ତା’ର ବି ଏମିତି ଅପମୃତ୍ୟୁ ହୋଇଥିଲା ଦିନେ । ସିଏ ବି ଏମିତି ବଳି ପଡ଼ିଥିଲା... ନାରୀତ୍ୱ ତାର ଛଟପଟ ହୋଇ ହୋଇ, ଠିକ୍ ବଳି ଦିଆଯାଇଥିବା ଜନ୍ତୁଟିଏ ଭଳି ଚୁପ୍‍ ହୋଇଗଲା ।

 

ଦୁର୍ଗାର ଆଦରର ଗୁଲୁଗୁଲିଆ ସାନଭଉଣୀ ରଙ୍ଗର ସମାରୋହ ଭିତରେ, ଛପିଗଲା–ମିଶିଗଲା ଆଲୋକର ପ୍ରଖର ବନ୍ୟା ସ୍ରୋତରେ– !

 

ତାର ଇଚ୍ଛା ହେଲା, ସେଇ ସକାଳୁ, ଦିନର ସେହି ପ୍ରାରମ୍ଭ ମୁହୂର୍ତ୍ତରେ, ଅନୀଲାକୁ ଧରି ବହେ କାନ୍ଦିବାପାଇଁ ।

 

ଅନୀଲାକୁ ଯେ ଆଉ ଟିକେ ଆଗରୁ ସେ ସନ୍ଦେହ କରୁଥିଲା, ଜାଗିବାକୁ ଚାହୁଁଥିଲା, ସେ ସବୁ ଭୁଲିଗଲ ସୁନୀଲା ! ଭାରି ନିରୀହ ବୋଧହେଲା ତାକୁ, ବିସ୍ମିତ ଅନୀଲାର ମୁହଁଟି ! ବିଚାରୀ...-!

 

ଛୋଟ ମୁହଁଟି ଶେଥା ପଡ଼ିଗଲାଣି–ସେ ଘଞ୍ଚ, କଳା କେଶରାଶି କାହିଁକି କେଜାଣି କ୍ଷୀଣ ହୋଇ ଆସିଲାଣି–ଏଇ ଛୋଟ ଝିଅଟି, ଥରି ଥରି ଚାଲୁଥିଲା.. ଦରୋଟି ତୁଣ୍ଡରେ ତାକୁ ଅପା ବୋଲି ଜାବୋଡ଼ି ଧରିଥିଲା–ଗେଲ କରୁଥିଲା–ଅନୀଲାର ମୁହଁ ତାକୁ ହଠାତ୍ ଭୟଙ୍କର ଭାବରେ କରୁଣ, ଦୁଃଖକାତର ବୋଧହେଲା ତାକୁ ।

 

ନିଜ ଉପରେ ଅନୁକମ୍ପା, ତା’ର ହଠାତ୍ ଅନୀଲା ଉପରେ, ସ୍ନେହ ରୁପରେ ଅଜାଡ଼ି ହୋଇ ପଡ଼ିବାକୁ ଚାହିଁଲା କେମିତି ।

 

ବାପା ମା’ଙ୍କ ମୁହଁରୁ ସେଇ ପୁରୁଣା ହଜିଲା ନାଁଟାକୁ ଶୁଣିବାକୁ ଦିନେ ଦିନେ ଭାରି ଇଚ୍ଛାହୁଏ । ଭୁଲିଯିବାକୁ ଇଚ୍ଛା ହୁଏ ଛଳନାର ଏ ନୂତନତ୍ୱକୁ !

 

ସେଦିନର ସେହି ମେଣ୍ଢାଛୁଆଭଳି ଶାନ୍ତ, ସରଳ ଝିଅଟି, ଅବିନାଶ, ଶୁଭେନ୍ଦ୍ର, ରସିକମୋହନ, ଜଗନ୍ନାଥ, ସୁରଜିତ୍, ଶଚୀ, ରୀତା, ଗୀତା, ଜାହ୍ନବୀ, ମାଧବୀ, ଆଉ ଏମିତି ବହୁ ମଣିଷଙ୍କର ମେଳା ମହୋତ୍ସବ ଭିତରେ ନିଜକୁ ଦେଖିବାପାଇଁ, ସାମାନ୍ୟତମ ଅବସର ପାଇବାକୁ ବ୍ୟାକୁଳ ହୋଇଉଠିଲା ।

 

ମଞ୍ଚକନ୍ୟା ସୁନୀଲାକୁ ମାରିଦେଇ, ତା’ରି ଶବଉପରେ ଥରକପାଇଁ, ମୁହୂର୍ତ୍ତକପାଇଁ ମଧ୍ୟ ସେଇ ସରଳା ଦୁର୍ଗା, ଯିଏ ଗାଲ ଚିପିଦେଲା କ୍ଷଣି ତଳକୁ ମୁହଁପୋତି ଲାଜେଇ ଯାଉଥିଲା, ଝାଳେଇଯାଉଥିଲା, ମଞ୍ଚ ଉପରେ ଛିଡ଼ାହେଲା ବେଳେ ଥରି ଥରି ଯାହାର ଆଣ୍ଠୁରେ ଆଣ୍ଠୁ ବାଜୁଥିଲା, ତାକୁଇ ଦେଖିବାକୁ ଚାହେଁ ସୁନୀଲା– !

 

ଥରକପାଇଁ... ମାତ୍ର ମୁହୂର୍ତ୍ତକ ପାଇଁ...

 

ସକାଳଟା ଅକସ୍ମାତ୍ ବିଷଣ୍ଣ ହୋଇଉଠିଲା । ଆଖିଲୁହର ସୁଅରେ, ସକାଳର ହେମାଳ ସ୍ନିଗ୍ଧତା ମିଳେଇଗଲା–

 

ଅପାର ଲୁହଧୂଆ ଆଖିପତାକୁ ଚାହିଁ ଚାହିଁ, ଅନୀଲା ଚା’ ପତ୍ର ପକାଇ ଚା’ ଡେକ୍‍ଚିଟାକୁ ଚୁଲିରୁ ଓହ୍ଲାଇ ଆଣି, ଦୁଧ ଡେକ୍‍ଚିଟା ବସାଇ ଦେଲା ଗରମ କରିବାକୁ । ତାକୁ ସେମିତି ଅନେଇ ଅନେଇ ଦେଖୁଥିଲା ସେ ।

 

କ’ଣ ତା’ର ହେଲା କେଜାଣି ?

 

ଅନୀଲା ଜାଣେ, ଅପା ଏମିତି ବେଳେବେଳେ ଆନମନା ହେଇ କାନ୍ଦି । କ’ଣ ଭାବେ କେଜାଣି ?

 

ନିଜେ ଯେତେବେଳେ ସେ ଅଭିନୟ କରିବାପାଇଁ ବାହାରିଲା, ସେତେବେଳେ ଅପାର ଏ ଅବସ୍ଥା ଦେଖିଲେ ସେ ଭାବେ, ପ୍ରତିଶ୍ରୁତି ଦେଇଥିବା କୌଣସି ପ୍ରଣୟୀ ହୁଏ ତ ତାକୁ ପ୍ରତାରଣା କରିଛି–

 

ତା’ପରେ ପରେ ଅଭିଜ୍ଞତାରୁ ଜାଣିଲା, ଏ ଅଞ୍ଚଳରେ ପ୍ରଣୟ ବୋଲି କୌଣସି ବସ୍ତୁ ନାହିଁ ! ସମସ୍ତେ ଘୋଷିଥିବା ବୋଲି ଆଉଡ଼ାନ୍ତି–ପରସ୍ପରକୁ, ମଞ୍ଚ ଉପରେ–ମଞ୍ଚ ବାହାରେ ମନ ଦେହ ସବୁ ସେଇ ଅଭିନୟର ଅଙ୍ଗଭଙ୍ଗୀ ମାତ୍ର–

 

ତେଣୁ ପ୍ରତାରଣାର ପ୍ରଶ୍ନ ଉଠୁଚି କୋଉଠି ?

 

ରୋଷେଇ ଘରର ଅଳନ୍ଧୁ କଳା ବୋଳା, କିରାସିନି ପଟାର ଥାକ ଉପରୁ, ଭଙ୍ଗା ଭଙ୍ଗା କପ, ଗ୍ଲାସ୍ ସବୁ ଆଣି ସଜେଇ ଥୋଇଲା ଅନୀଲା । ସେଥିରେ ସବୁ ଦୁଧ କରଚୁଲିଏ ଲେଖାଏଁ ଢାଳି ଲିକର୍‍ ଢାଳୁ ଢାଳୁ ଭାବୁଥିଲା...

 

କାଳକ୍ରମେ ସେ ଧାରଣା ତା’ର ଭାଙ୍ଗି ଆସିଲାଣି–ଅପାକୁ କେନ୍ଦ୍ର କରି କୋଉ ଗୋଟିଏ ହେଲେ ନିର୍ଦ୍ଦିଷ୍ଟ ମଣିଷକୁ ଦେଖିନାହିଁ ସେ ଯେଉଁମାନେ ଅଭିନୟ ଜରିଆରେ, ବନ୍ଧୁତା ଜରିଆରେ ତା’ ସହିତ ମିଶୁଥିଲେ, ସେମାନଙ୍କ ମଧ୍ୟରୁ କାହାକୁ ପ୍ରଣୟୀ ବୋଲି ଭାବି ପାରିନାହିଁ ଅନୀଲା, ଏପରି କି ଛଳନାର ମଧ୍ୟ ନୁହେଁ ।

 

ସେମାନେ ଆସୁଥିଲେ ଚାରି ପାଞ୍ଚବର୍ଷ ତଳେ ସୁନୀଲାର ଦେହର ଫୁଟନ୍ତା ଫୁଲ ଯେ ପର୍ଯ୍ୟନ୍ତ ଝାଉଁଳି ଯାଇ ନଥିଲା–

 

ଏବେ ଯେଉଁମାନେ ଆସନ୍ତି, ସେମାନେ ଚକଟି ଦଳି ମନ୍ଥି ଦବାକୁ ଆସନ୍ତି ସିନା ! କବିମାନେ ଯାହା କହନ୍ତି, ଫୁଲକୁ ଆଦରରେ ତୋଳି ଧରି ସାଉଁଟି ରଖିବାପାଇଁ କି ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ କେହି ଆସନ୍ତି ନାହିଁ–

 

ସେ ସୌନ୍ଦର୍ଯ୍ୟ ଆଉ ନାହିଁ–

 

ଛଅ କପ ଚା’ ଦରକାର–ଗିଲାସ, କପ ହୋଇ ମୋଟେ ପାଞ୍ଚଟା ଅଛି ।

 

‘ଅପା, ଜାଗା ତ ମୋଟେ ପାଞ୍ଚଟା ଅଛି–ଛଅ ଜଣଙ୍କୁ ଚାହା ଦେବି କେମିତି ?’

 

ନିଦରୁ ଉଠିଲା ଭଳି ଚମକି ପଡ଼ି ସୁନୀଲା ଚାହିଁଲା, ତା’ରି ପାଖରେ ଘଷିଘାଷି ହୋଇ ବସିଥିବା ଅନୀଲାକୁ–

 

ଏତେବେଳଯାଏ, ସେ ତାଆରି କଥା ଭାବିଛି, ତାକୁ ଦେଖିଛି–ଦେଖି ନ ଦେଖିଲା ପରି ଚେଇଁ ଚେଇଁ ସ୍ୱପ୍ନ ଦେଖୁଥିଲା ହୁଏତ ଏତେବେଳେ ଯାଏଁ ।

 

ଅନୀଲାର ପ୍ରଶ୍ନ ସେ ଶୁଣିପାରିଲା ନାହିଁ । ତେଣୁ ପଚାରିଲା, “ଚା’ କରିସାରିଲୁଣି ? କ’ଣ ପଚାରୁଥିଲୁ ?”

 

ଟିକେ ମୁରୁକି ହସି ଅନୀଲା ପୁଣି ଥରେ ସେଇ ପ୍ରଶ୍ନ ପଚାରିଲା ।

 

“କାହିଁକି, କେତେ ଜଣ ଅଛନ୍ତି କି ?” ଲୁଗା କାନିରେ ଆଖିପତାଟା ଚାପିଦେଇ ସୁନୀଲା କହିଲା । ବୁନ୍ଦାଏ ଦୁଇ ବୁନ୍ଦା ଝରି ଆସିଥିବା ଲୁହ ଠିକ୍ ଆଖି ତଳେ ଶୁଖିଯାଇଛି । ଆଖିଟା କେବଳ ଓଦା ଓଦା ଲାଗୁଛି ।

 

–“ତୁ, ମୁଁ, ବାପା, ବୁଲାଭାଇ, ଭାଇ, କେଇ ଜଣ ହେଲେ ଆଙ୍ଗୁଠି ଗଣି ଗଣି ଅନୀଲା କହିଲା–“ଛଅ ଜଣ ନା ?”

 

ହସି ଦେଇ ସୁନୀଲା କହିଲା, “ସୁରେଶ ତ ଶୋଇଛି, ତାକୁ ପଛରେ ଦବୁ । ଆଗ ଯା, ବାପା, ମାଆ ଆଉ ବୁଲାଭାଇକୁ ଦେଇ ଆ–ବାକି ଚା’ ସେଇ କେଟଲୀଟାରେ ଛାଣି ରଖିଦେ, କାଳେ ପଛରେ ପୁଣି ମାଗିବେ ?”

 

‘ହଉ’ କହି ଦୁଇଟା ଗ୍ଲାସ୍ ଗୋଟାଏ ହାତରେ ଆଉ କପ୍‍ଟା ଆର ହାତ ପାପୁଲିରେ ଧରି ଦେଇ ଆସିବାକୁ (...) ।”

 

ବାକି ଦୁଇ କପ୍‍ରୁ ସୁନୀଲା (....) ଶୋଷଡ଼ାଏ ପିଇଦେଇ ପୁଣି (....) ବୋଲି ବୋଧହୁଏ ।

 

ଅନୀଲା ଫେରିଆସି ତା ପାଖରେ ବସି ଆର ଚା’ଟା ପିଇବାକୁ ଆରମ୍ଭ କଲା ।

 

ଅପାକୁ ତା’ର ମନ କଥା ପଚାରିବାକୁ, ବିଶେଷ କରି ସିଏ କାହିଁକି ଏ ସକାଳଟାରୁ ବସି କାନ୍ଦୁଥିଲା, ସେଇ କଥା ଜାଣିବାକୁ ଅନୀଲାର ମନଟା ଖଲଖଲ ହେଉଥିଲା । କେମିତି ସେ ଅତି ସହଜ ଭାବରେ ପଚାରିପାରିବ ଅପାକୁ, ସେଇ କଥା ବସି ଭାବୁଥିଲା, ଚା’ ପିଉପିଉ ।

 

ଅତି ଧୀରେ ଧୀରେ ଚା’ରେ ଚୁମା ଦେଉଥିଲା ସୁନୀଲା–ରହିରହି ।

 

“କାଲି କେତେବେଳେ ଯିବା ?” ପଚାରିଲା ଅନୀଲା ।

 

“ସକାଳେ ତ ବସ୍–ନ ଗଲେ ହୁଅନ୍ତା ନାହିଁ ?” –ବଡ଼ ଅନୁନୟ କଲା ଭଳି କହିଲା ସେ-

 

“କିନ୍ତୁ ତାଙ୍କୁ ପରା ଜବାବ ଦେଇଛେ ? ନ ଗଲେ ପୁଣି କ’ଣ ବୋଲି କ’ଣ କରିବସିବେ-। କାହିଁକି ? ତୋର କ’ଣ ହେଇଚି କି ?”

 

ଖୁବ୍ ସୁଧାର ପିଲା ଭଳି ପଚାରୁଥିଲା ଅନୀଲା । ମନ ଭିତରେ କିନ୍ତୁ ତାର ସେଇ ଗୋଟିଏ ମାତ୍ର ପ୍ରଶ୍ନ ଉଙ୍କି ମାରୁଥିଲା । ପରିଧି ଚାରିକଡ଼େ ଘୂରିଲେ ବି ବିନ୍ଦୁକୁ ଆସି ପାରୁ ନ ଥିଲେ ସେ । ତୀର ଲକ୍ଷ୍ୟ ଭେଦ ନ କରି ଏପଟ ସେପଟ ଆଖପାଖ ସବୁ ଜାଗାରେ ବାଜିଲେ ମନଟା ଯେମିତି ହୁଏ, ତାକୁ ସେମିତି ଲାଗୁଥିଲା ।

 

–“ଓହୋଃ, ଆମକୁ ଜବାଜ ଦେଲେ ଯେମିତି ରଖିପକାନ୍ତି ସମସ୍ତେ ! ନ ହେଲେ ଏବେ କେସ୍ କରିବେ–କରନ୍ତୁ । ସବୁବେଳେ ତ ସମସ୍ତେ କହନ୍ତି, ଗରିବ ଅନୁଷ୍ଠାନ, କିଛି ଚାନ୍ଦା ଆକାରରେ ଦେଇଯାଆନ୍ତୁ... ରସିଦଟିଏ ବଢ଼ାଇ ଦିଅନ୍ତି ମିଛରେ... ଯୋଉଠି କି ଗଲେ ସେଇ ଏକା କଥା... ଆଉ ଆମରି ବେଳକୁ ସବୁ...”

 

ବିରକ୍ତିର ଯଥାର୍ଥ କାରଣ ଯେ ଅନ୍ୟମାନେ ଜବାବ ନ ରଖିବାଟା (....) ଗଣ୍ଡଗୋଳ କରିବା ଆଦୌ ନୁହେଁ, ସେ କଥା (...) ଆଉ ସମ୍ଭାଳି ନ ପାରି ପଚାରିଲା–(...) ? ତୁ ଏଠି ଏମିତି ବସି ଏକୁଟିଆ (...)

 

ସାନ ପିଲାଙ୍କୁ ଇଆଡ଼ୁ ସିଆଡ଼ୁ କଥା ପଦେ ଦୁଇ ପଦ କହିଦେଇ ଭଣ୍ଡାଇ ଦେଲା ଭଳି ଅନୀଲାର ପ୍ରଶ୍ନକୁ ଏଡ଼ାଇ ଯିବାକୁ ଚେଷ୍ଟା କଲା ସୁନୀଲା । କହିଲା, କାହିଁ ମୁଁ କାନ୍ଦୁ ନ ଥିଲି ତ ! ଚୁଲି ମୁଣ୍ଡେ ବସି ନିଆଁଧାସ ବାଜିବାରୁ ଆଖିରୁ ପାଣି ଗଡ଼ୁଥିବ । ମୁଁ ଏ ସକାଳଟାରୁ କାନ୍ଦିବି କାହିଁକି ମୁଁ ! ମୁହଁରେ ଶୁଖିଲା ହସ ଫୁଟାଇବାକୁ ଉଦ୍ୟମ କରୁଥିଲା ସେ ।

 

“ମୁଁ ଜାଣେ ଲୋ ଅପା, ତୋ ଆଖିରୁ ଯାହା ଝରି ଝରି ଶୁଖିଯାଇଛି, ସିଏ ପାଣି ନୁହେଁ–ନିଆଁଧାସ ବି ନୁହେଁ । କାହିଁକି କାନ୍ଦୁଥିଲୁ ନ କହିବୁ ଯଦି ନ କହ ପଛେ, ମିଛ କହ ନାହିଁ । ମୁଁ କ’ଣ ଛୁଆଟିଏ ହେଇଚି ? ଅପା, ଗ୍ଲିସରିନ୍, ପିପରମେଣ୍ଟ ମାରି ଛଳନାର ଲୁହ ଗଡ଼ାଉ ବୋଲି କ’ଣ ଆଖିରୁ ସତ ଲୁହଧାର ଚିହ୍ନି ହବ ନାହିଁ ?”

 

ଅଭିନୟ ଭଙ୍ଗୀରେ ଅନୀଲା, କହୁଥିବା ଡ୍ରାମା ଡାଇଲଗ୍ ଭଳି ବଡ଼ ବଡ଼ କଥା ଶୁଣି ସୁନୀଲା ଫିକ୍‍କିନା ହସିଦେଲା । ଜାଣିଶୁଣି ହସିଲା ସେ ଅନୀଲା କଥାର ଗୁରୁତ୍ୱ କମାଇଦେବା ପାଇଁ । ଆଖିରୁ କିନ୍ତୁ ତା’ର ଲୁହର ଧାର ପୁଣି ଥରେ ଝରେ ଆସୁଥିଲା ଅଲକ୍ଷ୍ୟରେ ।

 

“ଭାରି ବଡ଼ ବଡ଼ କଥା କହୁଚୁ ଲୋ ସକାଳୁ ?”

 

“ମିଛରେ ମୋତେ ଧପ୍‍ ପେଇ ଦବାକୁ ଚେଷ୍ଟା କରୁଚୁ କାହିଁକି କହିଲୁ ? କାନ୍ଦୁଥିଲୁ କାହିଁକି, କହିବୁ ନାହିଁ ?”

 

ଏଥର କିନ୍ତୁ ସୁନୀଲା, ତାକୁ ଏଡ଼ାଇଯାଇ ପାରିଲା ନାହିଁ ସହଜରେ ।

 

“ନାଇଁ ଲୋ, ସକାଳୁ ଏମିତି ମନେ ପଡ଼ିଗଲା ବାର କଥା–ଇଆଡ଼ୁ ସିଆଡ଼ୁ...”

 

“କ’ଣ ?”

 

“ଏଇ ଆମ ଅଭିନୟ ଜୀବନ... ଘର କଥା... ବାପାଙ୍କ କଥା... ସବୁ ମିଳିମିଶି ମନଟା କାହିଁକି କେଜାଣି କେମିତି ହୋଇଗଲା ।”

 

ଅନୀଲା ଗମ୍ଭୀର ହୋଇଗଲା ହଠାତ୍ । କୋଉ ମର୍ମସ୍ଥଳରେ ତା’ର ବିନ୍ଧିଲା ବିଗତଯୌବନ, ପ୍ରୌଢ଼ତ୍ୱର ପ୍ରଥମ ପାହାଚରେ ପାଦ ଦେଇଥିବା ଅପାର ତା’ର ସକରୁଣ ଆତ୍ମଲିପି ।

 

ସୁନ୍ଦର ହଳଦିଆ ସକାଳଟା ପାଣ୍ଡୁର ବିବର୍ଣ୍ଣ ହୋଇଉଠିଲା । ଦୀର୍ଘଶ୍ୱାସର ତାତିରେ ସତେ କି ସକାଳର ହେମାଳ ପବନ ଉତ୍ତପ୍ତ ହୋଇଉଠିଲା ।

 

ଦିନ ପରେ ଦିନ, ବର୍ଷ ପରେ ବର୍ଷ ଅତିକ୍ରମ କରି ହୁଏତ ସେ ବି ଦିନେ ତା’ରି ଅପା ଭଳି ଶୁଖିଲା କାଠ ହୋଇଯିବ । ଜୀବନ–ପାତ୍ରରୁ ତା’ର ରସ ନିଃଶେଷ ହୋଇଯିବ ।

 

ଦୀର୍ଘଶ୍ୱାସ ପକେଇ କ’ଣ ଗୋଟାଏ କହିବାକୁ ଯାଉଥିଲା ସେ... ସିଆଡ଼ୁ ସୁରେଶ ପାଟିକଲା–“ଅପା ! ଗରମ ପାଣି ମୁନ୍ଦାଏ ମୋତେ ମିଳିବ ନାହିଁ କିଲୋ ?”

Unknown

 

ସେମାନଙ୍କର ଚା’ ପିଆ ସରିଯାଇଥିଲା । ତଳେ ପାଣି ଗୋଟାଏ କପ୍‍ ରେ ପକାଇ ଧୋଇଦେଇ ଅନୀଲା ଥୋଇଲା ଆଣି । ସୁନୀଲା କେଟଲୀରୁ ତତଲା ଚା’ପାଣି ଅଜାଡ଼ିଲା ସେଥିରେ । ଅନୀଲା କରଚୁଲିଏ ଦୁଧ ଦେଇ ଚାମୁଚରେ ଗୋଳାଇଦେଇ ଉଠାଇ ଆଣିଲା ସେଇଟା ବାହାରକୁ ।

 

ଲୁଙ୍ଗିଟା ପିନ୍ଧୁ ପିନ୍ଧୁ ନିଦ ମଳମଳ ଆଖିରେ ବାହାରକୁ ଆସି ଛିଡ଼ା ହୋଇଛି ସୁରେଶ । ସେଇଠୁ ସେ ଡାକୁଥିଲା ଚା’ ପାଇଁ ।

 

ଚା’ ଟା ତାକୁ ଦେଲାବେଳେ ଠିକ୍ ଭିତରୁ ବୁଲାଭାଇ ଡାକିଲା, “କ’ଣ ନିଦ ଭାଙ୍ଗିଲା କଳାହାତୀ ? ନିର୍ଲଜ୍ଜ କୋଉଠିକାର ! ଏତେବେଳଯାଏ ଶୋଇଥିଲୁ କାହିଁକି ? ସତେ ଯେମିତି ରାତିସାରା ଅନିଦ୍ରା ହୋଇ ଗୋଟାଏ କ’ଣ ବଡ଼ କାମ କରୁଥିଲା !”

 

“ସେଇଆ ତାକୁ କହ ପୁଅ ! କିଛି ତ ହେଲା ନାହିଁ ସେଇଟା... ଭଉଣୀ ଦିଇଟାଙ୍କ ପଛରେ ଗୋଡ଼େଇବ–ଇଆଡ଼େ ସିଆଡ଼େ ବୁଲି ବୁଲି ଦିଇଟା ମାଗିଯାଚି ଖାଇଦେଇ ଶୋଇବ କୁମ୍ଭକର୍ଣ୍ଣ ଭଳିଆ ।” ଘରୁ ଚିଁ ଚିଁ ପାଟିକରି କହିଲେ ମା ।

 

“ନିଦରୁ ଉଠିଲେ, ଜାମାଯୋଡ଼ ହୋଇ ନିତ୍ୟକର୍ମ ସାରି ବାହାରି ପଡ଼ିବେ ଏଇନେ–ଲାଜ ନାହିଁ ଯାହା, ଭଉଣୀଙ୍କ ପଇସାରେ ଫୁଟାଣି ଦେଖାଇବାକୁ ।” ବାପା ସହଯୋଗ କଲେ ।

 

ବୁଲା ତଥାପି ନୀରବ ରହିଥିଲା । ହସହସ ମୁହଁରେ ଉଠି ଆସିଥିଲା ସେ ବାହାରକୁ । ତା’ର ହସ ଛାଏଁ ଛାଏଁ ବନ୍ଦ ହୋଇଗଲା । ସେ ନିଜେ ଦୋଷୀ ବୋଲି ଲାଗିଲା ତାକୁ ।

 

ବାପାଙ୍କର ଶେଷ କେଇ ପଦ କଥା ସୁରେଶକୁ ବାଧିଥିଲା ନିଶ୍ଚୟ । କିନ୍ତୁ ସକାଳୁ ଉଠି ପ୍ରଥମ ଗଣ୍ଡଗୋଳରେ ଦିନଟା ଆରମ୍ଭ କରିବାକୁ ତାକୁ ଭଲ ଲାଗିଲା ନାହିଁ । ସେଥିପାଇଁ ନୀରବ ରହିଲା ସେ । ନ ହେଲେ ତାଙ୍କର ‘ଭଉଣୀ’ ଜାଗାରେ ‘ଝିଅ’ ବୋଲି ଲଗାଇଦେଇ ସୁରେଶ ବେଶ୍ ଉତ୍ତର ଦେଇ ପାରିଥାନ୍ତା–ଅନ୍ତତଃ ଦିନଟାଯାକ ଗଜର ଗଜର କରାଇବା ପାଇଁ ଯଥେଷ୍ଟ ।

 

ବୁଲା ସହିତ ମା’ ବି ବାହାରି ଆସିଥିଲେ ଘରଭିତରୁ । କହୁଥାନ୍ତି “ତାକୁ ଟିକେ ବାପ ବୁଝାଇ କହିବୁଟି... ଏଗୁରା ସବୁ ଭଲ କଥା ନୁହେଁ ବୋଲି । ଏଡ଼ୁଟିଏ ହେଲୁଣି... କାମଦାମ କିଛି ନାହିଁ !”

 

ସୁରେଶକୁ କିଛି ଗୋଟାଏ ଉପଦେଶ ନ ଦେଲେ ଏ ସୁଅ ଯେ ବନ୍ଦ ହେବ ନାହିଁ, ଆଉ ସେମାନେ ଏମିତି ରହିରହି କଥାର ଝଲକା ଫୋପାଡ଼ି ଚାଲିବେ, ଏକଥା ବୁଲା ଭଲଭାବରେ ଜାଣେ । ସେ ଆରମ୍ଭ କଲା–

 

“ସତେ ସୁରେଶ, ତୁ ଘରୋଇ ଭାବରେ ମାଟ୍ରିକଟା ଦେଇ ଦଉନୁଁ ? କୋଉଠି ଗୋଟାଏ ଭର୍ତ୍ତି ହେଇଯିବୁ–ନ ହେଲେ ଏବେ ପ୍ରେସ୍ ଫ୍ରେସ୍ ଦେଖୁନୁଁ ? ଏମିତି ବାଜେ ସମୟ ନଷ୍ଟ କରୁଚୁ କାହିଁକି ?”

 

ତାର ମୁରବିପଣିଆକୁ ଏଡ଼ାଇଦେଇ ସୁରେଶ ଖାଲି କପ୍‍ଟା, ସେତେବେଳଯାଏ ଛିଡ଼ା ହୋଇ ରହି ଏସବୁ ଶୁଣୁଥିବା ଅନୀଲା ହାତକୁ ବଢ଼ାଇଦେଲା । ବାରିଆଡ଼କୁ ଯିବାକୁ ପାଦ ବଢ଼ାଇଦେଲା । ପାଇଖାନାରେ ପଶିଗଲେ ଅନ୍ତତଃ ଅଧଘଣ୍ଟାଏ ପାଇଁ ନିଶ୍ଚିନ୍ତ ।

 

ପଛରୁ ମା’ ଡାକିଲେ, “କିରେ, ତୋତେ କ’ଣ ଶୁଭୁ ନାହିଁ ? ବୁଲା କ’ଣ କହିଲା ?”

 

କିଛି ଉତ୍ତର ନ ଦେଇ ବାରିଆଡ଼େ ଅଦୃଶ୍ୟ ହୋଇଗଲା ସୁରେଶ ।

 

ଅନ୍ୟ ପକ୍ଷ ବାଧ୍ୟ ହୋଇ ନୀରବ ହୋଇଗଲେ କିଛି ସମୟ ପାଇଁ । କାରଣ ଶରବ୍ୟ ଅଦୃଶ୍ୟ ।

 

“କିଲୋ ଦୁର୍ଗା କୋଉଠି ? ସେଇ ରୋଷେଇ ଘରେ ? କ’ଣ କରୁଚି ସେ ସେଠି ଏକୁଟିଆଟା ବସି ?” ଅନୀଲାକୁ ପଚାରିଲା ବୁଲା । ତା’ପରେ ବଡ଼ ପାଟିରେ ଡାକିଲା–“କିଲୋ ଦୁର୍ଗା, ସେ ରୋଷେଇ ଘରଟାରେ କବାଟକଣରେ ପଶି କ’ଣ କରୁଚୁ ? ଏଣିକି ବାହାରକୁ ଆ’ ତୋ ସାଙ୍ଗେ କଥା ଅଛି ।”

 

ହାତଟା ପୋଛି ପୋଛି ସୁନୀଲା ଆସି ଛିଡ଼ା ହେଲା ପାହାଚ ତଳେ ଅନୀଲା ପାଖରେ ।

 

“କ’ଣ କହୁଚ ?” ପଚାରିଲା ସେ । ମୁହଁ ତାର ହସହସ । ଟିକେ ଆଗର ସେ ଲୁହ ଲିଭିଗଲାଣି କେତେବେଳୁ ।

 

ବାରବୁଲା ଅଘୋରୀ ବୁଲାଭାଇକୁ ଦେଖିଲେ ନିଜର ଅଲକ୍ଷ୍ୟରେ, ମୁହଁ ଉଜ୍ଜ୍ୱଳ ହୋଇଉଠେ, ପ୍ରସନ୍ନତା ପୂରିଯାଏ । ଅପାର ଏ ପ୍ରଶାନ୍ତ ରୂପ ଅନୀଲା ବହୁତ ଥର ଲକ୍ଷ୍ୟ କରିଛି । କିନ୍ତୁ କିଛି କୂଳକିନାରା ପାଏନାଁ ସେ ।

 

ଜଗତଯାକର ଭାଇ ଏ ବୁଲାଭାଇର ମନର ପ୍ରଶାନ୍ତ ମହାସାଗରର ଗଭୀରତା କଳ୍ପନା କରିବାକୁ ସାହସ କୁଳାଏ ନାହିଁ ତାର ।

 

“କ’ଣ କରୁଥିଲୁ ?” ପଚାରିଲା ବୁଲା ।

 

“ଚା’ କରିସାରି ସେ ବାସନଗୁଡ଼ାକ ଧୋଉଥିଲି ।”

 

“ଏତେବେଳଯାଏ... ?”

 

“କ’ଣ କହିବ, କହୁନ କାହିଁକି ମ... ?”

 

“କାଲି ସକାଳୁ ରେଡ଼ି ହୋଇ ଷ୍ଟେସନ ବସ୍‍ଷ୍ଟାଣ୍ଡକୁ ଚାଲିଆସିବ ରିକ୍‍ସା ଖଣ୍ଡେ କରି–ମୁଁ ସେଇଠି ଅପେକ୍ଷା କରିଥିବି ।”

 

ଅନୀଲା, ସୁନୀଲା ଉଭୟଙ୍କୁ ଉଦ୍ଦେଶ୍ୟ କରି କହୁଥିଲା ସେ । କେହି କିନ୍ତୁ କିଛି ଉତ୍ତର ଦେଲେ ନାହିଁ ତା’କଥାରେ–ବୁଲାଭାଇ ପୁଣି ପଚାରିଲା–“ନା ନାହିଁ ? ମୋତେ ଆସି ମହାରାଣୀମାନଙ୍କୁ ନିଦ ଭଙ୍ଗାଇ ଉଠାଇ ନେବାକୁ ପଡ଼ିବ ?”

 

“ଟିକେ ଏଇ ବାଟରେ ତମେ ଚାଲିଆସିବ ନାହିଁ... ?”

 

“ଆହାଃ ହା, କାହିଁକି ତମେ ଯିବ ନାହିଁ ଚାଲି... ?” ଥଟ୍ଟା କରି ବିକୃତ ସ୍ୱରରେ କହିଲା ବୁଲା ।

 

“ତମେ ନ ଆସିଲେ ନାହିଁ, ଆମେ ଯିବୁ ନାହିଁ ।” ଅନୀଲା କହିଲା ।

 

“ନ ଗଲେ ଏବେ ମୋରି କଣ୍ଟ୍ରାକ୍ଟ ଗୋଟାଏ ମାଡ଼ ଖାଇଯିବ ? ସେ ସୁନ୍ଦରପୁରରେ ତ ନ ହେଲେ ମୋତେ ଗୋଡ଼ ଟେକି ଅପେକ୍ଷା କରି ବସିଥିବେ ?”

 

“ନ ଗଲେ କ’ଣ ଫାଶୀ ଦେବେ ?”

 

“ତୋ ସାଙ୍ଗେ କିଏ ଏତେ ବକର ବକର ହବ ଭଲା ? ଫାଶୀ ନ ଦେଲେ ବି ମାଡ଼ ଦେବେ । … ହଉ ଏବେ, ମୁଁ ଆସିବି ।”

 

ବୁଲା ରାଜି ହୋଇଯିବାରୁ ସୁନୀଲା ମୁହଁରେ ପୁଣି ସେମିତି ଏକ ନୀରବ ହସ ଖେଳିଗଲା । ଅନୀଲା ବି ଖୁସି ହୋଇଗଲା । ମା’ ଏସବୁ କଥାବାର୍ତ୍ତା କିନ୍ତୁ ସେଇଠି ଠିଆ ହୋଇ ଶୁଣୁଥିଲେ । ହଠାତ୍ କହିଲେ, “ନାଇଁ ମ ପୁଅ, ତୁ ତୁଚ୍ଛାଟାରେ ଏତେ ସକାଳୁ କଷ୍ଟ କରି କାହିଁକି ପୁଣି ଏଠିକି ଆସିବୁ ଭଲା ? ଏମାନେ କ’ଣ ବସ୍‍ଷ୍ଟାଣ୍ଡ ପାଖକୁ ଏକା ଏକା ଯାଇପାରିବେ ନାହିଁ...-? ଅକାଳେ ସକାଳେ ପୁଣି ଯା’ ଆସ କରୁଛନ୍ତି ନା ? ନ ହେଲେ ଏବେ ସୁରେଶ ନେଇ ଛାଡ଼ିଦେଇ ଆସିବ ।”

 

“ତାର ସକାଳୁ ଯାହା ନିଦଟା ଭାଙ୍ଗିଯିବ ନା... ସିଏ ପୁଣି ଆମକୁ ନେଇଯିବ !” ସୁନୀଲା କହିଲା । ବୁଲା ଅନ୍ତତଃ ଏତିକି ଜାଣିପାରିଲା ଯେ, ସୁନୀଲା ଚାହୁଁଚି, ସେ ସକାଳୁ ଆସୁ ।

 

ବୁଲା ସୁନୀଲା ଆଡ଼େ ଚାହିଁ ଟିକେ ହସି ଦେଇ କହିଲା–“ନାହିଁ ମାଉସୀ, ମୁଁ ଆସି ନେଇଯିବି... କ’ଣ ଆଉ ଏମିତି କଷ୍ଟ ହବ, ଯେ, ରିକ୍‍ସାରେ ତ ଆସିବି ଯିବି ।”

 

“ହଉ, ତମ ଇଚ୍ଛା । କହି ମା ରୋଷେଇ ଘର ଆଡ଼କୁ ଯାଉ ଯାଉ ସୁନୀଲାକୁ ଲକ୍ଷ୍ୟ କରି ପଚାରିଲେ–ଚୁଲିରେ ନିଆଁ ଅଛି ନା ?”

 

“ହଁ, ଡାଲି ଆଟିକାଟା ବସେଇ ଦେଇଛି ମୁଁ–ତୁ ଡାଲି ଧୋଇ ପକେଇ ଦେ ।”

 

“ଆଉ ? ସବୁ ଖବର କ’ଣ ?”–ଟିକେ ଅନୁଚ୍ଚ ଗଳାରେ ପଚାରିଲା ବୁଲା ।

 

“କି ଖବର ?”

 

“ତମର ରଙ୍ଗ... ଆଉ ମଞ୍ଚ ?”

 

ଇଙ୍ଗିତ ବୁଝିଲା ସୁନୀଲା । ମୁହଁ ବୁଲେଇନେଇ କହିଲା–“ଏ ବୟସରେ ଆଉ କ’ଣ ରଙ୍ଗ ଥାଏ ବୁଲାଭାଇ ? କୋଉକାଳୁ ଧୋଇଗଲାଣି । ମଞ୍ଚଟା ରହିଯାଇଛି ଖାଲି.....”

 

“ଇଏ କୋଉ ଡ୍ରାମାର ଡାଇଲଗ୍ ?” ଥଟ୍ଟା କରି ପଚାରିଲା ବୁଲା ।

 

“ଜୀବନ–ଡ୍ରାମାର”–

 

“ବେଶ୍‍ ତ କଥା କହିଲୁଣି ଲୋ ତୁ । ଆଉ ତୋ ଶ୍ରୀନିବାସବାବୁ କେମିତି ଅଛନ୍ତି ?”

 

ଲାଜରେ ତଳକୁ ମୁହଁ ପୋତିବାକୁ ଇଚ୍ଛା ହେଉଥିଲେ ସୁଦ୍ଧା ସୁନୀଲା ଉପରକୁ ମୁହଁ ଟେକି ସିଧାସିଧା ବୁଲାଭାଇର ମୁହଁକୁ ଚାହିଁଲା ।

 

ନା, ଆଖିରେ ତାର ଲୁହ ନାହିଁ । ଲୁହ ରୋକିଦେଇ ହସ ହସ ମୁହଁରେ ଚାହିଁବାକୁ ଚେଷ୍ଟା କଲାବେଳର ଚାହାଁଣୀ–

 

ଅନୀଲା ଘର ଭିତରକୁ ପଶିଗଲା ପଠାତ୍ । ସୁନୀଲାର ଆଖିରେ କାଉଁରୀର ସମ୍ମୋହନ ନାହିଁ–ଅଛି ନିଛକ କରୁଣ ଆତ୍ମନିବେଦନ, ସକରୁଣ ଆବେଦନ ।

 

ଅନୁକମ୍ପା ଲୋଡ଼ା ତାର–

 

ବୁଲାଭାଇର ହସହସ ସରଳ ମୁହଁକୁ ସଳଖ ଭାବରେ ଅନାଇଁ ସୁନୀଲାର ମନ କୁଆଡ଼େ ପଛକୁ ପଛକୁ ଫେରିଯାଉଥିଲା–

 

ଅନ୍ଧକାରାଚ୍ଛନ୍ନ ଅତୀତକୁ.....

 

ବୁଲାଭାଇ ଜାଣେ, ସୁନୀଲା ଦିନେ ପାଗଳ ହୋଇଯାଇଥିଲା ଶ୍ରୀନିବାସ ବୋଲି ଜଣକ ପାଇଁ । ତା’ କଥା ପଡ଼ିଲେ ସୁନୀଲାର ଗଣ୍ଡରେ ଫଗୁ ବିଞ୍ଚି ହୋଇଯାଉଥିଲା । କଅଁଳିଆ ସକାଳ ସୂର୍ଯ୍ୟର ଲାଳିମା ବୋଳି ହୋଇଯାଉଥିଲା ତା’ ମୁହଁସାରା । ସେଇ ଶ୍ରୀନିବାସ ଥିଲା ସୁନୀଲାର ମଞ୍ଚ–ଜୀବନରେ ରାଜକୁମାର–ନିଜ ସ୍ୱପ୍ନରେ ବିଭୋର ଥାଇ ତାର ପିରବେଶ, ବନ୍ଧୁ–ବାନ୍ଧବ, ହିତାକାଙ୍‍କ୍ଷୀ, କାହାକୁ ଆଡ଼ ଆଖିରେ ବି ଚାହିଁବାକୁ ସମୟ ପାଉ ନ ଥିଲା ସୁନୀଲା....

 

ସେତେବେଳର ସୁନୀଲାର ଆଖି କୋରଡ଼ ଭିତରକୁ ପଶି ଯାଇ ନ ଥିଲା–ସୁନ୍ଦରୀ ଥିଲା ସେ....

 

ଶ୍ରୀନିବାସ ସୁନୀଲାଠାରୁ ବୟସରେ ସାମାନ୍ୟ ଛୋଟ ବି ହୋଇ ଥାଇପାରେ–ସୁନ୍ଦର ଚେହେରା–ଛନଛନିଆ ବୟସ–ଝିଅଙ୍କ ଆଗରେ ଦେଖାଇବା ପାଇଁ ପ୍ରଚୁର ପୌରୁଷବୋଧ–ବଡ଼ ବଡ଼ କଥା–ଆଦର୍ଶବାଦର ବୋଲି–ତା’ଛଡ଼ା ଧାର କରି ହେଉ ବା ନିଜର ହେଉ ତା’ର ଯେ ଯଥେଷ୍ଟ ପଇସା ଅଛି ତାର ସୂଚନା ଦେବା–

 

ଏସବୁ ଥିଲା ଶ୍ରୀନିବାସ ନାମକ ସେ ଯୁବକଟିର–ଯିଏ ବର୍ଷ ବର୍ଷ ଧରି ଅଭିନେତ୍ରୀ ସୁନୀଲାର ଦେହ, ମନ, ରୁପ, ସବୁକୁ ଆବୋରି ବସିଥିଲା ।

 

ବୁଲା ଏସବୁ ଦେଖିଚି, ଜାଣିଚି–ଜାଣିଚି ବୋଲି ସେ କେବେହେଲେ ୟା’ର ପ୍ରତିରୋଧ କରି ନଥିଲା । ପ୍ରତିରୋଧ କରିବାର ଶକ୍ତି କାହାରି ନ ଥାଏ । ସୁନୀଲା ହୁଏ ତ.....ହୁଏ ତ ନୁହେଁ, ନିଶ୍ଚିତ ଭାବରେ ଭୁଲ ବୁଝିଥାଆନ୍ତା ବୁଲାକୁ–

 

ବୁଲା ଲକ୍ଷ୍ୟ କରିଛି, ବର୍ଷକରୁ ଅର୍ଦ୍ଧାଧିକ ରାତିରେ ବିବାହ, ହାତିଗଣ୍ଠି, ମୁଣ୍ଡରେ ପେଣ୍ଟିଂ, ନାଲି ବହଳ ସିନ୍ଦୁର ବୋଳିବାର ଅଭିନୟ କରୁଥିଲେ ବି ସୁନୀଲା ବୋଧହୁଏ, ଛଳନା ଅଭିନୟକୁ ସେଇ ଥରକ ପାଇଁ ଜାଣିପାରି ନ ଥିଲା–ଚିହ୍ନିପାରି ନ ଥିଲା ।

 

ଅଭିନେତ୍ରୀ ହୋଇ ବି ଶ୍ରୀନିବାସର ଅଭିନୟ ବୁଝି ନ ପାରି ନିଜ ସୀମନ୍ତରେ ଜାଣିଶୁଣି କହଳ ସିନ୍ଦୁରର ରେଖା, କପୋଳରେ ସିନ୍ଦୁର ଟିପା ଦେଇ ନିଜକୁ ଭାଗ୍ୟବତୀ ମଣୁଥିଲା । ମୁଣ୍ଡରେ ପାଣି କାଚ କେଇପଟ ଲଗାଇଦେଇ ଶ୍ରୀନିବାସର ମଙ୍ଗଳ କାମନା କରୁଥିଲା ।

 

ମଞ୍ଚ ଉପରେ ଅଭିନୟ କରିସାରି ମଞ୍ଚ ବାହାରେ ସମସ୍ତଙ୍କ ଅଲକ୍ଷ୍ୟରେ, ନିଜର ଅଗୋଚରରେ ଯେ ସେ ଅଭିନୟ ଆରମ୍ଭ କରିଦେଇଛି, ବୁଦ୍ଧିମତୀ ହେଲେ ବି ସୁନୀଲା । ସେଇଟା ବୁଝିପାରୁ ନଥିଲା ।

 

କେହି ବୁଝିପାରନ୍ତି ନାହିଁ…..

 

ସେତେବେଳେ ବି ବୁଲା ହସିଥିଲା । ବୁଲାର କେହି ନାହାନ୍ତି ନିଜର–ସମସ୍ତେ ତାର ପର ବୋଲି ବୋଧହୁଏ ସମସ୍ତଙ୍କୁ ସେ ଆପଣାର କରିପାରିଛି ।

 

ଜୀବନର ପରିସର ତାର ଅତି ସୀମିତ । ତାର ରୋଗଶଯ୍ୟାରେ ବ୍ୟଥାତୁର କୌଣସି କୋମଳ ହାତ କପାଳରେ ଘୂରି ବୁଲେନା–

 

ଅଦର୍ଶନରେ କାହାରି ହୃଦୟରେ ଚଞ୍ଚଳତା ହୁଏ ତ ପ୍ରକାଶ ପାଏନା–କୌଣସି ଜୀବନ, ତା’ର ପ୍ରତୀକ୍ଷାର ବେଦନାବିଧୁର ହୋଇଉଠେ ନା ସତ୍ୟ.....

 

ମାତ୍ର ସେଇ ସୀମିତ ଜୀବନପରିସର ଭିତରେ ବୁଲା ଦେଖିଛି ଅନେକ, ଶୁଣିଚି ଢେର–ପାଇଛି ପ୍ରଚୁର ଅଭିଜ୍ଞତା–ଜୀବନ ବିଷୟରେ ଜ୍ଞାନ—ମଣିଷର ଘଡ଼ିକି ଘଡ଼ି ବଦଳୁଥିବା ଭଳିକି ଭଳି ରୂପ ବୁଲା ବୋଧହୁଏ ସବୁଠାରୁ ଭଲ କରି ଦେଖିଥିଲା, ଚିହ୍ନିଥିଲା, ଜାଣିଥିଲା–

 

ପାଣି ଭିତରେ ଫୋପାଡ଼ିଦେଲେ ଉବେଇଟୁବେଇ ହୋଇ ବଞ୍ଚିବାର ଚେଷ୍ଟାରେ ପିଲା ପହଁରିବାକୁ ଶିଖିଯାଏ–ଜମାଟବନ୍ଧା ଅନ୍ଧାର ଘର ଭିତରେ ଆବଦ୍ଧ ହୋଇ ରହିବା ପାଇଁ ବାଧ୍ୟ ହେଲେ ମଣିଷ ମନରୁ ଅନ୍ଧାରର ବିଭୀଷିକାର ଭୟ କଟିଯାଏ–ମରଣର ଭୟରେ, ବିଞ୍ଚିବାର ଦୁର୍ବାର, ଅଲଙ୍ଘନୀୟ ମୋହରେ ମଣିଷର ଭୟ, ଅବସାଦ, ଭ୍ରାନ୍ତି ଦୂର ହୋଇଯାଏ–

 

ଦୁନିଆ ଭିତରକୁ ଫିଙ୍ଗି ହୋଇ ବୁଲା କଳନା କରି ଶିଖିଛି, ଦୁନିଆର ଗଭୀରତା–ମଣିଷ ଭିତରର କଳା ଅନ୍ଧାରକୁ ସେ ଭୟ କରି ଶିଖି ନାହିଁ ।

 

ସମସ୍ତଙ୍କୁ ପର କରି ସେ ଅତି ଆପଣାର କରିଛି....ପୁଣି ପ୍ରତ୍ୟେକଙ୍କୁ ଆପଣାର କରି ନିଜେ କାହାରି ହୋଇପାରି ନାହିଁ–

 

ଜୀବନ, ତା’ ପାଖରେ ନିଛକ ଜୀବନ ଛଡ଼ା ଆଉ କିଛି ନୁହେଁ–ବହୁ ରଙ୍ଗର ସମାରୋହ ନୁହେଁ–ଭିନ୍ନ ଭିନ୍ନ ଭାବରେ ବହୁ ରଙ୍ଗକୁ ଜାଣିବା ପାଇଁ ଜୀବନ ଏକ ଅଧ୍ୟୟନ ।

 

ଏସବୁ କିଛି ଜାଣେନା ସିଏ–ବଞ୍ଚିବାକୁ ବଞ୍ଚନା ବୋଲି ଧରିନିଏନା ସେ, ଅବା ମଣିଷକୁ କୁଟାକାଠିର ଖେଳନା ବୋଲି କହେନା ।

 

ସେଇଥିପାଇଁ, ଆଜିଠାରୁ ଅନେକଦିନ ତଳେ, ବୋଧହୁଏ ସୁନୀଲା ଶ୍ରୀନିବାସର କାହାଣୀ ଶୁଣି, ତାକୁ ଭଲ ଲାଗିଥିଲା । ମା’ ମରା ପିଲା ଅନ୍ୟର ମାତୃସ୍ନେହ ଦେଖିଲେ ଦୁଃଖମିଶା ଆନନ୍ଦ ଭିତରେ ବୁଡ଼ିଗଲା ଭଳି ଲାଗିଥିଲା ତାକୁ–

 

ସୁନୀଲା, ଅନୀଲାଙ୍କୁ ଭଲପାଏ ସେ–ଆଉ ଅନେକ ଲୋକଙ୍କୁ ଭଲ ପାଇଲା ଭଳି । ସେଥିପାଇଁ ହୁଏତ ନିଜର ଅଜାଣତରେ ସେ ଶ୍ରୀନିବାସକୁ ଚିହ୍ନିବାକୁ ଚେଷ୍ଟା କରିଥିଲା । ହତାଶ ହୋଇଥିଲା–ଶ୍ରୀନିବାସ ଫୁଲର ପୋକଟିଏ.....ଫୁଲକୁ ଆଦର କଲା ଭଳି ମଣିଷ ନୁହେଁ ସେ ।

 

ଅନେକ ସମୟରେ ସେ ଦେଖେ, ସୁନୀଲା ଆଉ ଶ୍ରୀନିବାସ ଗୁରି ବୁଲୁଛନ୍ତି ଚିତ୍ରିତ ପ୍ରଜାପତି ପରି–ଖଟକା ଲାଗେ ।

ଘରେ, ବାହାରେ, ମଞ୍ଚରେ, ସହର ବାହାରେ ଲଜ୍ଜାର ସୀମା ଲଙ୍ଘନ କରି ସୁନୀଲା ଶ୍ରୀନିବାସ ସହିତ ଏକାନ୍ତ ହେବାର ପ୍ରଚେଷ୍ଟା କରେ–ଅନ୍ତତଃ ତାହା ହିଁ ଦେଖାଇହୁଏ–

 

ରକ୍ଷା କରିବାର ଇଚ୍ଛା ନ ଥିଲେ ମଧ୍ୟ ବୁଲାର ସୁନୀଲା ପ୍ରତି ମମତା ତାକୁ ଏଇ ସର୍ବଗ୍ରାସୀ ଇଚ୍ଛାର ଦାଉରୁ ବହୁବାର ରକ୍ଷା କରିଛି–ଅକସ୍ମାତ୍ ଦିନେ ବୁଲା ସୁନୀଲାକୁ ଏକାନ୍ତରେ କହିବାକୁ ବସିଥିଲା ଶ୍ରୀନିବାସର ଅସଲ ରୂପର କଥା–ଆଉ ତାର ପ୍ରତି ଉତ୍ତରରେ ଯେଉଁ ଅପମାନ ସେ ପାଇଥିଲା, ଆଉ କେହି ହୋଇଥିଲେ ହୁଏତ ଜୀବନରେ କେବେ ଦେଖା ଦେଇ ନ ଥାନ୍ତା ସୁନୀଲାକୁ–

 

ବୁଲା ହସି ହସି ସହିଥିଲା ସବୁ–ଆତ୍ମାଭିମାନ ତାର ନାହିଁ । ଅପମାନ ତେଣୁ ତାର ଅଭିଧାନର ଶବ୍ଦ ନୁହେଁ ।

 

ଈର୍ଷାରେ କୁଆଡ଼େ ଜଳିପୋଡ଼ି ମରି ଶ୍ରୀନିବାସର କୁତ୍ସାରଟନା ସେ କରୁଛି ବୋଲି ସୁନୀଲା କହିଥିଲା ତାକୁ । ମୁହଁ ଛିଞ୍ଚାଡ଼ି, ମୁହଁକୁ ନ ଚାହିଁ, ସୁନୀଲା କହିଥିଲା ସେଦିନ–ମୋର ଦେହ ପାଇଁ ତମର ଅସମ୍ଭବ ଲାଳସା, ଆଉ ସେଇଥିପାଇଁ ଶ୍ରୀନିବାସ ସହିତ ମୋ ମିଳାମିଶାକୁ ତମେ ଦି’ ଆଖିରେ ଦେଖିପାରୁନ–ଚେତାଇ ଦେଇଥିଲା–ଆଉ କେବେ ଏମିତି କଥା କହିବ ନାହିଁ ।

 

ଏସବୁ ଅତୀତର କଥା । ସବୁ ମନେପଡ଼ିଲେ ଭାରି ହସ ମାଡ଼େ । ବୁଲାର କିନ୍ତୁ ବେଳ କାହିଁ ଏଇସବୁ ପଛ କଥାଗୁଡ଼ାକ ଆଉଡ଼େଇବାକୁ ?

 

ବୁଲା କାନ୍ଦି ଜାଣେନା–ସେ କେବେ କାନ୍ଦିଛି, ମନଦୁଃଖ କରିଛି, ହୋ ହୋ ହସି କହିଥିଲା–ମୁଁ ଥଟ୍ଟାରେ କହିଲି ବୋଲି ।

 

ନୀରବରେ ଚାବୁକମାଡ଼ ହଜମ କରି ବାହାରି ଆସିଥିଲା ସେଠାରୁ–

 

ପରିଚୟ ହୀନ, ଅଜ୍ଞାତକୁଶୀଳ, ଘରଦୁଆର ନ ଥିବା ବୁଲାକୁ, ସୁନୀଲା ହେୟ ଜ୍ଞାନ କରୁଥିଲା । ଗୋଟିଏ ବୁଲା କୁକୁର ।

 

ଆଉ ଶ୍ରୀନିବାସ ?

 

ସୁନୀଲାର ଛାତି ଫୁଲି ଉଠୁଥିଲା......ମୁହଁରେ ଖୁସି ଉବୁକି ଉଠୁଥିଲା ତା’ କଥା ପଡ଼ିଲେ–

 

ଆଜି ସକାଳୁ, ତଳକୁ ମୁହଁ ନ ପୋତି, ଲାଜ ନ କରି ଆଖିରେ କ୍ଷମା ମାଗିନେଇ, ଶ୍ରୀନିବାସ କଥା ଏଡ଼ାଇ ଯାଉଥିବା ଏଇ ସୁନୀଲାର ନିଷ୍ପାପ କରୁଣ ମୁହଁ ଦେଖି ବୁଲାର ମନେପଡ଼ୁଥିଲା ଆଉ ଏକ ସନ୍ଧ୍ୟାର କଥା—ସନ୍ଧ୍ୟା ନୁହେଁ ରାତି–

 

ବର୍ଷଣମୁଖର ସେ ଭୟଙ୍କର ରାତିରେ, ଝର ଝର ହୋଇ ବର୍ଷା ସତେ କି ବାହୁନି ବାହୁନି କାନ୍ଦୁଥିଲା–ଗୁମୁରି ଉଠୁଥିଲା ତାର କରୁଣ ବାହୁନା ସୁର ।

 

ହାତରେ ମୁହଁ ଚାପି, କଇଁ, କଇଁ ହୋଇ କୋହ ଉଠାଇ, ଥରି ଥରି କାନ୍ଦୁଥିଲା ସୁନୀଲା–ବାହାରେ ଝର ଝର ବର୍ଷାର ଧାର ସତେ କି ହାର ମାନିଥିଲା ଦିଓଟି ନିଷ୍ପ୍ରଭ ଆଖିର ଲୁହକୁ–

 

ସେ ଅନ୍ଧକାର କୋଠରୀରେ, ସହରଠାରୁ ଅନେକ ଦୂରରେ, ନିଃସହାୟା ସୁନୀଲା ପାଖରେ କେବଳ ବୁଲା ହିଁ ଥିଲା । ସେଦିନ ରାତିରେ....

 

ସୁନୀଲା କାନ୍ଦି ଚାଲିଥିଲା...

 

ବିଜୁଳିର କ୍ଷଣିକ ଆଲୋକରେ ବୁଲା ଦେଖିଥିଲା, ସୁନୀଲାର ସେ ତେଜ କୁଆଡ଼େ ହଜିଗଲାଣି..... ମଉଳିଗଲାଣି....

 

କାନ୍ଦିକାନ୍ଦି ଲୋଟିପଡ଼ିଥିବା, ସୁନୀଲାର ଫୁଲି ଫୁଲି ଉଠୁଥିବା ଝାଳଭିଜା ପିଠି, ଗହଳ ଓଦା କେଶରାଶିକୁ ଆଉଁଷି ଦେଉ ଦେଉ ଅଜ୍ଞାତଗୋତ୍ର ବୁଲା ଭାବୁଥିଲା, ସତେ କେତେ ଅସହାୟ ଏ ମଣିଷ !

 

ବୁଲା ବି ନିଜ ଆଖିରୁ ଲୁହ ଝରାଉଥିଲା ।

 

ସୁନୀଲାର ଆଶଙ୍କା, ଭୟ ସବୁ ପଣ୍ଡ କରି ପଦେ ହେଲେ ବିଗତ କଥା କହି ନ ଥିଲା ବୁଲା–

 

ଦୁର୍ଯୋଗର ସେ ରାତିରେ, ସୁନୀଲାର ଅସହାୟତା ଛଡ଼ା ବୁଲାର ଆଉ କିଛି ବା ଆଉ କେହି ମନେ ନ ଥିଲେ–ଏପରି କି ଯାହା ପାଇଁ ସୁନୀଲା ଅସହାୟା, ସେ ଶ୍ରୀନିବାସଟିର କଥା ମଧ୍ୟ ତା’ର ମନେ ଥିଲା–ନା, ଶ୍ରୀନିବାସ ପାଇଁ ନୁହେଁ–ବ୍ୟର୍ଥ ପ୍ରଣୟ ପାଇଁ ମଧ୍ୟ ନୁହେଁ....ଅବା ନୂଆ ନୂଆ ଧୋକା ଖାଇଥିବା ଯୋଗୁଁ ହତାଶା ପାଇଁ ମଧ୍ୟ ନୁହେଁ....ସୁନୀଲା କାନ୍ଦୁଥିଲା କେବଳ ତା ନିଜ ପାଇଁ......ଝିଅ ସୁନୀଲା–ନାରୀ ସୁନୀଲା ଗୁମୁରି ଗୁମୁରି କାନ୍ଦୁଥିଲା ତା’ ନିଜପାଇଁ–ତା’ର ଆତ୍ମାଭିମାନ ପାଇଁ–

 

ସହରଠାରୁ ଅନେକ ଦୂରକୁ, ଏକାକୀ ଏ ନିର୍ଜ୍ଜନ ଡାକବଙ୍ଗଳା ଭିତରକୁ ଶ୍ରୀନିବାସ ଅଭିନୟ କରି ବୁଲାଇ ନେଇ ଆସିଥିଲା ଅଭିନେତ୍ରୀ ସୁନୀଲାକୁ ।

 

ତା’ପରେ ଯାହା ସଚରାଚର ହୁଏ– । ଦେଖା ମିଳି ନ ଥିଲା ଆଉ ତା’ର–

 

ଦିନକ ପରେ, ଅତି ଆକସ୍ମିକ ଭାବରେ ବୁଲାଭାଇ ପହଞ୍ଚିଲା ସେଇଠି–

 

ଉପହାସ କରିବା ପାଇଁ ନୁହେଁ....ସାହାଯ୍ୟ କରିବା ପାଇଁ–

 

ଆଉ ତା’ପରେ ଏଇ କାନ୍ଦର ବନ୍ୟା । ସେଇ ବର୍ଷଣମୁଖର ଅନ୍ଧାର ରାତିରେ, ସୁନୀଲାର ଲୁହ ରୋକିବାପାଇଁ, ତା’ ପିଠିରେ କପାଳରେ ଗଣ୍ଡରେ ହାତ ବୁଲାଇ ଦେଉ ଦେଉ ବୁଲା ମଧ୍ୟ କାନ୍ଦିଥିଲା–

 

.....ନିଜ ଅଜାଣତରେ, ଆକସ୍ମିକ ଭାବରେ, ଅକାରଣରେ.....ଲୁହକୁ ରୋକିବାର ସମସ୍ତ ଚେଷ୍ଟା ସତ୍ତ୍ୱେ ବି ଓଠ ଚାପି ଚାପି ଥରିଉଠିଲା ବୁଲା–ସେ କାନ୍ଦୁଥିଲା ।

 

ପର ମୁହୂର୍ତ୍ତରେ ଦୁହେଁ କାନ୍ଦୁଥିଲେ...... । ସୁନୀଲା ବି ସେଇ କଥା ଭାବୁଥିଲା ହୁଏତ, ବୁଲାଭାଇର ମୁହଁକୁ ଚାହିଁ ଚାହିଁ–

 

ଦିନ ହଜିବା ସାଙ୍ଗେ ସାଙ୍ଗେ ଶ୍ରୀନିବାସ ବି କୁଆଡ଼େ ହଜିଯାଇଚି, ଏଇ ସହରରେ ଦେଖା ହେଲେ ବେଳେ ଅବେଳେ ମୁହଁ ବୁଲାଇ ନ ଚିହ୍ନିଲା ପରି ଚାଲିଯାଏ ।

 

ସୁନୀଲା ଶୁଣିଥିଲା, ବୁଲା ନାଁରେ ସେ କାହାଣୀ କୁଆଡ଼େ ଆରୋପ କରି କହିଥିଲା ଶ୍ରୀନିବାସ–ଥରଟି ପାଇଁ ବି ଭୁଲରେ ସୁଦ୍ଧା ବୁଲା ସେ କାଳିମାମୟ ରାତିର ଇତିହାସ କଥା, କେବେ କେଉଁଠି କହି ନାହିଁ–ଦିନେ ହେଲେ ଉଠାଇ ନାହିଁ ସୁନୀଲା ଆଗରେ.....

 

ଭୟଙ୍କର ଏକ ଦୁଃସ୍ୱପ୍ନ ଦେଖି ଭୟରେ ପାଖରେ ଶୋଇଥିବା ନିଜର ଲୋକକୁ ଜାବୁଡ଼ି ଧରି, ଚିତ୍କାର କରିଉଠିଲା ଭଳି ନିର୍ଜନ ନିଶୂନ୍ ଏକାଟିଆ ସେ ଡାକବଙ୍ଗଳାଟାରେ, ଭୟରେ, ଦୁଃଖରେ, ବେଦନାରେ ଭାରାକ୍ରାନ୍ତ ଦେହ ମନ ନେଇ କିଛି ବିଚାର ନ କରି, କାନ୍ଦିକାନ୍ଦି ବୁଲାଭାଇ କୋଳରେ ଲୋଟି ପଡ଼ିଥିଲା ସୁନୀଲା–ଅଭୟ ଚାହିଁଥିଲା–

 

ଛୋଟ, ଅବୋଧ ଶିଶୁକୁ ବୁଝେଇ ସୁଝେଇ ତୁନି କରାଭଳି ବାଲାଭାଇ ତାକୁ ଆଉଁଷିଦେଇ, ପିଠି ଥାପୁଡ଼େଇ କେତେ କଥା ବୁଝାଇଥିଲା ସେଦିନ–

 

ସାରା ରାତି ଦିନିଦ୍ର ରହି ସୁନୀଲା କାନ୍ଦିଥିଲା....ଆଉ ସେମିତି ଚେଇଁ ଚେଇଁ ବସିରହି ବୁଲାଭାଇ ତା’ପିଠି ଥାପୁଡ଼େଇ ଦେଇଥିଲା ।

 

ଗୋଟିଏ ଥର ବି ସେକଥା କହି ଗର୍ବ ନେବା ପାଇଁ, ପୌରୁଷବୋଧ ଦେଖାଇବା ପାଇଁ ଚେଷ୍ଟା କରି ନାହିଁ ବୁଲା–

 

ଆଉ କେହି ସେଠି ନ ଥିଲେ.....ଏକାକୀ, ନିର୍ଜନ ସେ ଡାକବଙ୍ଗଳାରେ ଥିଲେ ସୁନୀଲା ଓ ବୁଲା । ଜଗୁଆଳୀ କେତେବେଳୁ କୁଆଡ଼େ ଯାଇଥିଲା–ପାଖ ଗାଁରେ ସମ୍ଭବତଃ ତା’ ଘର ।

 

ନାଃ, ବୁଲାଭାଇର ମନ କଳୁଷିତ ନୁହେଁ, ବର୍ଷା ଝିପିଝିପି ସେ କଳା ଅନ୍ଧାର ରାତିରେ ଜଗୁଆଳୀ ଆଉ ଫେରି ନଥିଲା–ଆଖପାଖରେ କେହି କୁଆଡ଼େ ନଥିଲେ.......ଝିଙ୍କାରୀର ଝିଁ ଝିଁ ରାବ, ବେଙ୍ଗର କେଁକଟର ଡାକ, ଝଡ଼ା ଝମ ବାରିପାତର ଅନବରତ ଧାରାବାହିକ ସ୍ୱର ସହିତ ମିଶି ଯାଉଥିଲା ସୁନୀଲାର ସ୍ୱର–

ଏକାଟିଆ ସେମାନେ ଥିଲେ......ଗୋଟିଏ ତରୁଣ ଓ ଗୋଟିଏ ତରୁଣୀ । ଲାଗିଲାଗି ରହିଥିଲା ଦୁଇଟି ଉଷୁମ ଦେହ–ବାହାରେ ବହୁଥିଲା ଶିରିଶିରି ହୋଇ କାଲୁହା ପବନ–ଆଲୁଅ ନ ଥିଲା–ସନ୍ଦେହ କରିବାକୁ କେହି ବୋଲି କେହି ନ ଥିଲେ....

କାହିଁ ? ଏତେଟିକେ ଦୁର୍ବଳତା ତ ସେ ଦେଖାଇ ନଥିଲା ସେଦିନ ? ଅଥଚ ତା’ନାଁରେ କେତେ କୁତ୍ସା ନ ଶୁଣିଛି ସୁନୀଲା ? ସହରସାରା ତାକୁ ରୀତିମତ ଲମ୍ପଟ, ବଜାରୀ, ଛତରା ବୋଲି ଘୃଣା କରନ୍ତି–ଡରନ୍ତି ଝିଅମାନେ.....

ଲୋଭନୀୟ ସମସ୍ତ ବସ୍ତୁ ନିକଟରେ ଥାଇ ସୁଦ୍ଧା ଯେ ପ୍ରଲୋଭନକୁ ଏଡ଼ାଇପାରେ, ସେ କୁଆଡ଼େ ଜିତେନ୍ଦ୍ରିୟ !

ସେଇ ବିଭୀଷିକାମୟ, ଭୟଙ୍କର କାହାଣୀର ଜୀବ ବୁଲାଭାଇ କିନ୍ତୁ ମେଣ୍ଢାଟି ଭଳି ଶାନ୍ତ ହୋଇ ତାକୁ ସାନ୍ତ୍ୱନା ଦେଉଥିଲା ।

ଜୀବନର ସେ ଅପମୁହୂର୍ତ୍ତରେ ସେ ବିଚିତ୍ର ପରିବେଶ ଭିତରେ, ସେଇ ନିରବଚ୍ଛିନ୍ନ କାନ୍ଦଣାର ସୁଅ ଭିତରେ ମଧ୍ୟ ସୁନୀଲାର ମନ କାହିଁକି କେଜାଣି ବୁଲାଭାଇ ପାଇଁ କ୍ରମଶଃ ଦୁର୍ବଳ ହୋଇ ଉଠୁଥିଲା.....

 

ଯାହା ମାଗିଥାଆନ୍ତା, ତା’ ବୁଲାଭାଇକୁ ଦେବାପାଇଁ କୁଣ୍ଠାବୋଧ କରି ନ ଥାନ୍ତା ସୁନୀଲା–ହୁଏତ ଖୁସି ହୋଇଥାନ୍ତା–

 

କିଛି କିନ୍ତୁ ଚାହିଁ ନାହିଁ ସେ ।

 

ନୀଳକଣ୍ଠ ଭଳି ଆକଣ୍ଠ ପାନ କରିଛି କୁତ୍ସିତ କୁତ୍ସାର ବିଷ । ନିରର୍ଥକ ଭାବରେ ତା’ର ବଦନାମ ବହିଟିକୁ ଆହୁରି ପରିପୁଷ୍ଟ କରିଛି ! କିନ୍ତୁ କେବହେଲେ ଥଟ୍ଟାକରି ସୁଦ୍ଧା ପଦେହେଲେ କହି ନାହିଁ ସୁନୀଲାକୁ–

 

ସୁନୀଲା ଆଉ ବୁଲା ଏଇ ଦୁଇ ଜଣଙ୍କ ଛଡ଼ା ଆଉ ସମସ୍ତେ ଏ ଘରର ଶୁଣିଛନ୍ତି ତାଙ୍କର କଳଙ୍କର କାହାଣୀ । ବାହାରେ ସମସ୍ତେ ଜାଣିଛନ୍ତି । କିଏ ବିଶ୍ୱାସ କରିଛି–କିଏ ଅବା ବିଶ୍ୱାସ କରି ନାହାନ୍ତି ।

 

ଅନୀଲା ତ ତା’ ପରଦିନ ପଚାରିଥିଲା “ସତେ ଅପା, ବୁଲାଭାଇକୁ ତୁ ଭଲ ପାଉ ତ ଆଗରୁ କାହିଁକି କହୁ ନ ଥିଲୁ ?”

 

ୟା’ଠାରୁ ବଡ଼ ସତ୍ୟ ବୋଧହୁଏ ସୁନୀଲା ଆଉ କିଛି କହିପାରି ନ ଥାନ୍ତା । ଏଇ ପଦକ କହିସାରି ସୁନୀଲା ନିଜକୁ ନିଜେ ମଧ୍ୟ ଆବିଷ୍କାର କରିଥିଲା !

 

କ’ଣ ବୁଝିଲା କେଜାଣି, ଅନୀଲା କିଛି ସମୟ ପର୍ଯ୍ୟନ୍ତ ଚାହିଁ ରହିଥିଲା ଅପା ମୁହଁକୁ ତା’ର । କିନ୍ତୁ କିଛି କହି ନ ଥିଲା । ଅତି କରୁଣ ଭାବରେ ଚୁପ୍ ହୋଇ ରହିଥିଲା ।

 

ଏତେ ଭାବନା ପୁଣି ଏମିତି ଦଣ୍ଡକରେ ଭାବିହୁଏ ? ଛବି ଭଳି ଗୋଟାକ ପେର ଗୋଟାଏ ଘଟନା ଆଖିଆଗରେ ଭାସି ଚାଲିଯାଏ ।

 

ସକାଳଟା ଏଥିଭିତରେ କେତେବେଳେ ଦିନ ହୋଇଗଲାଣି !

 

ବୁଲା ଚାହିଁରହିଥିଲା ସୁନୀଲାର ମୁହଁକୁ । ମନେ ମନେ ସେ କ୍ଷମା ମାଗିନେଉଥିଲା ତା’ଠାରୁ । ଜୀବନରେ ଯେଉଁ ଅଧ୍ୟାୟଟିରେ ପୂର୍ଣ୍ଣଚ୍ଛେଦ ପକାଇ ଭୁଲିଯିବାକୁ ଚେଷ୍ଟା କରିଚି ସୁନୀଲା, ନିଜ ଅଜାଣତରେ ସେଇ କଥାଟିକୁ ଚିଆଁଇ ଦେଇଥିବାରୁ ନିଜେ ନିଜେ ଦୁଃଖ ଅନୁଭବ କରୁଥିଲା ବୁଲା । ପୁଣି ନିଜ ପାଇଁ ନିଜେ ସେ ଆଶ୍ଚର୍ଯ୍ୟାନ୍ୱିତ ହେଲା ।

 

ମନ ଭିତରେ କୋଉଠି ଗୋଟାଏ ଗୋଟାଏ କଥା ଲୁଚିଛପି ରହିଥାଏ କେଜାଣି ? ଉପରକୁ ନ ଦେଖାଗଲେ ମଧ୍ୟ ବେଳେ ବେଳେ ଉଁକିମାରି ଉପରମନକୁ ଟପି ବାହାରିଆସେ ସେଇ କଥାଟା–ପୁଣି ନିଜକୁ ତଟସ୍ଥ କରି !

 

ସେମିତି ଠିକ୍ ବୁଲା ମନର କୋଉ କୋଣରେ ଏଇ ଶ୍ରୀନିବାସ ପାଇଁ ବୋଧହୁଏ ଆଶ୍ରୟ ନେଇଥିଲା ଏତଟିକେ ଈର୍ଷା–ପୁଣି ଘୃଣା । ସେଇଟା ସୁନୀଲା ପାଇଁ ପଦେ ଟିହାଇବା ହୋଇ ବାହାରି ଆସିଲା–

 

ନିଜ କଥାର ମୋଡ଼ ଘୂରାଇ ଏ ବିଳମ୍ବିତ ନୀରବତାକୁ ଭାଙ୍ଗିବାକୁ ଆଉ କିଛି ଗୋଟାଏ କଥା ଆରମ୍ଭ କରିବାକୁ ବୁଲା ଛଟପଟ ହେଉଥିଲା । ସୁନୀଲା ଆଉ ବୁଲା ମୁହଁକୁ ଚାହିଁପାରୁ ନାହିଁ–ଷୋଡ଼ଶୀଟିଏ ଭଳି ଥରକୁ ଥର ଉପରକୁ ଚାହିଁବାକୁ ଚେଷ୍ଟାକରି ଲାଜରେ ମଥା ନତ କରୁଛି ସେ–କିଛି କଥା କହିପାରୁନି–

 

ଅନୀଲା କୁଆଡ଼େ ଗଲା କେଜାଣି ? ଘର ଭିତରେ କୋଉଠି ବୋଧହୁଏ ଚୁପ୍ ହୋଇ ବସିଛି । ସୁରେଶ ଏପର୍ଯ୍ୟନ୍ତ ଆସି ନାହିଁ ତା’ର ନିତ୍ୟକର୍ମ ସାରି । ମା’ ରୋଷେଇ ଘରେ–ଦୁଇଟା ଚୁଲି ଲଗାଇ ରନ୍ଧାବଢ଼ା ଆରମ୍ଭ କରି ଦେଇଛନ୍ତି । ବୁଲା ନ ଥିଲେ ସୁନୀଲାକୁ ଡାକି ପକାନ୍ତେଣି ସେ-। କିନ୍ତୁ କାହିଁକି କେଜାଣି, ଏ ଘରଛଡ଼ା ବାରବୁଲା ଲୋକଟି ଉପରେ ତାଙ୍କର ଅଗାଧ ସ୍ନେହ, ଅସୀମ ସହାନୁଭୂତି ଅଛି । ସୁନୀଲା ଜାଣେ, ଦୁନିଆଯାକର ଆଉ ଯାହାକୁ ଦେଖୁ, ମା’ ଖିଟ୍ ଖିଟ୍ ଲଗାଏ-। ଇଆଡ଼େ ସିଆଡ଼େ କାମ ବରାଦ କରି ପଠାଇଦିଏ । ସବୁବେଳେ ଚାହୁଁଥାଏ କେମିତି ଏ ଅବାଞ୍ଛିତ ଆଳାପ ଆଲୋଚନା ବନ୍ଦ ହେଉ । କିନ୍ତୁ ବୁଲା ସେମାନଙ୍କ ତୁଳନାରେ ଅଶିକ୍ଷିତ, ଅମାର୍ଜିତ ହେଲେ ବି ତା’ ପାଇଁ ମା’ର ଆଇନ ଓଲଟା । ଘଣ୍ଟା ଘଣ୍ଟା ଧରି ବୁଲାକୁ ଅଟକାଇ ରଖିବାକୁ ଚାହେଁ ସେ-

 

ସୁନୀଲା ତା’ ସହିତ କଥାବାର୍ତ୍ତା କଲେ ବିରକ୍ତ ହୁଏନା–ବରଂ ଖୁସି ହୁଏ ।

 

ଏ ସର୍ବହରା ଲୋକଟା ପ୍ରତି ତା’ର ଗୋଟାଏ ମମତା ଆସିଯାଇଛି । ଭାରି ଭଲପାଏ ସେ ତାକୁ । ଆଉ ଟିକେ ଆଗରୁ ହାଫପ୍ୟାଣ୍ଟ, ହାତକଟା ଗଞ୍ଜି, ଉପରେ ତା’ର ପତଳା ଅଦି କନାର ଗୋଟାଏ ଅଧାହାତ ହାୱାଇନ୍ ପିନ୍ଧି, ହାୱାଇ ଚଟି ଫଟ୍ ଫଟ୍ କରି ବାପା କୁଆଡ଼େ ବାହାରିଗଲେ ।

 

ଗଲାବେଳେ ଟିକେ ବଙ୍କେଇ ଚାହିଁଦେଇ ଏଇ ଆଡ଼କୁ । ବେଶ୍ ଅର୍ଥପୂର୍ଣ୍ଣ ତାଙ୍କର ଏ ଚାହାଁଣୀ । ସେ ସହିପାରନ୍ତି ନାହିଁ ବୁଲାର ଏ ମିଳାମିଶାକୁ ।

 

ସମ୍ଭବତଃ ବଜାର ଆଡ଼େ ଗଲେ ସେ । ପକେଟରେ ଝୁଲାମୁଣି ନେଇଯାଇଥିବେ ।

 

ଏ ବୟସରେ ବି ଶସ୍ତା ଏସେନ୍‍ସର ଭୁରୁ ଭୁରୁ ଗନ୍ଧ ଭାସି ଆସୁଛି ତାଙ୍କ ଯିବା ରାସ୍ତାରୁ-

 

କାଉଟାଏ କା’ କା’ ରାବି ପିଢ଼ା ଉପରେ ବସିଗଲା । ସେଇଠି ବସି ସେମିତି ରାବିବାକୁ ଲାଗିଲା । ଟିକେ ପରେ ଆଉ ଗୋଟାଏ କାଉ ଆସି ତା’ ସିହିତ ଯୋଗ ଦେଲା ।

 

ବୁଲା ହାତ ହଲେଇ ତାଙ୍କୁ ହୁରୁଡ଼େଇବାରେ ଲାଗିଗଲା । ଅନ୍ତତଃ ଏ ଅସ୍ୱସ୍ତିକର ପରିବେଶରୁ ତ ମୁକ୍ତି ମିଳିବ !

 

ସ୍ଥିର ଛଳଛଳ ଆଖିରେ ସୁନୀଲା ଚାହିଁ ରହିଥିଲା ବୁଲା ଆଡ଼କୁ । ଆଖିର ଭାଷା ତା’ର କହୁଥିଲା, ‘ତମେ ବି ବୁଲାଭାଇ, ମୋତେ ବେଳ ଉଣ୍ଡି ଏତେ ଦିନେ ଥଟ୍ଟା କଲ ? ’ ଅଥଚ ବୁଲାର ଥଟ୍ଟା କରି ଉଡ଼ାଇ ଦେବା କଥା, ତା’ର ଆତ୍ମଦୈନ୍ୟ, ସକରୁଣ ଆବେଦନ ବୁଲାକୁ ବିବ୍ରତ କଲା ।

 

ବହୁ ସମୟ ତୁନି ରହିବା ପରେ ସେ ନିଜ ଆଡ଼ୁ ଆରମ୍ଭ କଲା–

 

“ସୁନ୍ଦରପୁରରେ କି ଡ୍ରାମା ହେଉଚି ?”

 

“ଆମ ଗାଁ ମାଟି ।”

 

“କୋଉ ତାରିଖରେ ?”

 

“ଆଜି କେତେ ତାରିଖ, ଚବିଶ ନା ? ଆଉ ତା’ହେଲେ ଆଠ ଦିନ ପରେ–ଆର ମାସ ଦୁଇରେ ।”

 

“ଆଗରୁ କୋଉଠି ଏ ରୋଲ୍‍ସବୁ କରିଥିଲ ତମେ ଦିହେଁ, ନା ଏଥର ନୂଆ କରି କରିବ-?”

 

“ବହୁତ ଜାଗାରେ ।”

 

“ରିହର୍ସାଲ ତେବେ ଆଠ ଦିନ ହେବ କାହିଁକି ? ଆଉରି ପରେ ଗଲେ ତ ଚଳିବ ?”

 

“ସେମାନେ କିନ୍ତୁ ଚାହାନ୍ତି ଆଗରୁ ଯିବାକୁ ।”

 

ପକେଟରୁ ଗୋଟାଏ ଲୋଚାକୋଚା ହୋଇଯାଇଥିବା ସିଗାରେଟ୍ କାଢ଼ିଲା ବୁଲା । କଡ଼ ପକେଟରେ ହାତମାରି ଦେଖିଲା, ଦିଆସିଲି ନାହିଁ । ଅନୁନୟର ଆଖିରେ ସୁନୀଲାକୁ ଚାହିଁ କିଛି କହିବା ଆଗରୁ ସୁନୀଲା ବୁଝିପାରିଲା ବୁଲାଭାଇ ଦିଆସିଲି ମାଗୁଛି ବୋଲି । ରୋଷେଇଘରେ ଦିଆସିଲି ନ ପାଇ, ସେଇଠୁ ଅନୀଲାକୁ ପାଟିକରି ପଚାରିଲା, “ଦିଆସିଲିଟା କୋଉଠି ରଖିଚୁ କିଲୋ ?”

 

“ମୁଁ କାହିଁକି ନେବି ଦିଆସିଲି ? କ’ଣ ସିଗାରେଟ୍ ଖାଉଚି ନା କ’ଣ ?” ଅନୀଲା ଉତ୍ତର ଦେଲା ଘରଭିତରୁ ।

“ତମେ ଦିହେଁ ମିଛରେ କାହିଁକି କଳି ଲଗଉଚ ? ସୁରେଶ ଦିଆସିଲିଟା ନେଇଯାଇଥିବ ପାଇଖାନାକୁ”–କହି କହି ବୁଲା ରୋଷେଇଘର ଦୁଆର ମୁହଁକୁ ଆସି ମା’ଙ୍କୁ କହିଲା, ‘‘ମାଉସୀ, ସେ କାଠଖଣ୍ଡକ ଇଆଡ଼େ ବଢ଼େଇ ଦବଟି, ଟିକେ ମୁଁ ମୁହଁରେ ନିଆଁ ଦିଏ ।”

“ଓ ହୋଃ ହୋ, ଇଏ କି ଅଲକ୍ଷଣା କଥା ତୁ କହୁରେ ପୁଅଟା । ଆଲୋ ହେ, ତାକୁ କିଏ ଟିକେ ଦିଆସିଲିଟା ଦିଅ ଭଲା ।”

ସୁନୀଲା ଚିମୁଟାରେ ଖଣ୍ଡେ ରଡ଼ନିଆଁ ଆଣି ଦେଲା । ଆଉ ସେଇଥିରୁ ସିଗାରେଟ୍‍ ରେ ନିଆଁ ଧରାଇ ଦମେ ଟାଣି, ଧୁଆଁ ଛାଡ଼ି, ହସି ହସି ବୁଲା କହିଲା, “ବୁଝିଲ ମାଉସୀ, ସୁନୀଲା ମୋ ମୁହଁରେ ନିଆଁ ଦେଲା ।”

“ନିଜେ ତ ନିଜ ମୁହଁରେ ନିଆଁ ଦଉଚ, ଆଉ କାହାର କ’ଣ ଦରକାର ଅଛି ତମ ମୁହଁରେ ନିଆଁ ଦବାର ?”

“ହଉ ମାଉସୀ, ମୁଁ ଯାଏଁ ଏଥର, ଏଁ ? କ’ଣ କାଲି ଯିବା କଥା ଠିକ୍ ତ ?”

“ନାଇଁ, ନାଇଁ, ଠିକ୍ କ’ଣ ? ସେମାନେ କହି ଯାଇଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା କାହାକୁ ପଠାଇବେ–ଏଯାଏଁ ବହିନା କୋଉଠି ଦେଲେଣି ? କିଲୋ ଅପା ? ଯିବାକୁ କେମିତି କହିଦଉଛୁ ଆଗତୁରା ?”

 

“ବହିନା କ’ଣ କିଲୋ ?”

 

“ହାଃ, ଏଇ ତମ ଆଡଭାନ୍‍ସ, ଟି.ଏ,. ଫେଆର୍ ଏସବୁ ଆମ ପୁରୁଣା ବହିନା ସାଙ୍ଗେ ସମାନ–ମୁଁ ମୋର ସେଇଆ କୁହେ ସଦାବେଳେ ।”

 

“ସତେ ବୁଲଭାଇ, ତମେ ଟିକେ ସନ୍ଧ୍ୟାରେ ଆଜି ଆଉ ଥରେ ଆସିବ, ଏକଥା ବୁଝିଯିବ-। ତା’ଛଡ଼ା ସନ୍ଧ୍ୟାରେ ରେଡ଼ିଓ ଷ୍ଟେସନ୍ ଟିକେ ଯିବା–ମାସେ ଦେଢ଼ ମାସ ହେଲା କାହିଁକି ଗୋଟାଏ ହେଲେ କଣ୍ଟ୍ରାକ୍ଟ ଦେଇ ନାହାନ୍ତି, ପଚାରି ଆସିବି ।”

 

“ଯଥା ଆଜ୍ଞା !”

 

“ସେମିତି ଗୋଟିଏ ଛୋପରା କାହିଁକି ହୁଅ ମ ?”

 

“କ’ଣ ବାହାରିଲ ବୁଲାଭାଇ ?” ବାରିଆଡ଼ୁ ମୁହଁ ପୋଛି ଆସୁ ଆସୁ କହିଲା ସୁରେଶ ।

 

“ହଁ, ଆଉ ତମର ପ୍ରୋଗ୍ରାମ୍ ଏଇନେ କ’ଣ ?”

 

“ନା.....ଏମିତି ଟିକେ.....”

 

“କ’ଣ, ନଟସାହୁ ଦୋକାନରେ ବସି, କପେ ଦି’କପ ସିଙ୍ଗଲ ଚା’ ଚାନ୍ଦା କରି ତମର ଫିଲ୍ମ କମ୍ପାନୀ ଚାଲିବ ?”

 

ସୁରେଶ ରୀତିମତି କ୍ଷୁଣ୍ଣ ହେଲା । କିନ୍ତୁ ମୁହଁରେ ହସ ଫୁଟାଇ କହିଲା, “ତୁମେ ବି ଆସ ଏବେ....ତୁମକୁ ଆଜି ନିମନ୍ତ୍ରଣ ରହିଲା ।”

 

“ଏତେ ବଡ଼ ବଡ଼ କଥା, ପୁଣି ହଜାରେ.....ଲକ୍ଷେ ଆଲୋଚନା ପାଇଁ ଆମର ମୁଣ୍ଡ କାହିଁ-? ଛିଣ୍ଡା ପକେଟରେ ସେସବୁ ରହିବ ନାହିଁ… ହଉ, ଚାଲିଲି…

 

“ହଉ ।

 

“ଆସିବ ନିଶ୍ଚେ ସନ୍ଧ୍ୟାରେ ?”

 

“ଯଦି ନ ଆସେ ?”

 

“ଆଉ କଥା କହିବି ନାହିଁ ।”

 

“କଥା ନ କହିଲେ ମୋର ରାଜ୍ୟ ଭାସିଯିବ ସେଠୁ ?”

 

“ଆସିବ ତ ନିଶ୍ଚେ, ଏତେ ସିଆଣାପଣିଆ କାଢ଼ କାହିଁକି କହିଲ ?” ଥଟ୍ଟାମିଶା ରାଗ ଦେଖାଇ ଅନୀଲା ଯୋଗ କଲା ।

 

“ସକାଳୁ ତ ତୋରି ମୁହଁ ଚାହିଁଛି, ଦିନ କେମିତି ଯିବ କେଜାଣି ?”

 

“କେଉଠି କ’ଣ ପାଇଯିବାର ଅଛି କି ?” ସୁରେଶ ପଚାରିଲା ।

 

“ପାଇବାର ଚେଷ୍ଟା ତ ସବୁବେଳେ ଚାଲିଚି–ହେଲେ ମିଳୁଚି କୋଉଠି ?” ସୁନୀଲା ମୁହଁକୁ ଚାହିଁ ହସି ହସି ଉତ୍ତର ଦେଲା ବୁଲା, ଆଉ ଆଗେଇଲା ଦାଣ୍ଡ କବାଟ ଆଡ଼େ ।

 

ସୁନୀଲା ଆଉ ଅନୀଲା ଦୁହେଁ ଅନୁସରଣ କଲେ ତାକୁ । ସାଇକେଲ ଚାବି ଫିଟାଇ ଠିକ୍ ବାହାରିଲା ବେଳକୁ ମଦନବାବୁ ପହଞ୍ଚିଲ ବଜାରରୁ । ହାତରେ ଝୁଲାମୁଣିରେ ପରିବା । ଈଷତ୍ ଗମ୍ଭୀର କଣ୍ଠରେ କହିଲେ, “ଆରେ ତମେ ଅଛ ? ମୁଁ ଭାବୁଥିଲି ଯିବଣି ଚାଲି–କ’ଣ ବାହାରିଲ ନା କ’ଣ ?”

 

“ହଁ, ଆପଣ ତ ଆଜି ଭାରି ଜଲ୍‍ଦି ଫେରିଛନ୍ତି ବୋଧେ ।”

 

ଫୋପଡ଼ା ଟେକାକୁ ଓଲଟାଇ ମାରିଲା ବୁଲା ସାଇକେଲ ପାଡଲ ଉପରେ ଗୋଡ଼ ଥୋଉ ଥୋଉ ।

 

ଘର ଭିତରକୁ ମଦନବାବୁ ପାଦ ବଢ଼ାଇଲେ । ବିରକ୍ତ ହେଲେ ମଧ୍ୟ ସେଇଟାକୁ ପ୍ରକାଶ ନ କରି ଦୁମ୍ ଦୁମ୍ ଚାଲି ଘର ଭିତରେ ପଶିଗଲେ ।

 

ଅନୀଲାଟା ଫେଁକିନା ହସିଦେଲା ହଠାତ୍ । ବଡ଼ ବଡ଼ ଆଖି କାଢ଼ି, ନ ହସିବାକୁ ବାରଣ କରି, ତାକୁ ଯେତେ ଆକଟ କଲେ ବି ସେ ସେମିତି ହସିଚାଲିଲା ।

 

ଫେରି ପଡ଼ିଥିଲେ ମଦନବାବୁ ଦେଖିଥାଆନ୍ତି, ସାଇକେଲରେ ବସି ତଳେ ଗୋଟିଏ ଗୋଡ଼ ଦେଇ ବୁଲା ଓ ଅନୀଲା, ସୁନୀଲା ମୁହଁରେ ଲୁଗା ଦେଇ ହସୁଛନ୍ତି ।

 

ଘର ଭିତରୁ ମା’ ପାଟିକଲା କ’ଣ ଗୁଡ଼ାଏ ଏଣୁ ତେଣୁ ବାଜେ ପରିବା ଆଣିଚ ବୋଲି । ବାପାଙ୍କର ପାଟି ଶୁଭିବା ଆଗରୁ ସାଇକେଲର ପାଦ ଚାପି ଆଗଉ ଆଗଉ ବୁଲା କହିଲା, “ଯାଅ ଯାଅ, ଘର ଭତରକୁ ଯାଅ…ମୁଁ ସନ୍ଧ୍ୟାବେଳେ ଆସିବି ।”

 

ଅସଂଖ୍ୟ ସାଇକେଲର ଶବ୍ଦ ଭିତରେ ବୁଲାଭାଇର ସାଇକେଲ ମିଳାଇଗଲା ।

 

ସୁନୀଲା ଓ ଅନୀଲା ନୀରବରେ କିଛି ସମୟ ଚାହିଁ ରହିଥିଲେ ତା’ର ଗତିପଥକୁ ।

 

ଭିତରକୁ ଫେରୁ ଫେରୁ ଅନୀଲା ପଚାରିଲା, “ବୁଲାଭାଇ ଭାରି ମଜାର ଲୋକ, ନା ଲୋ ଅପା ?”

 

“ହୁଁ”–ଅକାରଣରେ ମାତ୍ରାତିରିକ୍ତ ଭାବରେ ଗମ୍ଭୀର ହୋଇ, ଉତ୍ତର ପଦକ ଦେଇ, ସୁନୀଲା ଘର ଭିତରକୁ ପଶିଆସିଲା । ଅନୀଲା ତାକୁ ଅନୁସରଣ କଲା ।

 

ସୂର୍ଯ୍ୟ ଏଥର ମଥାନ ଉପରକୁ ଉଠିଆସିବେ । ଖରା ତେଜ ହେଲାଣି । ସକାଳର କାଲୁହା ପବନରେ ମିଶିଗଲାଣି ଦିନର ତାତି ।

 

ହଳଦିଆ ରଙ୍ଗର ଖରା ଚାଳ ଉପରୁ ଆସି ବିଞ୍ଚି ହୋଇଗଲାଣି ଦୁଆର ସାରା ।

 

ପାଣ୍ଡୁର, ବର୍ଣ୍ଣହୀନ ସକାଳ ମିଳେଇଗଲାଣି ଦିନ ଭିତରେ ।

 

ଦିନ ।

 

କୋଳାହଳ ବଢ଼ି ଆସିଲାଣି ।

 

ବେଦନାବିଧୁର ସ୍ମୃତିର ମେଘ ସୁନୀଲାର ହୃଦୟାକାଶରେ ଜମାଟ ବାନ୍ଧି ମେଘାଚ୍ଛନ୍ନ କରୁଥିଲା ।

 

ମଣିଷଜୀବନର ବହୁ କାହାଣୀ ଘୂରି ଫେରିଆସେ ମନକୁ–କାରଣରେ ବା ଅକାରଣରେ ହେଉ । କଳା କଳା ମେଘର ଦଲକାରେ ଆକାଶଟା ସାରା ଓହଳି ପଡ଼ିଲା ଭଳି ଦେଖାଯାଏ । ସତେ କି ଛିଡ଼ି ପଡ଼ିବ । ନୀଳ ଆକାଶ ଭାରାକ୍ରାନ୍ତ ହୋଇଯାଏ ।

 

ପୁଣି ଧୀରେ ଧୀରେ ଫେରିଯାଏ ଆକାଶକୁ ମୁକ୍ତ କରି ।

 

ବାରଣ୍ଡା ଉପରେ ପଡ଼ିଥିବା ଚାଇଁଚାଇଁଆ ଖରାର ଧାସରେ ତାତି ଉଠୁଛି ଘର ଭିତରଟା-। ପବନ ନାହିଁ । ଗୁମସୁମ୍ ଲାଗୁଛି ।

 

ମଧ୍ୟାହ୍ନ ।

 

ଖରାବେଳ ।

 

ଦିହରୁ, ମୁଣ୍ଡରୁ ଅଜସ୍ର ଝାଳ ବୋହି ପିନ୍ଧା ଲୁଗାର କାନିକୁ ଜଡ଼ାଇ ଦେଇଛି ପିଠିରେ, ଛାତିରେ । ବ୍ଲାଉଜ୍‍ଟା ପୂରାପୂରି ଓଦା ଜଡ଼ସଡ଼ ।

 

କପାଳ ଉପରେ ବିନ୍ଦୁ ବିନ୍ଦୁ ହୋଇ ଜମା ହୋଇ ଟିକେ ପରେ ଝରି ଆସୁଥିବା ଝାଳର ସୁଅକୁ ବିଶି ଆଙ୍ଗୁଠିରେ, ନ ହେଲେ ଲୁଗା କାନିରେ ପୋଛି ଆଣି ଆଣି ସୁନୀଲା ବସି ଗୋଟାଏ ବ୍ଲାଉଜ୍‍ର ବେକ ଷ୍ଟିଚ୍ ମାରୁଥିଲା ।

 

ମଝିରେ ମଝିରେ ଦାନ୍ତରେ ସୂତାଟା କାଟୁକାଟୁ ତାର ଆଖି କନକନ ହୋଇ ଘୂରି ଆସୁଥିଲା ଘରଟା ସାରା । ବେଳେବେଳେ ବାହାରକୁ ।

 

ଝାଳରେ ଗୋଟାପଣେ ତିନ୍ତିଯାଇ, ଚଟାଣଟାକୁ କାଦୁଅ ଭଳି କରିଦେଇ, ଅନୀଲା ଛାଇ ନିଦରେ ଶୋଇ, ହୁଏତ ଦିବା ସ୍ୱପ୍ନ ଦେଖୁଥିବ । ଖାଲି ଚଟାଣଟାରେ ଗଡ଼ିଛି ସେ । ଶାଢ଼ି, ବ୍ଲାଉଜ୍‍ ସବୁ ତାର ତିନ୍ତିଯାଇଚି ଝାଳରେ ।

 

ସୁନୀଲା ତାକୁ ଚାହୁଁଥିଲା । ଛାତି ଉପରର ଲୁଗାଟା ତାର ଅସଂଯତ ଭାବରେ ଖସିଯାଇଛି–ତଳେ ଲୋଟୁଛି । ଉଁଚା ଛାତିଟା ଝାଳରେ ଓଦା ହୋଇ ବ୍ଲାଉଜ ସହିତ ଜଡ଼ିଯାଇଛି । ପେଟ ଉପରେ ଗୋଟାଏ ହାତ ରଖିଛି ସେ–ଆର ହାତଟା ତଳେ ଘୁଷୁରୁଛି । ବେଳେବେଳେ ମାଛି ବସିଗଲେ ଗୋଡ଼ ହାତ ଛଟଛଟ କରି ପୁଣି ସ୍ଥିର ହୋଇଯାଉଛି ।

 

ନିଦ୍ରିତା ଅନୀଲାର ମୁଦା ଆଖିପତା ଦିଓଟିକୁ ଚାହିଁଲା ସୁନୀଲା–ଆଖି ବନ୍ଦ ହୋଇଥିଲେ ବି ଡୋଳା ଦୁଇଟା ଭିତରେ ରହି ରହି ଥରି ଥରି ଘୂରିଯାଉଛି ।

 

ସ୍ୱପ୍ନରେ ହୁଏତ କୌଣସି ଏକ ମଧୁର କାହାଣୀ ସେ ଦେଖି ବିଭୋର ହୋଇ ରହିଛି । ସେଇ ସ୍ୱପ୍ନର କାହାଣୀର କୋଉ ଚରିତ୍ରକୁ କି କୌଣସି ଘଟଣାକୁ ଅନୁସରଣ କରୁଛି ତାର ଡୋଳା-

 

ଜୀବନ ଯାହା ହଉ ପଛେ, ସ୍ୱପ୍ନ ଅନ୍ତତଃ ମଧୁର ହେଉ ! ସ୍ୱପ୍ନରେ ବି ମଣିଷ ଜୀବନ ଉପଭୋଗ କରୁ । ହେଉ ପଛେ ସେ ମିଛ, ହେଉ ପଛେ ଅଳୀକ, ସେଇ ମିଛ ସ୍ୱପ୍ନ ଦେଖି ବି ମଣିଷ ଦଣ୍ଡକ ପାଇଁ ଲୋଭନୀୟ, ମଞ୍ଜୁଳ ଏକ ଧରିତ୍ରୀର ରସ ଆସ୍ୱାଦନ କରୁ !

 

ଅନୀଲାର ଏ ସ୍ୱପ୍ନ ଯଦି ସେ ଦେଖିପାରନ୍ତା । ଅନୀଲା ସାଙ୍ଗେ ସାଙ୍ଗେ ସିଏ ବି ଏମିତି ତନ୍ମୟ ହୋଇଉଠନ୍ତା । ବିଭୋର ହୋଇଯାଆନ୍ତା ।

 

ଘୁମନ୍ତ, ଶାନ୍ତ ମୁଖମଣ୍ଡଳରେ ତା’ର ହଠାତ୍ କାନ୍ଦର ରେଖା ଛାଇଗଲା । ବହଳ ଓଠ ଥରି ଥରି ଉଠିଲା । ନିଦ ଭିତରେ ଆଖିଡୋଳା ଦୁଇଟା ଚଞ୍ଚଳ ହୋଇଉଠିଲା । ନାକପୁଡ଼ା ଫୁଲି ଫୁଲି ଗଲା ।

 

ସେଇ ସ୍ୱପ୍ନରେ ଅନୀଲା କାନ୍ଦୁଛି ! ସ୍ୱପ୍ନ ଭିତରେ ବି ମଣିଷର ଶାନ୍ତି ନାହିଁ । ମିଛ ଭିତରେ ବି ମଣିଷ ଦୁଃଖ ପାଏ !

 

ବହୁ ଦ୍ୱନ୍ଦ୍ୱ, ବହୁ ଦ୍ୱିଧା ପୂରିରହିଛି ବିଚାରୀ ମନରେ ତା’ର !

 

ହୁଏତ ବର୍ତ୍ତମାନ ସେ ସ୍ୱପ୍ନରେ ଦେଖୁଛି, ଦୟିତ ପୁରୁଷ ତାର ତାକୁ ଉପେକ୍ଷା କରି ଚାଲିଯାଇଛି କାହିଁ କୁଆଡ଼େ !

ତା’ରି ପାଇଁ କାନ୍ଦୁଚି ଅନୀଲା ।

ଦାନ୍ତରେ ସୁତାଟା କାଟିଦେଇ, ଛୁଞ୍ଚିରେ ନୂଆ ସୂତାଖିଏ ଦେଇ, ହାତ ପୂରାଇ ଛାତି ଭିତରଟା ଆଉ ବେକତଳଟା ପୋଛି ଆଣି, ସୁନୀଲା ପୁଣି ସିଲେଇରେ ମନୋନିବେଶ କଲା ।

ନିଜ ଜୀବନରେ ଦୁଃଖରେ ହାରି ଗୁହାରି ନ ଥିଲେ ବି ମଣିଷ ଅନ୍ୟର ଦୁଃଖ ପାଇଁ ସମବେଦନା ଜଣାଏ । ବେଦନାହତ ହୋଇ ମଣିଷ ଅନ୍ୟର ବେଦନା ବୁଝିପାରେ ।

ସୁନୀଲା ପରେ ପରେ ଅନୀଲାର ପାଳି । ଜଣକର ଲୁହ ଶୁଖିଗଲା ପରେ ଆଉ ଜଣକର ଆଖିର ଗଙ୍ଗାଯମୁନା ଦୁଇ କୂଳ ଖାଇ ଝରିଆସିବ ।

ସ୍ୱପ୍ନର କାନ୍ଦ ଅନୀଲା ଜୀବନରେ ସ୍ୱପ୍ନ ହେଉ–ସତ ନ ହେଉ ।

ପୁଣି ଭାବିଲା ସେ ପରକ୍ଷଣରେ, ଏମିତି ବୃଥା ଶୁଭ ମନାସିବାରେ ଲାଭ ବା କ’ଣ ଅଛି-?

ଖରାର ବର୍ଣ୍ଣ ମଳିନ ପଡ଼ିଆସୁଛି । ତାତିଲା ପବନ ସହିତ ମିଶି ଦଲକାଏ ଦଲକାଏ ପବନ ଗଛ ପତର ଦେଇ ବହିଆସି ଝାଳଭିଜା ଓଦା ଦେହଟାରେ ବୋଳିହୋଇ ଯାଉଛି । ଉତ୍ତାପଟାକୁ କୋହଳ କରିଦେଉଛି ।

 

ଆଗତପ୍ରାୟ ଅପରାହ୍ନର ଦଲକାଏ ଶୀତଳ ପବନ !

 

ମନଭିତରର ଏ ତାତି କ’ଣ କେବେ ଓହରି ଯାଇପାରେ.... ?

 

କପାଳ ଉପରେ ଜମିଯାଇଥିବା ଝାଳବିନ୍ଦୁସବୁକୁ ଲୁଗାକାନିରେ ପୋଛି ଆଣୁ ଆଣୁ ସୁନୀଲା ଶୁଣିଲା, ବାହାରେ ଦୁଇ ତିନିଟା ସାଇକେଲ ଅଟକିବାର ଶବ୍ଦ । କାନଡ଼େରି ରହିଲା ସେ କିଏ ବୋଲି ଜାଣିବା ପାଇଁ ।

 

କିଏ ଆଉ ଆସିପାରେ ଏ ଉଦୁଉଦିଆ ଦ୍ୱିପ୍ରହରଟାରେ ?

 

ଖଇପିଇସାରି ବାପା ଶୋଇଛନ୍ତି ଦାଣ୍ଡଘରେ–ଅଫିସ–ଦପ୍ତର, କାମ–ଧନ୍ଦା କିଛି ନାହିଁ । ବେଧଡ଼କ୍ ଶୋଇଛନ୍ତି ସେ । ଛୁଆମାନେ ସ୍କୁଲକୁ ଯାଇଛନ୍ତି–ଆସିବାବେଳ ହୋଇନାହିଁ ଏଯାଏଁ ।

 

କୋଳଛୁଆଟା ମୁହଁରେ କ୍ଷୀରଭୁଣ୍ଡି ଉଣ୍ଡେଇଦେଇ ମା’ ନିଘୋଡ଼ ନିଦରେ ଗଡ଼ୁଛି ସେ କଣଟାରେ–ଛୁଆ, ମା ଦିହିଁଙ୍କର ଦେହ ଓଦା ହୋଇଯାଇଚି । ଛୁଆ ମୂତିଛି କି କଅଣ, ଗୁଡ଼ାଏ ମାଛି ଭଣଭଣ ହଉଛନ୍ତି ସେଇଠି ।

 

ଦିନ ସରିଯିବାର ସୂଚନା ଦେଇ ମଧ୍ୟାହ୍ନ ଏଥର ଅପରାହ୍ନରେ ମିଳିଯାଉଛି ।

 

ଅତି ସନ୍ତର୍ପଣରେ ଦୁଇ ତିନି ଜଣ କିଏ ଦାଣ୍ଡବାରଣ୍ଡାରେ କଥାବାର୍ତ୍ତା କରୁଥିଲେ ଶୁଣିଲା ସୁନୀଲା ।

 

ରସିକମୋହନ.... ? ଏତେବେଳେ ନିଦ ଛାଡ଼ି ଆସିଲା ଭଳି ଭଲ ପାଇବା ଲୋକ ବା ପ୍ରେମିକ ଅନ୍ତତଃ ରସିକମୋହନ ନୁହେଁ ବୋଲି ତାର ଧାରଣା । ନିଜ କଥା ପ୍ରକାଶ କରିବା ପାଇଁ ତା’ର ଏକ ନିର୍ଦ୍ଦିଷ୍ଟ ପରିବେଶ ଦରକାର ।

 

ସେ ଅଳସ ଅପରାହ୍ନରେ ତା’କଥା ମନେପଡ଼ିବାରୁ ସୁନୀଲାର ମନଟା ଅଯଥା ବିରକ୍ତିରେ ପୂରିଗଲା ।

 

ଖସଡ଼ା ରାସ୍ତାରେ ଅନୀଲା ପାଦ ବଢ଼ାଉଛି, ଏକଥା ସୁନୀଲାଠାରୁ ବେଶୀ ଆଉ କିଏ ଜାଣେ ? ଜାଣି ସୁଦ୍ଧା ତାକୁ ପ୍ରତିରୋଧ କରିବାର ମାନସିକ ଶକ୍ତି ସୁନୀଲାର ନାହିଁ ।

 

ଯାଉ । ଠିକିଲେ ଶିଖିବ.... । ନ ହେଲେ ଗୋଡ଼ ଖସିଯାଇ ଅତଳ ଦରିଆରେ ବୁଡ଼ିମରିବ ।

 

ବିପଦରେ ପଡ଼ି କିଏ ଶିଖେ–ପୁଣି କିଏ ବିପଦରେ ତଳିତଳାନ୍ତ ହୋଇଯାଏ ।

 

ନିରର୍ଥକ ଶୁଭ ମନାସିବା ଛଡ଼ା ତା’ର କର୍ତ୍ତବ୍ୟ ଆଉ କିଛି ନାହିଁ ।

 

ସେମାନଙ୍କ ଭିତରୁ ଜମକର ପାଟି ବାରିପାରିଲା ସୁନୀଲା–ସେ ସ୍ୱର ସୁରେଶର । ଖାଇସାରି, ଲୁଗାପଟା ପିନ୍ଧି କୁଆଡ଼େ ରାସ୍ତାରେ ଯାଇଥିଲା । ଆଡ଼୍‍ଡା ମାରିସାରି ଏତେବେଳେ ଫେରୁଛି ବୋଧହୁଏ ।

 

ଚା’ କପେ ଖାଇ, ଅନ୍ୟାନ୍ୟ ସବୁ ନିତ୍ୟକର୍ମ ସାରି, ମୁଣ୍ଡରେ ପାଣି ମାରି ଦେଇ, ସିନେମା ଷ୍ଟାରଙ୍କ ଭଳି ମୁଣ୍ଡ କୁଣ୍ଡାଇ, ପୁଣି ସନ୍ଧ୍ୟାରେ ବାହାରିଯିବ ସେ–ସାନ୍ଧ୍ୟ ଓ ରାତ୍ରି ଭ୍ରମଣରେ-

 

ଆସିବ ରାତି ଦଶଟାରେ.....କିବା ଆହୁରି ଅନେକ ପରେ । ଡେରିରେ…. ।

 

କିନ୍ତୁ ସୁରେଶ ଆଉ କାହାକୁ ସବୁ ଧରିଆଣିଚି ସାଙ୍ଗରେ ? ସେଇ ପୁରୁଣା ଦିନର ଅଭ୍ୟାସ କ’ଣ ସେମିତି ରହିଥିବ ତା’ର ? ସୁନୀଲା, ଅନୀଲାଙ୍କର ଦଲାଲ୍ ଭଳି ଅନେକଟା ବ୍ୟବହାର କରେ ସେ ଅପରିଚିତ ଲୋକଙ୍କ ସହିତ ।

 

କିଛି ନ କହିବା ପାଇଁ ମନସ୍ଥ କରିଥିଲେ ବି ବେଳେ ବେଳେ ତାକୁ ନ ବକି ରହିପାରେ ନାହିଁ ସୁନୀଲା । ଗାଁରୁ ସବୁ ଡ୍ରାମା ପାଇଁ ହିରୋଇନ୍ ଯୋଗାଡ଼ କରି ଆସିଥିବା ଲୋକମାନଙ୍କୁ ସେ ଭେଟେ ବିଭିନ୍ନ ସିନ୍, ପୋଷାକ ଭଡ଼ା ଦେଉଥିବା ଦୋକାନମାନଙ୍କରେ–‘ରୂପ–ଭାରତୀ,’ ‘ରୂପ–ମହଲ’, ‘ଚିତ୍ରାଳୟ’ ଏମିତି ସବୁ କେତେ ଦୋକାନ ଅଛି । ସେଇଠି ଆସି ଗାଁ ଦୂରଦୂରାନ୍ତର ଲୋକେ ପଚାରନ୍ତି–ସୁରେଶ ସେଠିକି ସବୁ ଯାଏ । ବସି ଗପ କରୁଥାଏ । ପଚାରୁଥିବା ଲୋକଙ୍କଠାରୁ ହିରୋଇନ୍ ପଠାଇବା ନାଁରେ ଆଡଭାନ୍‍ସ ନେଇଯାଏ, ନ ହେଲେ ତାଙ୍କୁ ସବୁ କହେ, ସେମାନଙ୍କର ବହୁତ ଦାମିକା କଣ୍ଟ୍ରାକ୍ଟ ମୁଁ କ୍ୟାନସେଲ୍ କରାଇଦେଇ ଆପଣଙ୍କ ଡ୍ରାମା ପାଇଁ ପଠାଇଦେବି–ଯେତେହେଲେ ଆପଣ ନିଜ ଲୋକ ତ ଆମର ।

 

ଏଇସବୁ କହି ସେ ଟଙ୍କା ନିଏ । ସୁନୀଲା ଉତ୍‍କର୍ଣ୍ଣ ହୋଇ କାନ ପାତିଲା, କ’ଣ କଥାବାର୍ତ୍ତା ସେମାନେ ହେଉଛନ୍ତି ସେକଥା ଜାଣିବା ପାଇଁ–

 

“–ହଁ, କାଲି ଯିବା ପାଇଁ ଆମେ କହିଯାଇଥିଲୁ–ସକାଳୁ ବସରେ ବସିଲେ ଖରାବେଳକୁ ପହଞ୍ଚିଯିବେ । ସେଠି ରହିବା ପାଇଁ ଡାକବଙ୍ଗଳାରେ ବନ୍ଦୋବସ୍ତ ହୋଇଛି–ଖାଇବା ପିଇବାର ଆୟୋଜନ ବି ଆମେ କରିଦେଇଛୁ ।”

 

ଆଗନ୍ତୁକମାନେ ଯେ ସୁନ୍ଦରପୁରର ଡ୍ରାମା ଦଳର ଲୋକ, ଏ କଥା ବୁଝିବାପାଇଁ ବାକି ରହିଲା ନାହିଁ ସୁନୀଲାର ।

 

ଉଠିଯିବା ପାଇଁ ଇଚ୍ଛା ହେଉଥିଲେ ମଧ୍ୟ ସୁରେଶ କ’ଣ କହୁଛି, ସେ କଥା ଶୁଣିବା ପାଇଁ ଧୈର୍ଯ୍ୟ ଧରି ନିଜ ଇଚ୍ଛା ଦମନ କରି କାନ ଡେରି ବସିରହିଲା ସୁନୀଲା ।

 

“ତା’ ତ ସବୁ କରିଥିବେ....ଆଚ୍ଛା, ଆପଣମାନେ ଆଉଭାନ୍‍ସ ଦେଇଯାଇଥିଲେ ତ ?”

 

“ଅନ୍ୟ ସବୁ ଠିକ୍ କରିସାରି ସୁନୀଲା ଦେବୀଙ୍କୁ କହିଯାଇଥିଲୁ ଆଡଭାନସ୍ ପଠାଇଦେବାକୁ । ତା’ପରେ ଭାବିଲୁ, ଆମେ ନିଜେ ତ ଯିବୁ, ମିଛରେ ପୁଣି ଡାକରେ ପଠାଇବୁ କାହିଁକି ? ଡେରି ବି ହୋଇଯାଇପାରେ–ଆଜି ସାଙ୍ଗରେ ନେଇଆସିଚୁ ।”

 

“ସେଦିନ ଠିକ୍ କରିସାରିଲା ପରେ, ଆଉ କ’ଣ କିଛି ଖବର ଦେଇ ନାହାନ୍ତି କି ?” ଖୁବ୍ ବିସ୍ମିତ ହେଲା ଭଳି ଆଉ କିଛି ଦୁର୍ଘଟଣା ଘଟିଗଲା ଭଳି କହୁଥାଏ ସୁରେଶ ।

 

“ନା.....କିନ୍ତୁ ସବୁ ତ ଠିକ୍‍ଠାକ୍ ହୋଇ ଯାଇଥିଲା–ଆଉ କୌଣସି ଖବର....

 

“ତା ଠିକ୍ ଯେ, ତାଙ୍କ ସବୁ କ’ଣ ଦୋଷ ଆଉ ଦେଇହେବ ? .....ବୁଝୁ ନାହାନ୍ତି ? ଏମିତି ଅନେକ ଆସି କହିଦେଇ ଯାଉଛନ୍ତି.....ତେଣେ ଯାଇଁ ତାଙ୍କର କ’ଣ ସୁବିଧା ଅସୁବିଧା ଯୋଗୁଁ ଡ୍ରାମାର ତାରିଖ ଘୁଞ୍ଚାଇ ଦେଉଛନ୍ତି–ଏଣେ କୌଣସି ଖବର ବି ଦେଉନାହାନ୍ତି । ଫଳରେ ଏମାନେ ସବୁ ତାଙ୍କ କହିଯାଇଥିବା କଥା ଉପରେ ନିର୍ଭର କରି ଅନ୍ୟ କଣ୍ଟ୍ରାକ୍ଟ ଲୁଜ୍ କରୁଛନ୍ତି....ସେଥିପାଇଁ ଏଣିକି ଆଡଭାନସ୍ ନ ଦେଇ ଯାଇଥିଲେ ସେ ଧରଣର କଣ୍ଟ୍ରାକ୍ଟ ପ୍ରତି ଅଧିକ ଗୁରୁତ୍ୱ ଦେଉ ନାହାନ୍ତି–କ’ଣ ବୁଝିଲେ ନା.... ?” ବେଶ୍ ମାମଲତକାର ଢଙ୍ଗରେ କଥାଟା କହିଲା ସୁରେଶ । କଥାଟା ମିଛ ନୁହେଁ । ଏମିତି ସତରେ ବହୁବାର ଘଟିଛି । ସେଇଥିପାଇଁ ଏନେକ ସମୟରେ କଥା ପ୍ରତି ଗୁରୁତ୍ୱ ନ ଦେଇ ଟଙ୍କା ପାଇଁ ନଜର ଦେବାକୁ ପଡ଼େ ।

 

କିନ୍ତୁ ସୁରେଶ ଚମତ୍କାର ଭାବରେ ଯେଉଁ “ତାଙ୍କୁ କ’ଣ ଦୋଷ ଦେଇହେବ” ବୋଲି କଥା ପଦକ କହିଲା, ସେଥିରୁ ତା’ର ମନୋଭାବ ବୁଝି ସୁନୀଲା ରୀତିମତ ବିରକ୍ତ ହୋଇଉଠିଲା–ତଥାପି ଧୈର୍ଯ୍ୟ ଧରି ଅପେକ୍ଷା କଲା ସେ ।

 

ଆଗନ୍ତୁକ ଭଦ୍ରଲୋକଟି କୌଣସି ବାଦାନୁବାଦ ନ କରି ସେ ସଂକ୍ରାନ୍ତରେ କେବଳ ‘ହଁ, ତା ନୁହେଁ କ’ଣ’ ବୋଲି କହିଲେ । ତା’ପରେ ଅତି ବ୍ୟଗ୍ର ଆଉ ଅଧୀର ହୋଇ ପଚାରିଲେ–“ଏମିତି କ’ଣ କହୁଛନ୍ତି ଆଜ୍ଞା, ଆଉ କୁଆଡ଼େ ଯିବେ ବୋଲି କ’ଣ ଠିକ୍ ହୋଇଛି ? ...ତା’ ହେଲେ ତ ଆମର ଭେଳା ବୁଡ଼ିଲା ।’’....

 

ବିଚାରା ସୁନୀଲା ମନେ ମନେ ଭାବୁଥିଲା ।

 

ନା,,...ନା, ସେସବୁ ମୁଁ କିଛି ଜାଣେନା...ଏସବୁ କଥାରେ ଆପଣ ଯେମିତି ଅଜ୍ଞ. ମୁଁ ବି ସେମିତି...ତେବେ ସେମାନେ ଏଇ ଆଡଭାନସ୍ ବିଷୟରେ କ’ଣ କଥାବାର୍ତ୍ତା ହେଉଥିଲେ....ସମ୍ଭବତଃ ଅପେକ୍ଷା କରିଥିଲେ ଆପଣମାନଙ୍କୁ ।”

 

“ଏବେ କିନ୍ତୁ କ’ଣ ହବ ?”

 

“ତା’ ତ ମୁଁ କହିପାରିବି ନାହିଁ–ତେବେ ସନ୍ଦେହରେ ପଡ଼ି ଆପଣମାନେ ନ ଆସିବାରୁ ସେମାନେ ଆଉ ଗୋଟାଏ କଣ୍ଟ୍ରାକ୍ଟ ଧରି ନେଇ ପାରିଥାନ୍ତି.....”

 

“ମାନେ ?” –ରୀତିମତ ତ୍ରସ୍ତ ହୋଇ କହିଲେ ଭଦ୍ରଲୋକ ।

 

“କାଲି ବା ପଅରଦିନ ସେମାନେ ସେଠିକି ଯିବେ–ଆଡଭାନସ୍ ରଖିଚନ୍ତି କି କ’ଣ ?” ସମ୍ପୂର୍ଣ୍ଣ କାଳ୍ପନିକ କଥା କହିଯାଉଥାଏ ସୁରେଶ ।

 

“କେଉଠିକି ? ଆମେ ତ ଆଜ୍ଞା, ସମସ୍ତ କଣ୍ଟ୍ରାକ୍ଟର ଟଙ୍କା ଆଡଭାନସ୍ ଆଣି ଆସିଚୁ”…

 

“କୋଉଠିକି, ସେ କଥା ମୁଁ ଜାଣେନା...ଦେଖୁ ନାହାନ୍ତି ? ଆପଣମାନେ ଆଡଭାନସ୍ ଦେଇଛନ୍ତି କି ନାହିଁ ସେକଥା ପରା ପଚାରୁଥିଲି ମୁଁ ? ....ମୁଁ ଖାଲି ଶୁଣୁଥିଲି, ସେମାନେ ପଅରିଦିନ ଯିବେ.....ଆପଣମାନେ କାଲି ଯିବା କଥା କହିବାରୁ ସନ୍ଦେହ ହେଲା.....ସେଇଥିପାଇଁ ପଚାରୁଥିଲି ନା.....”

 

“ଦେଖନ୍ତୁ, ଆପଣଙ୍କୁ ବନ୍ଧୁ ଭାବରେ ଆମେ ଅନୁରୋଧ କରୁଛୁ–ଟିକେ ସୁନୀଲା ଦେବୀଙ୍କୁ ବୁଝାନ୍ତୁ.....ନ ହେଲେ ଆମର ଇଜ୍ଜତ ରହିବ ନାହିଁ–ମାଡ଼ ଖାଇଯିବୁ ଆମେ–ତାଙ୍କ କଥା ଉପରେ ଭରସା ରଖି ଆମେ ଟିକେଟ୍ ଛପାଇ ସାରିଲୁଣି–ତାଙ୍କ ନାଁ ଦେଇ ଲିଫଲେଟ୍ ଦେଇ ସାରିଲୁଣି....”

 

–“ମୋ ଅବସ୍ଥାଟା ଆପଣମାନେ ବୁଝନ୍ତୁ...ମୁଁ କ’ଣ ସେମାନଙ୍କୁ ବାଧ୍ୟ କରିପାରିବି.... ?”

 

“ତା’ନ ହେଲେ ମଧ୍ୟ, ଆପଣଙ୍କ କଥାର ଓଜନ ଆମମାନଙ୍କ ଅପେକ୍ଷା ତ ଅଧିକ ହେବ–ଆପଣଙ୍କ କଥା ଭାଙ୍ଗିବେ ନାହିଁ । ଏ ବିପଦରୁ ରକ୍ଷା କରନ୍ତୁ ଆଜ୍ଞା ।”

 

ସୁରେଶ କହିଲେ ବରଂ ତା’ କଥା ଆଦୌ ରହେ ନାହିଁ–ସେଇ କଥା ଭାବୁଥିଲା ସୁନୀଲା, ଆଉ ଭାବୁଥିଲା ଏ ଭଦ୍ରଲୋକଗୁଡ଼ିକ ବିଚରା ଅଯଥା କି କଷ୍ଟରେ ପଡ଼ି ସେ ବାଜେ ପିଲାଟାକୁ ନିରର୍ଥକ ଅନୁରୋଧ କରି ଲାଗିଛନ୍ତି–ସୁରେଶ ପୁଣି କହି କହି ଆଣି କି ଚରମ ଅବସ୍ଥାରେ ପହଞ୍ଚାଇଲାଣି ।

 

“ହେଁ....ହେଁ...ମୋ କଥା ସେ ଭାଙ୍ଗେ ନାହିଁ କେବେ–ହେଲେ ଭାରି ଚିଡ଼େ...ମୁଁ ତା’ର ଅତି ଆଦରର ସାନଭାଇଟା ନା ?”

 

ସମସ୍ତ ହସିଲେ । ସୁନୀଲାର ଇଚ୍ଛା ହେଉଥିଲା, ସୁରେଶକୁ ଆଗରେ ପାଇଲେ ଘୋଷାରି ଆଣି ଠାଏକିନା ଗୋଟାଏ ଚଟକଣା ବସାନ୍ତା–ବଜାରୀ କୋଉଠିକାର । ଦଲାଲୀ ଦେଖାଉଛି–

 

ପୁଣି ମନେପଡ଼ୁଥିଲା, ଏ ଭଦ୍ରଲୋକ ଯେଉଁ ଟେକିଟାକି କହୁଛନ୍ତି, କାମ ପଡ଼ିଲାବେଳେ ଏମିତି ସମସ୍ତେ କହନ୍ତି—ହେଲେ କାମ ସରିଗଲେ ଜିନିଷ ଟିକେ ବସରେ ଉଠାଇଦେବାକୁ କି ବଳାଇଦେବାକୁ ବି କେହି ଜଣେହେଲେ ଆସନ୍ତି ନାହିଁ । ଯେଉଁମାନେ ବି ଆସନ୍ତି ଆଉ ଯିବାଯାକେ ଏପଟ ସେପଟ ଘୁରଘୁର୍ କରୁଥାନ୍ତି, ସେଥିଭିତରୁ ବଡ଼ବଡ଼ିଆ ଗୋଷ୍ଠୀର କେହି ନ ଥାନ୍ତି–ଡ୍ରାମା ଚାଲିଥିଲା ବେଳେ ଚା’ ନବା ଆଣିବା କଲାବାଲା ବା ସିନ୍‍ଟଣାଳୀ ଅବା ସେହି ଦଳର କେହି ପାଖରେ ଥାଆନ୍ତି–

 

ସେତେବେଳେ କେହି ଆସିଲେ ଲୋକ କାଳେ କହିବେ ଦୁଶ୍ଚରିତ୍ର । ପାର୍ଟ କଲା ଝିଅଙ୍କ ପଛରେ ଗୋଡ଼େଇଛି...ଏମିତି କେତେ କଥା !

 

ନାଟକ ହେବା ଆଗରୁ, ମଝିରେ ବହୁ ଲୋକ ଆସନ୍ତି–ଅଯଥା ଗୋଟାଏ ଦିଇଟା ବୋଲହାକ କରିଦିଅନ୍ତି.....ଖୋସାମତ କରି ତାଙ୍କ ଡ୍ରାମାରେ ଭଲ ପାର୍ଟ କରିବେ ବୋଲି ନୁହେଁ–ଅଭିନୟ କରିବାକୁ ଆସିଥିବା ଝିଅମାନେ କୁଆଡ଼େ ଭାରି ସହଜରେ ମିଳନ୍ତି । ଟଙ୍କାଏ ମଶାଏ ଦେଇ ତାଙ୍କୁ ସହଜରେ ଶଯ୍ୟାସଙ୍ଗିନୀ କରିହେବ, ଅନ୍ତତଃ ରାତିକ ପାଇଁ...ମଉଜ ମଜଲିସ୍‍ କରିହେବ–

 

ଏଇ ଧାରଣା ନେଇ ପୋକ ପରି ଲାଗନ୍ତି ପଛରେ ପଛରେ–ଆପଣଙ୍କ ଚେହେରା, ଅଭିନୟ, ବ୍ଲାଉଜ୍‍କଟିଂ, ଚାଲି, ସବୁ ସୁନ୍ଦର ବୋଲି କହିଯାଆନ୍ତି–ସୌଖୀନ ନାଟକ କଲାବେଳେ ଟିକେ ଯଦି ଫୁର୍ତ୍ତି ଫାଜିଲାମି ନ କରିବ ଆଉ କରିବ ବା କଅଣ ?

 

ମଦ ଯେମିତି ବଜାରରୁ କିଣି ପିଆଯାଇପାରେ, ଠିକ୍ ସେମିତି ଅତି ମାମୁଲି ଭାବରେ ଏ ଝିଅଗୁଡ଼ାଙ୍କୁ ଗୋଟାଏ ରାତିର ସାଥୀ କରାଯାଇପାରେ ।

 

ଦଲାଲ୍‍ ସୁରେଶ ଉପରେ ଚିଡ଼ିବା ସାଙ୍ଗେ ସାଙ୍ଗେ ସୁନୀଲାର ମନ ଆଗନ୍ତୁକ ଭଦ୍ରଲୋକଗୁଡ଼ାକ ଉପରେ ମଧ୍ୟ ବିରକ୍ତ ହୋଇଉଠିଲା । ସୁନୀଲାକୁ ନ ଡାକି ସୁରେଶ ସାଥିରେ ଗପ ଜମାଇ ତାକୁ ଖୋସାମତ କରି କ’ଣ ପାଉଛନ୍ତି ସେମାନେ କେଜାଣି ? କ’ଣ ବା ସେମାନେ ଆଶା କରୁଛନ୍ତି ତା’ପାଖରୁ କେଜାଣି ?

 

ସୁରେଶ ବି ଏତେ ବାଜେ କଥାସବୁ ଏମିତି କହିଯାଉଚି କାହିଁକି ? ପଇସା ଦରକାର ଥିଲାବେଳେ ସେ ଏମିତି ସବୁ କହି ଟଙ୍କା ଆଦାୟ କରେ, ଆଉ ଘରେ କୁହେ, ତମେ ସବୁ ସେଠିକି ନ ଗଲେ ମୋ ମୁହଁ ରହିବ ନାହିଁ–ମୁଁ ପରା ଜବାବ୍ ଦେଇଦେଇଛି–ମୋର ଅନେକ ବ୍ୟକ୍ତିଗତ ବନ୍ଧୁ ସେଥିରେ ଅଛନ୍ତି....ଯଦି ତଥାପି ଏମାନେ ଅରାଜି ହୁଅନ୍ତି. ସୁନୀଲାର ଗୋଡ଼ ଧରି ପକାଇ ପଡ଼ିଯାଏ, ଖୋସାମତ କରେ ।

 

ଅନେକ ଥର ସୁନୀଲା ତାକୁ ଏଥିପାଇଁ ଗାଳିଗୁଲଜ କରିଛି, ବାରଣ କରିଛି । ରାହାବାଳୀ ଅନୀଲା ବହୁବାର ତାକୁ ମୁହେଁ ମୁହେଁ ଜଘନ୍ୟ ଭାବରେ ଅପମାନ ଦେଇଛି । ଦଲାଲ୍ ବୋଲି ବେଜ୍ଜିତ କରିଛି....ତଥାପି ତା’ର ଏ ରୋଗ ଯାଇ ନାହିଁ ।

 

ବେଳେ ବେଳେ ଭଉଣୀମାନଙ୍କ ନାଁରେ ଅଯଥା କୁତ୍ସା ପ୍ରଚାର କରିବା ପାଇଁ ବି ସୁରେଶ ପଛାଏ ନାହିଁ । ଆଉ ଦଶ ଜଣ ଦେହଲୋଭୀ ଯୁବକ ଯାହା, ସୁରେଶ ବି ତାଙ୍କ ପାଖରେ ସେଇଆ-। ଖାଲି ମା’ ପେଟରୁ ଜନ୍ମ ହେବାର ସମ୍ପର୍କଟାକୁ ଏଡ଼ାଇ ଦେଇପାରେ ନାହିଁ ଯାହା–ଲୁହାର କବାଟ ଭଳି ସେତିକି ତାକୁ ଧକ୍‍କା ଦିଏ, ବାଧା ଦିଏ–-

 

ଏଇ ତା’ର ଭାଇ । ସହୋଦର ।

 

ଛିଃ....ଜଘନ୍ୟ–କଦର୍ଯ୍ୟ । ଘୃଣାରେ, ଲଜ୍ଜାରେ ସୁନୀଲାର ମନଟା ବିଷେଇଗଲା ସେଇ ମୁହୂର୍ତ୍ତରେ । ଟଙ୍କା ଓଟାରିନେବା ପାଇଁ ବାପା କଅଁଳ ମାଂସଲୋଭୀ ଛଞ୍ଚାଣ ଭଳି ବ୍ୟବହାର କରନ୍ତି-। ସେ ସିଧାସିଧା ପଚାରନ୍ତି, ଏ ସପ୍ତାହରେ ବା ଏ କଣ୍ଟ୍ରାକ୍ଟରେ ରୋଜଗାର କେତେ-? ବେଳେବେଳେ ଆଗତୁରା ଟଙ୍କାଟା ପକେଟରେ ପକାଇନେଇ ଅଭିଭାବକ ଭଳି କଥା କହନ୍ତି-। ଘରେ ପହଞ୍ଚିଲେ ଦେହ କେମିତି ଅଛି, ଭଲରେ ଫେରିଲ ତ ନ ପଚାରି ପଚାରନ୍ତି, କେତେ ରୋଜଗାର ହେଲା ବୋଲି ।

 

ଆଉ ଭାଇ ? ବେଶ୍ୟାର ଦଲାଲ୍ ଭଳି ଭଉଣୀଙ୍କର ଭାଉ ବଢ଼ାଇ, ତାଙ୍କୁ ବିକି, ତାଙ୍କର ଦେହ–ଯୌବନ, ମୁହଁର ହସ ବଜାରରେ ପଣ୍ୟକରି ନିଜର ଦରୁଆନ୍ ହେବାର ପାରିଶ୍ରମିକ, ମଜୁରୀ ଆଦାୟ କରିନିଏ–ଏମାନଙ୍କଠାରୁ ନିଅନ୍ତା, ଗରାକଙ୍କଠାରୁ ନେଉଛି–ତଫାତ୍ ଏତିକି ।

 

ଜଣେ ଅର୍ଥଲୋଭୀ ପଣ୍ଡା– । ଆଉ ଜଣେ ଦଲାଲ୍– । ଛିଃ.....

 

ଶେଷ ଦ୍ୱିପ୍ରହରର କାଳୁହା ହୋଇ ଆସୁଥିବା ପବପ ହଠାତ୍‍ ବିଷାକ୍ତ ହୋଇଗଲା କେମିତି....ସୁନୀଲାର ମନର ଉଷ୍ମତା ତାକୁ ଉତ୍ତପ୍ତ କରିଦେଲା ସତେ କି !

 

ଅନୀଲାର ଡାକରେ ଚମକି ପଡ଼ିଲା ସୁନୀଲା । ସେ ଲୋକମାନେ ଫେରିଗଲେଣି କି କ’ଣ ? ଅନୀଲା କେତେବେଳେ ବାହାରକୁ ଉଠିଯାଇଥିଲା–ଫେରୁଛି ବାହାରଆଡ଼ୁ । ବାପା ବି ଦାଣ୍ଡପଟୁ ଆସୁଛନ୍ତି ।

 

ଇସ୍, ଅଯଥାଏ ଦିହଘଷରା ତିନିଦିନିଆ, ପୁଣି ଯାହାର ପ୍ରତିକାର ଚାହିଁଲେ ବି କରିହେବ ନାହିଁ, ସେମିତି ବାଜେ କଥାଗୁଡ଼ାଏ ଭାବିଭାବି ସୁରେଶର ଶେଷ କଥାବାର୍ତ୍ତା ଶୁଣିପାରିଲା ନାହିଁ ସେ । ବାପା ସେମାନଙ୍କ ସହିତ କଥାବାର୍ତ୍ତା କରି ଟଙ୍କା ଆଣିପାରିଥାଆନ୍ତି–କିମ୍ବା ସୁରେଶ ମନକୁମନ ସେମାନଙ୍କୁ ପ୍ରତିଶ୍ରୁତି ଦେଇପାରିଥାଏ–କାରଣ ସେ ଶୁଣିଚି, ଏମାନେ କାଲି ସକାଳୁ ସୁନ୍ଦରପୁର ଯିବେ ବୋଲି ସବୁ ଠିକ୍ ଠିକ୍ କରିସାରିଛନ୍ତି ।

 

ଦର୍ପଣଟାଏ ଆଗରେ ଥୋଇ, କ’ଣ ଗୋଟାଏ ନୂଆ କିଣା ବାସନାତେଲ ମୁଣ୍ଡରେ ମାରି ଅନୀଲା ମୁଣ୍ଡ କୁଣ୍ଡାଇବାକୁ ବସିଯାଇଛି । ଶାଢ଼ିର ଗୋଟାଏ କାନି ଓଠରେ ଚାପି ଧରିଛି ସେ । ବାଳ ଅଗରେ ଫିତାଟାଏ ବାନ୍ଧୁ ବାନ୍ଧୁ ସେ କହିଲା, “ହେ ଅପା, ସେଠି ଗୋଟାଏ ସେମିତି ଖୁଣ୍ଟଟାଏ ଭଳି ବସିଚୁ କାହିଁକି କିଲୋ ମିଛଟାରେ ? ବୁଣାବୁଣି ତ କିଛି କରୁନୁ !’’

 

ନିଜ ଭାବନାର ଝିଅ ଛିଡ଼ାଇ ସୁନୀଲା ଚାହିଁଲା ତା’ଆଡ଼େ । ମୁହଁରେ ତା’ର ସେଇ ଫାଜିଲାମିର ହସ । ସଜ ହେଉଛି ସେ ବୋଧେ ରସିକମୋହନ ଆସିବ ବୋଲି ଆଜି ସନ୍ଧ୍ୟାବେଳେ-। ସନ୍ଧ୍ୟାବେଳକୁ ଘଷିମାଜି ହୋଇ ଟିକେ ସଫାସୁତୁରା ହୋଇଯିବା ସମସ୍ତଙ୍କର ଅଭ୍ୟାସ-

 

ବେଣୀ ପକାଉ ପକାଉ ଅନୀଲା ଶୁଣି ପଚାରିଲା, “କିଲୋ, ମୁଣ୍ଡ ବାନ୍ଧିବୁ ନାହିଁ କି ? ରେଡିଓ ଷ୍ଟେସନ ନା କୁଆଡ଼େ ଯିବୁ ପରା ତୁ ? ବୁଲାଭାଇକୁ କହିଚୁ ଆସିବ ବୋଲି ?”

 

“ହଁ, ତୁ ସାର ଆଗ ।”

 

କ୍ଳାନ୍ତ, ଶ୍ରାନ୍ତ ହେଲା ଭଳି ସୁନୀଲା ତା’ ବସିଲା ଜାଗାରୁ ଧୀରେ ଧୀରେ ଉଠିଲା । ସିଲେଇ ଜିନିଷପତ୍ର ସବୁ ଥୋଇଦେଲା ଥାକଉପରେ ।

 

ବୋଉ ଉଠିଗଲାଣି ବାହାରକୁ । ଆକାଶଟାର ଗୋଟାଏ ଅଂଶରେ ଛେନା ଛିଡ଼ିଯାଇଛି–ଆଉ ଗୋଟାଏ ପାଖ ଲାଲ-ସୁନେଲି ମିଶା ରଙ୍ଗରେ ଗୋଳିହୋଇ ଜକଜକ୍ ଦିଶୁଛି ।

 

ବେଳ ଗଡ଼ିଗଲାଣି ।

 

ପିଲାଏ ସ୍କୁଲରୁ ଫେରିଲେଣି । ତାଙ୍କୁ ସବୁ ବୋଉ ପଖାଳ ବାଢ଼ି ଦେଇଚି କି କଅଣ ରୋଷେଇ ଘରେ । ପାଟି କରୁଛନ୍ତି ସେମାନେ ।

 

ବାହାରକୁ ଉଠିଆସି ମୁହଁରେ ସାବୁନ୍ ମାରି ଧୋଇ ଧାଇ ହୋଇ, କାନିରେ ମୁହଁ ପୋଛି ଘର ଭିତରକୁ ପୁଣି ପଶିଗଲା ସୁନୀଲା । ଅନୀଲାର ମୁଣ୍ଡବନ୍ଧା ସରିଯିବା ଉପରେ । ଘରଟା ଭିତରେ ଅକାରଣରେ ଥରେ ଦୁଇ ଥର ଘୂରିବୁଲି ଖଟତଳୁ ସୁଟକେଶଟାଏ ଘୋଷାରିଆଣି ଗୋଟାଏ ଶାଢ଼ି ଆଉ ବ୍ଲାଉଜଟାଏ କାଢ଼ିଲା ସେ । ତାକୁ ଖଟଉପରେ ଥୋଇ ସୁଟକେଶଟାକୁ ପୁଣି ପେଲିଦେଲା ଖଟ ତଳକୁ ।

ଅଇନାରେ ସୁନୀଲାକୁ ଚାହିଁ ଅନୀଲା ପଚାରିଲା, “ତୋ ଲୁଗାପଟା କ’ଣ ସଜାଡ଼ିଲୁଣି କିଲୋ ଅପା ? ମୋ’ଟା ବି ତୁ ସଜାଡ଼ିଦେବୁ କାଲିକା ପାଇଁ ।”

“କାଲି ଯିବା ନାହିଁ ବୋଲି ଭାବୁଛି ।”

କାହିଁକି କେଜାଣି ବେଶ୍ ଗମ୍ଭୀର ଭାବରେ କହିଲା ସୁନୀଲା । ସୁରେଶ ସହିତ କଥାବାର୍ତ୍ତା ହେଲା ପରେ କ’ଣ କ’ଣ ଘଟିଛି, ସେକଥା ଜାଣିବା ପାଇଁ ହୁଏତ ସେ କହିଲା । କଥାରେ ତା’ର କିନ୍ତୁ ସେ ଖାମଖିଆଲି ଭାବ ଆଦୌ ନ ଥିଲା । ଭାରି ଗମ୍ଭୀର ହୋଇ ଦୃଢ଼ଭାବରେ ସେ କଥାଟା କହିଥିଲା । ଚମକି ପଡ଼ିଲା ଭଳି ବୁଲିପଡ଼ିଲା ଅନୀଲା ତା’ର କଥାର ଢଙ୍ଗରେ । ତାକୁ ଚାହିଁ କହିଲା–“କିଲୋ, ସବୁ ଆୟୋଜନ ସାରି, ବୁଲାଭାଇଟାକୁ କହି, ଶେଷକୁ ଯିବା ନାହିଁ କ’ଣ ?”

“ଆୟୋଜନ ଆଉ କ’ଣ ? ବୁଲାଭାଇକି ତ କହିଦେଲେ ହେଲା । ତା’ଛଡ଼ା ସେମାନେ ତ କାହିଁ ଆସିଲେ ନାହିଁ ।”

ଆରପଟ ଘରେ ବସି ମଦନବାବୁ ବୋଧେ ଶୁଣୁଥିଲେ ଏମାନଙ୍କ କଥା । ସେଇଠି ଥାଇ କହିଲେ, “ହଁ, ହଁ, ସେମାନେ ଏଇନେ ଆସିଥିଲେ । ବାଟଖର୍ଚ୍ଚ ଆଉ ଦଶ ଟଙ୍କା ଆଡଭାନସ୍ ଦେଇଯାଇଛନ୍ତି–“

ଓଃ, ସତେ କି ଆମେ ବାଘ ଆଉ ଇଏ ଆମ ରିଙ୍ଗ୍ ମାଷ୍ଟର–ଯୋଉଠି ନଚେଇବାକୁ କହିବେ ନାଚିବୁ ? ଏଇଆ କହିବାକୁ ଇଚ୍ଛା ହେଉଥିଲା ସୁନୀଲାର । ନିଜକୁ ଯଥାସଂଭବ ସଂଯତ କରିନେଇ କିଛି କହିଲା ନାହି ସେ ।

କିନ୍ତୁ ନିଜ ଅଜାଣତରେ ଅବଚେତନ ମନ ତା’ର ବିଦ୍ରୋହ କରିଉଠିଲା ଏ ଘଟଣାରେ । ତାଙ୍କୁ ନ ଜଣାଇ, ଟଙ୍କା ରଖି, ଆଉ ଜଣେ ଲୋକ ହାତରେ ପଠାଇ ଦେବାକୁ ତିଆରି ହେବା, ଏସବୁ କଥା ବିଷ ଭଳି ଲାଗିଲା ତାକୁ ।

ନିଜ ବାପାଙ୍କର ସ୍ୱର ତାକୁ ଲାଗିଲା ଗୋଟାଏ ଇତର, ଛୋଟଲୋକ କି ଗୋଟାଏ ଭୟଙ୍କର ଚକ୍ରାନ୍ତକାରୀ ଖୁନୀ ଲୋକର କଣ୍ଠସ୍ୱର ଭଳି । ନିଜ ଅଜାଣତରେ ତା’ ଭିତରୁ କିଏ ଜଣେ ଜବାବ ଦେଲା, “ଟଙ୍କା ଦେଲେ କ’ଣ ହେଲା ? ମୋ ଦେହ ଭାରି ଖରାପ ଲାଗଲାଣି–ମୁଁ ଯିବି ନାହିଁ-।”

“କାଲି ଭଲ ହୋଇଯିବ ନାହିଁ ?”

“ରାତିକ ପାଇଁ କ’ଣ ଦିହ ଖରାପ ହୋଇଚି ନା କ’ଣ ଯେ,ସକାଳ ହେଲା ମାତ୍ରେ ଭଲ ହେଇଯିବ ? ଭଲ ଲାଗିଲେ ତ ନିଶ୍ଚେ ଯିବି ।”

ବାପାଙ୍କର ସ୍ୱରକୁ ଅନୁସରଣ କରି ଓ ସୁନୀଲାକୁ ଚାହିଁ ଚାହିଁ, ମଣ୍ଡ ବାନ୍ଧିସାରି ଅନୀଲା ଅଇନା, ପାନିଆ ଅପା ଆଗରେ ରଖୁ ରଖୁ ଭାବୁଥିଲା, ତା’ ଶୋଇବା ଭିତରେ କିଛି ଗୋଟାଏ ଘଟଣା ଘଟିଛି ନିଶ୍ଚୟ । ଅପା ମନା କରୁଛି, ବାପା ରଖିଛନ୍ତି ଟଙ୍କା–ଏସବୁ ତାକୁ କେମିତି ଖାପଛଡ଼ା ଲାଗିଲା । ସାଧାରଣତଃ ଏମିତି ସବୁ ଘଟଣାରେ ବିରୋଧଟା ଆରମ୍ଭ ହୁଏ ତା’ରି ଆଡ଼ୁ । ସୁନୀଲା ବେଳେବେଳେ ତା’ର ନୀରବ ସମର୍ଥକ ହୁଏ–ପୁଣି କେତେବେଳେ ତାକୁ ବୁଝାଏ ଜିଦ୍ ନ ଧରିବାକୁ । କିନ୍ତୁ ଅପାର ପୁଣି କ’ଣ ହେଲା ଆଜି ?

 

ଅନୀଲାର ଆଗ୍ରହ ବଢ଼ିଗଲା ଧୀରେ ଧୀରେ ଘଟଣାଟା ଜାଣିବା ପାଇଁ । ସେ ସ୍ପଷ୍ଟ ଭାବରେ ଜାଣିପାରୁଥିଲା ଯେ ଅପା ସତରେ ତା’ର ଦେହ ଖରାପ ବୋଲି ଯିବାକୁ ମନା କରୁ ନାହିଁ-। କହୁଛି ଏମିତି କିଛି ଗୋଟାଏ ମାନସିକ କାରଣରୁ । ଧୀର ଗଳାରେ ସେ ପଚାରିଲା ସୁନୀଲାକୁ–

 

“କ’ଣ ହେଲା କିଲୋ ଅପା ।”

 

“କିଛି ନାହିଁ–ମୁଁ କିନ୍ତୁ ଯିବି ନାହିଁ ।”

 

“ତୁ ତ ଚେଇଁଥିଲୁ, ସେମାନେ ଆସିବା କଥା, ଟଙ୍କା ଦେବା କଥା ଜାଣିପାରିଲୁ ନାହିଁ କେମିତି ? ଆଗରୁ କ’ଣ ଦେଇଥିଲେ ?”

 

ଅନୀଲା ମନେମନେ ଠିକ୍ କରି ନେଇଥିଲା, ଏଇ ସଂକ୍ରାନ୍ତରେ ଗଣ୍ଡଗୋଳଟା ଘଟିଛି ବୋଲି ।

 

ଦୁଇ ଅଭିନେତ୍ରୀ ଝିଅଙ୍କର କଥୋପକଥନ ଶୁଣିବାକୁ ଅତି ନିର୍ଲଜ୍ଜ ଭାବରେ କାନ ଡେରିଥିଲେ ବି ମଝିରେ ମଝିରେ ଗୋଟାଏ ଗୋଟାଏ ଶବ୍ଦ ଛଡ଼ା ତାଙ୍କୁ କିଛି ଶୁଭୁ ନ ଥିଲା । ନିଜ ବଖରାର ଝରକା ପାଖକୁ ସେ ଆହୁରି ଆହୁରି ଘୁଞ୍ଚିଆସି ବସୁଥିଲେ–ଏମିତି ଲାଗି କରି ବସିଲେ କାଳେ କିଛି ଶୁଭିଯିବ । ଭାବୁଥିଲେ ବାହାରକୁ ଉଠିଆସି ଶୁଣିବେ ।

 

ସେମାନେ ଆସି ନାହାନ୍ତି ବୋଲି ପ୍ରଥମରୁ କହିଥିଲେ ବି ଚିଡ଼ିଯାଇ ଏଥର ସବୁ କହିଦେଲା ସୁନୀଲା ।

 

“ସେମାନେ ଆସିଥିଲେ–ସୁରେଶ ପାଇଁ ସେମାନଙ୍କ ସଙ୍ଗେ ଦଲାଲୀ କରୁଥିଲା କିଛି ପଇସା ଝଡ଼େଇବ ବୋଲି । ବାପା ମଝିରେ କେତେବେଳେ ଉଠିଯାଇ ଯକ୍ଷ ଭଳି ପଇସା ନେଇ ଆସିଛନ୍ତି । ଆମକୁ ନ ଜଣେଇ, ନ କହି ଟଙ୍କା ପକେଟରେ ରଖିବେ ସେ କାହିଁକି ? କ’ଣ ଆମ ଭଡ଼ା ରଖିବାକୁ ମ୍ୟାନେଜର ସେ ?”

 

ବଡ଼ବଡ଼ ଆକଟ୍ରେସଙ୍କର ସବୁ ସେକ୍ରେଟାରୀ ଥାଆନ୍ତି ବୋଲି ଶୁଣିଥିଲା ସେ । ସେଥିପାଇଁ ବେଶ୍ୟା ଦଲାଲ୍ କି କିରାଣୀ ବୋଲି ନ କହି ମ୍ୟାନେଜର ଶବ୍ଦ ବ୍ୟବହାର କଲା ସେ ସମ୍ମାନ ରକ୍ଷା କରି ।

 

କଥାର ଶେଷ ଅଂଶ ମଦନବାବୁ ଶୁଣିଛନ୍ତି । ଅନ୍ତତଃ ଶେଷ ଅଂଶଟା । ସାପ ପଦ୍ମତୋଳା ଶୁଣି ଗାତରୁ ବାହାରିଲା ପରି ଘରୁ ବାହାରିଆସି ସେ କହିଲେ, “ତମେ ସବୁ ଆଗରୁ ପ୍ରସ୍ତୁତ ହୋଇଚ ବୋଲି ଶୁଣିଥିଲି–ଏଇ ତ ସେମାନେ ଏଇନେ ଗଲେ । ମୁଁ ତାଙ୍କୁ ସବୁ ବିଦାକରି ଏଠି ବସିଛି ଆସି । କହିଲି ନାହିଁ କ’ଣ ? ତମର ଇଚ୍ଛା ନ ଥିଲେ ମୁଁ କ’ଣ ବାଧ୍ୟ କରିବି ? ଇଏ ପରା କଳାର କଥା....ବାଧ୍ୟବାଧକତାରେ କ’ଣ ଏସବୁ ହୁଏ ?”

 

ନା, ସେ ରାଗିଲେ ନାହିଁ । କାରଣ ଏ ଅବସ୍ଥାରେ ରାଗିଲେ ଚଳିବ ନାହିଁ । ଦରକାର ପଡ଼ିଲେ ଗାଳି ଶୁଣିଲେ ବି, ଅପମାନ ପାଇ ସୁଦ୍ଧା ମଦନବାବୁ ଏମିତି ନରମିଯାଇ, କଅଁଳିଆ କଥା କହି, ଶୁଣାଶୁଣି କରି ଶିଖିଥିବା କଳାର ମର୍ଯ୍ୟାଦା, କଳାର ବୈଶିଷ୍ଟ୍ୟ ସମ୍ପର୍କରେ ଭଡ଼ାଏ ଉପଦେଶ ବଖାଣନ୍ତି ।

 

ତାଙ୍କର ଏଇ ଭଲେଇହେବା ଆଉ ଉପଦେଶ ଦେବା ଶୁଣିଲେ ସୁନୀଲାର ହାଡ଼ ଜଳିଯାଏ । ବାଧ୍ୟ କରି ଭଡ଼ା ଆଦାୟ କରି, ପେଟ କଥା କହି, ଠେଲି ପେଲି ପଠାଇବା ବରଂ ବରଦାସ୍ତ କରିହେବ, କିନ୍ତୁ ଶୁଆ ଭଳି କଳା ବିଷୟରେ ଶିଖିଥିବା ବୋଲି ଆଉଡ଼େଇଲେ ବଡ଼ ଅସହ୍ୟ ହୋଇଉଠେ । ବାପା ବୋଲି ସମ୍ମାନ ହେବା ତ ଦୂରର କଥା, ବରଂ ମୁହଁ ଚାହିଁବାକୁ ଇଚ୍ଛା ହୁଏନା । ରୀତିମତ ଟାଉଟରୀ–

 

ସୁନୀଲା ମୁହଁ ଫିଟାଇ କିଛି କହିବା ଆଗରୁ ଅନୀଲା ଉତ୍ତର ଦେଲା–

 

“ଉଁଃ, ଆଗରୁ ଶୁଣିଥିଲ କାହାଠୁଁ ? ଆମକୁ ଡାକିଦେଲ ନାହିଁ ? ଆମର ତାଙ୍କଠୁଁ ଆଉ ସବୁ କଥା ଜାଣିବାର ଥିଲା–କୋଉଠି ରହିବୁ ? –ଆଉ ଭାଇ କ’ଣ ଦଲାଲୀ କରୁଥିଲା ପରା ? ବେହିଆ–’’

 

ଆହୁରି ମୋଲାୟମ ଗଳାରେ ନିଆଁରେ ପାଣି ପକାଇବା ପାଇଁ ମଦନବାବୁ କହିଲେ, “ତମର ସବୁ ସୁବିଧା, ଆସୁବିଧା କଥା ମୁଁ ବୁଝିଛି–ମୁଁ ତମ ବାପ ନ ପର ? ଏତିକି ବୁଦ୍ଧି କ’ଣ ମୋର ନାହିଁ ? କୋଉଠି ରହିବ, କ’ଣ ଖାଇବ ? ତା’ଛଡ଼ା ବୁଲା ପରା ତମ ସାଙ୍ଗେ ଯାଉଚି ? ତମରି ଅସୁବିଧା ହେଲେ ସିଏ ତାଙ୍କୁ ସବୁ ଆଉ ରଖିବ ?”

 

ବିଦ୍ରୋହ ଘୋଷଣା କରି ନ ଯିବାକୁ ସ୍ଲୋଗାନ ଦେଇ ସାରିଥିଲେ ମଧ୍ୟ ବୁଲାଭାଇ ଯିବ ଛାଡ଼ିବା ପାଇଁ—ତା ସହିତ ଏକତ୍ର ଯାତ୍ରାଟା ହେବ....ଏଇ ମଧୁର ମୋହଟା ସୁନୀଲାକୁ ଆଚ୍ଛନ୍ନ କଲା । ଲୋଭନୀୟ ଏ ଆକର୍ଷଣ ପାଇଁ ଏ ସାଧାରଣ ଅପମାନ ଟିକକ ତୁଚ୍ଛ କରିଦେବା ପାଇଁ ମନଟା ହାଇଁପାଇଁ ହୋଇଉଠିଲା ତାର ।

 

ଗୋଟିଏ କିଛି ସମାଧାନ କରି ଯିବା କଥଟା ପୁଣି ଥରେ ନିଶ୍ଚିତ କରାଇବାକୁ ଭାବିବସିଲା–

 

“ଉଁଃ, ଭାରି ନିଜର....ଝିଅ, ଭଉଣୀ ନାଁରେ ଯିଏ ପଇସା ରୋଜଗାର କରନ୍ତି, ତାଙ୍କୁ ନିଜର କହିବାକୁ ସତରେ ଭାରି ବାଧେ–’’

 

ମୁହଟା ଛିଞ୍ଚାଡ଼ି କହିଲା ଅନୀଲା । ଥରେ ଚିଡ଼ିଗଲେ ତା’ ପାଟିରେ ବାଡ଼ବତା ରହେନା–ମୁହଁକୁ ଅନେଇ ସେ କଥା କହେ ନାହିଁ ସେତେବେଳେ ।

 

କ୍ଷୁଣ୍ଣ ଏବଂ ବିରକ୍ତ ହେଲେ ମଧ୍ୟ ମଦନବାବୁ ନୀରବ ରହିଲେ–ଉପରକୁ ତାଙ୍କର ବିରକ୍ତିର ଲେଶମାତ୍ର ପ୍ରକାଶ କରାଇ ଦେଲେ ନାହିଁ ।

 

“ଆମେ ଯିବୁନି ଯା’’–ଅନୀଲା କହିଲା ।

 

“ଆଉ ଏଠି କଣ ଖାଇବ ବସି ?” –ମଦନବାବୁ ଚଢ଼ାଗଳାରେ କହିଲେ ଏଥର ଆଉ ସହି ନ ପାରି ।

 

“କାହିଁକି ? ଜନ୍ମ କରିବାକୁ କ’ଣ ଖୁସି ଲାଗୁଥିଲା ସେତେବେଳେ, ଖାଇବାକୁ ଦେଇ ନ ପାରିବ ଯଦି ? ନା, ଆଗରୁ ଠିକ୍ କରିଥିଲ ମ, ଝିଅ ହେଲେ ତାଙ୍କୁଇ ବିକିଭାଙ୍ଗି ଚଳିବ ?”

 

ଅତି ଅଶ୍ଳୀଳ ଭାବେର ଅନୀଲା କହିଲା । ଅନ୍ୟ ସମୟରେ ହୁଏତ ଏକଥା ପାଟିରେ ପଶନ୍ତା ନାହିଁ । ସେ କିନ୍ତୁ ରାଗରେ ଥରୁଥିଲା । କଥାରେ ତାର କେବଳ ରାଗ ନୁହେଁ, ଘୃଣା, ବିଦ୍ୱେଷ, ବିଦ୍ରୋହ ସବୁ ଏକାଠି ଅଭିବ୍ୟକ୍ତ ହେଉଥିଲା ।

 

“ଭାରି ତ ମୁହଁ ବଢ଼ି ବଢ଼ି କଥା କହୁଚୁ ତୁ ? ତମକୁ ସବୁ ବିକି ମୁଁ ଚଳୁଚି ନା ?”

 

“ହଁ....ହଁ.....ତମେ ଆମକୁ ବିକି, ଭଡ଼ା ଲଗାଇ ଚଳୁଚ, ରହୁଚ...ହେଲା ?”

 

ଚିତ୍କାର କରି କହୁଥିଲା ଅନୀଲା । ଜନ୍ମ କଲା ବାପକୁ ଯେ ସେ ଏତେ ଅଶ୍ରାବ୍ୟ, ଅଶ୍ଳୀଳ ଭାଷାରେ, ଏ ଧରଣର ଭୟଙ୍କର କଦର୍ଯ୍ୟ ଇଙ୍ଗିତ ଦେଇଯାଉଛି, ଏ ଧାରଣା ସେ ଭୁଲିଯାଇଥିଲା ଏକାବେଳକେ । ଜନ୍ମଦାତା ବାପାର ସଂଜ୍ଞା ଅଲଗା । ସେ ମଧ୍ୟ ଝିଅ ସହିତ ଏପରି ବ୍ୟବହାର କରେ ନାହିଁ ।

 

“ଅନୀ” । ....ବଡ଼ ପାଟିରେ ସୁନୀଲା ଚିତ୍କାର କରି କହିଲା–“ଚୁପ କର୍ ତୁ”…

 

ଆଉ କ’ଣ ଜିଭ ଅଗରେ ଲେଉଟି ଆସୁଥିଲା ଅନୀଲାର । ପାଟି କରି ସେ କ’ଣ ଗୋଟାଏ କହି ଆସୁଥିଲା–ସୁନୀଲାର ପାଟି ଶୁଣି ଦବିଗଲା–ତୁନି ହୋଇଗଲା ହଠାତ୍ । ପାଟିଗୋଳ ଶୁଣି ବୋଉ ରୋଷେଇ ଘରୁ ବାହାରି ଆସି ଛିଡ଼ା ହୋଇ ନୀବରେ ସବୁ ଶୁଣୁଥିଲେ । ତାଙ୍କୁଇ ଲକ୍ଷ୍ୟ କରି ମଦନବାବୁ ଗୁହାରି କଲେଁ, ଦେଖ, “ଦେଖ ତମର ଯୋଗ୍ୟ ରୋଜଗାରିଆ ଝିଅଙ୍କ କଥା.....ପାଟିରେ କେମିତି ତାଙ୍କର ବାଡ଼ବତା ରହୁ ନାହିଁ ।”

 

“କି ଆକ୍ଟିଂ କଲା ଯେ ବାବା ସିଏ, ଆଉ କ’ଣ ମଣିଷ ମାନୁଚି ?” ବୋଉ ଟିପ୍‍ପଣୀ କଲେ । ତାଙ୍କର ମଧ୍ୟ ମର୍ମ ସ୍ପର୍ଶ କରୁଥିଲା ଅନୀଲାର ବ୍ୟବହାର, ତା’ର କେତେଟା କଥା । କୋଉଠୁ ଗୋଟାଏ ଛୋଟା, କଣା, କୁଜା ଲୋକକୁ ଧରିଆଣି, ତାକୁ ହାତକୁ ଦି’ହାତ କରିଦିଅନ୍ତ ଭଲା । ....ସେଇଟା ପରା ଉଛୁଳିଲାଣି ।” ଯୋଗ କଲେ ବୋଉ ।

 

ସାହସ ପାଇ ମଦନବାବୁ ଏଥର କହିଉଠିଲେ–

 

“ନାଇଁ, ନାଇଁ....ତମେ ଶୁଣୁଚଟି ? କ’ଣ ଭଲା ସିଏ ନ କହିଗଲା ? କହିବଟି ? ମୁଁ ପୁଣି ୟାଙ୍କ ବାପା.....ଧିକ୍ ମୋ ବପା ଜନମରେ”–

 

–“ଓଃ ବାହା କରିଦବ ? ତା’ହେଲେ ତମର ଗେଫା ଚଳିବ କେମିତି ? ନା ଗୀତା ଏଥର ବଡ଼ ହୋଇ ଆସିଲାଣି ? କାମ ଚଳାଇବ ମ ?” –ବାହାରକୁ ଶୁଭୁଥିଲେ ବି ଅନୀଲା ଏଥର ଅପେକ୍ଷାକୃତ ଧୀର ଗଳାରେ କଥାଟା କହିଲା ।

 

ତା’ କଥାଟା ବାହାରକୁ ନ ଶୁଣାଇବା ଅଭିପ୍ରାୟରେ ସୁନୀଲା ବଡ଼ ପାଟିରେ କହିଲା–“କାହିଁକି ତୁ ଭଲା ବକର ବକର ହଉଚୁ କହିଲୁ ଅନୀଲା । କିଛି ଲାଭ ମିଳୁଛି ଏଥିରୁ ?”

 

ଗର୍‍ର ଗର୍‍ର ହୋଇ ବାପା, ବୋଉ ଫେରିଗଲେ ନିଜ ନିଜ ଜାଗାକୁ–ବାପା ଘର ଭିତରକୁ, ଆଉ ବୋଉ ରୋଷେଇ ଘର ଭିତରକୁ ।

 

ପୋଷା କୁକୁର ତଡ଼ିଆସି, ଖାଉନ୍ଦ ଡାକିଲେ ପୁଣି ଯେମିତି ଗେଁ ଗେଁ ହୋଇ ନିଜର ମୁନିବ ଘରକୁ ପଶିଆସେ, ସେମିତି ।..

 

ସୁନେଲି ରଙ୍ଗ ଏଥର ପୂରାପୂରି ଧୋଇ ହୋଇଗଲାଣି ଆକାଶ-ପୃଷ୍ଠାରୁ । ସଫା ନୀଳରଙ୍ଗ କିଏ ବୋଳିଦେଇ ଗଲାଣି ସେଠି ।

 

ଆଉ ଟିକେ ଗଲେ ସଞ୍ଜର ସଙ୍କେତ ନେଇ ଜୁଳୁଜୁଳିଆ ପୋକ ଭଳି ଅସଂଖ୍ୟ କୁନି କୁନି ତାରାରେ ଛାଇଯିବ ସାରା ଆକାଶଟା । ଠୋଲାପିନ୍ଧା ବିଜୁଳିବତୀଗୁଡ଼ାକ ଜଳିଉଠିବ ରସ୍ତାକଡ଼ସାରା–ରାସ୍ତାରେ କ୍ରମଶଃ ଜନକୋଳାହଳ ବଢ଼ିଆସୁଛି–

 

ମଧ୍ୟାହ୍ନର ଗ୍ଳାନି ଧୋଇ ହୋଇଯାଉଛି ମନରୁ–

 

ଦାଣ୍ଡଦୁଆରେ ସାଇକେଲ ଘଣ୍ଟି ବାଜିଉଠିଲା । କାନ ଡେରି ରହିଥିବା ଭଳି ଅନୀଲା ଧାଇଁଗଲା ଦାଣ୍ଡଆଡ଼େ । ସୁନୀଲା ବି ମୁଣ୍ଡ କୁଣ୍ଡେଇ ସାରି ପ୍ରାୟ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲା ବୁଲାକୁ । ଆଶା କରୁଥିଲା, ଏ ବେଲ୍ ନିଶ୍ଚେ ବୁଲାର ବୋଲି ।

 

ଉଚ୍ଛଳ ତଟିନୀ ଭଳି ସୁନୀଲାର ଉଚ୍ଛୃଙ୍ଖଳ ଖଳ ଖଳ ହସ ତାକୁ ନିଶ୍ଚିତ ଭାବରେ ସୂଚେଇଦେଲା ଯେ ଆଗନ୍ତୁକ ରସିକମୋହନ–ବୁଲାଭାଇ ନୁହେଁ ।

 

ଚମତ୍କାର, ମୋଲାୟମ ଆଗତପ୍ରାୟ ସନ୍ଧ୍ୟାଟା ଆଉ ଟିକକ ଆଗରୁ ଘଟିଥିବା ଘଟଣାରେ ଭାରାକ୍ରାନ୍ତ ହୋଇ ଉଠିଥିଲା ସୁନୀଲାର ମନ ସହିତ ତାଳ ମିଳାଇ ।

 

ବୁଲାଭାଇର ବିଳମ୍ବ ତାକୁ ଆହୁରି ବିବର୍ଣ୍ଣ, ବିଷର୍ଣ୍ଣ କରୁଥିଲା । ଶତ ସନ୍ତାନ ଜଠରରେ ଧାରଣ କରିବାର ମୋହ ଧରି ବନ୍ଧ୍ୟା ନାରୀର ନିଷ୍ଫଳ ଆକ୍ରୋଶ ଭଳି ସୁନ୍ଦର ସନ୍ଧ୍ୟାଟା ବୃଥା ହୋଇଗଲା ପରି ଲାଗିଲା ସୁନୀଲାକୁ ।

 

ଅକସ୍ମାତ୍ ଏମିତି ଦିନେ ଦିନେ ସୁନ୍ଦର ବର୍ଣ୍ଣାଢ଼୍ୟ ସନ୍ଧ୍ୟାର ରଙ୍ଗ ମଉଳିଯାଏ । ବଡ଼ ବିଚିତ୍ର ଭାବରେ ଫାଙ୍କା ଲାଗେ ଜୀବନଟା–ସତେ ଯେମିତି ଜୀବନଟା ବ୍ୟର୍ଥ, ନିରର୍ଥକ ହୋଇଗଲା ସେଇ ଗୋଟିଏ ସନ୍ଧ୍ୟା ପାଇଁ......କେତୋଟି ଘଣ୍ଟା ପାଇଁ–ଜୀବନରେ ମଧୁର କିଛି ଘଟି ନ ଥିଲା ବା ଘଟିବ ନାହିଁ.......ସେମିତି ଲାଗେ ।

 

ସେଇସବୁ ବିଷଣ୍ଣ ସନ୍ଧ୍ୟାରେ ପୁଣି ଅଚାନକ ଭାବରେ ମନରେ ଛାଇଯାଏ ଗୋଟାକ ପରେ ଗୋଟାଏ ବ୍ୟର୍ଥତାର, ହତାଶାର କାହାଣୀ । ଧାଡ଼ି ବାନ୍ଧି ଶୋଭାଯାତ୍ରାରେ ବାହାରିଲା ଭଳି ସେଗୁଡ଼ାକ ଗୋଟାକ ପରେ ଗୋଟାଏ ଆସନ୍ତି–ଉଁକି ମାରନ୍ତି...ମନକୁ ଭାରାକ୍ରାନ୍ତ କରନ୍ତି.....ବେଦନାହତ କରନ୍ତି....

 

ଅନୀଲା ଆଉ ରସିକମୋହନ ଅଭଦ୍ର ଭଳି ହେଁ ହେଁ ହୋଇ ପଶିଆସିଲେ ଘରଭିତରକୁ-। ଅନୀଲାର ଦମ୍ଭ ଆଶ୍ଚର୍ଯ୍ୟ ଲାଗିଲା ତାକୁ । ଗତ ରାତିରେ ଦେଖିଥିବା ଘଟଣା ପରେ ସୁନୀଲା ରସିକମୋହନକୁ ସୁସ୍ଥ ଆଖିରେ ଦେଖିପାରିଲା ନାହିଁ–

 

ଭୟଙ୍କର ଅସୁସ୍ଥ ଲାଗିଲା ତାକୁ ସେମାନଙ୍କର ଉପସ୍ଥିତି । ତା’ର କେହି ଭଉଣୀ ନ ଥାନ୍ତେ କି ।

 

କିନ୍ତୁ ସେମାନେ କ’ଣ ଯିବେ କୁଆଡ଼େ ବାହାରକୁ ? ବାପାଙ୍କ ଆଗରେ ଏମିତି ଗପୁଛନ୍ତି ସେମାନେ ଅତି ବେହିଆଙ୍କ ଭଳି ? କି ଦୁଃସାହସ ତା’ର ।

 

ଏମିତିଗୁଡ଼ାଏ ଅଯଥା କଥା ମୁହୂର୍ତ୍ତକ ମଧ୍ୟରେ ସୁନୀଲାର ମସ୍ତିଷ୍କକୁ ଆଚ୍ଛନ୍ନ କଲା ।

 

ଅନୀଲାର ଉତଫୁଲ୍ଲ ମୁହଁ ତା’ ଗ୍ଥତିରେ ତୀର ବିନ୍ଧୁଥିଲା...

 

କ୍ରମଶଃ ପାଉଁଶ ଗୋଳି ହୋଇଯାଉଥିବା ଆକାଶର ଛାତିକୁ ଚାହିଁ ରହିଥିଲା ସୁନୀଲା । ଆକାଶ ଆଉ ନୀଳ ନାହିଁ–ଲାଲ୍ କିରଣ ଝରିଗଲାଣି ଅନେକ ବେଳୁ ଏଥର ରାତ୍ରିର ଅପେକ୍ଷାରେ । ଆକାଶ ଦେହରେ ବୋଳି ହୋଇଯାଉଛି ଗୁଡ଼ାଏ କଳା କଳା ଡୋରିଆ ଡୋରିଆ ରଙ୍ଗ । ସିମେଣ୍ଟ ପଲସ୍ତରା ଭଳି ଦେଖାଯାଉଛି...

 

ସମସ୍ତ ବାକ୍‍ବିତଣ୍ଡାର କଥା ଭୁଲିଯାଇଥିଲା ପରି ଆହୁରି ବିଚିତ୍ର ଭାବରେ ମଦନବାବୁ ଦାଣ୍ଡ ବଖରାରୁ ବାହାରି ରସିକମୋହନକୁ ପାଛୋଟିନେଲେ ପ୍ରାୟ । ମୁହଁରେ ତାଙ୍କର ବେହିଆ ହସ–

 

ହସି ହସି ରସିକମୋହନ ସିଗାରେଟ୍ ଯାଚିଲେ–ଆଉ ମଦନବାବୁ ସେମତି ବେହିଆଙ୍କ ଭଳି ଖଳ ଖଳ ହସି ସିଗାରେଟ୍‍ଟା ନେଇ ଧରାଇଲେ ।

 

ତାଙ୍କୁ ସବୁ ଏଡ଼ାଇଯିବା ପାଇଁ ସୁନୀଲା ଘର ଭିତରକୁ ଉଠିଆସିଲା । ଅନୀଲା ସେମାନଙ୍କ ସହିତ ସେଇ ଘର ଭିତରକୁ ପଶିଗଲା–

 

ସେମାନେ କଥାବାର୍ତ୍ତା କରିବାକୁ ଆରମ୍ଭ କଲାମାତ୍ରେ ‘ମୁଁ ଆସୁଛି’ କହି ଅନୀଲା ବାହାରକୁ ଆସିଲା । ଏ ଘରଭିତରକୁ ପଶିଆସି ସୁନୀଲାକୁ କୁଣ୍ଢାଇଧରି ଡେଇଁ ଡେଇଁ ଅତି ନିର୍ଲଜ୍ଜ ଭାବରେ କହିଲା–“ଅପା, ରସିକ୍ ଆଜି ସିନେମା ଯିବାକୁ ଡାକୁଛି.....ଯିବା ? ତୁ–ମୁଁ ?”

 

ହାତ ଦୁଇଟା ଦେହରୁ ଖସାଇଦେଇ ସାମାନ୍ୟ ଗାମ୍ଭୀର୍ଯ୍ୟ ରଖି ସୁନୀଲା କହିଲା–“ମୁଁ ପରା ରେଡିଓ ଷ୍ଟେସନ ଯିବି ବୋଲି ବୁଲାଭାଇକୁ କହିଚି..... ?”

 

“ଚାଲ୍ ନା ଅପା–ନ ହେଲେ ମୁଁ ଏକୁଟିଆ ଯିବା କେମିତି ?”

 

ସୁନୀଲା ବୁଝୁଥିଲା ଅତି ସ୍ପଷ୍ଟ ଭାବରେ ଯେ ଅନୀଲା କେବଳ କଥା ରଖିବାକୁ ଡାକୁଛି । ତା’ର ସମସ୍ତ ଇନ୍ଦ୍ରୟ ଏକାକାର ହୋଇ କହୁଛନ୍ତି, ସୁନୀଲା ନ ଆସୁ.....ସୁନୀଲା ନ ଆସୁ.....ଏ ସନ୍ଧ୍ୟାଟା ନିରବଚ୍ଛିନ୍ନ ଉପଭୋଗ ପାଇଁ ମିଳୁ ଆମକୁ.....ସମସ୍ତ ସନ୍ଧ୍ୟା, ସମଗ୍ର ରାତି ରାହୁ ଆମର ଉପଭୋଗ ପାଇଁ...ଆନନ୍ଦ ପାଇଁ.....ହେ ଭଗବାନ ।

 

–“କାହିଁକି, ଏକୁଟିଆ ତ ସବୁ କରିପାରୁଚୁ...ସିନେମାଟା ଯାଇ ପାରିବୁ ନାହିଁ କାହିଁକି ? ସବୁ କାମରେ କ’ଣ ଅପାକୁ ଡାକିବୁ ?”

 

ସୁନୀଲାର ଶ୍ଳେଷ ଅନୀଲା ବୁଝିଲା–ତଥାପି ପରିବେଶଟାକୁ ହାଲୁକା କରିଦେବାକୁ କହିଲା–“କେବେ ମୁଁ ଏକୁଟିଆ ଯାଇଛି ଭଲା । ମିଛରେ ମୋ ଉପରେ ରାଗୁଚୁ କାହିଁକି କହିଲୁ ?”

 

“ନାଇଁ ନାଇଁ, ମୁଁ ଯାଇପାରିବି ନାହିଁ ।”

 

“ନ ହେଲେ ମୁଁ ଯିବି ନାହିଁ”–ଛଳନାର ଅଭିମାନ କଣ୍ଠରେ ଫୁଟାଇ କହିଲା ଅନୀଲା ।

 

“ଏଃ.....ସତେ କି ମୋତେ ନବାକୁ ହୃଦୟରେ ଇଚ୍ଛା ବଳିପଡ଼ିଚି ୟାର–ଆଗରୁ ତ ଠିକ୍ କରିଥିଲ ଯିବାକୁ ଏକାଠି....ମଝିରେ ମୋତେ ପୁଣି ଡାକି ସଫେଇ ଦଉଚ କାହିଁକି ? ତୁ ତ ତୋର ଯିବୁ ।”

 

ଚିଡ଼ିଯାଇ କହିଲା ସୁନୀଲା–ଆଜି ଦିନଟା ତାର କେବଳ ଚିଡ଼ିବାରେ, ବିରକ୍ତ ହେବାରେ ହିଁ ଗଲା ।

 

–“ଅପା । କ’ଣଗୁଡ଼ାଏ କହିଯାଉଚୁ ତୁ ?”

 

–“ଯା.....ଯା....ତୋ କାମଦାମ ସାରି ଲୁଗାପାଟା ପିନ୍ଧ । ଡେରି ହୋଇଯାଉଚି....ରସିକବାବୁ ଚିଡ଼ିବଣି ସେଣେ ।”

 

କେବଳ ଭଦ୍ରତା ଖାତିରରେ ଆଉ ଅଧିକ ନ ଡାକିବାକୁ ମନସ୍ଥ କରି ଅନୀଲା ବାରିଆଡ଼କୁ ଚାଲିଗଲା–ବୋଧହୁଏ ଗାଧୋଇବାକୁ–

 

ଅନୀଲା ଉପରେ ନିରର୍ଥକ ବିରକ୍ତରେ ମନ ପୂରିଗଲା–ତାକୁ ଘୋଷାରି ଆଣି, ଓଟାରି ଝିଙ୍କି, ଦି’ଚାରି ଚଟକଣି ମାରିବାକୁ ଇଚ୍ଛା ହେଲା ସୁନୀଲାର ।

 

“ନିର୍ଲଜ୍ଜୀ.....ମୋତେ ଆସି ପୁଣି ଡାକୁଚି....ମୁହଁ ରକ୍ଷା କରିବାକୁ–ସମସ୍ତେ ଗୋଡ଼େଇଯିବେ ୟା’ ସାଙ୍ଗରେ ? ଏମାନେ ବସି ହସାହସି ହେବେ...ଯା’ଚ୍ଛା ତାଇ କରିବେ–ଆଉ ୟାଙ୍କ ପାଖରେ ମୁଦୁସୁଲୀ ହୋଇ ଆମେ ବସିଥିବୁ....ଯା....ଯା..ଫଳ ପାଇବୁ ଯେ.... ।

 

ମନକୁ ମନ ବିଡ୍ ବିଡ୍ କରି କହିଗଲା ସୁନୀଲା–ଘରଟା ଭିତରେ କେହି ନାହାନ୍ତି.....

 

ବାପା, ରସିକମୋହନଙ୍କ କଥାବାର୍ତ୍ତା ଏ ପର୍ଯ୍ୟନ୍ତ ଶୁଣି ନ ଥିଲା ସେ । ରସିକମୋହନ ହୁଏତ ଅନୁମତି ମାଗୁଥିବ ।

 

ଅକାରଣ କୌତୂହଳୀ ହୋଇ ସେ କାନ ପାତିଲା ସେମାନଙ୍କ କଥା ଶୁଣିବାକୁ । ସେମାନଙ୍କ କଥାରୁ ଖିଏ ଶୁଣି ନିଜ ଉପରେ ଧିକ୍‍କାର ଆସିଗଲା ସୁନୀଲାର । ତା’ର ନିଜର ଓ ଅନୀଲାର କଳଙ୍କମୟ ଜୀବନ ପାଇଁ ଯେ ତାଙ୍କର ଏଇ ଲୋଭୀ, ହୀନ, ଜଘନ୍ୟ, ଅର୍ଥଗୃଧ୍ନୁ ବାପା ଦାୟୀ, ଏକଥା ବାରମ୍ବାର ମନେ ହେଲା ତା’ର । ମଦନବାବୁ କହୁଥିବାର ସେ ଶୁଣିଲା–

 

–“ଆପଣଙ୍କ ପାଖେ ଏକଷ୍ଟ୍ରା ଦଶଟା ଟଙ୍କା ହେବ କି ? ବଡ଼ ଅସୁବିଧାରେ ପଡ଼ିଚି ମୁଁ....ଆଜି ହଠାତ୍ ପଇସା ସରିଗଲା ବୋଲି ସୁନୀଲା ବୋଉ ମୋତେ କହୁଚି–ଆଗରୁ ଟିକେ କହିବା ତ ଉଚିତ୍ ? ଗାଁରୁ, ଜମିଦାରୀରୁ ଯାହା ଆସେ, ସେଥିରେ ଚଳିବା କଥା–ସୁନୀଲା, ଅନୀଲା ନିଜ ନିଜର ଖର୍ଚ୍ଚ କରନ୍ତି...ବୁଝୁଥିବେ ତ, ଏମାନଙ୍କର ଷ୍ଟାଣ୍ଡର୍ଡ ରଖି, ଏଡ଼େ ବଡ଼ ପରିବାରଟିଏ ସହରରେ ଚଳାଇବା ଆଜିକାଲି କେତେ କଷ୍ଟ.... ?”

 

“ନିଶ୍ଚୟ....ନିଶ୍ଚୟ...ଆପଣ ବୋଲି ଚଳେଇ ନେଉଛନ୍ତି....”

 

“ମୁଁ କିଛି ଦିନ ପରେ ଦେଇଆସିବି ।”

 

“ହଉ, ସୁବିଧା ହେଲେ କେବେ...ସେଥିରେ ଗୋଟାଏ କ’ଣ ଅଛି ।”

 

ହେଜ ହେଲା ଦିନଠାରୁ ଆଜି ପର୍ଯ୍ୟନ୍ତ ସୁନୀଲା ଶୁଣି ନାହିଁ କି ଜାଣେ ନାହିଁ, ସେମାନଙ୍କର ଗୋଟାଏ ଗାଁ କୋଉଠି, କୋଉ କାଳେ ଥିଲା ବୋଲି, ସେଠି ପୁଣି ଜମିଦାରୀ ଅଛି...ଆଉ ୟାଙ୍କ ଜମିଦାରୀରୁ କୁଆଡ଼େ ଧାନ, ଚାଉଳ, ଟଙ୍କା ସବୁ ବୁହା ହୋଇ ଆସି ଏଠି ଘର ଚଳେ !

 

ରସିକମୋହନଠାରୁ ଟଙ୍କା ରଖିବା ଅର୍ଥ ଯେ କେତେ ନୀଚ, କେତେ ଘୃଣ୍ୟ ମନୋବୃତ୍ତିର ଚିହ୍ନ, ଏକଥା ମନେ ପକାଇ ସୁନୀଲାର ଦେହ ଶିରଶିର୍ ହୋଇଗଲା । ପକେଟରେ ତାଙ୍କର କାଲିକାର ଆଡଭାନସ୍ ଟଙ୍କା ଅଛି–ରାସ୍ତା ଖର୍ଚ୍ଚ ଅଧିକ କହି ଟଙ୍କା ରଖିଥିବେ । ତଥାପି.....ତଥାପି କ’ଣ ପାଇଁ ସେ ଟଙ୍କା ମାଗୁଥିଲେ ?

 

ଦି’ ଝିଅଙ୍କୁ ସିନେମା ନେଇଯିବାର ଅନୁମତି ଦେଇ ତାଙ୍କ ଦିହ ସହିତ ଦିହ ଲଗାଇ ବସିବାର ଅନୁମତି ଦେଇଚନ୍ତି ବୋଲି, ଜଣକ ପିଛା ପାଞ୍ଚ ଟଙ୍କା ଟିକସ୍ ଆଦାୟ କରୁଛନ୍ତି ସେ ?

 

ବିଷେଇଗଲା ତା’ର ଦେହ ମନ । ତମେ ମୋ ଝିଅଙ୍କୁ ନେଇ ଯାହା କରିବାର କର–ବଟି ଦେଇଯାଅ । ଏଇ ଅଶ୍ଳୀଳ ଇସାରା ଛଡ଼ାଏ ଧାର ମାଗିବାର ଆଉ କ’ଣ ବା ଥାଇପାରେ ?

 

ଏ ଲୋକଟା ପୁଣି ତାକୁ ଜନ୍ମ ଦେଇଛି–ତା’ର ଜନ୍ମଦାତା.....ପିତା.....ଏଇ କାଳେ ସ୍ୱର୍ଗରୁ ମହୀୟାନ୍......

 

ଧେତ୍....

 

ଏ ଅସ୍ୱସ୍ତିକର ବିଷାକ୍ତ ପରିବେଶରୁ ଦୌଡ଼ି ପଳାଇବାକୁ ଇଚ୍ଛା ହେଲା ସୁନୀଲାର ସେଇ ମୁହୂର୍ତ୍ତରେ ।

 

କିଏ ସେମିତି ଗୁଡ଼ାଏ ବିଷର ଧୂଆଁ ଦେଇ ତାକୁ ଗୋଟାଏ ଅନ୍ଧାରୁଆ ଘରେ ଆବଦ୍ଧ କରି ରଖିଛି !

 

ବାପାଙ୍କର ମୁହଁଟା ସେଇ ମୁହୂର୍ତ୍ତରେ ଗୋଟାଏ ରାକ୍ଷସ ଭଳି ଭାସିଗଲା ତା’ ଆଖି ଆଗରେ–

 

“ହେଁ...ହେଁ...ହେଁ ଗୋଟାଏ ସିଗାରେଟ୍ ଅଛି, ଦେଲେ.....’ସିଗାରେଟ୍ ଲଗାଇବାର ଶବ୍ଦ ହେଲା । ତା’ପରେ ପୁଣି ଶୁଭିଲା–“ଆପଣଙ୍କ ଭଳି ଲୋକ ସତେ ମୁଁ ଆଉ ଦ୍ୱିତୀୟ କାହାକୁ ଦେଖୁ ନାହିଁ କି ଦେଖି ନାହିଁ ମୋ ଜୀବନ ଭିତରେ–’’

 

ବିନୟରେ ବିଗଳିତ ହେଲା ଭଳି ହେଁ ହେଁ ହେଁ ହସି ରସିକମୋହନ କହିଲା–

 

‘–ଆପଣଙ୍କର କଳାର ଆଦର୍ଶ ଆଉ ଆଦର ଦେଖି ମୁଁ ଆପଣଙ୍କ ସହିତ ଆଳାପ ଆଲୋଚନା କରିବାପାଇଁ, ଭାରି ଭଲପାଏ । ଆପଣ କ’ଣ ଶୁଣି ନ ଥିବେ କି, ମୁଁ ସବୁ ଜାଗାରେ କହେ ଆପଣଙ୍କ କଥା ?”

 

ଦୁଇ ଜଣ ଶଠ ମିଳିଲେ ପରସ୍ପରର ଶଠତା ତୁଳନା କରିବସନ୍ତି–ଜ୍ଞାନୀ ବସିଲେ ଶକ୍ଷାର ଆଲୋଚନା କରି ଦୁହେଁ ଦୁହିଙ୍କୁ ଜଳନ୍ତି–ଦୁଇଟି ଭାଣ୍ଡ ତୋଷାମୋଦ କରି ପରସ୍ପରକୁ ନିଜ ନିଜର ବାଣରେ ଜର୍ଜରିତ କରନ୍ତି ।

 

ରସିକମୋହନ ହୁଏତ ଭାବୁଥିବ, କେଡ଼େ ସହଜରେ ନିଜର ଅଭିଳାଷ ପୂରଣ ପାଇଁ ବୁଢ଼ାଠାରୁ ଅନୁମତି ଆଦାୟ କଲି–ଏଇଟା କିଛି ବୁଝି ପାରୁ ନ ଥିବ । ବିପରୀତ ପକ୍ଷରେ ମଦନବାବୁ ବୋଧହୁଏ କଳନା କରୁଥିବେ, ତୁଚ୍ଛାରେ ଏ ବଜୀରୀ ମୋ ଝିଅକୁ ନେଇ ଫୁର୍ତ୍ତି କରିବ-? ମୋତେ ଏତେ ବୋକା ବୋଲି ବିଚାରିଛି ? ମୁଁ ବି ମୋ ଫିସ୍ ବାବଦରେ ଦଶ ଟଙ୍କା ଆଦାୟ କରିନେଇଚି ଯେ !

 

ବେପାର କଲାବେଳେ ଦୁଇ ବ୍ୟବସାୟୀ ତଉଲ କରନ୍ତି, ଏ ବେପାରରେ ତାଙ୍କର ଲାଭ ହେଲା ନ କ୍ଷତି ହେଉଛି ?

 

“ଡେରି ହୋଇଯାଉଛି...ତାଙ୍କୁ ଟିକେ....”

 

“ହଁ ହଁ, ମୁଁ ଡାକି ଦେଉଚି ସାଙ୍ଗେ ସାଙ୍ଗେ” କହି ସିଗାରେଟରେ ଜୋରରେ ଦମେ ନେଇ ମଦନବାବୁ ସେ ବଖରାରୁ ବାହାରିଆସି ଏ ବଖରା ଭିତରକୁ ପଶି ଆସି ସୁନୀଲାକୁ ହିଁ ଭେଟିଲେ ।

 

ଅନୀଲା ମୁହଁଟା ପୋଛି ବାରିଆଡ଼ୁ ଆସୁଥିଲା ।

 

“ତୁମେ ଦୁହେଁ କ’ଣ ସିନେମା ଯିବ ପରା ରସିକବାବୁଙ୍କ ସାଙ୍ଗରେ ?”

 

“ଅନୀଲା ଯିବ ଯଦି ଯାଉ....ମୁଁ ଯିବି ନାହିଁ.....”

 

“କାହିଁକି ?”

 

“ମୋର କାମ ଅଛି ଟିକେ.....ରେଡିଓ ଷ୍ଟେସନ ଯିବି ।”

 

“ସେ କିନ୍ତୁ ଅପେକ୍ଷା କରିଛନ୍ତି ।”

 

ଏପର୍ଯ୍ୟନ୍ତ ସୁନୀଲା ଅସମ୍ଭବ ଭାବରେ ସଂଯତ ହୋଇ କଥାବାର୍ତ୍ତା କରୁଥିଲା । କିନ୍ତୁ ବାପାଙ୍କର ଏ ନିର୍ଲଜ୍ଜ ପ୍ରଶ୍ନରେ ସେ ଆଉ ସମ୍ଭାଳି ପାରିଲା ନାହିଁ ନିଜକୁ । ତାକୁ ସେ ଆଦୌ ଡାକି ନାହିଁ କିମ୍ବା ସୁନୀଲା ମଧ୍ୟ ରସିକକୁ କେତେବେଳେ ହେଲ ସିନେମା ଯିବା କଥା କହି ନାହିଁ–ଅଥଚ ବାପାଙ୍କୁ ଆସି ଜଣେ କହିବ, ‘ଆପଣଙ୍କ ଝିଅମାନଙ୍କୁ ଟିକେ ମୋ ସାଙ୍ଗେ ସିନେମା ଛାଡ଼ନ୍ତୁ’–ଆଉ ବାପା ଆସି ସେଇ କଥା ଝିଅଙ୍କ ଆଗରେ କହିବେ ?

 

“ଏଇଟା କ’ଣ ଗୋଟାଏ ବେଶ୍ୟା ଘର ହେଇଛି କି ? ଜଣେ ଆସି କହିବ, ଆଜି ଟିକେ ତମ ଝିଅଙ୍କୁ ନେଇ ସିନେମା ଯିବି.....ଝିଅଙ୍କୁ କହ ମୋ ସାଥିରେ ସିନେମା ଯିବାକୁ....

 

ଘର ଭିତରକୁ ପଶି ଆସୁଥିଲା ଅନୀଲା । ରସିକମୋହନ ନ ଶୁଣୁ ବୋଲି ଯେତେ କଣ୍ଠ ଚାପି କହିଲେ ସୁଦ୍ଧା ଅନୀଲା ଅପାର ଏ କଥା କେଇ ପଦ ଶୁଣିପାରିଛି, ଆଉ ସେ ଯେ ଈର୍ଷାରେ ଜଳିପୋଡ଼ି ଯାଇ ଏମିତି କହୁଛି, ସିନେମା ଯିବାକୁ ରାଜି ହେଉ ନାହିଁ, ଏକଥା ସେ ଠିକ୍ କରି ନେଇଥିଲା ମନେ ମନେ ।

 

ତେଣୁ ତାର କଥାର କୌଣସି ପ୍ରତ୍ୟୁତ୍ତର ନ ଦେଇ ନୀରବରେ ଯାଇ ଲୁଗା ପିନ୍ଧିଲା ସେ-। ସୁନୀଲା କାଢ଼ି ଥୋଇଥିବା ଗୋଲାପୀ ରଙ୍ଗର ଭଏଲଟାଏ ଫିଟାଇଦେଲା ସେ ପିନ୍ଧିବା ପାଇଁ-। ତା’ ଆଡ଼କୁ ଚାହିଁ ସୁନୀଲା କହିଲା–“ମୋ ଶାଢ଼ି ଥୋଇଦେ....ତୋର ପିନ୍ଧି ତୁ ଯା”–

 

ଏଇ ରୋଲାପୀ ଶାଢ଼ିଟି ସୁନୀଲାର, କିନ୍ତୁ ଅନୀଲାକୁ ସୁନ୍ଦର ମାନେ ଏଇଟା....ତେଣୁ ଅନୁନୟ କରି କହିଲା, “ତୁ ଆଉ ଗୋଟାଏ ପିନ୍ଧି, ମୋ ନୀଳ ଭଏଲଟା ନ ହେଲେ ନେ.....ମୁଁ ଟିକେ ପିନ୍ଧୁଛି ଏଇଟା”….

 

“ନାଁଃ....ଓହୋ...ଭାରି ସଉକ ତ ?”

 

“ତୁ ଯାଉଚୁ କି ନାହିଁ ଯେ ?” ମଦନବାବୁ ଅନୀଲାକୁ ପଚାରିଲେ ।

 

“ହଁ, ଲୁଗା ପିନ୍ଧି ତ ବାହାରୁଛି ।” ମଦନବାବୁ ସୁନୀଲାକୁ କିଛି ନ କହି ବାହାରିଗଲେ । ସେ ସମ୍ଭବତଃ ଏଇଆ ହିଁ ଚାହୁଁଥିଲେ–ଏତେ ବେଳଯାଏ ଅପେକ୍ଷା କରୁଥିଲେ ଅନୀଲା ଯିବ ବି ନାହିଁ ଜାଣିବାକୁ–ସେ ତ ପୁଣି ଟିକସ ନେଇଛନ୍ତି !

 

ମା’ ପଶିଆସିଲେ ଘର ଭିତରକୁ କ’ଣ ଗୋଟାଏ ଜିନିଷ ଖୋଜି ଖୋଜି । ତାକୁ ମଧ୍ୟସ୍ଥ କରି ଅନୀଲା ଟିକେ ଗେହ୍ଲେଇ ହୋଇ କହି ଉଠିଲା, “ଦେଖିଲୁ ବୋଉ, ଏ ଲୁଗାଟା ଟିକେ ପିନ୍ଧିବି ବୋଲି କହିଲାରୁ, ଅପା କେମିତି ମନା କରୁଛି ।”

Unknown

 

“ତୁ କୁଆଡ଼େ ଯାଉଚୁ କି ?” ଅନୀଲାର ଆବଦାର୍ ଏଡ଼ାଇ ଦେଇ କହିଲେ ମା ।

 

“ସିନେମା ଯାଉଚି ପରା ?”

 

“କାହା ସାଙ୍ଗେ ?” ସେ ବୁଝିପାରିଲେ ଯେ ସୁନୀଲା ଯାଉ ନାହିଁ ।

 

“ରସିକମୋହନ ବାବୁଙ୍କ ସାଙ୍ଗରେ ।”

 

“କୋଉ ରସିକ ସିଏ ବା ? ତୋ ବାପା ଜାଣିଚିଟି ?”

 

ବିରକ୍ତ ହୋଇ ମା’ ପଚାରିଲେ ।

 

“ବାପା ତ ପଠାଉଛନ୍ତି ଟଙ୍କା ରଖି–“ରାଗରେ ସୁନୀଲା କହିଲା । ତା’ର ରାଗ ସେତେବେଳଠାରୁ କମି ନ ଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ।

 

ଅନୀଲା ଆଉ ମା ଦୁହେଁ ତା କଥାରେ ଚିଡ଼ିଉଠିଲେ–ଅବଶ୍ୟ ନିଜ ନିଜର କାରଣରୁ ।” ଟଙ୍କା ନେଇ କ’ଣ ?” ଅନୀଲା ପଚାରିଲା ।

 

–“ତୁ ଆଗେ ଯା ତୋ ରସିକ ସାଙ୍ଗେ, ପଛେ ଫେରିଲେ କହିବି ।” ବୁଝାଇଲା ଭଳି ସୁନୀଲା କହିଲା । ଅନୀଲା ଆଉ କିଛି ପଚାରିଲାନି ।

 

“ତୁ ଯାଉନୁ ?” –ମା ପଚାରିଲେ ।

 

“ନାଁ ।”

 

“ସିଏ ଏମିତି ଏକା ଯିବ ଟୋକାଟା ସାଙ୍ଗରେ ?”

 

“ହଁ, କ’ଣ ହେଲା ସେଠୁ ?”

 

“ତା’ ବାପ ଜାଣିଶୁଣି ଏକଥା କହିଲା ? କୋଉଠୁ ଗୋଟାଏ ଭାଡ଼ୁଆଟାଏ ଜୁଟିଚି ଆସି ମୋ କପାଳକୁ କେଜାଣି ?”

 

ନିରୁପାୟ ହେଲେ ବି ମା ଆଦୌ ପସନ୍ଦ କରୁ ନ ଥିଲା ଏ କଥାଟାକୁ । ତା’ର ଚିନ୍ତାର ମାନ ଭିନ୍ନ । ଝିଅ କହିଲେ ସେ ବୁଝେ ଆଉ ଗୋଟାଏ କଥା–ଯାହା ସେ ହୁଏତ ଥିଲା ତା’ର ବାହାଘର ଆଗରୁ ।

 

“କିଲୋ ଅପା, ପିନ୍ଧିବି ?” ଅନୀଲା ପଚାରିଲା । ଭାବୁଥିଲା, ଏତେ ଆଲୋଚନା ପରେ ସେ ହୁଏତ ରାଜି ହେବ ।

 

“ନା ।”

 

“ନିଶ୍ଚେ ପିନ୍ଧିବି” କହି ଲୁଗାଟା ଘେରେଇ ହେଲା ସେ ।

 

“ନା କହୁଚି ପରା ? କହି ତା’ ପାଖକୁ ଲାଗିଆସି ଲୁଗାଟା ଛଡ଼େଇନେବାକୁ ହାତ ବଢ଼ାଇଲା ସୁନୀଲା ଏବଂ ତା’ର କଥାକୁ ଭ୍ରୂକ୍ଷେପ ନ କରି ଅନୀଲା ପିନ୍ଧିଲାଗଲା ଲୁଗାଟାକୁ ।

 

ଅଧାପିନ୍ଧା ଅବସ୍ଥାରୁ ଲାଗାଟା ଘୋଷାରି ଆଣିଲା ସୁନୀଲା । କେବଳ ସାୟା ଓ ବଡ଼ିଜ୍ ପିନ୍ଧି ଅନୀଲା ଦଣ୍ଡେ ଛିଡ଼ା ହୋଇ ରହିଲା । କାରଣ ସେତେବେଳେ ପର୍ଯ୍ୟନ୍ତ ସେ ଅପା କଥାକୁ ଥଟ୍ଟା ବୋଲି ଭାବୁଥିଲା । ସୁନୀଲା ନିଜେ ନିଜେ ଅନୀଲାକୁ ଡାକି ଯାଚି ଯାଚି ଏ ଶାଢ଼ିଟା ପିନ୍ଧାଇ କହେ, ତୋତେ ଏଇଟା ଭଲ ମାନୁଚି ।

 

ସୁନୀଲା ଲୁଗାଟା ଝିଙ୍କିଆଣି ସେମିତି ଗୁରେଇ ତୁରେଇ ତା ସୁଟକେଶ୍ ଉପରକୁ ଫୋପାଡ଼ିଦେଲା ।

 

ଆଉ ଗୋଟାଏ ଶାଢ଼ି ସୁଟକେଶରୁ କାଢ଼ି ପିନ୍ଧୁ ପିନ୍ଧୁ ଅନୀଲା ରାଗରେ କହିଲେ, “ବୁଢ଼ୀ ଦାରୀ କୋଉଠିକାର–ନିଜକୁ ତ କେହି ମିଳୁନାହାନ୍ତି....ରାଗରେ ଖାଲି ଛାତି ଫାଟଯାଉଚି ୟାର ।”

 

“କ’ଣ କହିଲୁ ?” ପଚାରିଲା ସୁନୀଲା । ସେ କିନ୍ତୁ ଅନୀଲାର କଥାଟା ପୂରାପୂରି ଶୁଣିଥିଲା । ବୋଉ ସେ ଘରୁ ବାହାରି ଯାଇଥିଲା ।

 

“କହିଲି, ତୁ ଈର୍ଷାରେ ଜଳିଯାଉଚି ।”

 

ଠୋ କରି ଗୋଟାଏ ଚଟକଣା ବସାଇଲା ସୁନୀଲା ଅନୀଲାର ଗାଲରେ–ଆଉ ତା’ ପରମୁହୂର୍ତ୍ତରେ ତା’ଉପରେ ଝାମ୍ପିପଡ଼ି ତାକୁ ମନଇଚ୍ଛା ମାରିଦେଇଗଲା ଅନୀଲା.....ତା’ପିଠିରେ, ଗାଲରେ, ମୁଣ୍ଡରେ, ମୁହଁରେ.....ବାଧା ଦେଉ ସୁନୀଲା ବି ମାରୁଥିଲା–

 

ପ୍ରାଗୈତିହାସିକ ଯୁଗର ଦିଓଟି ରମଣୀ ନିଜର ପ୍ରଣୟୀ ପାଇଁ ସଂଗ୍ରାମ କରୁଥିଲେ ସତେ କି । ଅତି ଆଦିମ ପଶୁ ଭଳି ସେମାନେ ଯୁଝୁଥିଲେ ।

 

ରସିକମୋହନର ପାଟି ଶୁଭିଲା ବାରଣ୍ଡାରୁ–“ଅନୀଲା, ଆସ...ବେଳ ହେଲାଣି ।”

 

ଜୋରରେ ଜୋରରେ ନିଶ୍ୱାସ ମାରି, ଝାଳନାଳ ହୋଇ, ଉଭୟେ ଉଭୟଙ୍କୁ ଛାଡି ଛିଡ଼ାହେଲେ–ପରସ୍ପରକୁ ଚାହୁଁଥିଲେ ସେମାନେ...

 

ରଣକ୍ଳାନ୍ତ, ଶ୍ରାନ୍ତ, କ୍ଷୁଧାର୍ତ୍ତ ଦିଓଟି ଆଦିମ ରମଣୀ–

ମୃତ୍ୟୁପର୍ଯ୍ୟନ୍ତ ପରସ୍ପରର ବନ୍ଧୁ ପୁଣି ଶତ୍ରୁ !

ମୁଁ ଆସେ, ତୋତେ ଦେଖୁଚି....ଡାଆଣୀ କୋଉଠିକାର–ନିଜର ତ ରୂପ ନାହିଁ କି ଭେକ ନାହିଁ, ଅନ୍ୟକୁ ଦେଖି ସହିପାରୁନୁ କାହିଁକି ? ମରି, ଝରିଯାଉଚୁ ?”

କହି କହି ଅନୀଲା ଲୁଗା ପିନ୍ଧିଲା ଯଥାଶୀଘ୍ର–ରସିକ ଉଦ୍ଦେଶ୍ୟରେ ‘ଯାଉଚି ଯାଉଚି’ କହି, ବ୍ଲାଉଜଟା ପିନ୍ଧିଦେଇ, ମୁହଁରେ ସ୍ନୋ ଉପରେ ପଫ୍‍ଟା ବୁଲାଇଆଣି, କୁଙ୍କୁମ ଟିପଟାଏ ଲଗାଇଦେଇ ବାହାରିଗଲା ସେ ।

ନୀରବ, ନିସ୍ପନ୍ଦ ପଥରମୂର୍ତ୍ତି ଭଳି ସେ ଅନ୍ଧାର ଘେରି ଆସୁଥିବା ଘର ଭିତରେ ଛିଡ଼ା ହୋଇଥିଲା ସୁନୀଲା–ଅନୀଲା ଚୁମୁଟି ଆମ୍ପୁଡ଼ି ପକେଇଥିବା ଜାଗାଗୁଡ଼ାକରେ ଝାଳ ବାଜି ପୋଡ଼ୁଛି-

ଅପେକ୍ଷମାଣ ରସିକମୋହନ ଅଶ୍ଳୀଳ ଆଖିରେ ଅନୀଲାକୁ ଚାହିଁଦେଇ ଉଭୟେ ଘରୁ ବାହାରି ଯାଉ ଯାଉ କହିଲା–

“ଭାରି ସୁନ୍ଦର ଦିଶୁଚ ଆଜି ?”

“ଶୁଭିବ–ହେଃ, ଏଠି ଗୋଟାଏ କ’ଣ ?” କହି ଚଟି ମାଡ଼ି ଫଟ୍ ଫଟ୍ ହୋଇ ବାହାରିଗଲା ସେ–ରସିକ ଅନୁସରଣ କଲା ତାକୁ । ଶେଷ କଥା ମଦନବାବୁଙ୍କୁ ଶୁଭିଥିବ ନିଶ୍ଚିତ ଭାବରେ ।

 

ସନ୍ଧ୍ୟାର କୋଳାହଳ ଭିତରେ ସେମାନେ, ହଜିଗଲେ, ମିଳାଇଗଲେ ।

ରାଗ, ଦୁଃଖ, ଅଭିମାନ, ଅପମାନ, ମାଡ଼ର ଯନ୍ତ୍ରଣା, ସବୁ ମିଶି ଗୋଟାଏ ଅଦ୍ଭୁତ ମାନସିକ ପରିବେଶରେ ସେମିତି ଠିଆ ଠିଆ ସୁନୀଲା ଦୁଇ ହାତରେ ମହଁଟାକୁ ଲୁଚାଇଧରି କଇଁ କଇଁ ହୋଇ କାନ୍ଦିପକାଇଲା ।

ଅନ୍ଧାର ଘେରି ଆସୁଥିବା ସେ କୋଠରୀ ଭିତରୁ ତାର କାନ୍ଦର ସ୍ୱର ଅଧିକରୁ ଅଧିକ ଶୁଭିଲା ।

ଯେତେ ଚେଷ୍ଟା କଲେ ମଧ୍ୟ ସେ କାନ୍ଦ ରୋକିପାରିଲା ନାହିଁ ସୁନୀଲା । କୋଉଠି ଥିଲା ଏତେ ଲୁହ କେଜାଣି ? ସତେ କି ବନ୍ୟାର ସୁଅ !

ଦି’ ଆଖିରୁ ଧାର ଧାର ଲୁହ ବହି ଆସି ତାର ଗାଲ ଭିଜାଇ ଦେଲା–ପଣତ ଭିଜିଗଲା ।

ସୁନୀଲା ନିଜେ କିନ୍ତୁ ବୁଝିପାରୁ ନ ଥିଲା ସେ କାହିଁକି କାନ୍ଦୁଥିଲା ବୋଲି–

ଅନୀଲା ଏମିତି ବ୍ୟବହାର କଲା ବୋଲି ? ବାପା ତା’ର ଏମିତି ଜଘନ୍ୟ ଲୋକ ବୋଲି-? ତା’ର ନିଜ ଜୀବନର ଏ ପରିବେଶ ?

ଏସବୁ ତାର ଦିହସୁହା ଘଟଣା । କୌଣସିଟାରେ ବୈଚିତ୍ର ତ କିଛି ନାହିଁ...

ଘରଟା ସାରା ଅନ୍ଧାର ନେସି ହୋଇଗଲାଣି । ରାସ୍ତାର ବତୀଖୁଣ୍ଟର ଆଲୁଅ ତୀର୍ଯ୍ୟକ୍ ଭାବରେ ଆସି ପଡ଼ୁଚି ଘର ଭିତରେ–ବାହାର ଅଗଣାରେ । ପିଲାଏ ବସି ପାଠପଢ଼ା ଆରମ୍ଭ କଲେଣି ।

 

ମଦନବାବୁ ବୋଧହୁଏ ସାନ୍ଧ୍ୟ ଭ୍ରମଣରେ ବାହାରିଗଲେ କୁଆଡ଼େ—ତାଙ୍କ ଜୋତା ଶବ୍ଦ ଶୁଭିଲା ।

 

ଆକାଶ ଛାତିରେ ଫୁଟି ଉଠିଲେଣି ଅସଂଖ୍ୟ ତାରା ।

 

ଝରକା ବାଟେ, ଯେଉଁ ଚେନାଏ ଆକାଶ ଦିଶୁଛି, ସେତିକି ଆକାଶକୁ ଚାହିଁ ଦେଖିଲା ସୁନୀଲା–

 

ଆକାଶଟା ସତେ ଯେମିତି ମୁହଁ ଫଣ ଫଣ କରିଛି–କଳା ଶାଢ଼ିଟାଏ ପିନ୍ଧିଚି ଆଉ ସେଥିରେ ଅଙ୍କା ହୋଇଛି ଜରିର ଫୁଲ–

 

ନିଜ ପଣତରେ ସୁନୀଲା ଲୁହ ପୋଛିଲା–ଧୀରେ ଧୀରେ ବାହାରି ଆସିଲା ଘର ଭିତରୁ-

 

ବାହାରେ ବି ସେଇ କଳା ଅନ୍ଧାର—ଜୀବନ ଭଳି ଭୟଙ୍କର–ବୀଭିଷିକାମୟ–

 

ବୁଲାଭାଇ ଆସିଲା ନାହିଁ.....

 

ନୀରଦବାଳା କାନ୍ଦୁଥିଲା.... । ନିଝୁମ, ନିଶୂନ ରାତିର ଛାତି ଚିରି ବେଳେବେଳେ ତାର କୋହ ଶୁଭୁଥିଲା....ଶୁଭୁଥିଲା ତା’ର ଥରି ଥରି ଚାପାଗଳାର ସ୍ୱର ।

 

ପାଣ୍ଡୁର ଜହ୍ନ ଆଲୁଅରେ ତାର ଶେଥା ମୁହଁ ଉପରେ ଦେଇ, କୋରଡ଼ିଆ ଆଖିରୁ ଝରି ଆସୁଥିଲା ଦି’ଧାର ଲୁହ । ସ୍ପଷ୍ଟ ଭାବରେ ବାରି ହେଉଥିଲା, କୋହର ଚାପରେ ମୁହଁ ତାର କେମିତି ବିକୃତ ହୋଇଯାଉଛି ।

 

ସନ୍ଧ୍ୟାର ବହଳ ପ୍ରସାଧନର ଚିହ୍ନ ଧୀରେ ଧୀରେ ଧୋଇ ହୋଇଯାଉଛି, ପୋଛି ହୋଇଯାଉଛି ନିର୍ଜ୍ଜନ ରାତିର ଏ ବାହୁନା ଭିତରେ–ଏ ଲୁହଧାର ଭିତରେ ।

 

ଫାଙ୍କା ଆକାଶଟା ଶେଥା ଛାତିରେ ଜହ୍ନ ଦେଖାଯାଉଥିଲା, ଗୋଟାଏ ନିଷ୍ପ୍ରଭ, ନିଛାଟିଆ ବତୀ ଭଳି–ଯାହାକୁ ଲିଭାଇବା ପାଇଁ, ବତୀବାଲା ବୁଢ଼ା ଭୁଲିଯାଇଛି । ଝୁଲି ଝୁଲି, ଗୋଟାଏ କଣରେ ଆଲୁଅ ଦେଇ ଚାଲିଛି ସେ—ବଡ଼ ମଳିନ, ବଡ଼ ନିଷ୍ପ୍ରଭ ସେ ଆଲୋକ !

 

ସନୀଲକୁ କୋଳରେ ଶୁଆଇ, ବିଗତ ଦିନର ମଞ୍ଚସାମ୍ରାଜ୍ଞୀ, ପ୍ରୌଢ଼ା, ବିଗତଯୌବନା, ବାର୍ଦ୍ଧକ୍ୟର ପ୍ରଥମ ପାହାଚରେ ପାଦ ଦେଇଥିବା, ନୀରଦବାଳା, କଇଁ କଇଁ ହୋଇ କାନ୍ଦି ପକାଉଥିଲା, ରୂପରସରେ ଭରା, ରଙ୍ଗବେରଙ୍ଗୀ ତାର ଅଭିନେତ୍ରୀ ଜୀବନର ମନମତାଣିଆ କାହାଣୀ ଶୁଣାଉ ଶୁଣାଉ–

 

ହଁ, ମନମତାଣିଆ ନିଶ୍ଚେ–

 

ବହୁ ରୋମାଞ୍ଚକର ଦୃଶ୍ୟ–ରୋମାଞ୍ଚକର ବିଭୀଷିକା–ଲାଳସାର ଖୋଲା ନିର୍ଲଜ୍ଜ ରୂପ, ପ୍ରେମ ଯୌନ ନିବେଦନର ବହୁ ନୂତନ ନବୀନ ଢଙ୍ଗରେ ପରିପୂର୍ଣ୍ଣ ଏଇ ପ୍ରୌଢ଼ାଟିର ଜୀବନ କାହାଣୀ–

 

ଶୁଣି ଶୁଣି ସୁନୀଲାର ଲୋମ ଟାଙ୍କୁରି ଉଠୁଥିଲା ନିଜ ଅଲକ୍ଷ୍ୟରେ । ନିଜ ଜୀବନର ଶତ ଗ୍ଳାନିମୟ କାହାଣୀ ପାଶୋରି ପକାଇ, ସମସ୍ତେ ଘୃଣା କରୁଥିବା ଏଇ ନୀରଦବାଳାର କୋଳରେ ମୁଣ୍ଡ ରଖି, ତା’ରି କଥା ଶୁଣି ସୁନୀଲା ପଣତ କାନିରେ ନିଜର ଜକେଇ ଆସୁଥିବା ଆଖିପତା ପୋଛି ପକାଉଥିଲା ।

 

ସୁନ୍ଦରପୁରର ଏ ନିର୍ଜ୍ଜନ ଗାଉଁଲୀ ଡାକବଙ୍ଗଳାଟି ନିଃଶବ୍ଦ ରାତିରେ ଦିଓଟି ମଞ୍ଚକନ୍ୟାଙ୍କର ରୂପ ଦେଖୁଥିଲା–

 

ମଞ୍ଚରୁ ଓହ୍ଲାଇ ଆସିଲା ପରେ କେତେ ନିଃସହାୟା ଏମାନେ, କେତେ ଲାଞ୍ଛିତା ! କେତେ ନିର୍ଯ୍ୟାତିତ ଏମାନଙ୍କର ଜୀବନ ?

 

କାହିଁ ସେ ଜନକୋଳାହଳ ? କାହିଁ ସେ ଉଚ୍ଛଳ ଉଚ୍ଛ୍ୱାସ ? ତାଳି ମାଡ଼–ବାହାବ୍‍ବା... ?

 

ଜାଲ୍ ଆଲୁଅର, ମିଛ ରଙ୍ଗର ମନଗଢ଼ା କାହାଣୀ ଭିତରେ, ଲକ୍ଷ ଜୀବନକୁ ତତାଇ ମତାଇ, ଉନ୍ମାଦ କରାଇ, ଦିଓଟି ଅଭିନେତ୍ରୀ ନିଶୁନ ନିଶ୍ଚୁପ ରାତିର ମଝି ପ୍ରହରରେ, ସମସ୍ତଙ୍କର ଅଲକ୍ଷ୍ୟରେ, ରଙ୍ଗ ସମାରୋହ ବାହାରେ, ନିଜ ନିଜର ଜୀବନର ତାତିରେ ଜଳିପୋଡ଼ି ଯାଉଥିଲେ–

 

ଜଣେ ପାଉଁଶ ହେଇଯାଇଛି....ଜଣେ ଜଳୁଛି.....

 

ବଡ଼ ମାୟାବିନୀ ଏ ରାତି.... । ୟା’ରି ମୋହ ଏଡ଼ି ନ ପାରି, ଏମାନେ ହା ହତାଶ ହୋଇ ଜଳିପୋଡ଼ି ଛାରଖାର ହୋଇଯାଇଛନ୍ତି....

 

ଘର ଭିତରେ ଶୋଇ ଅନୀଲା ଘୁଙ୍ଗୁଡ଼ି ମାରୁଛି–ବୁଲାଭାଇ ଏଇ ସନ୍ଧ୍ୟାରେ ଫେରିଯାଇଛି–ପୁଣି କାଲି ବା ପଅରିଦିନ ଫେରିଆସି ସୁବିଧା ଅସୁବିଧା ସବୁ ବୁଝିଯିବ । ସୁନୀଲା, ଅନୀଲାଙ୍କ ସହିତ ଆସିଛି ମଞ୍ଚର ସର୍ବଶ୍ରେଷ୍ଠ ଅଭିନେତ୍ରୀ ନୀରଦବାଳା । ସାଙ୍ଗରେ ତା’ର ଛୋଟ ପିଲାଟିଏସେ ବି ଶୋଇଯାଇଛି ଅନୀଲା ପାଖରେ ।

 

ନୀରଦ ପ୍ରତ୍ୟେକ ମଞ୍ଚରେ ଅଭିନୟ କରିଛି । ପେଶାଦାରୀ ମଞ୍ଚଗୁଡ଼ାକରେ ତା’ର ବିଶେଷ ନ ଥିଲା । ସତରେ ସେ ଥିଲା ମଞ୍ଚର ରାଣୀ–ତା’ରି ନାଁରେ ଥିଏଟର୍ ଟିକେଟ୍ ସରିଯାଉଥିଲା । ନାଚ, ଗୀତ, ଅଭିନୟ, ସବୁଥିରେ ଥିଲା ସେ ଅପ୍ରତିଦ୍ୱନ୍ଦ୍ୱୀ, ଅଦ୍ୱିତୀୟା... ।

 

କିଛି ବର୍ଷ ଧରି ଗୋଟାଏ ପେଶାଦାରୀ ଦଳରେ ରହିଲା ପରେ ସେଇ ଆରମ୍ଭ କରିଥିବା ପଚାଶ–ଷାଠିଏ ଟଙ୍କା ନ ବଢ଼ିଲେ ସେ ବାଧ୍ୟ ହୋଇ ପାର୍ଟି ବଦଳାଏ—ସବୁଠାରେ ସେଇ ଏକା କଥା । ପୁଣି ଦେହର ଚାକିରି ଇଏ । ସବୁ ଚାକିରିରେ ପୁରୁଣା ହେଲେ ଦରମା ବଢ଼େ–ଏଥିରେ ଛିଡ଼େ । ଦେହର ଜାକଜମକ ସରି ସରି ଆସିଲେ, ପତଳା ନହନହକିଆ ଅଣ୍ଟାରେ ଚର୍ବି ଲାଗିଲେ, ବହଳ ଓଠ ପତଳା ହୋଇ କଳା ପଡ଼ିଗଲେ, ଉଞ୍ଚା ଉଞ୍ଚା ଛାତି ନଇଁ ଆସିଲେ, କି କୁନ୍ଦାକୁନ୍ଦି ଦେହ ଶିଥିଳ ହୋଇଆସିଲେ, କଳା କୁଆଡ଼େ ମରି ହଜିଯାଏ ଲୋକଙ୍କ ଆଖିରୁ–କହିବେ ବୁଢ଼ୀଟା । କବର୍ କବର୍ ହୋଇ ଡେଉଁଚି ? ଦରମା କମିଯିବ । ହିରୋଇନ୍ ନ ହୋଇ ମା’ ହବାକୁ ପଡ଼ିବ ।

 

ନୀରଦର ବୟସ ବି ଢଳି ଢଳି ଆସୁଥିଲା ।

 

ଅର୍ଥ ପାଇଁ ସେ ପେଶାଦାର ମଞ୍ଚ ଛାଡ଼ି ଏଇସବୁ ଆମେଚର ଦଳମାନଙ୍କରେ ଘୂରି ଘୂରି ପାର୍ଟ କଲା । ପଇସା ମିଳିଲା କିଛିଦିନଯାଏ–କିନ୍ତୁ ଏବେ ? ସୁନୀଲା, ଅନୀଲାଙ୍କ ଭଳି ପ୍ରାୟ ପଚାଶ କି ଷାଠିଏ ହେବ ଆର୍ଟିଷ୍ଟ ଅଛନ୍ତି ଆଜିକାଲି–

 

ମା’, ବୁଢ଼ୀ, କଳିହୁଡ଼ ସ୍ତ୍ରୀଲୋକ, ଏମିତି ସବୁ ରୋଲ୍ ନଥିଲେ, ଏବେ ଆଉ କେହି ପଚାରନ୍ତି ନାହିଁ, ନୀରଦବାଳାକୁ–

 

ଆଖିରେ ଚାଳିଶା ଧରିଲାଣି ନୀରଦର–ପାର୍ଟ ପଢ଼ିଲାବେଳେ ଚଷମା ପିନ୍ଧୁଚି–ତା’ପରେ ଖୋଲିଦେଉଛି....

 

ମୁହଁରେ ତାର ନାକ ଦୁଇକଡ଼ରୁ ଓଠ ପର୍ଯ୍ୟନ୍ତ ଦିଇଟା ଚଉଡ଼ା କଳାକଳା ଗାର–ଆଖି ତଳଟାରେ କିଏ ଯେମିତି ଅଙ୍ଗାର ନେସି ଦେଇଛି–ଭାଙ୍ଗିପଡ଼ିଚି ମୁହଁରେ–ଗାଲ ଟାକୁଆ ହେଲାଣି । ପୂର୍ବର ସେ ଭୀରୁ ହରିଣୀର ଚାହାଣୀ, କୋଉକାଳୁ କୁଆଡ଼େ ହଜିଗଲାଣି....କଜଳଗାର ସହିତ ଲିଭିଗଲାଣି–ଛାତି ନଇଁ ପଡ଼ିଲାଣି ।

 

ନା..... ନୀରଦକୁ କେହି ପଚାରୁ ନାହାନ୍ତି...ଦିନେ ସୁନୀଲାକୁ ଲୋକେ ଏମିତି ଆଉ ଡାକିବାକୁ ଆସିବେ ନାହିଁ–ଦିନେ କାହିଁକି ? ଆଉ ଦୁଇ ଚାରି ବର୍ଷ ତଫାତ୍....ସେଦିନ ଆଗେଇ ଆସିଲାଣି ଦ୍ରୁତ ଭାବରେ ।

 

ତା’ପରେ ପଡ଼ିବ ଅନୀଲାର ପାଳି । ଅନ୍ଧାର ନାହିଁ.....ତୋଫା ଜହ୍ନ ଆଲୁଅ....ଜଣେ ଲୋକ ପାଖରେ ଅଛି । ତଥାପି ସୁନୀଲାକୁ ଭାରି ଡର ମାଡ଼ିଲା...କାହିଁକି କେଜାଣି ? ଗୋଟାଏ ଭୟଙ୍କର କିଛି ଦେଖି ଚମକି ପଡ଼ିଲା ପରେ ବା ଡରିଗଲା ପରେ ଯେମିତି ବହୁତ ସମୟ ପର୍ଯ୍ୟନ୍ତ ସେ ଭୟଟା ଲାଗି ରହିଥାଏ, ଏକାଟିଆ କିଛି କରି ହୁଏନାଁ ସେଇ ଛାନିଆରେ, ସେମିତି ଲାଗିଲା ସୁନୀଲାକୁ–

 

ସେ ଭୂତ ଦେଖିଛି.....ତା’ ମନ ଭିତରର କଳା କଳା ଭୂତ । ଦିହଟା ତା’ର ଶୀତେଇ ଉଠିଲା–

 

ଆଗରେ ଡାକବଙ୍ଗଳାର ରାସ୍ତା....ଦି’ କଡ଼ରେ ଧାଡ଼ି ଧାଡ଼ି ହୋଇ ତରାଟ ଗଛ–ଟଗର ଗଛ–ଲମ୍ବିଯାଇଛି ଫାଟଇ ଯାଏ । ବଡ଼ ଫାଟକ–ଧଳା ରଙ୍ଗ ବୋଳା ହୋଇଛି–ସଫା ଦେଖାଯାଉଛି-। ତା’ ଆରପଟକୁ ଗାଁ ବିଲ–ସେ କଡ଼କୁ ସୁନ୍ଦରପୁର ଗାଁ । ଆରପଟେ ସୁନ୍ଦର ପୁରର ଛୋଟ ବଜାର-। ଅନେକ ଆଗରୁ, ସୁନ୍ଦରପୁରର ଶେଷବତୀଟି ବି ଲିଭିଗଲାଣି କେତେବେଳୁ-। ଦୋକାନ ବାରଣ୍ଡାରେ–ରାସ୍ତା କଡ଼ରେ ବେଞ୍ଚ ପକାଇ ଦୋକାନର ଚାକର ପିଲା, ଅଜଣା ବାଟୋଇ ଜଣେ ଦି’ ଜଣ ଶୋଇ ମଝିରେ ମଝିରେ ନିଦ ଭିତରେ ବିଳିବିଳେଇ ଉଠୁଛନ୍ତି–ଗୋଟାଏ ଗୋଟାଏ କୁକୁର ଭୋ ଭୋ ହୋଇ ଭୁକି ଉଠି ପୁଣି ଶୋଇ ଯାଉଛନ୍ତି–ପହଡ଼ିକିଆ ବିଲୁଆଗୁଡ଼ାକ ବହୁତ ଆଗରୁ ଭୁକିସାରିଲେଣି–ପବନରେ କୋଉଠୁ ଭାସିଆସୁଛି ରଜନୀଗନ୍ଧାର ମହ ମହ ଗନ୍ଧ । ସଫା ଦୁଧ ଭଳି ଆକାଶଟାରେ ତାରାଗୁଡ଼ାକ ବୁଣି ହୋଇଯାଇଛନ୍ତି ଫୁଲ ଭଳି ।

 

ଜହ୍ନଟା ଝୁଲି ଝୁଲି ଆଲୁଅ ଦେଉଛି–ସମଗ୍ର ପ୍ରକୃତି ଶୋଇ ରହିଛି । ବେଳେବେଳେ ରାତିର ଅନ୍ଧକାର ଭିତରେ, ନିଦ୍ରିତା ପ୍ରକୃତି ଭିତରେ ମଣିଷର ମନ ମଧ୍ୟ ନିଶ୍ଚୁପ ହୋଇଯାଏ–ଗତିହୀନ ହୋଇଯାଏ...

 

ସୁନୀଲା କିଛି ଭାବିପାରୁ ନ ଥିଲା–କିଛି ଠିକଣା କରିପାରୁ ନ ଥିଲା ମନ ଭିତରେ–ଅସଂଖ୍ୟ ଅଗଣନ ଚିନ୍ତା ଆସି ଫେରି ଯାଉଥିଲେ–ମନ–ସାଗରରେ ତାର ତରଙ୍ଗ ଉଠୁଥିଲା....ସ୍ଥିର ତରଙ୍ଗ ।

 

ଗରମରେ ଘର ଭିତରେ ନ ଶୋଇ ପାରି ନୀରଦ ଓ ସୁନୀଲା ଉଠି ଆସିଥିଲେ ବାହାରକୁ । ଆଜେ ବାଜେ କଥା ପଡ଼ୁ ପଡ଼ୁ ନୀରଦ ମନକୁ ମନ କହିଲା ବସି ତା’ ନିଜ କଥା ।

 

ଅଥଚ ଆଶ୍ଚର୍ଯ୍ୟ, ନୀରଦ ସକାଳୁ ଏମାନଙ୍କୁ ରୀତିମତ ଈର୍ଷା କରୁଥିଲା–ଦୁଇ ଆଖିରେ ଦେଖି ପାରୁ ନ ଥିଲା–ରିହର୍ସାଲରେ ଏମାନଙ୍କ ଆକ୍ଟିଂ ଦେଖି ଖୋଲାଖୋଲି ଭାବରେ ମୁହଁ ବୁଲେଇ ଦେଉଥିଲା ।

 

ଏ ଧରଣର ଈର୍ଷା ମଞ୍ଚ ଉପରକୁ ଆସିଲା ଦିନରୁ ସୁନୀଲା, ଅନୀଲା ଅନେକ ଦେଖିଛନ୍ତି–-ଅଙ୍ଗେ ନିଭେଇଛନ୍ତି–ଦିହଘଷରା ହୋଇଗଲାଣି ଏଗୁଡ଼ାସବୁ । ଆଗରୁ ଯେଉଁମାନେ ହିରୋଇନ୍ ହେଉଥିଲେ, ସେମାନେ ଏ ନୂଆ ହିରୋଇନମାନଙ୍କୁ ଦେଖିଲେ ଚିଡ଼ନ୍ତି....ନାକ ଟେକନ୍ତି.... ଜଣେ ଜଣେ ତ ଅତି କଦର୍ଯ୍ୟ ଭାଷାରେ ଗାଳି ଦିଅନ୍ତି–କାନରେ ଶୁଣି ହେବ ନାହଁ ସେକଥା.... ।

 

ଖୁବ୍ କମ୍ ଜାଗାରେ ଅତୀତ ଭବିଷ୍ୟତକୁ ସହଜରେ ଗ୍ରହଣ କରିଯାଏ–ଇଏ ସେଇ ଚିରନ୍ତନ, ଆଦିମ ଈର୍ଷା ! ଭାରି ଜଣାଶୁଣା !

 

ଅନାଲା ଆଉ ସୁନୀଲା ଏକା ମା’ପେଟରୁ ଜନ୍ମ....ତଥାପି ତାଙ୍କ ଭିତରେ ଯେଉଁ ଈର୍ଷା, ଯେଉଁ ମନାନ୍ତର । ନୀରଦର ସେଇଆ ଥିଲା.... ।

 

ଏ କାକରଝରା ରାତି–ଏକାକୀ ଏ ହତାଶ, ମଳିନ ଜହ୍ନ—ଭାରାକ୍ରାନ୍ତ ଏ ପବନ–ପାଖରେ ସୁନୀଲା....ସବୁ ମିଶି ନୀରଦକୁ ବାଚାଳ କରିଦେଲେ କେମିତି !

 

ମାୟାବିନୀ ଏ ରାତି, କଥା କହୁଥିଲା ଅବିଶ୍ରାନ୍ତ ଭାବରେ–ଅବିରାମ ଭାବରେ– ।

 

ନୀରଦର ମନ ବହଲାଇ ଦେଇଥିଲା ଏ ରାତି...ନିଶୁନ, ନିଝୁମ୍, ଦିନର ଆଲୋକର ପ୍ରସବବେଦନାରେ କାତର ଏ ରାତି...

 

ନୀରଦ ଗପି ଚାଲିଥିଲା–ରାତି କେତେ ହେଲାଣି କେଜାଣି ?

 

ଘରଭିତରୁ ଅନୀଲାର ଊର୍ଦ୍ଧ୍ୱନିଶ୍ୱାସ ଶୁଭୁଥିଲା–ମଶା କାମୁଡ଼ାରେ ଅତିଷ୍ଠ ହୋଇ ନୀରଦର ପିଲାଟି ଗୋଡ଼ହାତ ବାଡ଼େଇ ଛଟପଟ ହେଉଥିଲା । ନିଦ ବାଉଳାରେ ଉଁ....ଉଁ....ହୋଇ ପୁଣି ଶୋଇଯାଉଥିଲା ସେ–

 

ନୀରଦର ଆଖିରେ ଆଖିଏ ଲୁହ ଜକଜକ କରୁଥିଲା ଚନ୍ଦ୍ରକିରଣରେ–ଆବଡ଼ା ଖାବଡ଼ା ହୋଇ ଆସିଥିବା ଗାଲ ଉପରକୁ ଦି’ଧାର ଲୁହ ଗଡ଼ିଆସି ଶୁଖିଯାଇଥିଲା....

 

ସୁନୀଲା ଭୟରେ କାତର ହୋଇ ଶୁଣୁଥିଲା, ତା’ର ଭୂତର କାହାଣୀ । ସେଇ କହିଯାଉଛି–

 

–“କେହି ନୁହଁ ଲୋ ସୁନୀଲା, କେହି ନୁହଁ–ଆମର ହେଲେ କେହି ଜଣେ ହେଲେ ନାହିଁ ଏ ଦୁନିଆଟାରେ.....ବାପା ମା ତ ଆମକୁ ଟଙ୍କା ପାଇଁ ଘରୁ ପଦାକୁ ଠେଲିଦେଲେ–ଦୁନିଆ ସାରା ଦିହ ପାଇଁ ନିଜର କରି, ଆଦର କରି, ଦିହ ଗଲାରୁ ପର କରିଦେଲେ....ଲେମ୍ବୁରୁ ରସ ଚିପୁଡ଼ିସାରି, ତୁଚ୍ଛା ଚୋପାଟାକୁ ଫୋପାଡ଼ିଦେଲା ଭଳିଆ–କେତେ ବକ୍ତୃତା ସବୁ ଶୁଣିବୁ ଆମ ନାଁରେ....ଅନ୍ଧାରରେ ଏକାଟିଆ ପାଇଲେ, ସେଇ ବକ୍ତୃତା ଦେଲାବାଲା ବି ଗିଳିଦେବାକୁ ଟାକେଇଛନ୍ତି... ।

 

କାବ୍‍ବା ହୋଇ, ରାତିର ଛାତିଥରା ବାହୁନା ସୁର ଶୁଣୁଥିଲା ସୁନୀଲା ।

 

–ଏ ଅଙ୍ଗରେ ମୁଁ କ’ଣ ନ ନିଭେଇଛି ? ରାତିରେ ଆମ ରଙ୍ଗବୋଳା ଦେହକୁ ଲୋଭେଇ କେତେ ବଡ଼ ବଡ଼ ବାବୁ, ଅଫିସର, ଧାଇଁଆସନ୍ତି–କଳା ଦେଖିବାକୁ ନୁହେଁ ଲୋ । କଳା ରାତିରେ ଆମ ନରମ ଦିହ ଦେଖିବାକୁ....

 

....ମଣିଷ ପୁଣି ଦିହ ଧରି ଏ ଦିହକୁ କେତେ ଜଗିବ କି ଲୋ ?

 

–ଡାକୁଙ୍କ ଭିତରେ ଘର କରି କେତେ ସାଇତିବ ଜିନିଷପତ୍ର ? କେତେ ଛପାଇବ ନିଜକୁ-?

 

–ମୁଁ ପାରିଲି ନାହିଁ ଲୋ ସୁନୀଲା....ମୁଁ ପାରିଲି ନାହିଁ.....ଶେଷକୁ ଗୋଡ଼ ମୋର ଖସିଗଲା–

 

–ହଁ, ସେଥିରେ ବି ସମ୍ମାନ ବଢ଼ିଲା–ସକାଳ ଆଲୁଅରେ ଛି ଛାକର ! ରାତି ଅନ୍ଧାରରେ କେତେ ସମ୍ମାନ !

 

ଛେପ ଢୋକି, ଲୁହ ପୋଛି, ଆକାଶକୁ ଚାହିଁ, ଗୋଟିଏ ଦୀର୍ଘନିଃଶ୍ୱାସ ପକାଇଲା ନୀରଦ । କାଲୁହା ରାତିର ପବନ ଭିତରେ କୁଆଡ଼େ ମିଳାଇଗଲା ତା’ର ତାତିଲା ଦୀର୍ଘଶ୍ୱାସ କ୍ଷଣକ ଭିତରେ । ସେ ପୁଣି କହିଲା–

 

–ଆଖିରେ ରଙ୍ଗର ଚଷମା ପିନ୍ଧି ଦୁନିଆକୁ ଚାହିଁଲେ ରଙ୍ଗ ଦେଖାଯାଏ ସାରା ଦୁନିଆଟା-। ସେମିତି ସବୁ ଭଳିକି ଭଳି ରଙ୍ଗବେରଙ୍ଗ ଦିଶୁଥିଲା ଆଖିକି–

 

ସେ ରଙ୍ଗ କିନ୍ତୁ କେତେଦିନ ? ମଣିଷ ଜୀବନରେ ଏବେ ଏ ବସନ୍ତ କେଇଟା ଦିନ ପାଇଁ ଆସେ । ଆସୁ ଆସୁ ତ ହଜିଯାଏ । ପୁଣି, ଝିଅ ପାଇଁ ?

 

ଆମୋଦ ସରିଯାଏ– । ରାତିର ତାତି, ରଙ୍ଗ, ଆମୋଦ, ଖାଲି କ’ଣ ଏତିକି ଆମର ଦରକାର ? ଜୀବନଟା କ’ଣ ଆମର ଖାଲି ଛଳନା ? ଅଭିନୟ ?

 

....ମିଛ ମଣିବୁ ଲୋ....ଜୀବନରେ ମୁଁ ସବୁ ପାଇଛି–କେତେ ମଉଜ, ମଜଲିସ୍–କେତେ ଛାତିଥରା ଦୀର୍ଘଶ୍ୱାସ....ଜହ୍ନରାତି–ତୁ ମୋର, ମୁଁ ତୋର ବଚନିକା...ସବୁ ଶୁଣିଚି....

 

କିନ୍ତୁ ମନ ମୋର ଡହଳ ବିକଳ ହୋଇ ଲୋଡ଼ୁଥିଲା ଗୋଟାଏ ନିରାପଦ ଆଶ୍ରୟ । କାନ୍ଦ ଥିଲା ଭିତରେ ଭିତରେ । ଗୋଟାଏ ଆଶ୍ରୟ....ଯୋଉଠି ମୁହଁ ଗୁଞ୍ଜି ମୁଁ ଜୀବନଟା ପାଇଁ ଭରସା ପାଇବି–ନିର୍ଭରତା ପାଇବି ।

 

ଉଡ଼ାଜାହାଜର ବନ୍ଦର ଭଳି–ଯୋଉଠି ଉଡ଼ି ଉଡ଼ି ଆସି ଠାକିଯିବି.....ଯେଉଁଠି ସତରେ ଅଭିନୟକୁ ଜୀବନ୍ତ କରିନେବି–ମଉଜ ନୁହେଁ, ନିରାପତ୍ତା ଖୋଜୁଥିଲି ମୁଁ...

 

ଖାଲି ମୁଁ ନୁହଁ, ଯେ କୌଣସି ଝିଅ ଖୋଜେ ସେଇଆ...ତୁ ବି ଖୋଜୁଥିବୁ ।

 

ଉପଭୋଗ କରି କରି ଚିଟା ଲାଗିଯାଏ–ମନ ଚାହେଁ ଗୋଟାଏ ସାଥୀ, ଯିଏ ଅସଜଡ଼ା ଜୀବନକୁ ସଜାଡ଼ିବ–ଆକଟ କରିବ...ଗାଳି ଦବ...ରାଗିବ ଦୋଷ କଲେ–ହୁଡ଼ିଲେ ଦି’ପଦ କଡ଼ା କଥା କହି ଆଖି ଲାଲ୍ କରିବ–କିଛି ନ ହେଲେ ମାରି ମାରି ପିଠି ଫଟାଇଦବ... ।

 

ମିଛ ଆଦର କରନ୍ତି ସଭିଏଁ–ଆକଟନ୍ତି ନାହିଁ କେହି । ଆଉରି ଆଉରି ଖସଡ଼ାକୁ ଟାଣିନିଅନ୍ତି । ଆମେ ଅକୂଳ ଦରିଆ ଭିତରେ ହେଲା ବେଳକୁ ଦେଖୁ, ସାହା କେହି ନାହିଁ–

 

କାହିଁ ? କାହାକୁ ଜଣକୁ ତ ପାଇଲି ନାହିଁ....ଏ ଜୀବନରେ ଗୋଟିକୁ ତ ଦେଖିଲି ନାହିଁ, ଯିଏ ହାତ ଧରି ଆମକୁ ଏ ଖସଡ଼ାରୁ ଉପରକୁ ଉଠାଇନବ– । ଜୀବନ ଦେଇ ଖୋଜିଚି ମୁଁ ସୁନୀଲା–ସାରା ଜୀବନ ଦେଇ ଖୋଜିଛି...ହେଲେ, ଜଣେ ବି ଦେଖି ନାହିଁ– !

 

ତାରି ଭଳି ମଞ୍ଚର ଜଣେ ପ୍ରୌଢ଼ା କନ୍ୟା, ଯାହାର ପଶ୍ଚିମ ପଥିକ ସେ, ଜୀବନର କରୁଣ କାହାଣୀରୁ ଅସରାଏ ଶୁଣାଉ ଶୁଣାଉ କାନ୍ଦି ପକାଉଛି–ସୁନୀଲା ଆଖିକୋଣରୁ ଲୁହ ପୋଛିଲା–ସୁନୀଲାର ଆଉ ଧୈର୍ଯ୍ୟ ନ ଥିଲା–ସାରା ଦୁନିଆକୁ ଧ୍ୱଂସ୍ତ ବିଧ୍ୱସ୍ତ କରିଦେବାକୁ, ନଖରେ ବିଦାରି ଚିରି ଦୀର୍ଣ୍ଣବିଦୀର୍ଣ୍ଣ କରିଦେବା ପାଇଁ ଇଚ୍ଛାହେଲା ତାର ସେହି ମୁହୂର୍ତ୍ତରେ–

 

ନିଦାଘର ସେହି ନିରବଚ୍ଛିନ୍ନ ରାତିରେ, ସୁନୀଲାର ମନର ବନ୍ଧ ଭାଙ୍ଗିଯାଉଥିଲା–ନୀରଦର କଥା ଶୁଣୁ ଶୁଣୁ ମନ ତାର ଭାସିଯାଉଥିଲା କାହିଁ କୁଆଡ଼େ–ନିଜକୁ ନୀରଦ ଜାଗାରେ ବସାଇ ସେ ତଉଲି ଦେଖୁଥିଲା !

 

ଆଜିଠାରୁ କେତେ ବର୍ଷ ପରେ ହୁଏତ ଏକ ଶୀତାର୍ତ୍ତ ରାତିରେ, କାଲୁହା ପବନରେ, ଉଷୁମ ଲୁହ କେଇ ବିନ୍ଦୁ ମିଳାଇଦେବ ସେ ରୂପେଲି କାକରବିନ୍ଦୁ ସହିତ–

 

ଲୁହ ଆଉ କାକର କେହି ବାରିପାରିବେ ନାହିଁ–କାନ୍ଦି କାନ୍ଦି ତା’ର କାନ୍ଦଣା ବି ଥମିଯିବ ଏମିତି । ସେ ଦିନ ବି ଆଉ ବେଶୀଦିନ ନାହିଁ–

 

ଘୋଷରା ରାତିଟା ବଢ଼ିଚାଲିଛି । ଚନ୍ଦ୍ର କୁଆଡ଼େ ଲୁଚିଯାଇଛି । ଘଡ଼ିକ ପାଇଁ ବାଦଲ ଭିତରେ । ଝାପ୍‍ସା ଅନ୍ଧାର ଛାଇଯାଇଛି ।

 

ଅନୀଲା ଘରଭିତରେ ଶୋଇ ବିଳିବିଳଉଛି । ମନେପଡ଼ିଗଲା ତାର, ସୁନୀଲା ଗତ କାଲି ଦେଖିଥିଲା, ଆଜି ବି ଦେଖିଛି, ଅନୀଲା ନରହରି ସହିତ କେମିତି ମିଳାମିଶା କରୁଛି ଅତି ଘନିଷ୍ଠ ଭାବରେ । ନରହରି ଏଇ ଗାଁର ଅଧାପାଠୁଆ, ପଇସାବାଲା ପିଲାଟିଏ । ଚାରି ଚାରିଟା ମୁଦି ଲଗାଇଛି–ଗାଁ ଥିଏଟର ଦଳଙ୍କୁ ପଇସାପତ୍ର ସାହାଯ୍ୟ କରେ–ବାଗେଇ ବାଗେଇ ଚେହେରା ରଖିଛି-। ଗାଁ ଡ୍ରାମାମାନଙ୍କରେ ହିରୋ ସାଜିଥାଏ ସେଇ । ସାଧାରଣ ଡାଇଲଗ୍‍ ବି କହିବାକୁ ବେଳେବେଳେ ସେ ଥଙ୍ଗେଇ ଥଙ୍ଗେଇ ଯାଉଛି–ସାଧାରଣ ଡାଇଲଗ୍ ବି ବେଳେବେଳେ ତା ପାଟିରେ ପଶୁ ନାହିଁ ।

 

ପହଞ୍ଚିଲାବେଳେ ଏଇ ନରହରି କେତେ ସମ୍ମାନ ଦେଖାଇ କହୁଥିଲା ନମସ୍କାର କରି, ଆପଣମାନେ ଆସି ଆମ ଗାଁ ଧନ୍ୟ କରିଦେଲେ । ଆପଣ ଆଧୁନିକା ମହିଳା–କଳାର ପୂଜାରିଣୀ–ଏମିତି କେତେ କଥା । ସେତିକି କଥା ସେ ଆଗରୁ ଅଭ୍ୟାସ କରି ରଖିଥିଲା ବୋଧହୁଏ । ସହରରେ କୌଣସି ନାଟକରେ ସେ ଏମାନଙ୍କର ଅଭିନୟ ଦେଖିଛି—ମୁଗ୍‍ଧ ହୋଇଛି । ସାରା ଓଡ଼ିଶାରେ ଏମାନେ ସର୍ବଶ୍ରେଷ୍ଠା ଅଭିନେତ୍ରୀ ବୋଲି ତାର ଧାରଣା କୁଆଡ଼େ । ସେକଥା ବି କହିଛି-

 

ଏ ଧରଣର କୌଣସି କଥା ନୂଆ ନୁହେଁ । ପ୍ରତ୍ୟେକ ଜାଗାରେ ଏଇ କଥା ଠିକ୍ ନ ହେଲେ ବି ଏଇ ଧରଣର କଥା ଶୁଣିବାକୁ ପଡ଼ିଥାଏ । ଶେଷ ବେଳକୁ କହନ୍ତି, ଫୁଟାଣି ଦେଖଉଛନ୍ତି ବେଶୀ...ଯୋଉ ତ ଆକ୍ଟିଂ କଲେ ।

 

ଖରାବେଳ ଭିତରେ ସେଇ ନରହରି ଅନୀଲା ସହିତ ଏତେ ବନ୍ଧୁତା କରି ପକେଇଲା ଯେ ଅନୀଲା ତାକୁ ଗୀତ ଗାଇ ଶୁଣାଉଥିଲା । ଆଉ ସେ ଠେକା ତାଳ ଦେଇ ତାବଲା ବଜାଉଥିଲା-। ବୁଲାଭାଇ ହସି ହସି କହିଦେଇ ଗଲା–“ଟିକେ ଆଖି ରଖିଥବୁ...ଏ ନରହରିଟିର ଅବସ୍ଥାଟା ତ ଭଲ ଜଣା ଯାଉ ନାହିଁ । ନିଜେ ବି ତୁ ସାବଧାନ ରହୁବୁ ।” ସୁନୀଲା ହସିଥିଲା ତା’ କଥାରେ-

 

ସୁନୀଲା ଲକ୍ଷ୍ୟ କରିଛି, କେବଳ ଏକା ଏ ନରହରି କାହିଁକି ? ଖଦଡ଼ପିନ୍ଧା ସେ ରଘୁନାଥ ବାବୁଟି ? ଯିଏ ଡାକିବାକୁ ଯାଇଥିଲେ ? ଜାଣି–ଅଜଣାରେ ଟିକେ ଦିହରେ ହାତ ବଜାଇଦେବାକୁ ସେ ଟାକି ବସିଛନ୍ତି ! କୁଆଡ଼େ ଦେଶସେବକ ! ତୁଚ୍ଛାଟାରେ ପାନଖଣ୍ଡେ ବଢ଼ାଇଦେଇ କି ଚାହା ଗ୍ଲାସଟା ବଢ଼ାଇଦେଇ ହାତ ଛୁଉଁଛନ୍ତି !

 

ଏମିତି ଢେର୍ ଲୋକ ସୁନୀଲା ଦେଖିଛି । ଏମାନେ ଠିକ୍ ଗେଣ୍ଡା ଭଳି । ଧୀରେ ଧୀରେ ଖୋଳରୁ ମୁଣ୍ଡଟି କାଢ଼ିବେ....ସନ୍ତର୍ପଣରେ ଆଗେଇବେ । ଥରେ ଦୁଇ ଥର ହାତ ବଜାଇଦେଇ ଛୁଇଁଦେଇ ଦେଖିବେ–ପ୍ରତିବାଦ ଆସୁଛି କି ନାହିଁ ବୋଲି–ବାଧା ନ ଦେଲେ ଆଗେଇ ହାତ ଧରି ପକାଇବେ....

 

କିଛି ଟିକେ କହିଦେଲେ ରାଗି କରି ଗେଣ୍ଡା ଭଳି ମୁଣ୍ଡଟିକି ଭିତରକୁ ପୂରାଇନେଇ ସାଧୁପୁରୁଷ ଭଳି କ୍ଷମା ମାଗିନେବେ !

 

ପରେ କହିବେ ଦୁଶ୍ଚରିତ୍ରାଟା–ମୋତେ ହାତଫାତ ଛୁଇଁ ପାଲରେ ପକାଉଥିଲା–ମୁଁ ଖସିଆସିଛି !

 

ଏଗୁଡ଼ାଙ୍କୁ ଭୟ ନାହିଁ ସୁନୀଲାର....କିନ୍ତୁ ଏ ଗାଁରେ ? ସେ କୁଜି ଗେଣ୍ଡାଟି ବି ବୁଡ଼ି ବୁଡ଼ି ପାଦ କାଟି ଘାଏଲ କରିଦେବେ ।

 

ନୀବଦ କେତେବେଳୁ ତୁନି ହେଲାଣି । କାନ୍ଦୁଥିଲା କି କ’ଣ କେଜାଣି, କିଛି କହୁ ନ ଥିଲା-। ସୁନୀଲା ତା ନିଜ ମନ–ରାଜ୍ୟରେ ଘୂରି ବୁଲୁଥିଲା ।

 

ନିଦ ମଳମଳ ଆଖିରେ ଅନୀଲା ଉଠିଆସିଲା ବାହାରକୁ ।

 

–“କିଲୋ । ତମେ ଦିଇଟା କ’ଣ ଏଠି ଏମିତି ଭୁତଙ୍କ ଭଳିଆ ବସିଚ ? କ’ଣ ମୋଟେ ଶୋଇନ ?”

 

–“ତୁ କାହିଁକି ଉଠିଲୁ ? ବାହାରକୁ ଯିବୁ ?”

 

–“ମଶାଗୁଡ଼ାକ ତ ଶୁଆଇ ଦେଉନାହାନ୍ତି ମୋଟେ–ତା’ଛଡ଼ା ନୂଆ ଜାଗାଟା, ମୋଟେ ନିଦ ହଉ ନାହିଁ–ଭାରି ଗରମ ହଉଛି ।”

 

ନୀରଦ ଆଉ ସୁନୀଲା ଝାଡ଼ିଝୁଡ଼ି ହୋଇ ଉଠିଲେ ଏଥର । ଅନୀଲା ବାହାରକୁ ଯାଇ ଫେରିଲା ।

 

ଜହ୍ନ ପହଁରି ଚାଲିଛି ଆକାଶ ଛାତିରେ–ଡାକବଙ୍ଗଳାର ଆଗରେ ଥିବା ଗଛଗୁଡ଼ାକରୁ କାକର ପଡ଼ୁଛି ଟପଟପ୍ ହୋଇ–ସତେ କି ପ୍ରତ୍ୟେକଟି ଗୋଟିଏ ଗୋଟିଏ ପ୍ରାଗୈତିହାସିକ ମୂର୍ତ୍ତି !

 

ନୀରବ, ନିଷ୍ପ୍ରାଣ ଗାଁଟା ଭିତରୁ ମଝିରେ ମଝିରେ ଶୁଭୁଛି କାହାର ଜଣ ଜଣଙ୍କର କାଶ ଶବ୍ଦ–ଖୁଁ ଖୁଁ ହୋଇ କାଶି ପୁଣି ତୁନି ହୋଇଯାଉଛି ।

 

ରାତି ବଢ଼ିଚାଲିଛି ।

 

“ଚାଲ, ଶୋଇବା ଚାଲ ।”

 

ଘରେ ପଶିଲେ ତିନିହେଁ ।

 

ତାରାର ମଉଚ୍ଛବ ଭାଙ୍ଗିବାକୁ ଆଉ ଅଳ୍ପ ବାକି ଅଛି !

 

ରାତି କେତେଟା ହବ କେଜାଣି ! ବାପା, ମା, ଗୀତା, ପିଲାଏ ସବୁ ଶୋଇ ପଡ଼ିଲେଣି । ବାପାଙ୍କ ଘୁଙ୍ଗୁଡ଼ି ଶୁଭୁଛି । ସାନ ଛୁଆଟା ବେଳେବେଳେ ମଶା କାମୁଡ଼ାରେ ବ୍ୟସ୍ତ ହୋଇ କାନ୍ଦିଉଠଛି । ଛାରପୋକ କାମୁଡ଼ାରେ ସମସ୍ତେ ମଝିରେ ମଝିରେ ଫଟଫଟ୍ ହୋଇ ପିଟି ହେଉଛନ୍ତି । କ୍ଷଣକ ପରେ ପୁଣି କଡ଼ ବୁଲାଇ ଶୋଇଯାଉଛନ୍ତି-

 

ବସ୍ତିରେ ବୁଲା ମଦୁଆ କେତେଟା ପାଟି କରି ଉଠୁଛନ୍ତି । ପୁଣି ତୁନି ହୋଇଯାଉଛନ୍ତି । କାଁ ଭାଁ ଗୋଟାଏ ଗୋଟାଏ ରିକ୍‍ସାର ଘଣ୍ଟି, କାର୍ କି ଟ୍ରକର ହର୍ଣ୍ଣ, ଅକସ୍ମାତ୍ ପଥଚାରୀର ପାଦଶବ୍ଦ ରାତ୍ରିର ନିର୍ଜ୍ଜନତା ଭଙ୍ଗ କରୁଛି ।

 

ଶୋଇ ଶୋଇ ସୁନୀଲା କାନ ଡେରିଥିଲା ଅନୀଲା କେତେବେଳେ ଫେରିବ ବୋଲି । ଉତ୍‍କର୍ଣ୍ଣ ହୋଇ ରହି ଅପେକ୍ଷା କରୁଥିଲା ଦୂର ଅଫିସ ଘଣ୍ଟା ଶବ୍ଦରୁ ସମୟ କେତେଟା ଜାଣିବା ଲାଗି–

 

ନାଃ, ବଜାଇବା ଲୋକଟା ଶୋଇପଡ଼ିଚି କି କ’ଣ କେଜାଣି । ଆଦୌ ଘଣ୍ଟାଟା ବାଜୁନି ।

 

ମୁହୂର୍ତ୍ତେ ଡେରି ଦଣ୍ଡେ ଭଳି ଲାଗୁଛି ।

 

ବାପାଙ୍କର ଘୁଙ୍ଗୁଡ଼ି ଶବ୍ଦରେ ଘରଟା କମ୍ପିଉଠୁଛି । ବାହାରକୁ ଉଠିଆସିଲା ସୁନୀଲା । ଚନ୍ଦ୍ର ନାହିଁ ଆକାଶରେ–

 

ଅଜସ୍ର ତାରା ବିଞ୍ଚାଡ଼ି ହୋଇ ପଡ଼ିଛନ୍ତି ଆକାଶ ସାରା–ବାଲି ମୁଠାଏ ହାତରେ ଧରି ଜୋରରେ ଫିଙ୍ଗିଦେଲେ ଯେମିତି ପଡ଼େ ।

 

କଳା ଆକାଶଟା ମାଡ଼ି ପଡ଼ୁଚି ।

 

ମୁହଁ ଫୁଲେଇଚି ଯେମିତି ।

 

କାନିରେ ବେକସନ୍ଧିରୁ, କଲିରୁ, କପାଳରୁ ଝାଳ ପୋଛିଲା ସୁନୀଲା । ବାରଣ୍ଡାତଳ ପାହାଚ ଉପରେ ଥକ୍‍କା ମାରି ବସିପଡ଼ିଲା ।

 

ବାପା, ମା ନିଶ୍ଚିନ୍ତରେ ଶୋଇଛନ୍ତି । ଟିକେ ହେଲେ ଦକ ନାହିଁ ମନରେ ଝିଅଟା ପାଇଁ । ବଡ଼ ଭଉଣୀ ସୁନୀଲା ମନରେ ଏଭଳି ପିତୃତ୍ୱ–ମାତୃତ୍ୟ ପାଇଁ ଧିକ୍‍କାର ଆସିଲା ମନରେ ।

 

କେତେବେଳେ କିନ୍ତୁ ଆସିବ ଅନୀଲା ?....

 

ପବନ ଆଦୌ ନାହିଁ । ଗୁମ୍‍ସୁମ୍ ମାରି ରହିଛି ।

 

ଗଭୀର ଦୁଃଖରେ ବି ବେଳେବେଳେ ମଣିଷ ଆଖିକୁ ଲୁହ ଆସେ ନାହିଁ । ସେ ଥକ୍‍କା ହୋଇଯାଏ–ସେମିତି ଠିକ୍ କଳା ଆକାଶଟା ଯେମିତି ଥକକା ମାରି, ମୁହଁ ଫୁଲେଇ ଚାହିଁ ରହିଛି । ଆଉ ଟିକେ ଗଲେ ଝରିପଡ଼ିବ ଲୁହଧାର ।

 

ଅନୀଲା ଆକାଶକୁ ଚାହିଁଲା । କଣିକିଆ ହୋଇ ଗୋଟିକିଆ ତାରାଟା ପାଖରେ ଆଖି ଲାଖିଗଲା । ତାରାଟା ଆଖିମିଟିକା ମାରୁଛି । କ’ଣ ଇସାରା କରୁଛି ଯେମିତି ! ପୁଣି ଆଖି ବୁଲେଇଲା–ଆକାଶ ପରଦା ଉପରେ, ତାରାଗୁଡ଼ାକ ରେଖା ହୋଇ ଗୋଟାଏ ଗୋଟାଏ ଭୟଙ୍କର ମୁହଁ, ମୁଣ୍ଡ ଆଙ୍କି ହୋଇଯାଉଥାଏ ।

 

ଆଖି ଫେରାଇ ଆଣିଲା ସୁନୀଲା ।

 

କାହିଁ ଅନୀଲା ?

 

ମନେପଡ଼ିଲା ତାର ବର୍ଷଣମୁଖର ସେ କଳା ଅନ୍ଧାର ରାତିଟିର କଥା । ତା’ର ନିଜ ଜୀବନର ସେ କାହାଣୀ ଅନୀଲା ଜୀବନରେ ବି ଫଳିଲା ? ରୋକିପାରିଲା ନାହିଁ ସେ ?

 

କାହିଁକି କେଜାଣି ସାନ ଭଉଣୀ ପାଇଁ ହଠାତ୍ ଅତି ମମତାସିକ୍ତ ହୋଇଉଠିଲା ମନଟା ତାର–ଗୋଟାଏ କାର୍ ଆସି ଅଟକିଗଲା ତାଙ୍କ ଘର ଦୁଆର ମୁହଁରେ । ନା, ହର୍ଣ୍ଣ ବାଜିଲା ନାହିଁ–

 

ତା’ ବଦଳରେ ଶୁଭିଲା ଖଳଖଳ ହସ । ନାରୀକଣ୍ଠରେ କିଏ ଜଣେ କହୁଛି–

 

–“ଆରେ, ଛାଡ଼ନ୍ତୁ... ଛାଡ଼ନ୍ତୁ....କିଏ ଯଦି ଦେଖିବ ? .....ଏ ରାସ୍ତାଟାରେ... ?”

 

ତା’ପର ଶବ୍ଦ ଶୁଣି ସୁନୀଲା ନିଜେ ଲାଜେଇଯାଇ ନିଜ ଗାଲରେ ହାତ ମାରିଲା–

 

“ଇସ୍ କି ଅଭଦ୍ର !”

 

ଏଥର ଗୋଟାଏ ମୋଟା ପୁରୁଷ କଣ୍ଠର ଅଟ୍ଟହାସ୍ୟ ଶୁଭିଲା । ସେ କହିଲା–“ଧେତ୍, କାହିଁକି ମିଛଟାରେ ଡରୁଚ ମ ? କିଏ ଏତେ ରାତିରେ ତମ ପାଇଁ ଜଗି ବସିଥିବ ?”

 

–“ୟା’ ବୋଲି ରାସ୍ତାଟାରେ ?”

 

–“କ’ଣ ହେଲା ସେଠୁ ?”

 

ବାରଣ୍ଡା ପାହାଚ ଉପରେ ଚଟି ଧପ୍‍ଧପ୍ ଶୁଭିଲା । ଗାଡ଼ିର ଷ୍ଟାର୍ଟ ଦେବାର ଶବ୍ଦ ଶୁଭିଲା–

 

“ଟା....ଟା....”

 

“ଟା....ଟା...ପୁଣି କେବେ ଦେଖା ?”

 

ଗାଡ଼ିଟା ଛାଡ଼ିଲା ବୋଧହୁଏ । ସେ ଶବ୍ଦକୁ ଭେଦ କରି ଶୁଭିଲା–-“କାଲି ସନ୍ଧ୍ୟା ପରେ ବି ଛାଡ଼ିବାକୁ ଆସିବି–’’

 

–“ନା...ନା...ଆଉ ଏମିତି”–

 

ଗାଡ଼ିଟା ଆଗେଇ ଯାଇଥିଲା ।

 

ନିର୍ଜନ ରାତ୍ରିର ନିସ୍ତବ୍‍ଧତା ଭେଦ କରି ଏ ପ୍ରତ୍ୟେକଟି କଥା ଧ୍ୱନିତ ହେଉଥିଲା ସୁନୀଲା କାନରେ–

 

କଡା ଖଡ୍ ଖଡ୍ ହେଲା ।

 

ଦୁଃଖ, ରାଗ, ଅଭିମାନ, ଅପମାନରେ ସୁନୀଲା ବୁଡ଼ିଯାଉଥିଲା ସେଇ ମୁହୂର୍ତ୍ତରେ–

 

ରାତିର ଏ ଅନ୍ଧକାର ଆହୁରି ଗାଢ଼, ଆହୁରି କଳା ହୋଇ ତାକୁ ଘୋଡ଼ାଇ ପକାନ୍ତା କି !

 

ଅନୀଲାକୁ ନିଶ୍ଚିହ୍ନ କରିଦିଅନ୍ତା !

 

ଅନୀଲାର ଲାଜ ତାକୁ ଗ୍ରାସ କଲା । ସେ କେମିତି ମୁହଁ ଦେଖିବ ଅନୀଲାର ?

 

ସେ ଶୋଇ ପଡ଼ିଥିଲେ ଭଲ ହୋଇଥାନ୍ତା–ବାପା, ମା ଭଲ କରିଛନ୍ତି ଶୋଇପଡ଼ି !

 

କଡା ଖଡ୍ ଖଡ୍ ବଢ଼ିଚାଲିଛି ।

 

ଉଠ ଛିଡ଼ା ହେଲା ସୁନୀଲା । ବାରଣ୍ଡାକୁ ଆସିଲା । କିନ୍ତୁ କବାଟ ଫିଟାଇବାକୁ ଇଚ୍ଛା ହେଉ ନ ଥିଲା ତାର ।

 

ପାଦ ଦୁଇଟାକୁ ସେଇ ମୁହୂର୍ତ୍ତରେ ଯେମିତି କିଏ ଅକାମୀ କରି ଦେଇଗଲା ! ବହୁ ପରଶ୍ରମର କ୍ଳାନ୍ତି ଯେମିତି ଅବଶ କରିଦେଇଛି ତାର ସମସ୍ତ ଶରୀରକୁ–

 

ଅନୀଲ ଏ ରାତ୍ରି ଅଭିସାର କରିଥିଲା । ପୁଣି ଘର ଦୁଆର ମୁହଁରେ ? ଗୋଟାଏ ପ୍ରଚଣ୍ଡ ଥାପପୋଡ଼ରେ ତାର ସେ ଘୃଣିତ ଉଚ୍ଛିଷ୍ଟ, କୀଟଦଂଷ୍ଟ୍ର ମୁହଁକୁ ପଛକୁ ଘୂରାଇ ଦେବାକୁ ଇଚ୍ଛା ହେଲା ତାର ।

 

ଅନୀଲା–ତା’ର ସାନ ଭଉଣୀ ଅନୀଲା । ତଥାପି...ଆଗେଇଲା ସୁନୀଲା ଦାଣ୍ଡ କବାଟ ଫିଟାଇ ଦେବାକୁ ।

 

ବିରକ୍ତ ହୋଇ ଅନୀଲା କଡ଼ା ବାଡ଼େଇ ଲାଗିଛି ଜୋରରେ ଜୋରରେ–କ’ଣ କରୁଛନ୍ତି ସବୁ ଏତେବେଳଯାଏ ବୋଲି ଭାବୁଥିଲା ସେ ।

 

ନାଃ, ଖାଇବା ଦରକାର ନାହିଁ । ପେଟଟା ପୂରିରହିଛି ।

 

ଦେହ, ମୁହଁ ସବୁ କେମିତି ଉଷୁମ ଉଷୁମ ଲାଗୁଛି–କ୍ଷଣକ ପାଇଁ ତାତିଗଲା ଭଳି । ନିଜକୁ କେବଳ ବିଛଣାରେ ଗଡ଼ାଇ ଦେଇପାରିଲେ ରକ୍ଷା । ଓଃ, କି କ୍ଳାନ୍ତି !

 

ଏ ରାଜେନ୍ଦ୍ରବାବୁଟା ନାରୀ ଦେହ ପାଇଁ ରାକ୍ଷସଟାଏ । ଅବିକଳ କାହାଣୀର ସେ ବିକଟାଳ ଅସୁର ପରି କଞ୍ଚା ଚୋବାଇ ଚୋବାଇ ଖାଇଯିବ ଦେହଟା ସାରା । ପରାସ ଲାଗୁଛି ।

 

ଧେତ୍ ! ବିରକ୍ତିରେ ଅନୀଲା ନିଜର ଅବଶ ହାତଟାକୁ କବାଟ ଉପରୁ ଖସାଇଆଣି ଚୁପହୋଇ ଠିଆହୋଇ ରହିବାକୁ ଭାବୁଥିଲା ।

 

ନିଦରୁ ଉଠିଆସିଲା ପରି ଆଖି ରଗଡ଼ି ରଗଡ଼ି କବାଟ ଖୋଲିଲା ସୁନୀଲା ।” କ’ଣ କରୁଥିଲ କି ସମସ୍ତେ ? ଓହୋଃ....ବାଡ଼େଇ ବାଡ଼େଇ କଡାଟାକୁ ଭାଙ୍ଗି ଦେଇଥାଆନ୍ତି ଆଉ ଟିକକରେ ତଥାପି କେହି ଖୋଲୁ ନାହାନ୍ତି ? କି ଆଶ୍ଚର୍ଯ୍ୟ !”

 

କହି ଭିତରକୁ ଆସିଲା ଅନୀଲା । ରାଜରାସ୍ତାର ସେଇ ସ୍ୱଳ୍ପ ଆଲୋକରେ ମଧ୍ୟ ତା’ର ସେଇ ମୁକୁଳା କେଶପାଶ, ଅଲାରା ବେଶବାସ ସ୍ପଷ୍ଟ ବାରିହେଉଛି । ନିରିଖି ନିରିଖି ସୁନୀଲା ଦେଖିଲା ତାକୁ–ଅନୀଲା ନିଜ ଗାଲରେ ହତ ରଖିଲା । ଲୁଚାଇଲା ଭଳି ଦେଖାଗଲା ।

 

ସୁନୀଲା ପ୍ରଶ୍ନ କଲା–

 

–“କ’ଣ ହୋଇଛି କିଲୋ ସେ ଗାଲରେ ?”

 

–“କାହିଁ କିଛି ନାହିଁ ତ !” ଚମକି ପଡ଼ିଲା ଭଳି ହୋଇ କହି ଅନୀଲା ଆଗେଇଲା ଘର ଭିତରକୁ । ପଛେ ପଛେ ତା’ର କବାଟ ବନ୍ଦ କରି ସୁନୀଲା ମଧ୍ୟ ତାକୁ ଅନୁସରଣ କଲା ।

 

–“ଏତେ ଜୋରରେ କବାଟ ପିଟୁଥିଲୁ କାହିଁକି ?”

 

–“ଶୁଣୁ ନ ଥିଲ କେହି, ଏଇନେ ପଚାରୁଚୁ କାହିଁକି କବାଟ ପିଟୁଥିଲି ?”

 

–“ଶୁଣୁ ନ ଥିଲି କ’ଣ ମ ? ତୁ ଜମା ଦି’ଡାକ ଡାକିଚୁ ! ଥରେ କି ଦି’ଥର କବାଟ ବାଡ଼େଇଚୁ !”

 

–“ବାଡ଼େଇ ବାଡ଼େଇ ପଛେ ମୋ ହାତ ଥକିଗଲାଣି–ଡାକି ଡାକି ତଣ୍ଟି ପଡ଼ିଗଲାଣି ଆସି, କହୁଚି କ’ଣ ନା, ଦି’ଡାକ ଡାକିଚି, ଥରେ ଦି’ଥର ବାଡ଼େଇଚି–’’

 

–ଘୁମନ୍ତ ଘରଟାସାରା ଅଖି ବୁଲେଇ ଆଣିଲା ଅନୀଲା । ସତେ କି ଯାଦୁକର କିଏ ଆସି ଏମାନଙ୍କ ଦେହରେ ଯାଦୁକାଠି ଛୁଆଁଇ ଦେଇ ଯାଇଛି–ଜଣ ଜଣକୁ ଚାହିଁ ଚାହିଁ ଅନୀଲା ଶାଢ଼ିଟା ଖୋଲିପକାଇଲା ଆଗ । କେବଳ ସାୟା, ବ୍ଲାଉଜ ପିନ୍ଧି, ପାଦ ଟେକି ଟେକି ଆସି, ଗୋଟାଏ କଣରେ ଥୁଆହୋଇଥିବା ଆଲଣାଟାରୁ ମଇଳା ଶାଢ଼ିଟାଏ ଟାଣିଆଣି ବଦଳିଲା–ତା’ପରେ ବ୍ଲାଉଜ, ବ୍ରେସରୀ ଗୋଟାକ ପରେ ଗୋଟାଏ କାଢ଼ିପକେଇ ସେଇ ଆଲଣା ଉପରକୁ ଫୋପାଡ଼ିଦେଲା । ମୁଁହରେ ହସ ଫୁଟାଇ ସୁନୀଲାକୁ ପଚାରିଲା–

 

–“କ’ଣ, ଖାଇବାକୁ କିଛି ଅଛି କିଲୋ ଅପା ?”

 

–“ହଁ ।” ଗମ୍ଭୀର ହୋଇ ଉତ୍ତର ଦେଲା ସୁନୀଲା–ଅନୀଲା ବୁଝିପାରୁଥିଲା ଯେ ଅପା ବିରକ୍ତ । ତେଣୁ ପ୍ରମାଦ ଗଣି ଗଣି ଅତି ନରମ ଗଳାରେ ପଚାରିଲା ପୁଣି–

 

“ତୁ କ’ଣ ଏତେବଳଯାଏ ଖାଇନୁଁ ?”

 

“ନା ।” –ଅତି ସଂକ୍ଷିପ୍ତ ଉତ୍ତର ।

 

“ଏତେବେଳଯାଏ ତୁ କାହିଁକି ଖାଇଲୁ ନାହିଁ ?”

 

“ତୋତେ ଅପେକ୍ଷା କରି”–ରୋଷେଇ ଘର ଆଡ଼କୁ ପାଦ ବଢ଼ାଉ ବଢ଼ାଉ କହିଲା ସୁନୀଲା । ସତେ ଯେମିତି ଅନୀଲାର କୌଣସି କଥାର ଉତ୍ତର ଦେବା ପାଇଁ ସ୍ପୃହା ତା’ର ନାହିଁ ।

 

ଅନୀଲା ତାକୁ ଅନୁସରଣ କରୁଥିଲା–ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଲଣ୍ଠନଟା ତେଜିଦେଇ ରୋଷେଇ ଘର କବାଟ ଫିଟାଇଲା ସୁନୀଲା । ଚୁଲି ଉପରେ ଘୋଡ଼ିଆ ହୋଇ ଥୁଆହୋଇଥିବା ରୁଟି, ତରକାରୀ ନେଇଆସିଲା ସୁନୀଲା । ଗ୍ଲାସରେ ପାଣି ଅଜାଡ଼ି ଆଣି ଖାଇବାକୁ ବସିପଡ଼ିଲା ଅନୀଲା ।

 

କିଛି ସମୟ ପୂର୍ବରୁ ଘଟିଯାଇଥିବା ଘଟଣା ବିଷୟରେ, କାହିଁକି ସେ ଏତେ ଡେରିକରି ଫେରିଲା ସେ ବିଷୟରେ ଅନୀଲାକୁ ପଚାରିବ ପଚାରିବ ହେଇ କିଛି ପଚାରି ପାରୁ ନ ଥିଲା ସୁନୀଲା । ଏତେ ସମୟ ଧୈର୍ଯ୍ୟ ଧରି ରହିଥିଲା ସେ । ଖାଉ ଖାଉ ପଚାରିଲା–

 

“ତୋର ଏତେ ଡେରି ହେଲା କାହିଁକି ?”

 

“ରିହର୍ସାଲ ସରିଲେ ସିନା ଆସିବି ।” –ରୁଟିପଟେ ଛିଡ଼ାଇ ଛିଡ଼ାଇ କହିଲା ଅନୀଲା ।

 

“କାହିଁକି ? ତୁ କହିଦେଉନୁ, ମୁଁ ଦଶଟା ପରେ ଆଉ ରହିପାରିବି ନାହିଁ–ଯେମିତି ଆମେ ସବୁବେଳେ କରିଆସିଚେ ?”

 

–“ମୁଁ କ’ଣ କହି ନାହିଁ କି ?” ଦୋଷୀ ଭଳି ତଳକୁ ମୁହଁ ପୋତି ଗୁନ୍ଦୁରେଇବାକୁ ଇଚ୍ଛା କଲା ଅନୀଲା । ସୁନୀଲା ବୁଝୁଥିଲା ସେ ମିଛ କହୁଛି ଏବଂ ସେ ନିଜେ ବୁଝୁଥିଲା ଯେ ଏଇ ଅଭିଜ୍ଞା ବଡ଼ ଭଉଣୀଟି ତା’ର ବୁଝିପାରିଛି ଯେ ସେ ମିଛ କହୁଚି ବୋଲି । ଏତେ ବୁଲେଇ ନ ପଚାରି ବଡ଼ ଭଉଣୀ ଭାବରେ ଅତି ଖୋଲାଖୋଲି ଏତେବେଳଯାଏ କାହା ସାଙ୍ଗରେ ଥିଲୁ ବୋଲି ପଚାରିଦେଲେ ବରଂ ସେ ରକ୍ଷା ପାଇଯାନ୍ତା ବୋଲି ଭାବୁଥିଲା ଅନୀଲା ।

 

ସୁନୀଲା କିନ୍ତୁ ହଠାତ୍ ଆଦୌ ପଚାରିପାରିଲା ନାହି ଯେତେ ଚେଷ୍ଟା କଲେ ମଧ୍ୟ, ଯଦିଓ ସେ କିଛି ସମୟ ଆଗରୁ ସେମାନଙ୍କର ସମସ୍ତ କଥୋପକଥନ ତାକୁ କହି ସିଧାସଳଖ ପଚାରି ପାରିଥାଆନ୍ତା ! ବେଳେ ବେଳେ ଆଖିରେ ଜଣେ କିଏ ଜଣାଶୁଣା ଲୋକ ଚୋରି କରି ନେଇ ଯାଉଥିବାର ଦେଖିଲେ ମଧ୍ୟ ଲଜ୍ଜାରେ କିଛି କହିହୁଏନା କି ପଚାରି ହୁଏନା–ଚୋରର ହୁଏତ ଲାଜ ନ ଥାଏ–

 

–“ତୁ କହିଲା ପରେ ମଧ୍ୟ ସେମାନେ ଏମିତି ଡେରି କରୁଛନ୍ତି ?”

 

–“ହଁ, ପ୍ରଥମେ ପହଞ୍ଚିଲା ବେଳକୁ ସାତଟାବେଳେ ଜଣେ ଦି’ଜଣ କିଏ ଥିବେ, ଯାହାଙ୍କର ପାର୍ଟ ନାହିଁ, ଭଲେଣ୍ଟିଅରସବୁ–ବାବୁମାନେ ଆସିଲାବେଳକୁ ସାଢ଼େ ଆଠ କି ନଅ....ରାଗିଯାଇ ଚାଲିଆସିବାକୁ କହିଲେ ହାତ ଗୋଡ଼ ଧରି କ୍ଷମା ମାଗିବେ, ଖୋସାମତ କରିବେ, କେତେ ପ୍ରକାର ନେହୁରା ହୋଇ କହିବେ–’’

 

କିଛି ସମୟ ନୀରବ ରହିଲା ସେ–ଲକ୍ଷ୍ୟ କରୁଥିଲା ଅପା ମୁହଁର ପରିବର୍ତ୍ତନ ହେଉଛି କି ନାହିଁ–

 

କୌଣସି ପରିବର୍ତ୍ତନ କିନ୍ତୁ ନାହିଁ ସୁନୀଲା ମୁହଁରେ । ପାଣି ପିଇସାରି ବେଶ୍ ଗମ୍ଭୀର ଭାବରେ କହିଲା ସେ–

 

–“ତୁ କ’ଣ ନୂଆ ପାର୍ଟ କରୁଚୁ, ନା ମୁଁ ଏସବୁ କିଛି ଜାଣେନି ? ବୁଢ଼ୀ ପରା ହେଲିଣି ଆସି ତେର ଚଉଦ ବରଷ ଦିନୁ । ରାମ ବନବାସ ଗଲା ପରି ମୁଁ ଏ ଲାଇନରେ ଆସି ଚଉଦ ବର୍ଷ ବିତେଇଲିଣି । ମୋତେ କହୁଚୁ....ସେମାନେ ଖୋସାମତ କରୁଛନ୍ତି ବୋଲି ତୁ ରାତି ଗୋଟାକରେ ଫେରିବୁ ?”

 

“ଗୋଟାଏ କ’ଣ ହେଲାଣି ?” –ଅନୁନୟ କରି ଗେହ୍ଲେଇ ହୋଇ କହିଲା ଅନୀଲା ।

 

–“କାନ ପାତିଥା ଶୁଣିବୁ ଯେ ।”

 

–“ମୁଁ ଆଉ କ’ଣ କରିବି ? ସାଙ୍ଗରେ ତ କେହି ଯାଇ ନାହାନ୍ତି, ଏକୁଟିଆ ବା ମୁଁ କେମିତି ଫେରିବି, ସେମାନେ କିଏ ଛାଡ଼ିବାକୁ ନ ଆସିଲେ ?”

 

ବୃତ୍ତର ପରିଧିରେ ନ ଘୂରି କେନ୍ଦ୍ରକୁ ସହଜ ରାସ୍ତାରେ ଚାଲି ଆସିବାକୁ ସିଦ୍ଧାନ୍ତ କରି ଅନୀଲା ପ୍ରାୟ ସ୍ୱୀକାରୋକ୍ତି କଲା । ନିଜେ ନିଜେ ସେ କହିଦେଲା ଯେ, ଏ ରାତିରେ ସେ ଆଉ ଜଣକ ସାଙ୍ଗରେ ଆସିଥିଲା...

 

–“କିଏ ଆସିଥିଲା ଛାଡ଼ିଦେବାକୁ ? କହିଁ ରିକ୍‍ସା ଫିକ୍‍ସା ତ କିଛି ନ ଥିଲା ।”

 

ସନ୍ଦେହୀ ଦୃଷ୍ଟିରେ ଅପା ମୁହଁକୁ ଚାହିଁଲା ଅନୀଲା–ଅପା ଯେ ସବୁ ଜାଣିଚି ଓ ଶୁଣିଚି, ଏ ବିଷୟରେ ସେ ଏଥର ନିଶ୍ଚିତ ହେଲା ।

 

“ଜଣେ ଭଦ୍ରଲୋକଙ୍କର କାର୍ ଅଛି ତାଙ୍କ ଭିତରୁ, ସେଇ ଆମକୁ ସବୁ ଆଣଇ ଛାଡ଼ିଦେଇ ଯାଉଛନ୍ତି ରିହର୍ସାଲ ଶେଷରେ–’’

 

–“ଆଉ ସବୁ ଲେଡ଼ି ଆର୍ଟିଷ୍ଟ କିଏ କିଏ ଅଛନ୍ତି କି ?”

 

–-“ଚାନ୍ଦମଣି, ପୂର୍ଣ୍ଣଶଶୀ, ଧୀରା–’’

 

–“ତମେ ସମସ୍ତେ କ’ଣ ଏକାଠି ଆସିଲ ?”

 

–“ତାଙ୍କୁ ସବୁ ଛାଡ଼ି ମୁଁ ଏଠି ସବାଶେଷରେ ଓହ୍ଲାଇଲି ।”

 

–“ମଲା, ତୁ ତ ଏବାଟେ ଆସିଥିଲେ ପ୍ରଥମେ ଓହ୍ଲାଇଥାଆନ୍ତୁ ....”

 

ଗୋଟାଏ ବାଜିବାର ସମୟ–ସଙ୍କେତ ଶୁଭିଲା–

 

“ଶୁଣିଲୁ ?” –ଅନୀଲ ନୀରବ ରହିଲା ।

 

“ଉଠ ଏଥର”–ପୁଣି ସୁନୀଲ । ଯୋଗ କଲା । ଥାଳିଆ, ତାଟିଆ ଗୋଟାଏ କଡ଼କୁ ଠେଲିଦେଇ ପାଣି ପକାଇଦେଲା ସେ । ଉଠିଲେ ଦୁହେଁ ।

 

“ତୁଇ ତା’ହେଲେ କାରରେ ଆସି ସେ ଭଦ୍ରଲୋକଙ୍କ ସାଙ୍ଗେ କଥାବାର୍ତ୍ତା ହେଉଥିଲୁ କି-?”

 

ବହୁ ଭୂମିକା ସରିଯାଇଛି । ଅନୀଲାର ମାନସିକ ପ୍ରସ୍ତୁତି ପର୍ବ ସରିଚି ଏ ଧରଣରେ ପ୍ରଶ୍ନ ପାଇଁ । ଆଉ ତେଣୁ ଅପେକ୍ଷା ନ କରି ପଚାରିଲା ସୁନୀଲା–ଅନୀଲା ମଧ୍ୟ ଏ ପ୍ରଶ୍ନର ଉତ୍ତର ନୀରବତାରେ ଦେଇ ପାଲଟା ପ୍ରଶ୍ନ କଲା–

 

–"ତୁ କ’ଣ କରୁଥିଲୁ ?’’

 

–"ଏଇ ବାରଣ୍ଡାରେ ବସିଥିଲି ।’’

 

ଅନିଲର ଚାଟି ଧକ୍‍କ କରି ହେଲା । ଅପା ତେବେ ସବୁ ଶୁଣିଚି ? ଜାଣିପାରିଚି ?

 

ଫେଲ୍‍ ହୋଇଥିବା ପିଲା ଫେଲ ହୋଇଯାଇଚି ବୋଲି ଆଗରୁ ଜାଣି ସୁଦ୍ଧା ପ୍ରଥମ କରି ସଠିକ୍‍ ଖବର ପାଇଲେ ଯେମିତି ଚମକିଯାଏ–

 

ସୁନୀଲାକୁ ଛାଡ଼ି ଏକୁଟିଆ ପାର୍ଟ କରିବାକୁ ଯାଉଛି ଅନିଲା ଏଇ ପ୍ରଥମ ଥର ପାଇଁ–ମାରୁଆଡ଼ି ଡ୍ରାମାଟିକ କ୍ଲବ ଗୋଟାଏ ହିନ୍ଦୀ ଡ୍ରାମା କରୁଛନ୍ତି । ସେଇଥିରେ ଅନୀଲା ହିରୋଇନ ହୋଇଛି । ସୁନୀଲା ସେଥିରେ ପାର୍ଟ କରୁ ନାହିଁ, ହିନ୍ଦୀ ଡାଇଲଗ୍‍ ତା’ ମୁହଁରେ ଭଲକରି ପଇଟିବ ନାହିଁ ବୋଲି ।

 

କେବଳ ଗୋଡ଼ାଣିଆ ହୋଇ ଜଗିବାକୁ ଯାଇ, ସେଠି ବସିବା ପାଇଁ ଇଚ୍ଛା ନାହିଁ ସୁନୀଲାର–ସେଥିପାଇଁ ଯାଉ ନାହିଁ ତା ସାଙ୍ଗରେ–

 

ଅପା କ’ଣ କ୍ଷୁବ୍‍ଧ ? ଏକୁଟିଆ ତାକୁ ଗୋଟାଏ କଲ୍ ମିଳିଛି ବୋଲି ଅପା କ’ଣ ଅଭିମାନ କରୁଛି ? କ୍ଷଣକ ଭିତରେ ଲକ୍ଷେ ଭାବନା ଛୁଇଁଗଲା ଅନୀଲାର ଫାଙ୍କା ମନର ଆକାଶକୁ–ଛୋଟ ଚୋରିକରି ଧରା ପଡ଼ିଗଲା ପରେ ବା ଗୋଟାଏ କୌଣସି ଲଜ୍ଜାକର ପରିସ୍ଥିତି ଘଟାଇ ମଣିଷର ମନ ଯେମିତି ହୁଏ, ଅନୀଲା ସେମିତି ଅନୁଭବ କରୁଥିଲା ।

 

–‘‘ସେ ଭଦ୍ରଲୋକ ପୁଣି କାଲି ଆସି ଡାକିବେ ବୋଲି କହିଯାଇଛନ୍ତି ଯେ......"

 

–‘‘ମୁଁ ଶୁଣିଚି-’’

 

ଅତି ଗମ୍ଭୀର ଭାବରେ କହିଲା ସୁନୀଲା । ଜଣାଇଦେବାକୁ ସେ ଚାହୁଁଥିଲା ଯେ କେବଳ ଏତିକି ନୁହେଁ, ସେମାନଙ୍କର ପ୍ରତିଟି କଥା ସେ କାନପାରି ଶୁଣିଚି–ନିଜେ ନିଜେ, ନିଜ ପରଫରୁ କୈଫିୟତ ମାଗିଲେ ଅନୀଲା ହୁଏତ ଭାବିବ ଯେ, ଅପା ତାର ଶ୍ରୀକାତର ହୋଇ ଏମିତି କହୁଛି–ଅବା ତା’ ପ୍ରତି ଘୃଣ୍ୟ ମନ୍ତବ୍ୟ କରୁଛି–ସେଇଥିପାଇଁ ନୀରବ ରହିଲା ସୁନିଲା.... । ଅନୀଲା ମନର ଛକାପଞ୍ଝାକୁ ଏଡ଼ାଇଯାଇ ସେ ସମ୍ପୂର୍ଣ୍ଣ ବୀତସ୍ପୃହ ଭଳି ଟିକକ ଆଗରୁ ଘଟିଥିବା କୌଣସି କଥା ନିଜ ତରଫରୁ ଉତ୍‍ଥାପନ କରୁ ନ ଥିଲା–ବରଂ ଏଡ଼ାଇଯିବା ପାଇଁ ଚେଷ୍ଟା କରୁଥିଲା ବାରମ୍ବାର ।

 

ଏହି ଥର ସତରେ ଆରମ୍ଭ ହେଲା । ଅନୀଲାର ଏକାକୀ ଯାତ୍ରା––ଇଏ ଯାତ୍ରାରମ୍ଭ ମାତ୍ର....ଯାହା ବହୁଦିନ ଆଗରୁ କଳନା କରୁଥିଲା ସୁନୀଲା, ନିଜକୁ ଆରସିରେ ଚାହିଁ ଚାହିଁ–

 

ଆଖି ଚାରିକଡ଼ର କଳା କଳା ଦାଗ–ମଝିଗାଲ ଉପରେ ଠିକ ବେଆଡ଼ା ହାଡ଼ ଖଣ୍ଡେ ଧୋଡ଼କା ଧୋଡ଼କା ବାହା–ନୋସଡ଼ିଲା ଛାତି...ପତଳା ବାଳ....କଜଳ ଲିଭିଯାଇଥିବା ଆଖିର ଜ୍ୟୋତିହୀନ ଚାହାଣୀ, ସବୁ ମିଳିମିଶି, ଆଖିମିଟିକା ମାରି ସତେ କି କହୁଥିଲେ ବୁଢ଼ା ନୀରଦବାଳା ଭଳି, ତୋ ଦିନକାଳ ସରିଆସିଲା ଏଥର....ଆଉ ନାହିଁ ...ଆଉ ନାହିଁ.....ଆଉ ନାହିଁ.....

 

ସହଜ ମନରେ ଗୋଟାଏ କଥା ନେବାକୁ ଅନେକ ପ୍ରଯତ୍ନ କଲେ ବି କୋଉ ଗୋଟାଏ ଅଜଣା ତନ୍ତ୍ରୀ ଉପରେ ଆଘାତ ଲାଗି ଚହଲିଯାଏ ମନଟା-କୋଉଠି ଗୋଟାଏ ଟଣକିଉଠେ–ବିନ୍ଧିଉଠେ । ନା .....ସେ ହିଂସା କରେନା–ଇର୍ଷା କରେ ନାହିଁ–ନିଜର ବିଡ଼ମ୍ବନାକୁ ଆଦରି ନେବା ପାଇଁ ତା’ର ସମସ୍ତ ପ୍ରଚେଷ୍ଟା–

 

କଥାର ମୋଡ଼ ଘୂରାଇବାକୁ ଚେଷ୍ଟା କଲା ଅନୀଲା ଓ ସେଇଥିପାଇଁ ହଠାତ ଆରମ୍ଭ କଲା ସେ ପାର୍ଟ କରୁଥିବା ଡ୍ରାମାର କଥା–

 

–‘‘ଏ ଡ୍ରାମାଟା ନିହାତି ବାଜେଟାଏ ମ––ଖାଲି ଗୁଡ଼ାଏ ବେଶ ପୋଷାକ ପିନ୍ଧି ଚେହେରା ଦେଖାଇବା କଥା ସିନା ହେବ––ହେଲେ ଆକ୍ଟିଂ କରିବାକୁ ଜମା ସ୍କୋପ୍‍ ନାହିଁ––ତା’ ଛଡ଼ା ସେ ମାରୁଆଡ଼ି ଟୋକାଗୁଡ଼ାକ ଯୋଉ ବାଜେ ଆକ୍ଟିଂ କରୁଛନ୍ତି !’’

 

–‘‘କି ବହି ସେଇଟା ? କ’ଣ ଏଇଠାର କାହାର ଓରିଜିନାଲ ବହି ନ ଛପା ହିନ୍ଦୀ ବହି ମ-? ବହୁ ନାଟକ, ନାଟ୍ୟକାର ଥିଏଟର ସହିତ ମିଶି ଏମିତି କେତେକ ଶବ୍ଦ ରପ୍ତ ହୋଇଗଲାଣି ପୁରାପୁରି । ଶବ୍ଦଗୁଡ଼ାକ ଘଷରା ହୋଇଯାଇ ସରଳ ହୋଇଗଲାଣି କ୍ରମଶଃ–’’

 

–‘‘ଏଇଠି କିଏ ଲେଖିଚି ।’’

 

–‘‘କେବେ ହଉଚି ତମର ?’’

 

–‘‘ଉଣେଇଶ ତାରିଖ ଠିକ୍‍ ହେଇଚି ଯେ ଏଯାଏ ତ ଗୋଟାଏ ବି ସୁଦ୍ଧା ପୁରା ରିହର୍ସାଲ ହେଲା ନାହିଁ । କିଏ ଦୋକାନରୁ ଆସିପାରୁ ନାହିଁ ତ କିଏ ମାଲଗୋଦାମ ଯାଇଛି–କିଏ ଟ୍ରଙ୍କ୍‍କଲ୍‍ ଜବାବ ଦେବାକୁ ଗଲାଣି ଚାଲି–କିଏ ଦିଲ୍ଲୀରୁ ଜରୁରୀ ଖବରକୁ ଅପେକ୍ଷା କରି ରହିଛି । ପ୍ରତିଦିନ ଏଇଆ ଚାଲିଛି–ମାରୁଆଡ଼ି ତ ସହଜେ ! ବାକି କେଇଜଣ ରେଗୁଲାର ଆର୍ଟିଷ୍ଟ ଅଛନ୍ତି, ସେଇମାନେ ଯାହା ଆସନ୍ତି ସବୁଦିନେ–ଏଥିରେ କି ଡ୍ରାମା କରିବେ କେଜାଣି ? ’’

 

–‘‘ଏ ଭଦ୍ରଲୋକ କ’ଣ ଆର୍ଟିଷ୍ଟ ?’’

 

–‘‘କୋଉ ଭଦ୍ରଲୋକ ?’’

 

ସୁନୀଲା କେଉଁ ଭଦ୍ରଲୋକ କଥା ପଚାରୁଛି ସ୍ପଷ୍ଟ ବୁଝିପାରିଲେ ମଧ୍ୟ ଅନୀଲା ନ ବୁଝିପାରିବାର ଛଳନା କରି କହିଲା କଥାଟା ।

 

–‘‘ଯିଏ ତୋତେ ଛାଡ଼ିଦେବାକୁ ଆସିଥିଲେ ମ !’’

 

–‘‘ହଁ, ସିଏ ପାର୍ଟ ତ କରୁଛନ୍ତି–ଏ କ୍ଲବର ପ୍ରେସିଡେଣ୍ଟ ବି ସେଇ । ଜାଣିନୁ ? ସେଇ ଯୋଉ ବଜରଙ୍ଗଲାଲ ଲୁଗା ଦୋକାନ ? ତାରି ପୁଅ ପରା–ଦୋକାନରେ ବସି ନ ଥାଏ !’’

 

କଥାଟା ଅତି ସହଜରେ କହି ପରିଚୟ ପର୍ଯ୍ୟନ୍ତ ଦେଇପାରିଚି ବୋଲି ଅନୀଲା ମନେ ମନେ ଅତି ଆଶ୍ୱସ୍ତ ହେଲା ।

 

–‘‘ଓଃ, ସେଇ ତା’ହେଲେ ତୋତେ ପଅରିଦିନ ସେ ନୂଆ ଲୁଗାଟା ଦେଇଥିଲା ?’’

 

ପ୍ରଶ୍ନବାଣ ବନ୍ଦ ହୋଇଗଲା ବୋଲି ସ୍ଥିରନିଶ୍ଚିତ ହୋଇସାରିଲା ପରେ ତା’ରି କଥାରେ ଏପରି ଏକ ଆଗ୍ନେୟଗିରି ଲୁଚି କରି ଥିଲା ବୋଲି ଅନୀଲା ଭାବିପାରି ନ ଥିଲା–ସେଥିପାଇଁ ପ୍ରଶ୍ନଟା ଶୁଣିବା ମାତ୍ରେ ଅନୀଲା ଥାଥା ମାମା ହୋଇଗଲା । ପୁଣି ଆଗରୁ ସେ କହି ଦେଇଥିଲା ଯେ, ସେ ନିଜେ ଲୁଗାଟିଏ କିଣି ଆଣିଚି ବୋଲି, ଯଦିଓ ସୁନୀଲାକୁ ଅତି ସ୍ପଷ୍ଟ ଭାବରେ ଜଣା ଯେ ତା’ ପାଖରେ ଆଦୌ ଟଙ୍କା ନ ଥିଲା । ଅଥଚ ସେ ଆଜି ମିଛ ମଧ୍ୟ କହିପାରୁ ନାହିଁ–

 

କ’ଣ କହିବ କିଛି ଠିକ୍‍ କରି ନ ପାରି ଅନୀଲା କହିଲା–

 

–‘‘ହଁ, କିନ୍ତୁ ତୁ ତାଙ୍କରି କଥା ଫଟେଇ ଫଟେଇ ଏତେଥର ପଚାରୁଛୁ କାହିଁକି ଯେ ? ଆମ ଶୋଇବା–ଭାରି ନିଦ ଲାଗିଲାଣି ।’’

 

ଆଉ କୌଣସି କଥା ନ କହି କିବା ଏ କଥାର ଜବାବ ନ ଦେଇ ସୁନୀଲା ଉଠିପଡ଼ିଲା–ଅନୀଲା ତାକୁ ଅନୁସରଣ କଲା । ବିଛଣାଟା ପକା ହୋଇଥିଲା ଆଗରୁ–ତାକୁ କେବଳ କାନିପଣତରେ ଝାଡ଼ିଦେଇ ପାଖାପାଖି ହୋଇ ଗଡ଼ିପଡ଼ିଲେ ଦୁହେଁ ।

 

ଯାଦୁକରୀ ରାତି ବଢ଼ିଚାଲିଚି–

 

କିଛି ସମୟ ବିତିଗଲା ନୀରବରେ ।

 

‘‘ଶୋଇଲୁଣି ?’’

 

‘‘ନା ।’’

 

ଅନୀଲା ଉତ୍ତର ଦେଲା ।

 

ପୁଣି କିଛି ସମୟ ସୁନୀଲା ନୀରବ ରହିଲା । ରାତ୍ରିର ନିସ୍ତବ୍‍ଧତା ଭେଦ କରି ଶୁଭୁଥିଲା କେବଳ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସର ଶବ୍ଦ । ଅନ୍ଧାର ଘରଟାରେ କାହାରି ମୁହଁ ଦେଖାଯାଉ ନ ଥିଲା । ଗୋଟାଏ ଗାଢ଼ ଦୀର୍ଘଶ୍ଵାସ ପକାଇ ସୁନୀଲା କହିଲା–

 

–‘‘ଗୋଟାଏ କଥା କହିବି, କିଛି ଭାବିବୁ ନାହିଁ ?’’

 

–‘‘କହୁନୁ ଏତେ ଭୂମିକା ଦଉଚୁ କାହିଁକି ମ ? ମୁଁ କ’ଣ ଜାଣି ନାହିଁ, ତୁ କ’ଣ କହିବୁ ?’’

 

ଅନିଲ ବୋଧେ ସେ ନିରନ୍ଧ୍ର ଅନ୍ଧକାର ଭିତରେ ବୁଡ଼ି ରହିଥିଲା ନିଜସ୍ୱ ଭାବନା ଭିତରେ–ସେ ଭାବନା ତା’ର ଭବିଷ୍ୟତର ନିରାପତ୍ତା ପାଇଁ ଗମ୍ଭୀର ନୁହେଁ––ରଙ୍ଗ ବେରଙ୍ଗୀ ଜୀବନର ସୁନେଲି ସ୍ୱପ୍ନ––ଯାହା ସେ ଅଙ୍ଗେ ନିଭଉଚି–ତେଣୁ ତା’ର ସ୍ୱରରେ ସୁନୀଲାର କରୁଣତା ବା କୋମଳତା ନ ଥିଲା ।

 

–‘‘କ’ଣ ମୁଁ କହିବି କହିଲୁ ?’’

 

–‘‘ସେଇ ବଜରଙ୍ଗଲାଲ ପୁଅ କଥା–ତା’ ନାଁଟା କ’ଣ ମୋର ମନେ ନାହିଁ । ମୁଁ ଆଗରୁ କହିଦଉଚି, ମୋର କିନ୍ତୁ ତା’ ଛଡ଼ା ଆଉ କୌଣସି ଉପାୟ ନ ଥିଲା ।’’

 

ଏକ ନିଶ୍ୱାସରେ କଥାଗୁଡ଼ାକ କହିଗଲା ଅନୀଲା–ସୁନୀଲା ବିସ୍ମିତ ହୋଇ ଟିକେ ମୁଣ୍ଡଟା ଟେକି ମୁହଁ ବୁଲାଇ ପଚାରିଲା–

 

"କ’ଣ ତୁ କରିଛୁ କି ?’’

 

‘‘ସବୁଠେଇଁ ଯା ହୁଏ ।’’

 

"ଅନୀ !’’–ଶିହରି ଉଠିଲା ଭଳି କହୁଥିଲା ସୁନୀଲା ।

 

ନିଶ୍ଚଳ ପାଣିରେ ହଠାତ ବଡ଼ ଜିନିଷ ଗୋଟାଏ ପଡ଼ିଲେ ଜୋରରେ ତରଙ୍ଗ ଉଠିଲା ଭଳି ସତେ ଯେମିତି ନିଥର ରାତିଟା ଭାରାକ୍ରାନ୍ତ ହୋଇଉଠିଲା ଅନୀଲାର କଥା ପଦକରେ–

 

ଯାଦୁକରୀ ଏ ରାତ୍ରି ଅଶାନ୍ତ ହୋଇଉଠିଲା । ନିସ୍ତବ୍‍ଧ ରାତ୍ରିଟି ଯେମିତି ହଠାତ୍‍ କୋଳାହଳ ମୁଖରିତ ହୋଇଗଲା !

 

–‘‘ଅପା ! ରାତିର କଳା ଅନ୍ଧାରରେ ଯିଏ ସବୁ ଉପରେ ପଡ଼ି କଥା କହନ୍ତି, ଆବୋରି ବସନ୍ତି ଦେହକୁ, ଲୋଭନୀୟ ଖାଇବା ଜିନିଷ ଭଳି–ଶିକାରୀ କୁକୁର ଭଳି ଇସାରା ଦେଲା ମାତ୍ରେ ମାଡ଼ିବସନ୍ତି, ସେମିତି ଅନେକ....ଅନେକ ଭଦ୍ରଲୋକଙ୍କ ସାଙ୍ଗେ ଆମେ ମିଶିଛେ । ଜାଣିଚେ–ଦିନ ଆଲୁଅରେ ସେମାନେ କଥା ହେବା ଦୂରର କଥା, ଚିହ୍ନିବେ ନାହିଁ ସୁଦ୍ଧା । ଆମେ ଉପରେ ପଡ଼ି କଥା କହିଲେ ଏଡ଼ାଇଯିବେ–କହିବେ..."

 

ଅନୀଲା ଏକାଦମରେ କଥାଗୁଡ଼ାକ କହି ନୀରବ ରହିଲା । ସେ ଆଉ କଣ କହିବାକୁ ଯାଉଥିଲା, କହିପାରିଲା ନାହିଁ–କଣ୍ଠ ତାର ଅଜ୍ଞାତରେ ବାଷ୍ପରୁଦ୍ଧ ହୋଇଉଠିଲା–କ୍ଷଣକ ପୂର୍ବରୁ ସେ କିନ୍ତୁ ଦେଖୁଥିଲା ରଙ୍ଗୀନ, ମଧୁର ସବୁ ସ୍ୱପ୍ନ– !

 

ରାତିର ସେ ମାୟାବିନୀ ବାତାବରଣ ଭିତରେ ମନ ଖୋଲି କଥା କହିବା ପାଇଁ ଟିକେ ସହାନୁଭୂତି ପାଇଁ କେହି ଜଣେ ଅବଲମ୍ବନ ମିଳିଗଲେ ବୋଧହୁଏ ପ୍ରତ୍ୟେକ କଣ୍ଠ ଏମିତି ବାଷ୍ପରୁଦ୍ଧ ହୋଇ ଉଠନ୍ତା !

 

–‘‘ତାଙ୍କୁ ସବୁ ଏଡ଼ାଇ ଚଳିଲେ କ’ଣ ଆମର ଚଳନ୍ତା ନାହିଁ ?’’

 

‘‘ଦେହ ବ୍ୟବସାୟ କରି ଏସବୁ କଥାରେ ବା ଲାଭ କ’ଣ ? କାହିଁକି ଏଡ଼ାଇ ଚଳିବି ? ଆଉ କିଛି ଦିନ ଗଲେ ତ ସେମାନେ ପଚାରିବେ ନାହିଁ ଆଉ–ଯେତିକି ଛଟକ ଦେଖାଇ ଏତେବେଳେ ରୋଜଗାର କରିହୁଏ, ସେତେ ଲାଭ-ରାତିକେ ତ ଆମର...’’

 

ଗୋଟାଏ କ’ଣ ଅତି ଅଶ୍ଳୀଳ କଥା କହିଆସୁଥିଲା ସେ, ନୀରବ ହୋଇଗଲା ହଠାତ୍–

 

ସୁନୀଲା କହିଲା–‘‘ଛି–ତୋର କ’ଣ ମୁଣ୍ଡ ଖରାପ ହୋଇଯାଇଛି ଅନୀ ? କାହିଁକି ଏଗୁଡ଼ାକ ଗପୁଚୁ ?’’

 

ଛୁଆଟାଏ କିଏ କର ମୋଡ଼ିଲା–ବାପା କି ସୁରେଶ କେହି ଜଣେ କାଶିଉଠିଲେ ।

 

ସେମାନେ ଦଣ୍ଡକ ପାଇଁ ତୁନି ରହିଲେ । ଦୀର୍ଘଶ୍ୱାସ ପକାଇ ଅନୀଲା ପଚାରି ଉଠିଲା–

 

–‘‘ଆଚ୍ଛା, ଅପା ! ତୋର ବାହା ହବା ପାଇଁ ମନ ହୁଏ ନାହିଁ ? ବାହା ସାହା ହୋଇ ଘର ଦୁଆର କରି ରହିବ ପାଇଁ ତୋର ମନ ହୁଏ ନାହିଁ ? ବାହାଘରଟାଏ କି ବୋହୂଟାଏ ଦେଖିଲେ କି ସାଙ୍ଗ ଝିଅପିଲା କିଏ ବାହା ହୋଇଯାଇ ଛୁଆ, ସ୍ୱାମୀ ଧରି ଗର୍ବରେ ବୁଲିଲାବେଳେ ତୋ ମନ ଭିତରଟା କ’ଣ ହୋଇଯାଏ ନାହିଁ ? "

 

ଆଘାତଟା ଶୁଖିଯାଇ କଳା ପଡ଼ିଯାଇଥିଲା ବେଳେ ଉପରକୁ ଜଣାଯାଏ ଦରଜ ନ ଥିଲା ଭଳି । କିଏ ଜଣେ ଘା'ଟାକୁ ଚିପିଦେଲେ ଟଣକିଉଠେ–ଜଣାଯାଏ ଏବେ ବି କେତେ ଦରଜ...ପରାସ.... !

 

ମନଭିତରର ଗୁଡ଼ାଏ ଅନ୍ଧାରିଆ ଅନ୍ଦିକନ୍ଦି ଅଛି–ଯାହା କେହି ଦେଖି ନାହାନ୍ତି–କାହାକୁ ବି ଦେଖାଇ ହୁଏ ନାହିଁ–ଭାରି ସୂକ୍ଷ୍ମ କୋମଳ ସେ କନ୍ଦିଗୁଡାକ !

 

ଠିକ୍ ସେଇଠି କିଏ ଜଣେ ପହଞ୍ଚିଗଲେ ଆଉ ସମ୍ଭାଳି ହୁଏ ନାହିଁ !

 

ବିଚିତ୍ର ଏ ମଣିଷର ମନ ! ସଯତ୍ନରେ ସେଇ ଅନ୍ଧକାରାଚ୍ଛନ୍ନ ସ୍ଥାନଗୁଡ଼ିକ ମଣିଷ ସାଇତି ରଖିଥାଏ–କେହି ନ ଦେଖନ୍ତୁ–କେହି ନ ଜାଣନ୍ତୁ–କେହି ନ ଶୁଣନ୍ତୁ ! କିନ୍ତୁ ସେଇଦିନ, ତାରି ପାଖେ ପାଖେ କହିଚାଲିଥାଏ କେହି ଟିକେ ସେଠି ପହଞ୍ଚନ୍ତା ନାହିଁ ! କେହି ପଦେ ଆହା ବାଣୀ ଶୁଣାନ୍ତା ନାହିଁ ! ଜଣେ କେହି ସେ କଳା କଳା ଗଳିକନ୍ଦିର କଥା ଥରକ ପାଇଁ ହେଲେ ଜଣାନ୍ତା ନାହିଁ !

 

ସୁନୀଲା ମନର କଳା କଳା କୁନି କୁନି ସାପଗୁଡ଼ାକ ସେଇ ଅନ୍ଧାରିଆ କୋଣରୁ କିଲିକିଲି ହୋଇ ବାହାରି ଆସିବାକୁ ଚାହିଁଲେ !

 

ଅଜାଣତରେ ଅନୀଲା ସେଇ ଅନ୍ଧକାର ଗଳିରେ ପାଦ ପକାଇ ଦେଇଥିଲା !

ଉଦ୍‍ଗତ କୋହକୁ ଚାପିରଖିବା ପାଇଁ ସୁନୀଲା ତୁନି ରହିଲା । ଅନୀଲାର କଥାର କୌଣସି ଉତ୍ତର ଦେଲା ନାହିଁ । ଦୁହେଁ କିଛି ସମୟ ସେମିତି ରହିଲେ ।

ରାତି ଧୀରେ ଧୀରେ ବଢ଼ିଚାଲିଥିଲା ।

ସୁନୀଲା ଓ ଅନୀଲା ଦୁହେଁ ଚେଇଁ ଚେଇଁ ସ୍ୱପ୍ନ ଦେଖୁଥିଲେ । ଏକା ସ୍ୱପ୍ନ ଦୁହେଁ ଦେଖୁଥିଲେ ଦୁହିଁଙ୍କର ଅଜ୍ଞାତରେ–

ବର ଆସୁଛି ! ରୋଷଣୀ କରି, ବାଜା ବଜାଇ, ଲୋକଗହଳି ଭିତରେ, ସାଜସଜ୍ଜା ହୋଇ ବସିଚି ଲୋକଟାଏ–ବର ! ନାରୀର ବହୁ ଇପ୍‍ସିତତମ, ସମସ୍ତ କାମନାର କେନ୍ଦ୍ରବିନ୍ଦୁ ବର ! ବିଭାଘର ! ନିରାପତ୍ତା ! ଜୀବନ–ଛୁଆପିଲାଙ୍କର କଳରୋଳ ! ଛୋଟ ଗୋଟିଏ ଘର !

ତା’ପରେ ବୁଢ଼ୀ ହୋଇଯିବ ସେ ! କାମନା ତାର ଥରି ଥରି ବିକଳାଙ୍ଗ ନ ହୋଇ ସେଇ ବୁଢ଼ୀ ଦିନେ ପୁଣି ନୂଆ ରୂପରେ, ଝିଅର ବର, ପୁଅର ବୋହୂ ହୋଇ, ସୁନା ନୌକାରେ ଭାସିଆସିବ, ଆଶା ସାଗରର ଆରପାରିରୁ !

ଆଃ.....କି ସୁନ୍ଦର ଲୋଭନୀୟ ସେ ଜୀବନ !

ସେମାନେ ବିବାହ କରୁଛନ୍ତି । ବେଦିରେ ବସି ବ୍ରାହ୍ମଣ ମନ୍ତ୍ର ପଢ଼ୁଛି-ଷ୍ଟେଜ୍‍ ରେ ବିଭାଘର ଭଳି ହାତଗଣ୍ଠି ପଡ଼ୁଛି । ଅଜଣା ହାତଟାଏ ତାଙ୍କ ହାତକୁ ସମସ୍ତଙ୍କ ଅଲକ୍ଷ୍ୟରେ ଟିକେ କୋମଳ ଭାବରେ ଚାପ ଦେଉଛି । ଦେହ ମନରେ ଖେଳିଯାଉଛି ଶତଶତ କଦମ୍ବ !

ସେ ବୋହୂ ହୋଇଛନ୍ତି !

ବରର ମୁହଁଟା କିନ୍ତୁ ସେ ସ୍ୱପ୍ନରେ ଝାପ୍‍ସା ଝାପ୍‍ସା ହୋଇଯାଉଛି ।

ପୁଣି ବେଳେ ବେଳେ ବଦଳି ଯାଉଛି ! କିଏ–କିଏ ସେ ବର ?

ଜାଣତ ଅଜାଣତରେ ପ୍ରତ୍ୟେକଟି ପୁରୁଷଙ୍କୁ ସେଠି ବସାଇ, ସଜାଇ ଭାବୁଥିଲେ ଅନୀଲା ଓ ସୁନୀଲା ! ନାଃ, କେହି ନୁହନ୍ତି–କେହି ନୁହନ୍ତି ସେଥିପାଇଁ....

ସ୍ୱପ୍ନ ଭାଙ୍ଗିଗଲା–

ଆଖି ବୁଜିଦେଲାବେଳେ ଉଭୟେ ଅନୁଭବ କଲେ ସେମାନେ କାନ୍ଦୁଛନ୍ତି ! ଆଖିକୋଣରେ ତାଙ୍କର କେଇ ବିନ୍ଦୁ ଲୁହ !

ସ୍ୱପ୍ନର ସେ ଦୁଇଟିଯାକ ବୋହୂ କାନ୍ଦୁଛନ୍ତି, ଗୁମୁରି ଗୁମୁରି ବାହୁନି ଉଠୁଛନ୍ତି, ଜୀବନରେ କେବେହେଲେ ସେମାନେ ବୋହୂ ହେବେ ନାହିଁ ବୋଲି–ବର ତାଙ୍କର କେବେହେଲେ ଆସିବ ନାହିଁ ବୋଲି !

ଲୁହ ଚାପି ସୁନୀଲା ପଚାରିଲା–

–‘‘ତୁ ବାହା ହବୁ ?’’

 

ସେ ଥଟ୍ଟା କରୁଛି ବୋଲି ଭାବି ସେମିତି କାନ୍ଥରେ ଅନୀଲା ଉତ୍ତର ଦେଲା–

 

–‘‘କାହାକୁ ?’’

 

–‘‘ଯାହାକୁ ତୋ ମନ ପାଉଚି ?’’

 

–‘‘କିନ୍ତୁ ମୋତେ କିଏ ବାହା ହବ ?’’

 

ବଡ଼ କରୁଣ ସ୍ୱରରେ କହିଲା ଅନୀଲା ହତାଶାର ଭଙ୍ଗୀରେ ।

 

–‘‘କାହିଁକି ? ତୁ ଯାହାକୁ ଭଲ ପାଉଚୁ ?’’

 

କଥାଟାର କୌଣସି ଉତ୍ତର ନ ଦେଇ ଅନୀଲା ହୋ ହୋ ହୋଇ ହସିଉଠିଲା । ଖୁବ ଜୋରରେ ହସୁଥିଲା ସେ–ସତେ ଯେମିତି ବହୁତବେଳୁ ତା’ର ଏ ହସର ସୁଅକୁ କିଏ ରୋକି ଦେଇଥିଲା । ସୁବିଧା ପାଇଁ ସବୁ ଏକାଠି ସାରି ଦେଉଛି ! କାବା ହୋଇ ସୁନୀଲା ତାକୁ ପ୍ରଥମେ କଡ଼େଇ କଡ଼େଇ ଚାହିଁଥିଲା କାହିଁକି ହସୁଛି ବୋଲି ବୁଝି ନ ପାରି । ତା’ପରେ ସନ୍ତର୍ପଣରେ କହିଲା ଚାପା ଗଳାରେ–

 

–ହେ, ଅନୀ ! କାହିଁକି ଏମିତି ପାଗଳୀଙ୍କ ଭଳି ହସୁଚୁ ତୁ ରାତିଟାରେ ! ହେ ଅନୀ ! ଅନୀ ! ଚୁପ୍‍ କର । ଏଇନେ ସମସ୍ତେ ଉଠି ପଡ଼ିବେଟି !

 

ତା’ କଥାରେ ଅନୀଲା ବନ୍ଦ ନ ହେଲେ ମଧ୍ୟ ପରେ ପରେ ତା’ର ସେ ହସର ଫୁଆରା ହଠାତ୍‍ ବନ୍ଦ ହୋଇଗଲା ଓ ତାରି ସହିତ ତାଳ ମିଳାଇ ଝରିଆସିଲା କାନ୍ଦର ଝରଣା–ସେ କଇଁ କଇଁ ହୋଇ କାନ୍ଦିଉଠିଲା । ଗୁମୁରି ଗୁମୁରି କାନ୍ଦିଲା–ଅଜସ୍ର ଲୁହ ଝରି ଆସିଲା ତା’ର ଦୁଇ ଆଖିରୁ–ବିସ୍ମିତ, ବିବ୍ରତ ସୁନୀଲା ଚାହିଁ ରହିଥିଲା ତା’ ମୁହଁକୁ ।

 

ଏ ପ୍ରଗଳ୍‍ଭା । ତଟିନୀର ଗତିରୋଧ କରିବ କିଏ ?

 

ଗଭୀର ରାତିର ନିସ୍ତବ୍‍ଧତା ଭଙ୍ଗ କରୁଛି ଅନୀଲାର କାନ୍ଦ । ଅଥଚ ଆଉ ମୁହୂର୍ତ୍ତକ ପୂର୍ବରୁ ସେ ହସୁଥିଲା କାହିଁକି ? ପୁଣି ଏମିତ କାନ୍ଦୁଛି କାହିଁକି ?

 

ଥରି ଥରି ଉଠୁଛି କ୍ରନ୍ଦନରତା ଅନୀଲାର ଦେହବଲ୍ଲରୀ ।

 

କିଛି ନ ବୁଝି ପାରି ତାକୁ କୋଳକୁ ଭିଡ଼ି ଆଣିଲା ସୁନୀଲା । ଲୁହ ଧାରରେ, ଲାଳରେ ଓଦା ହୋଇଗଲା ସୁନୀଲାର ଛାତି । ଥରି ଥରି ଉଠିଲା ତା’ର ଦେହ ।

 

ମନେ ମନେ ସେ ଭାବୁଥିଲା ଆଜି କ’ଣ କିଛି ଘଟିଛି ? ...ଘରେ ପହଞ୍ଚିଲାବେଳେ ଏଇ ଅନୀଲା ପୁଣି ହସି ହସି ପ୍ରେମରେ ଲୋଟିଯାଇ କାହା ସାଙ୍ଗେ କଥା କହୁଥିଲା ?

 

ସେ ଭୁଲିଗଲା ତା’ର ରାଗ । ଭୁଲିଗଲା ଯେ ଆଉ ଟିକକ ଆଗରୁ ଅନୀଲାକୁ ଦୃଢ଼ ଭାବରେ ଶାସନ କରିବା ପାଇଁ ଏପରି କି ଲଜ୍ଜାକର, ଅପ୍ରୀତିକର ଅନେକ କଥା କହିବା ପାଇଁ ସେ ବଦ୍ଧପରିକର ଥିଲା–

 

ଅନୀଲାର ସମସ୍ତ ଦୋଷ, ତ୍ରୁଟି, ଦୁର୍ଗୁଣ ସବୁ ସେ ରାତି ଅନ୍ଧାରରେ ଅପସରୀ ଯାଇ ସୁନୀଲା ଆଖି ଆଗରେ ରହିଲା, ତାର ସାନ ଭଉଣୀଟି ବିକଳରେ ଦୁଃଖରେ କାନ୍ଦୁଚି । ମନ କଥା ସେ ଖୋଲି କହିପାରୁନି–

 

ଅନ୍ଧାର ରାତିଟାରେ ସେ ଅନ୍ଧାର ଘର ଭିତରେ, ଅନୀଲାର ଅବୁଝା କଇଁ କଇଁ କାନ୍ଦ ବଡ଼ କରୁଣ, ଭୟଙ୍କର ପରିବେଶ ସୃଷ୍ଟି କରୁଥିଲା । ଜଣେ ହେଲେ କେହି ଉଠୁ ନ ଥିଲେ । ଯେମିତି ଯମନିଦ ସଭିଙ୍କୁ ଘାରିଛି । ପୁଣି ପର ମୁହୂର୍ତ୍ତରେ ଭାବୁଥିଲା, ଭଲ ହୋଇଛି ନ ଉଠୁଛନ୍ତି କେହି । କାହିଁକି ମିଛରେ ଉଠିବେ–ଜାଣିବେ ତାଙ୍କର ଜୀବନର କରୁଣ କାହାଣୀ !

 

ବଡ଼ ବିବ୍ରତ ବୋଧକଲା ସୁନୀଲା । ତାକୁ ରାତିରେ ସେମିତି ଜାକିଧରି କୁନି ଛୁଆକୁ ଗେଲ କଲାପରି ମୁଣ୍ଡ ଆଉଁଷି ଦେଇ କହିଲା–

 

–କାନ୍ଦ ନାହିଁ ଅନୀ ! ...ଆମ ଜୀବନ ଏଇଆ ଲୋ, କାହିଁକି ତୁ କାନ୍ଦୁଚୁ ମିଛଟାରେ ?

 

–‘‘କ’ଣ କରିବି ମୁଁ ? ....ମୋତେ ଉପାୟ କହିପାରିବୁ ?’’

ସେମିତି କାନ୍ଦି କାନ୍ଦି କହିଲା ଅନୀଲା ।

 

ଅନୀଲାକୁ ଟେକିଧରି, ତା’ ମୁହଁକୁ ଦେଖିବାକୁ ଚେଷ୍ଟା କରି ସୁନୀଲା ପଚାରିଲା–‘‘କ’ଣ ହୋଇଛି ତୋର ? .....କହୁନୁ ? କାନ୍ଦୁଚୁ କାହିଁକି ? କହ ମୋତେ !’’

 

–‘‘ମୋର .....’’କହି ଆହୁରି ଜୋରରେ ଜୋରରେ କାନ୍ଦି ପକାଇଲା ଅନୀଲା ।

 

ସେଇ ଅନ୍ଧାର ଭିତରେ ବିସ୍ଫାରିତ କରି ସୁନୀଲା ପଚାରିଲା–‘‘କ’ଣ ? କ’ଣ ହୋଇଚି ତୋର ?’’

 

କଣ୍ଠରେ ତାର ପୁଞ୍ଜୀଭୂତ ଆଶଙ୍କା । ଭୟଙ୍କର କିଛି ଶୁଣିବାକୁ ସେ ଅପେକ୍ଷା କରୁଥିଲା-

 

–‘‘ଅପା...ମୋ....ମୋ ପେଟ ଭିତରେ କ’ଣ ଗୋଟାଏ ଘୁରୁଛି ।’’

 

–‘‘ଅନୀ !’’ ଭୟ ପାଇଁ ଚିତ୍କାର କରିଉଠିବା ଭଳି କଣ୍ଠରେ କହିଲା ସୁନୀଲା । ପୁଣି ସେ ସାବଧାନ ହୋଇଉଠିଲା, କାଳେ ସମସ୍ତେ ଉଠିପଡ଼ିବେ ।

 

–‘‘ଭଲ ପାଇ ବାହା ହେବି ବୋଲି ପଚାରୁଥିଲୁ ପରା ! ଭଲ ପାଇବାର ଫଳ ପାଇ ମୁଁ କ’ଣ କରିବି, ସେକଥା ବୁଝିପାରୁ ନାହିଁ ଆଜି । କାହାକୁ ମୁ କହିବି ?’’ ...ଥର ଥର ଗଳାରେ କହିଲା ଅନୀଲା । ତା’ର କାନ୍ଦ କିନ୍ତୁ କମି ଆସିଲାଣି ।

 

ମନୋବେଦନା ପ୍ରକାଶିତ ହୋଇଗଲେ ବେଦନାର ଭାର ଲାଘବ ହୋଇଯାଏ । ଦୁଃଖ କମିଯାଏ ।

 

ସୁନୀଲାର ମନ କୋମଳ ହୋଇଉଠିଲା । ଘୃଣା, ବିରକ୍ତି, ଦୁଃଖ, ଅବସାଦ ପୁଣି ଭରିଗଲା ପରମୁହୂର୍ତ୍ତରେ–

 

ଅନୀଲାକୁ କୋଳରୁ ଛାଡ଼ି ତା’ ନିଜ ବିଛଣାରେ ତାକୁ ଶୁଆଇ ଦେଲା ସୁନୀଲା–

ତା’ କାନ୍ଦ ବନ୍ଦ ହୋଇଗଲାଣି । ମନକୁ ମନ ଏଥର ହସି ଉଠିଲା ସୁନୀଲା । କାହିଁକି କେଜାଣି, ଅବସାଦଗ୍ରସ୍ତ ମନରେ ରାତିର ସେ ଶେଷ ପ୍ରହରରେ ଅନୀଲା ଜୀବନର ଏ ଦୁଃଖ ଶୁଣି ତାକୁ କାନ୍ଦ ନ ଲାଗି ଭୟଙ୍କର ଭାବରେ ହସ ମାଡ଼ିଲା । ହସି ହସି ସେ ଥକିଗଲା–

ପାଗଳୀଙ୍କ ଭଳି ସେ ହସିଚଲିଲା–ଏଥର ଅନୀଲାର ପାଳି । ଅପାଟା ପାଗଳୀ ହୋଇଗଲା ନ କ’ଣ ? ଭାବିଲା ସେ । କାହିଁକି ଏମିତି ହୋ ହୋ ହୋଇ ହସୁଛି ? କ’ଣ ହେଲା ତା’ର ?

ତା’ର ସମସ୍ତ ମନୋବେଦନା ଭୁଲି ଅନୀଲା ଭାବୁଥିଲା ତା’ ଅପା କଥା । ରାତିଟାରେ ତାର ଏ ଅସୀମ ଦୁଃଖ ଭିତରେ ସୁନୀଲା ହସୁଛି କାହିଁକି ?

ସୁନୀଲାର ହସ କିନ୍ତୁ କ୍ଷଣକ ଭିତରେ ମିଳେଇଗଲା ତା’ର ଝର ଝର କାନ୍ଦ ଭିତରେ ହସୁ ହସୁ ସେ ଯେ କେତେବେଳେ କାନ୍ଦୁଛି, ନିଜେ ଜାଣେ ନାହିଁ ।

ଅନୀଲା ଓ ସୁନୀଲା ଦୁହେଁ ଦୁହିଁଙ୍କ କୋଳରେ ମୁଣ୍ଡ ଗୁଞ୍ଜି କାନ୍ଦୁଥିଲେ–

କେହି ବୁଝାଇବାକୁ ଉଠୁ ନ ଥିଲେ ।

ଆକାଶ ଉପରେ ରାତିର କଳା ପରଦା–ଫୁଟା, ଛିଣ୍ଡା କଳା ପରଦାଟା ଭେଦି ଦିଶୁଛି ଛୋଟ ଛୋଟ ଛିଦ୍ରଗୁଡ଼ାକ–ତାରା !

ସମବେଦନା ଦେଖାଇବା ପାଇଁ କେହି ନ ଥିଲେ, କାନ୍ଦି କାନ୍ଦି ମଣିଷ ଛାଏଁ ଛାଏଁ କାନ୍ଦ ବନ୍ଦ କରେ–ଦୁଃଖ ତା’ର ଲୁହଧାର ଭିତରେ ଲାଘବ ହୋଇଯାଏ ।

–‘‘ଶୋଇପଡ଼, ରାତି ବେଶୀ ହେଲାଣି’’–ଭାରି ଭାରି ଗଳାରେ ଆଖିରୁ ଲୁହ ପୋଛି କହିଲା ସୁନୀଲା ।

–‘‘ମୋ ଆଖିରୁ ନିଦ ମରିଗଲାଣି ।’’

–‘‘ତଥାପି ତ ଶୋଇବାକୁ ହେବ !’’

–‘‘ଅପା, ମୁଁ କିନ୍ତୁ ବଞ୍ଚିବି କେମିତି ?’’ –ଓଦା ଓଦା ସ୍ୱରରେ ସୁନୀଲାର କଣ୍ଠ ଜଡ଼ାଇ ଧରି ପଚାରିଲା ଅନୀଲା–

–‘‘ଲକ୍ଷେ ଲୋକ ଯେମିତି ବଞ୍ଚୁଚନ୍ତି ।’’

–‘‘ଅପା ।’’

–‘‘ଏଥିରେ ବଡ଼ କଥା କ’ଣ ଅଛି ଲୋ ! ଆଶ୍ଚର୍ଯ୍ୟ ହେଲା ଭଳି ବଡ଼ ଘଟଣା କ’ଣ ବା ଘଟିଛି ? ଆମ ସମସ୍ତଙ୍କ ଜୀବନରେ ଏମିତି ଥରେ ଅଧେ ଘଟେ ! ରୂପ ପରା ଆମ ପେଶା ଲୋ–’’

ଖୁବ ବଡ଼ କଥା କହିଚି ବୋଲି ଆତ୍ମତୃପ୍ତିରେ କଡ଼ ଲେଉଟାଇଲା ସୁନୀଲା । ରାତିର ନିକାଞ୍ଚନତା ଭିତରେ ଭୟଙ୍କର ଭାବରେ କର୍କଶ, ରୁକ୍ଷ ଶୁଭୁଥିଲା ତାର ଗଳା ।

 

ପୁଣି ସେ କହିଲା–

 

–‘‘ଆମ ଜୀବନରେ ଏ ଘଟଣା ବହୁତ ଆଗରୁ ଘଟିପାରିଥାନ୍ତା–ଘଟିବାର ଥିଲା । ତଥାପି ନିଜେ ସାବଧାନ ହେବାର ଥିଲା–ମୁଁ କେତେ ଥର ତୋତେ କହିଚି–’’

 

–‘‘ମୁଁ କିନ୍ତୁ ଚାହୁଁଥିଲି, ଏ ଜୀବନରୁ ପଳେଇ ବଞ୍ଚିବାକୁ–’’

 

–‘‘ଏବେ ?’’

 

–‘‘ଜୀବନ ଗଲେ ଆଉ ବଞ୍ଚିବାର ପ୍ରଶ୍ନ ଉଠୁଚି କୋଉଠି ?’’

 

–‘‘ଆଜି ବି ତ ତୁ ବେଶ୍‍ ହସଖୁସିରେ ଆସୁଥିଲୁ–’’

 

–‘‘ମୋତେ କାନ୍ଦି ଆସୁନାହିଁ ବୋଲି–ତା’ଛଡ଼ା ଆଉ ଯେତେ ଜଣଙ୍କୁ ସମ୍ଭବ ଜାଣିନେବା ପାଇଁ–’’

 

ବେଶ୍‍ ଦମ୍ଭର ସହିତ କହିଲା ଅନୀଲା । ନିକଟ ଅତୀତର ସେ ଗ୍ଳାନି ବା କ୍ଳାନ୍ତି ଧୋଇଗଲାଣି ମନରୁ ତାର ।

 

ସୁନୀଲା କଡ଼ ଲେଉଟାଇ ପୁଣି ତାକୁ ଚାହିଁଲା । ବଡ଼ ବିଚିତ୍ର ତାର ଏ ସାନ ଭଉଣୀଟି । ତାକୁ ବୁଝି ସୁଦ୍ଧା ବୁଝି ହୁଏନା ।

 

ହସି ହସି ସେ ଜଗତଟାକୁ ପରାଜିତ କରିବାକୁ ଚାହୁଁଛି ! ପରାଜୟ ପାଇଁ ସୁଦ୍ଧା ସେ ମାନିନେବାକୁ ଚାହେଁନା । ସେଇ ମୁମୂର୍ଷୁ ଅବସ୍ଥାରେ କି ସେ ତାର ସନ୍ଧାନ କରି ଆଉ କେତେ ଜଣଙ୍କୁ ଯଦି ଘାଏଲ୍ କରିପାରେ !

 

–‘‘ଏତେ ଜାଣି ସୁଦ୍ଧା ହେଲା ନାହିଁ ! କ’ଣ ଦେଇ ଆଉ ତୁ ଜାଣିବୁ ସମସ୍ତଙ୍କୁ ?’’

 

–‘‘ସବୁ ଦେଇ-"

 

–‘‘ଆଉ କ’ଣ ବାକି ଅଛି ତୋର ଅନୀ ?’’

 

–‘‘ଜୀବନଟା ତ ଅଛି ! ଶେଷ ପର୍ଯ୍ୟନ୍ତ ଖେଳିଯିବି–’’

 

ଆତ୍ମପ୍ରତ୍ୟୟ ନ ଥିଲେ ବି ତା’ କଥାରେ ଜିଦ୍‍ ସୁସ୍ପଷ୍ଟ ।

 

ଅନ୍ଧାର ଭିତରେ ଗୁରୁଣ୍ଡି ଗୁରୁଣ୍ଡି ରାତି କେତେବେଳେ ବଢ଼ିଚାଲିଛି । ଦୂର ଘଣ୍ଟାରେ ବାଜିଲା ତିନି ।

 

–‘‘ଶୋଇପଡ଼ ।’’

 

–‘‘ହଉ–’’

 

କ୍ଳାନ୍ତ ଶ୍ରାନ୍ତ ଉଭୟେ ଅନେକ ସମୟ ପର୍ଯ୍ୟନ୍ତ ନୀରବରେ ପଡ଼ିରହିଲେ ସେମିତି ନିଦକୁ ଅପେକ୍ଷା କରି । ନିଦ ଆସିଲେ ତାଙ୍କ ମନର କ୍ଳାନ୍ତି ଧୋଇ ହୋଇଯିବ । ଅପସରିଯିବ ଗ୍ଳାନି ନିଦର ସେ କଅଁଳ ସ୍ପର୍ଶରେ । ଆଗାମୀ କାଲିର ସକାଳ ପର୍ଯ୍ୟନ୍ତ ଅନ୍ତତଃ ଭୁଲିଯିବେ ଦୁହେଁ ଏ ବିଷାଦମୟ ପରିବେଶକୁ ।

 

କିନ୍ତୁ କାହିଁ ନିଦ ?

 

ଅନୀଲା ଭାବୁଥିଲା ତା’ର ପରବର୍ତ୍ତୀ କାର୍ଯ୍ୟକ୍ରମ । ସୁନୀଲା ଭାବୁଥିଲା ଇଏ କ’ଣ ହେଲା ? କ’ଣ ହେବାକୁ ଯାଉଛି ?

 

ଚେଇଁ ଚେଇଁ ଦୁହେଁ ଶୋଇବାର ଛଳନା କରି ସ୍ୱପ୍ନ ଦେଖୁଥିଲେ ନିଜ ନିଜର ଭାବନାର ଛାଇକୁ ସ୍ୱପ୍ନ ଆକାରରେ ଉପଭୋଗ କରୁଥିଲେ ।

 

କିଏ ସବୁ ଏମାନେ ! କେତେ ମଣିଷ, କେତେ ଗାଁ, ସହର, ଭାସି ଆସି ଚଳିଯାଉଥିଲା ସେମାନଙ୍କ ମୁଦ୍ରିତ ଆଖି ଆଗରୁ–

 

ନିଦର ସୁଅ ଭସାଇନେଲା ଦୁହିଁଙ୍କୁ । ନିଦର ବନ୍ୟାରେ ଭାସିଗଲା ସେ ସ୍ୱପ୍ନ ! ହଜିଗଲା ସବୁ ଅବସାଦ ବିଷାଦର କାହାଣୀ–ମିଳେଇଗଲା କ୍ଳାନ୍ତି ।

 

ନିଦ ମାଉସୀ ତା’ର କଅଁଳ ହାତ ବୁଲାଇଆଣି ପର ଭଳି ନରମ ପଣତକାନି ତା’ର ବିଛାଇଦେଲା ଦୁହିଁଙ୍କ ଉପରେ... ।

 

ରାତି ଧୀରେ ଧୀରେ ବଢ଼ିଚାଲିଲା–ସକାଳ ହେବାକୁ ତଥାପି ଅନେକ ଡେରି....

 

ଅନୀଲା ନାହିଁ–ସାନ ସାନ ଭାଇ ଭଉଣୀଗୁଡ଼ାକ କିଚିରି ମିଚିରି ହେଉଥିଲେ । ସେମାନେ ସବୁ ଯିଏ ଯୁଆଡ଼େ ଗଲେଣି–ସୁରେଶ ଯାଇଛି, କୋଉ ଗୋଟାଏ ସାହିର ନାଟ୍ୟ ସଂଘର ନାଟକରେ ନିର୍ଦ୍ଦେଶ ଦେବା ପାଇଁ–ଆଜିକାଲି ସେ ଏଇଆ ହିଁ କରୁଛି ।

 

ଖାଁ ଖାଁ ଲାଗୁଛି ଘରଟା ଅନୀଲାହୀନ ଜୀବନ ବିତାଇବାରେ ଅଭ୍ୟସ୍ତ ନୁହେଁ ସୁନୀଲା । ଅନୀଲା କେବଳ ତାର ସାନ ଭଉଣୀ ନ ଥିଲା ବାନ୍ଧବୀ, ସହକର୍ମୀ–ନିଜ ମନର ସବୁ ନ ହେଲେ ବି କିଛି ଗୋପନୀୟ କଥା ପ୍ରକାଶ କରିଦେବା ପାଇଁ ଏକମାତ୍ର ସହଚରୀ ଥିଲା–

 

ଯିଏ ଯେତେ ଖରାପ କହୁଥିଲେ ବି ଏକାଠି ଏକବାଟରେ ଦୁଇଟି ଭଉଣୀ, ଦିଓଟି ଝିଅ ଚାଲୁଥିଲେ । ଅପରକୁ ଭଲ ଲାଗୁ କି ନ ଲାଗୁ ଜଣେ ନିର୍ବିଘ୍ନରେ ନିର୍ଦ୍ୱନ୍ଦ୍ୱରେ ନିଜ ମନକଥା, ମନର ଗୁରୁଭାର ଅପର ନିକଟରେ ଖୋଲିଦେଇ ନିଶ୍ଚିତ ହୋଇପାରୁଥିଲା ।

 

ଦୁର୍ବହ ଜୀବନରେ ଭାର ଉଶ୍ୱାସ କରିବା ପାଇଁ ସାହାଯ୍ୟ ନ ମିଳୁ ଆଶ୍ୱାସନା ମିଳୁଥିଲା–ମିଳୁଥିଲା ସମବେଦନା ।

 

ମନଖୋଲି କାନ୍ଦିବା ପାଇଁ କାନ୍ଦ ଶୁଣାଇବା ପାଇଁ ଲୋକଟାଏ ଅନ୍ତତଃ ଥିଲା !

 

ସୁନୀଲାର ମନେପଡ଼ିଲା ସେ ରାତିର କାନ୍ଦ ? ଲୁହବୋଳା ସେ ରାତିର ପ୍ରତିଟି କଥା !

 

ଅନୀଲାଟା ଚାଲିଗଲା ! କାହା ଆଗରେ ସେ ଆଉ କାନ୍ଦିବ ? କାହାକୁ ବା ଅପେକ୍ଷା କରି ଉପଦେଶ ବଖାଣିବ ?

 

କ’ଣ ଗୋଟାଏ ହଜିଗଲା ଭଳି ଗୋଟାଏ ବାହା କଟିଗଲା ଭଳି ଲାଗୁଚି ସୁନୀଲାକୁ ।

 

ଆଉ ଅଧିକ କଲ୍ ବି ମିଳୁନାହିଁ ଆଜିକାଲି । ବହୁ ଅଳସ ମଧ୍ୟାହ୍ନ, ବିଷର୍ଣ୍ଣ ସନ୍ଧ୍ୟା, ଭାରାକ୍ରାନ୍ତ ରାତି ବିତାଇବାକୁ ପଡ଼ୁଛି ସୁନୀଲାକୁ, କେବଳ ଦୂର ଦୂରାନ୍ତର ଝାପ୍‍ସା ଝାପ୍‍ସା ଶୁଭୁଥିବା କୋଳାହଳ, ଘଣ୍ଟାର ଶବ୍ଦ, ରିକ୍‍ସାର ହର୍ଣ୍ଣକୁ କାନ ପାତି ପାତି ।

 

ସମୟଟା ଘୁଷୁରି ଘୁଷୁରି ଚାଲିଛି ସତେ କି !

 

ଅନୀଲା ଯାଇ ଯୋଗ ଦେଇଛି ଗୋଟାଏ ପେଷାଦାର ରଙ୍ଗମଞ୍ଚର ପ୍ରଫେସନାଲ ଷ୍ଟେଜ୍‍ ରେ–ସେଇ ତା’ର ଅଭୟ ଆଶ୍ରୟ । ରାତି ପରି ରାତି ରଙ୍ଗ ବୋଳି ମଞ୍ଚରେ ଓହ୍ଲାଉଚି ! ଦୁଃଖ ଭିତରୁ ବି ମଣିଷ ଗୋଟାଏ ପ୍ରକାର ଆନନ୍ଦ ପାଏ ବୋଧହୁଏ ! ଅଧିକ ଦୁଃଖ ଭିତରେ ବଞ୍ଚି ରହିବାକୁ ଚାହେଁ । ଅନୀଲାକୁ ବୋଧହୁଏ ସେମିତି ଦୁଃଖ ଭଲ ଲାଗୁଚି !

 

ବହୁ ଚେଷ୍ଟା କରି ସୁଦ୍ଧା ଅନୀଲାକୁ ଅଟକାଇ ପାରିଲା ନାହିଁ ସୁନୀଲା ।

 

ପେଷାଦାର ମଞ୍ଚ ତାକୁ ଆଦରି ନେଇଛି, ଆଉମାନଙ୍କୁ ନେଲାଭଳି ।

 

ନା, ସେଠାରେ ବିବାହର ସ୍ଵାକ୍ଷରର ଆବଶ୍ୟକତା ପଡ଼େ ନାହିଁ । ରେଜିଷ୍ଟ୍ରେସନ୍‍ ଦଲିଲ୍‍ କେହି କେବେ ଖୋଜନ୍ତି ନାହିଁ । କିଏ କାହାର ପିଲା ତା’ର ପିତୃ ପରିଚୟ କ’ଣ କୋଉଠି ହେଲା କାହା ଆଡ଼ୁ ହେଲା ଏସବୁ ଜାଣିବା ପାଇଁ କେହି ସେଠି ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଘୃଣାର ପ୍ରଶ୍ନ ଉଠେନା । ବହୁ ଝିଅ ପେଷାଦାର ମଞ୍ଚରେ ଅଛନ୍ତି । ନିଜ ନିଜର ସନ୍ତାନ ସନ୍ତତିକୁ ଧରି ବାପର ପରିଚୟ ସେ ପିଲାଏ ଜାଣନ୍ତି ନାହିଁ । ଅନ୍ତତଃ ସେ ପରିଚୟରେ ପରିଚିତ ହୁଅନ୍ତିନି ସେମାନେ ।

 

ସେମାନେ କିଏ ଚନ୍ଦ୍ରାର, କିଏ ସରୋଜିନୀର, କିଏ କୁମୁଦିନୀର, କିଏ ବିନୋଦିନୀର, କିଏ ବା ରାଗିଣୀର ପିଲା ! ଦୁନିଆ ରଙ୍ଗମଞ୍ଚର ଉତ୍ପାଦନ ସେମାନେ ! ମାନବ ଶିଶୁ । ସେଇ ଚିରନ୍ତନ ଶାଶ୍ୱତ ସତ୍ୟକୁ ସ୍ୱୀକାର କରି ହିଁ ବଞ୍ଚିରହନ୍ତି ସେମାନେ । ବଡ଼ ହୁଅନ୍ତି । ରଙ୍ଗମଞ୍ଚର କଳାକାର, କର୍ମଚାରୀଙ୍କର ସଂଖ୍ୟା ବୃଦ୍ଧି ହୁଏ ।

 

ଏକ ବହୁ ଆଦିମ ସାମ୍ୟବାଦୀ ପରିବାର । ନାରୀ ଯେଉଁଠି କେବଳ ଭୋଗ୍ୟା ! ଭୋଗ ପାଇଁ ସଞ୍ଚିତ । ପୁରୁଷ ଭୋଗ କରେ–ଉପଭୋଗ କରେ–ଭୁଲିଯାଏ । ଆଉ ଜଣେ ଆସେ, ଭୋଗ କରେ–ଭୁଲିଯାଏ ।

 

ଜୀବନର ନିରାପତ୍ତା ଖୋଜି ଖୋଜି ଟିକେ ଆଶ୍ରୟ ଖୋଜି ଖୋଜି କି ଆଉଜିବା ପାଇଁ ଭଙ୍ଗା କାନ୍ଥ ପଟେ ଦରାଣ୍ଡି ଦରାଣ୍ଡି, ଅସ୍ଥିର ହୋଇ ଯାଉଥିବା କେତୋଟି ହତଭାଗୀନି ନାରୀ ନିଜ ରୂପ ବିକି ସେଠି ସମାଜକୁ ଆମୋଦିତ କରନ୍ତି ! ଶିକ୍ଷା ଦିଅନ୍ତି ! ନିରାପତ୍ତା ନ ପାଇ, ପୁଣି ସନ୍ତାନ କାମନାରେ ଅଧୀର ହୋଇ ସନ୍ତାନ ଖୋଜିବୁଲନ୍ତି ।

 

ପିତୃପରିଚୟହୀନ ସନ୍ତାନକୁ କୋଳରେ ଜାକି ଜଗତ ଭୁଲନ୍ତି !

 

ଏଇ ପେଷାଦାର ରଙ୍ଗମଞ୍ଚକୁ ଓହ୍ଲାଇଯାଇଛି ଅନୀଲା ! ନିଜର ସଉକିକୁ ପେଶାରେ ପରିଣତ କରିବା ପାଇଁ ।

 

ସୁନୀଲା ସେଦିନ ଯାଇଥିଲା ରଙ୍ଗମଞ୍ଚକୁ ଅନୀଲାକୁ ଦେଖିବା ପାଇଁ । ମନ ଭିତରେ ତା’ର କ’ଣ ଅଛି କେଜାଣି, ଉପରକୁ ଅନୀଲା ଦେଖାଇଲା ଯେ, ସେ ଖୁସିରେ ଅଛି । ଦୁନିଆକୁ ଆଉ ଭୟ କରୁ ନାହିଁ––ଆଗ ଭଳି ଆଉ କୁଆଡ଼େ କାନ୍ଦୁ ନାହିଁ । ଲୁଚି ଲୁଚି ଚୋରି କରିବା ଅପେକ୍ଷା ଏମିତି ଦଳରେ ମିଶିଯିବା ଭଲ–ଆଉରି କେତେ କ’ଣ କହିଗଲା ଅନୀଲା–ସୁନୀଲାକୁ ଆହ୍ୱାନ ଜଣାଇଲା ମିଶିଯିବାକୁ ।

 

ଚେଷ୍ଟା କରି ବି ଯଦି ସୁନୀଲ ତା ଭଳି ହୋଇପାରନ୍ତା ! ଜଗତ ବିରୁଦ୍ଧରେ ଅଭିଯୋଗ ନେଇ ସେ ଯଦି କାହାକୁ ଧମକାଇବା ପାଇଁ ମଧ୍ୟ ଆକଣ୍ଠ ବିଷପାନ କରିବାର ଜିଦ୍‍ ପାଇପାରନ୍ତା ଅନୀଲା ଭଳି !

 

ବୋକାଙ୍କ ଭଳି ସୁନୀଲା ଚାହିଁ ରହିଥିଲା ପ୍ରଗଳ୍‍ଭା ଅନୀଲା ମୁହଁକୁ–ଶୁଣିଯାଉଥିଲା ତା’ର କଥାଗୁଡ଼ାକ–

 

ଦିନ କେତେଟାରେ ଅନୀଲା ବଡ଼ ହୋଇଯାଇଛି––ବୟସରେ, ଅଭିଜ୍ଞତାରେ ।

 

ଆଉ କେତୋଟି ଝିଅ ବି ଆସି ସୁନୀଲାକୁ ଘେରି ବସିଥିଲେ । ସେମାନଙ୍କ ଭିତରୁ ଅନେକଙ୍କୁ ସୁନୀଲା ଜାଣେ–ତାର ପ୍ରଥମ ଜୀବନରେ ଯେତେବେଳେ ସେ ପେଷାଦାର ରଙ୍ଗମଞ୍ଚରେ ହାତରେ ଖଡ଼ି ଧରିଥିଲା, ସେତିକିବେଳେ ଏମାନଙ୍କ ମଧ୍ୟରୁ କେତେକ ଥିଲେ––ବାକି ସମସ୍ତଙ୍କ ସାଙ୍ଗରେ ଏଇ ଷ୍ଟେଜ୍‍ ରେ ଅକାଳେ ସକାଳେ ପାର୍ଟ କରିବା ପାଇଁ ଆସିଥିଲା ବେଳେ ଦେଖା-ଚିହ୍ନା । ଏବେ କେତେ ଜଣ ପ୍ରୌଢ଼ଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ତାକୁ ଅପା ଡାକୁଛନ୍ତି । ଅନୀଲାର ଅପା ସେ, ତେଣୁ ।

 

ଜଙ୍ଗଲୀ ହାତୀ ପୋଷା ମାନିସାରିଲା ପରେ ତାରି ସାହାଯ୍ୟରେ ଆଉ ହାତୀ ଧରାଯାଏ–ବିଚରା ହାତୀ ଜାଣେନା ଯେ, ସେ ବଂଶ କୁଟୁମ୍ବ ସମସ୍ତଙ୍କୁ ଆଣି ତା’ରି ଭଳି ବନ୍ଧନରେ ପକାଉଛି !

 

ଆଉ ସମସ୍ତେ ବି ସୁନୀଲାକୁ ଅନୁରୋଧ ଜଣାଇଥିଲେ ମଞ୍ଚରେ ଯୋଗଦେବା ପାଇଁ––ଭାରି ମଜାହେବ !

Unknown

 

ସୁନୀଲା ସେମାନଙ୍କୁ କେବଳ ଦେଖୁଥିଲା–ନା, ସେ ଘୃଣା କରେନା ଏମାନଙ୍କୁ–ଘୃଣା କରିବାର ବି କିଛି ନାହିଁ–ସେ ଏଇମାନଙ୍କ ଭିତରୁ ଜଣେ । ସମସ୍ତ ଦୋଷ ଦୁର୍ବଳତାର ସେ ବି ଶିକାର ହୋଇଛି ।

 

ଫେରିଲାବେଳେ ରଙ୍ଗମଞ୍ଚର ସେ ପୁଚୁକାଗାଲିଆ ନିର୍ଦ୍ଦେଶକ, ଯାହାକୁ ପିଲାଟିବେଳେ ସୁନୀଲା ଜାଣିଥିଲା ତାଙ୍କୁ ବି ଦେଖିଲା–

 

ହସି ହସି ସୁନୀଲା ପିଠିରେ ହାତ ଥାପୁଡ଼େଇ ଦେଇ, ସେ ବି କହିଲେ––‘‘ଏଥର ଚାଲିଆ–ଭଲ ହେବ ।" ସୁନୀଲ କିଛି ଜବାବ୍‍ ନ ଦେଇ କେବଳ ହସିଥିଲା । ତାଙ୍କର ବୟସର ସତେ କି କୌଣସି ପରିବର୍ତ୍ତନ ହୋଇନାହିଁ ! ଆଜିକି ଦଶ ବର୍ଷ ତଳେ ଯାହା ଥିଲେ ଏବେ ବି ସେମିତି !

 

ଯିଏ ହିରୋ ହୁଅନ୍ତି ସଦାନନ୍ଦ ବାବୁ, ସବୁବେଳେ ହସ ହସ ମୁହଁ, ତାଙ୍କୁ ବି ଭେଟିଥିଲା । ଟିକେ ପେଟ ବଢ଼ିଗଲାଣି । ଆଗର ସେ ଚେହେରା ହୁଏ ତ ଆଉ ନାହିଁ, ତଥାପି ସେ ହିରୋ ହେଉଛନ୍ତି ସବୁ ବହିରେ ।

 

ଆଉ ଜଣେ ବାବୁ, ରାଧାକାନ୍ତ । ସେ କ’ଣ କୋଉଠି କରନ୍ତି; କିନ୍ତୁ ନାଟକ ରଙ୍ଗମଞ୍ଚ ପାଇଁ ପାଗଳ । ମସିଆ ଜାମା, ଛିଣ୍ଡା ଚଟି, ମଇଳା ଧୋତି କି ତେଲଚିକିଟା ପେଣ୍ଟ ପିନ୍ଧି, ବାଳ ନୁଖୁରା କରି ସେ ସଦାବେଳେ ସେଠି ଥାଆନ୍ତି । ସମସ୍ତଙ୍କର ଭାଇ–ସମସ୍ତଙ୍କୁ ବନ୍ଧୁ–ସମସ୍ତଙ୍କର ପୁଣି ଶତ୍ରୁ ! ବିଚିତ୍ର ଚରିତ୍ରଟିଏ ! କୋଉ ଗୋଟିଏ ଝିଅ ଏଥିଭିତରୁ କଲେ ରଖିଛନ୍ତି ! ପିଲାପିଲି ସବୁ ଅଛନ୍ତି ତାଙ୍କର–

 

ସେ ବି ସୁନୀଲାକୁ ଦେଖି କହିଲେ ‘‘ଆସ ମିଶିଯାଅ ଏଥର ।’’

 

ଚକ୍ରବ୍ୟୁହରେ ପଡ଼ି ଅଭିମନ୍ୟୁ କ’ଣ ଭାବିଥିବ କେଜାଣି, ସୁନୀଲାର ମୁଣ୍ଡ ଖରାପ ହୋଇଗଲା ।

 

ମନେପଡ଼ିଲା ଅସହାୟା ମା’ ର କଥା । ଚୁଙ୍ଗୁଡ଼ି ବାଛୁରୀ ପିଲାଗୁଡ଼ାଙ୍କୁ ଧରି ଘାଣ୍ଟି ହଉଛି–ବର୍ଷକୁ ବର୍ଷ ଛୁଆ ! ଆଖି ଆଗରେ ଦିଶିଲା ବେକାର ବାପା ମଦନବାବୁଙ୍କ ମୁହଁ । ଅନୀଲା, ସୁନୀଲା ତାଙ୍କ ବ୍ୟବସାୟ ତାଙ୍କ ପୁଞ୍ଜି––ବିଚରା ଏଥର ଝଡ଼ିଗଲେଣି । ଆଉ ସିଗାରେଟ୍‍ ପିଉ ନାହାନ୍ତି । ଧାର୍‍ ମାଗି ମାଗି ବୁଲୁଛନ୍ତି ଘର ଚଳାଇବା ପାଇଁ । ସୁନୀଲାର କଣ୍ଟ୍ରାକ୍ଟ ନାହିଁ–ଅନୀଲା ରଙ୍ଗମଞ୍ଚରେ ଯୋଗଦେଇ ପଇସା ଦେବା ଅବସ୍ଥାରେ ନାହିଁ ।

 

ସୁନୀଲାର ଦୟା ଆସେ ବେଳେ ବେଳେ ! କ’ଣ ବା ଆଉ ସେ କରିବେ ? ପୁଅ ବେକାର୍‍–ନିଜେ ବେରୋଜଗାରୀ ! ତଥାପି ବଞ୍ଚିବାକୁ ହେବ । ଜୀବନର ମୋହ ବଡ଼ ଟାଣ–ତା’ର ଆକର୍ଷଣ ବଡ଼ ଭୟଙ୍କର । ସେଥିପାଇଁ ମଣିଷ ଚୋରି କରେ–ଖୁନ୍ କରେ–ବଞ୍ଚି ରହିବାର ଦୁର୍ବାର ଆକାଙ୍‍କ୍ଷା ତାକୁ ମରଣ ଆଡ଼କୁ ଠେଲିନିଏ ।

 

ସତେ ବଡ଼ ଦୟନୀୟ ଜୀବଟିଏ ବାପା ତା’ର ! ଘୃଣା, ବିରକ୍ତି ସବୁ ଦୂରକୁ ଠେଲିଦେଇ ସୁନୀଲା ତାଙ୍କୁ ଦୟାକରି ଭଲପାଏ ।

 

ସୁନୀଲା ମଞ୍ଚରେ ଯୋଗଦେଲେ ସେ ବଞ୍ଚିବେ କେମିତି ? ଅନୀଲାର ରଙ୍ଗମଞ୍ଚରେ ଯୋଗଦେବା ତାଙ୍କୁ ଭାଙ୍ଗିଦେଇଛି ଏକାବେଳକେ ।

 

ବୁଝିବା ପାଇଁ ବା ବୁଝାଇବା ପାଇଁ ଆଦୌ କୌଣସି ସୁଯୋଗ ନ ଦେଇ ସେଦିନ ଅନୀଲା ବାହାରିଲା । ସୁନୀଲା ଅବଶ୍ୟ ଆଶଙ୍କା କରିଥିଲା ଏମିତି କିଛି ଗୋଟାଏ ଘଟିବ ବୋଲି । ଏପରି କି ସୁନୀଲାକୁ ମଧ୍ୟ କିଛି କଥା ଜଣାଇ ନ ଥିଲା ସେ ରିକ୍‍ସା ଡାକିସାରିବା ପରେ ଅତି ସାଧାରଣ ଘଟଣା ଭଳି ସହଜ ସରଳ, ବଡ଼ ନିର୍ଲିପ୍ତ ଭାବରେ ସେ ଘୋଷଣା କଲା–‘‘ମୁଁ ଆଜିଠାରୁ ପ୍ରଫେସନାଲ ଷ୍ଟେଜ୍‍ ରେ ଯୋଗଦେଉଛି । ସେଠି ରହିବାକୁ ପଡ଼ିବ । ମୁଁ ଯାଉଛି ଅପା !’’

 

ସେ ଅପାଠାରୁ ହିଁ କଥାଟା ଆରମ୍ଭ କରିଥିଲା । ସେଦିନ ଭଳି ଆଜି ବି ସୁନୀଲା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ତାକୁ । କେବଳ ତା’ ପାଟିରୁ ବିସ୍ମୟସୂଚକ ‘‘ଏ କ’ଣ କହିଲୁ ?’’ ଏତିକି ମାତ୍ର ବାହାରିଥିଲା । ହସି ହସି ଅନୀଲା ତାକୁ କହିଥିଲା, ‘‘ବିଶ୍ଵାସ ହଉ ନାହିଁ ? ମୁଁ ପରା ରିକ୍‍ସା ଡାକିଆଣିଚି !’’ ଆସୁନୁ ବାହାରକୁ ?

 

ମଦନବାବୁ ତ୍ରସ୍ତବ୍ୟସ୍ତ ହୋଇ ବାହାରକୁ ଉଠି ଆସିଥିଲେ ଏମାନଙ୍କ କଥା ଶୁଣି ।

 

–‘‘କାହାକୁ ନ ଜଣାଇ ଏମିତି କରିବା କ’ଣ ଭଲ ହେଲା ?’’

 

–‘‘ଆଉ କ’ଣ ବା ଭଲ ହେଉଚି ଯେ, ଏଇଟା କେବଳ ଖରାପ କାହା ହୋଇଗଲେ ବାଧିବ ? ଏତେ ଖରାପରେ ଆଉ ଗୋଟାଏ ଖରାପ ମିଶୁ ଏବେ !’’

 

‘‘ଅନୀ !" ବୋଉ ଆସି ପହଞ୍ଚିଥିଲା, "ତୁ କ’ଣ ସତରେ ମିଶୁଚୁ ସେଥିରେ ?’’

 

–‘‘ହଁ ଏଇନେ ଯାଉଛି ।’’

ଝର ଝର ହୋଇ ଲୁହ ବୋହିଯାଇଥିଲା ବୋଉ ଆଖିରୁ ।

 

–‘‘ନ ଗଲେ କ’ଣ ଚଳନ୍ତା ନାହିଁ ?’’ ସେ କାନ୍ଦ କାନ୍ଦ ସ୍ୱରରେ ପଚାରିଥିଲା––

 

–‘‘ନା ବୋଉ ମୋତେ ମିଛରେ ବାରଣ କରନା–ତା’ଛଡ଼ା, ଏଇଠି ତ ରହୁଛି ସବୁଦିନେ ମୁଁ ଆସିପାରିବି, ଦେଖିଯିବି ତମମାନଙ୍କୁ–’’ ଚାକିରିକୁ ଯାଉଥିବା ପୁଅ ଭଳି କହୁଥିଲା ସେ ।

 

–‘‘ଏଇଠି ରହି ଏବେ ପାର୍ଟ କରିଥିଲେ ?’’ ବାପା ପଚାରିଥିଲେ ।

 

–‘‘ନା ତାଙ୍କର ନିୟମ ନାହିଁ–ଆଉ ଡେରି କରି ଲାଭ ନାହିଁ । ମୁଁ ଯାଉଛି ତେବେ ?"

 

ସତେ ସମସ୍ତଙ୍କୁ କାବା କରି ଅନୀଲା ମୁଣ୍ଡିଆ ମାରିଲା । ଅପାକୁ ଡାକି ବାହାରିଲା ତା’ ଚଟିଟା ଗୋଡ଼ରେ ଗଳାଇ ।

 

ଗୋଟାଏ ଗୋଟାଏ ଆକସ୍ମିକ ଦୁର୍ଘଟଣା ଘଟିଗଲେ ମଣିଷ କ’ଣ କରିବ ସ୍ଥିର କରିପାରେନା । ଅନ୍ତତଃ, ଉପସ୍ଥିତ ବୁଦ୍ଧି ତା’ର କିଛି ଆସେ ନାହିଁ କ’ଣ କରିବ ବୋଲି । ସେ କାନ୍ଦେନା, ହସେନା–ଦୁଃଖ କରେନା । କିଛି କରେନା–ଦୁର୍ଘଟଣାର ଗୋଟାଏ ମୂକ ସାକ୍ଷୀ ପାଲଟିଯାଏ । ଏପରି କି ସେ ଦୁର୍ଘଟଣାଟା ତାକୁ କେନ୍ଦ୍ର କରି ଘଟି ଯାଉଥିଲେ ମଧ୍ୟ । ଆଉ ସେତେବେଳେ ସେ ତଉଲି ପାରେନା ଦୁର୍ଘଟଣାରେ କ୍ଷତ କେତେ ଗଭୀର ! କ୍ଷତି କେତେ ହୋଉଛି ବୋଲି !

 

ବହୁ ପରେ ତା’ର ଚେତା ପଶେ ।

 

ସମସ୍ତେ ଆଉ କିଛି ନ କହି ନୀରବରେ ଏ ଦୃଶ୍ୟ ଦେଖୁଥିଲେ ।

 

ରିକ୍‍ସାରେ ବସିବା ଆଗରୁ ସୁନୀଲାକୁ ପ୍ରଣାମ କଲା ଅନୀଲା, ଯାହା ସେ କେବେ ଜୀବନରେ କରିନି । ସୁନୀଲା ଲୁହ ରୋକିପାରିଲା ନାହିଁ ଆଉ । ଅନିଲାକୁ କୁଣ୍ଢାଇ କାନ୍ଦି ପକାଇଥିଲା ।

 

–‘‘ଯାଉଛି ଅପା, ଏଥର ଜୀବନକୁ ପରୀକ୍ଷା କରି ଦେଖିବି ।"

 

ରିକ୍‍ସାରେ ବସିଲା ସେ । ରିକ୍‍ସା ତାକୁ ନେଇ ଗଳି ମୋଡ଼ ବୁଲିଲା–ଅଦୃଶ୍ୟ ହୋଇଗଲା ।

 

ମଦନବାବୁ କାନ୍ଦୁଥିଲେ । ମା’ କାନ୍ଦୁଥିଲା । କାହିଁକି କେଜାଣି ? ତାଙ୍କର ଝିଅ ଚାଲିଗଲା ବୋଲି କି ପେଶା ମାଟି ହୋଇଗଲା ବୋଲି ?

 

କେହି କାହାରିକୁ କିଛି କହୁ ନ ଥିଲେ କିନ୍ତୁ–

 

ଅନୀଲା ଯିବା ପରେ ମଦନବାବୁ ଅନେକ ଥର କହିଛନ୍ତି, ‘‘ଅନୀଲା ଏମିତି ଧୋକା ଦବ ଜାଣିଥିଲେ....’’ ‘‘ଅନୀଲାଟା ତା’ ବାପା ମା’ଙ୍କୁ ଦଗା ଦେଲା–" ଇତ୍ୟାଦି ଆଗରୁ ବି ଜାଣିଥିଲେ କ’ଣ ସେ କରିଥାନ୍ତେ କେଜାଣି ?

 

ନିଜ ବିଷୟରେ ଚିନ୍ତା କରିବାକୁ ସୁନୀଲାକୁ ଏବେ ଢେର୍‍ ସମୟ ମିଳୁଛି । ଏକାକୀ ବସି ବସି କେବଳ ଭାବିବାକୁ ହିଁ ଭଲ ଲାଗେ ।

 

କେତେ ଅସରନ୍ତି, ଅସଂଲଗ୍ନ, ଅଛିଣ୍ଡା ଭାବନା ସବୁ ଜୁଟେ । ବହୁ ବ୍ୟକ୍ତିଙ୍କର ମୁହଁ ଭାସିଯାଏ–ତାଙ୍କ କାମ, ତାଙ୍କ ହସ, ସବୁ ଝଲସିଉଠି ପୁଣି ମିଳେଇଯାଏ–ଅଙ୍ଗେନିଭା ହଜାରେ ଘଟଣା ମନକୁ ଆସେ ।

 

ଯେତେ ମନେପଡ଼େ, ସେତେ ବିରକ୍ତ ଲାଗେ । ସେତେ କ୍ଷୁବ୍‍ଧ ହୁଏ ସେ ନିଜ ଉପରେ ନିଜ ଗତାୟୁ ଯୌବନ ଉପରେ––ନିଜର ନାରୀତ୍ୱ ଉପରେ ।

 

କାହିଁକି ସେ ଝିଅ ହୋଇ ଜନ୍ମ ହେଲା ?

 

ମନରେ ଦୁଃଖ ଜମାଟ ବାନ୍ଧି ରହିଥିଲା ବେଳେ କିମ୍ବା ଜୀବନରେ କୌଣସି ଦୁର୍ବିପାକ ଆସିଲା ବେଳେ ଛାଏଁ ଛାଏଁ ଜଣେ ହିତାକାଙ୍‍କ୍ଷୀ ଲୋକଙ୍କ ମୁହଁ ଆଖି ଆଗରେ ଭାସିଯାଏ । ସାଧାରଣ ବେଳେ ତା କଥା ମନେପଡ଼େ ନାହିଁ । ତାର ସତ୍ତା ହୁଏତ ହଜିଯାଇଥିଲା ଭଳି ଲାଗେ ।

 

ଭଗବାନବିଶ୍ୱାସୀ ଲୋକେ ଏମିତି ସମୟରେ ଭଗବାନଙ୍କୁ ସ୍ମରଣ କରନ୍ତି ।

 

ସେଦିନର ବିଷଣ୍ଣ ସନ୍ଧ୍ୟାରେ ଯେତେବେଳେ ରାଜପଥର ସମସ୍ତ ଆଲୋକ ସୁନୀଲା ଆଖିରେ ବିବର୍ଣ୍ଣ ହୋଇ ଉଠୁଥିଲା, ଦୁନିଆଟା ସାରା ଯେତେବେଳେ ତାକୁ ଜୀର୍ଣ୍ଣ, ପଲସ୍ତରା ଛଡ଼ା ଘରର କାନ୍ଥ ଭଳି ଜଣାଯାଉଥିଲା, ଠିକ୍‍ ସେତିକିବେଳେ ତା’ର ଅକସ୍ମାତ୍‍ ମନେପଡ଼ିଲା ବୁଲାଭାଇର କଥା । ବୁଲାଭାଇଟା ଥାଆନ୍ତା କି ? ମନର ସମସ୍ତ ବିଷାଦ ତାରି ଆଗରେ ହୁଏତ ବଖାଣି ହୁଅନ୍ତା–ଅନ୍ତତଃ ଚେଷ୍ଟା କରିଥାଆନ୍ତା ସେ ଏକାନ୍ତରେ ବୁଲାଭାଇ ଆଗରେ ସବୁ କଥା କହିବା ପାଇଁ–ଥରେ ସେ ତା’ର ଜୀବନର ସମସ୍ତ ଗ୍ଳାନି ପ୍ରକାଶ କରିଛି ବୁଲା ଆଗରେ–ବହୁ ଥର କହିବାରେ ତେଣୁ ଲଜ୍ଜା କ’ଣ ?

 

କିନ୍ତୁ କାହିଁ ବୁଲାଭାଇ ? ପରକୁ ଆପଣାର କରି ଯେ ବଞ୍ଚେ, ଜଗତ ସାରା ଯାହାର ଘର, ତାକୁ କୋଉ ଘରେ, କୋଉଠି ଏବେ ଖୋଜିବ ସୁନୀଲା ?

 

କେବେ ତ ତା’ର ଠିକଣା ପଚାରି ବୁଝି ନାହିଁ–କୌଣସି ସମୟରେ ତ ପଚାରି ନାହିଁ, ବୁଲାଭାଇ ତମେ ରୁହ କୋଉଠି ବୋଲି ? କିଏ ତା’ର ଅଛନ୍ତି ?

 

ଅନୀଲାର ଖବର ହୁଏତ ସେ ଶୁଣିଥିବେ । ହୁଏତ ଅନୀଲା ସେଇ ବୁଲାଭାଇକୁ ହିଁ ସାଙ୍ଗରେ ନେଇ ରଙ୍ଗମଞ୍ଚକୁ ଯାଇ ଯୋଗ ଦେବାପାଇଁ ଯୋଗାଡ଼ କରିଥିବ ।

 

ଏମିତି ଲୋକ ଅଛନ୍ତି, ଯେଉଁମାନେ ନିଜର ମତାମତ ନ ଜଣାଇ ସହଯୋଗ କରନ୍ତି–ଏପରି କି ବିରୁଦ୍ଧ ମତ ସତ୍ତ୍ୱେ । ବୁଲା ସେଇ ଗୋଷ୍ଠୀର ଅଧିନାୟକ ବୋଲି ସୁନୀଲାକୁ ଜଣା—ନ ହେଲେ ଏତେ ଆପଣାର ହୋଇ ଥରେ ହେଲେ ସେତେବେଳେ ସେ ଚେତେଇ ଦେଇ ନ ଥାନ୍ତେ ଶ୍ରୀନିବାସର କଥା ! ପଦେ ହେଲେ କହି ନ ଥାନ୍ତେ ତା’ର ବିରୁଦ୍ଧରେ ?

 

କିନ୍ତୁ ଅନୀଲା ଯିବାର ବହୁତ ଦିନ ପୂର୍ବରୁ ବୁଲା ଆସି ନ ଥିଲା । ତା’ପରେ ମଧ୍ୟ ଏ ଯାଏ ଆସି ନାହିଁ ସେ ।

 

ଅଭିମାନ ନୁହେଁ–କିଛି ନୁହେଁ । କୋଉଠି ହୁଏତ କ’ଣ କାମରେ ବ୍ୟସ୍ତ ରହିଯାଇଥିବ–ସେଇଥିପାଇଁ ଆସିପାରିନି ।

 

ତଥାପି...ତଥାପି କାହିଁକି କେଜାଣି ସେଇ ପରିଚୟହୀନ, ଠିକଣାବିହୀନ, ସମସ୍ତଙ୍କର ସବୁ, ବୁଲାଭାଇଠାରୁ ହିଁ ଅଭୟ ମିଳିବ, ଆଶ୍ୱାସନା ମିଳିବ ବୋଲି ସୁନୀଲାର ଦେହ, ମନ, ଚୈତନ୍ୟ ସବୁ ଜାଗ୍ରତ ହୋଇଉଠିଲା ।

 

ବୁଲାଭାଇକୁ ଟିକେ ଦେଖିପାରନ୍ତା କି ? ହଠାତ୍ ଉଠିଯାଇ ସେ ବାପାଙ୍କୁ ତା’ର କହିଆସିଲା––

 

–‘‘ବାପା, ବୁଲାଭାଇକୁ ଟିକେ କୋଉଠି ଦେଖିଲେ କହିଦେବ ଆସିବା ପାଇଁ–କାମ ଅଛି-।”

 

–“ହଉ” ବୋଲି ମଦନବାବୁ କହିଥିଲେ ।

 

ପରେ ପରେ ସୁନୀଲା ସଜାଗ ହୋଇଉଠିଲା–ବୁଲାଭାଇକୁ କ’ଣ ସେ କହିବ ?

 

ଗତ କେତେ ଦିନ ତଳେ ବୁଲାଭାଇ ଆସିଥିଲା ? ମନେ ମନେ ତଉଲି ଦେଖିଲା, ହିସାବ କଲା ସୁନୀଲା । ଯୁଗେ ବିତିଗଲାଣି ଆସି ।

 

କାହିଁକି କେଜାଣି ଏମିତି ଭାରାକ୍ରାନ୍ତ ମନରେ ମନେପଡ଼େ ବୁଲାଭାଇ–ଯାହାକୁ ଦିନେ ଦି’ପଦ ମିଠାକଥା କହି ନାହିଁ ସୁନୀଲା । ଯାହାର ବହୁ ସାହାଯ୍ୟର, ଦାନର କୌଣସି ପ୍ରତିଦାନ ଦେଇ ନାହିଁ କି ଦେବା କଥା ଚିନ୍ତା କରିନାହିଁ କେବେ । ବରଂ କାରଣ ଅକାରଣରେ ଉପରେ ପଡ଼ି ଉପଦେଶ ଦିଏ ବୋଲି ଅନେକ ସମୟରେ ଅପମାନ ହିଁ ଦେଇଛି ତାକୁ ।

 

ସେଇ ଲୋକଟିକୁ ମନେପକାଏ ସୁନୀଲା ଏମିତି ହତାଶ ହୋଇଗଲେ । ଯେତେବେଳେ ଜୀବନରେ କୈଣସି ଅବଲମ୍ବନ ନ ଥାଏ, ଯେତେବେଳେ ବିଷାଦଗ୍ରସ୍ତ, ଅବସନ୍ନ ଦେହ, ମନ ନେଇ, ସୁନୀଲା ସାରା ଦୁନିଆକୁ, ତା’ର ବାପା–ମା, ଭାଇ–ଭଉଣୀ ସମସ୍ତଙ୍କୁ ଘୃଣା କରେ, ସେତିକିବେଳେ । ସେତିକିବେଳେ ଠିକ୍ ଚିର ଅବହେଳିତ ଲୋକଟିକୁ ସବୁଠାରୁ ନିଜର, ଆପଣାର ବୋଲି ମନେହୁଏ ।

 

କାହିଁକି ? କ’ଣ ପାଇଁ ?

 

ଅଶିକ୍ଷିତ ମନ ତା’ର ବିଶ୍ଳେଷଣ କରିପାରିଲା ନାହିଁ କାହିଁକି ଏମିତି ହୁଏ ବୋଲି ।

 

ତେବେ, ବୋଧହୁଏ.....ବୋଧହୁଏ ସୁନୀଲା ଏ ବହୁ ନାଗର ଜୀବନରେ ତା’ର ଜଣକୁ ଭଲ ପାଏ । ବୁଲାଭାଇକୁ । ସମ୍ଭବତଃ ସେଥିପାଇଁ ଏମିତି ମନେପଡ଼େ ।

 

‘ଭଲପାଇବା’ ଶବ୍ଦଟି ତା’ ନିକଟରେ ଏକ ସମ୍ପୂର୍ଣ୍ଣ ଅର୍ଥହୀନ ଆଉ ନାଟକର ଡାଇଲଗ୍‍ ଭଳି ଅତି ଘୋଷିତ ଶବ୍ଦ ହୋଇଥିଲେ ବି ହଠାତ୍ ସେହି ଶବ୍ଦଟି ମନେପଡ଼ି ସୁନୀଲାର ମନ ଏକ ଅଭୁତ ଅଜଣା ଉନ୍ମାଦନାରେ ଭରିଗଲା, ଯାହା ସେ କେବେହେଲେ ଅନୁଭୋଗ କରି ନାହିଁ ।

 

ବହୁ ପରିବେଶରେ, ଶତ ସହସ୍ର ରାତିରେ ତା’ର ଏ ବିଗତପ୍ରାୟ ବସନ୍ତର ଜୀବନରେ ସେ ଏ ଶବ୍ଦଟି ଶୁଣିଛି । କିଏ ତା ଛାତିରେ ଢଳି ପଡ଼ି କହିଛି, କେହି ଅବା ତା’ର ହାତ ପାପୁଲିକୁ ଚାପିଧରି ଚୁମା ଦେଇ କହିଛି, କିଏ ପୁଣି ବିଜନ ନିର୍ଜନ ରାତିରେ, ଜହ୍ନକୁ ଚାହିଁ ଚାହିଁ ତା’ ମୁହଁ ସହିତ ତୁଳନା କରି କରି କହିଛି–କେତେବେଳେ ପୁଣି ମଞ୍ଚ ଉପରେ ହଠାତ୍ ଆଲୋକ ଲିଭିଗଲେ ଅତି ଅଶ୍ଳୀଳ ଭାବରେ ଛାତି ଉପରେ ଚିପି ଧରି କାନରେ ତୁନି ତୁନି କହିଦେଇଛି କିଏ ।

 

ଅତି ଦିହଘଷରା ପୁରୁଣା ଡ୍ରାମାର ବୋଲି ଭଳି ଲାଗିଛି ସେସବୁ । ଭିନ୍ନ ଭିନ୍ନ ରାତିରେ, ବିଭିନ୍ନ ପୋଷାକ ପିନ୍ଧି ଏକା ଅଭିନୟ କଲାଭଳି ।

 

ପରେ ପରେ ଘୃଣା, ଅବସାଦ ଭରିଯାଇଛି ସୁନୀଲାର ମନରେ ।

 

ଏ ଉନ୍ମାଦନା, ଏ ଅନୁଭୂତି ତା’ର ସମ୍ପୂର୍ଣ୍ଣ ନୂଆ ।

 

ବିଷଣ୍ଣ, ବିବର୍ଣ୍ଣ, ପାଣ୍ଡୁର, ଆଗତପ୍ରାୟ ସନ୍ଧ୍ୟା ହଠାତ୍ ସୁନୀଲା ଆଖିରେ ଶତ ଇନ୍ଦ୍ରଧନୁର ଝଲକ ଖେଳାଇଦେଲା । ନିଜ ଅଜାଣତରେ, ଅଜ୍ଞାତରେ ସେ ଖୁସି ହୋଇଉଠିଲା । ଟିକକ ଆଗରୁ ଯେଉ ଯେଉଁ ପରିବେଶ, ଯେଉଁ ଘର ତାକୁ ଭାରାକ୍ରାନ୍ତ କରିଦେଇଥିଲା, ସେଇ ପରିପାର୍ଶ୍ୱ ତା’ ଦେହରେ ଜୀବନର ଏକ ନୂଆ ଅପୂର୍ବ ଆନନ୍ଦ ଆଣିଦେଲା ।

 

ସେ ନିଜକୁ ନିଜେ ଅବିଶ୍ୱାସ କରିବାକୁ ଆରମ୍ଭ କଲା ।

 

ସୁନୀଲା ପୁଣି ଭଲ ପାଇପାରେ ? ତାକୁ କେହି ଭଲ ପାଇପାରେ ?

 

ଜୀବନ ତା’ର ଏ ପ୍ରାଣପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ହୋଇପାରେ କେବେହେଲେ ?

 

ବିବାହ, ନାରୀତ୍ୱ, ମାତୃତ୍ୱ, ଘର, ଐହିକ ସବୁ ସୁଖସଂଭୋଗ, କିଛି.....କିଛି କାମ୍ୟ ନୁହେଁ ତା’ର । କେବଳ ଥରୁଟିଏ, ଥରୁଟିଏ ଯଦି ବୁଲାଭାଇ ତାକୁ ଏଇ କଥା ପଦକ କହିଦିଏ–କେବେ ବି ଯଦି ଶତଶଯ୍ୟାର ନାୟିକା ସୁନୀଲା ଏଇ ରୋମାଞ୍ଚ ଅନୁଭବ କରିପାରେ ତା’ର ଲୋମକୂପରେ, ତେବେ ସାର୍ଥକ ହେବ ତାର ଜୀବନ ।

 

ରେଖାରୁ ଊର୍ଦ୍ଧ୍ୱକୁ ଉଠି ଏକ ବିନ୍ଦୁରେ ପରିଣତ ହୋଇଯିବ ସେ ! ଭୁଲିଯିବ....ଭୁଲିଯିବ ସବୁ ।

 

ସବୁ ମିଥ୍ୟା ଭିତରେ ପଦିଏ ସତ୍ୟ–ଥରୁଟିଏ ସତ ଭଲପାଇବା କ’ଣ କେବେ ତା’ର ଜୀବନରେ ଆସିବ ନାହିଁ ? ବିନ୍ଦୁରେ ସେ ପରିଣତ ହୋଇପାରିବ ନାହିଁ ?

 

ଆଃ....ଏଇ ଚିନ୍ତା ହିଁ ଯଥେଷ୍ଟ । ଲକ୍ଷ ରଜନୀଗନ୍ଧାରେ ମହକ ଭରିଗଲା ତାର ନିଶ୍ୱାସରେ । ପୁଲକିତ ହୋଇଉଠିଲା ମଞ୍ଚକନ୍ୟା ସୁନୀଲା ।

 

ମଦନବାବୁ ପାଟିକରି କମ୍ପାଉଥିଲେ । ଘରସାରା ଆଉ ସମସ୍ତେ ନୀରବ । ମଝିରେ ମଝିରେ ରୋଷେଇଘରୁ ମା’ ଗୁଣୁଗୁଣୁ କରି ତାଙ୍କ ପାଟି ସହିତ ତାଳ ମିଶାଇ କ’ଣ କହୁଥିଲା । ହୁଏତ ତାଙ୍କ କଥାକୁ ସମର୍ଥନ କରୁଥିଲା–ବେଳେ ବେଳେ ପୁଣି କହୁଥିଲା, ତମରି ପାଇଁ ତ ଏସବୁ ହେଲା–ନ ହେଲେ...

 

ସୁରେଶ ଟିକେ ଆଗରୁ ଆସି ପହଞ୍ଚଛି । ତା’ ଉପରେ ବି ଚଢ଼ାଗଳାରେ ବେଶ କିଛି ସମୟ ଗାଳିବର୍ଷଣ ଫଳରେ ତୁନି ହୋଇ ଦାଣ୍ଡ ବଖରାରେ ଚେକା ମାରି ସାପ ଭଳି ପଡ଼ିରହିଛି । ଉଁ କି ଚୁଁ କିଛି କହୁ ନାହିଁ । ସାନ ସାନ ପିଲାଏ ଏଯାଏ ସ୍କୁଲରୁ ଫେରି ନାହାନ୍ତି । ବେଳ ହୋଇଆସିଲାଣି । ଫେରିଆସିବେ ବୋଧହୁଏ ଆଉ ଟିକେ ଗଲେ ।

 

ମା’ ରାତି ପାଇଁ ତରକାରୀ ହରିକା କରିଦେବାକୁ ଆଉ ମଦନବାବୁଙ୍କର ଏ ପାଟିରୁ ରିହାତି ପାଇବାକୁ ରୋଷେଇ ଘର ଭିତରେ ପଶିଯାଇଛି ।

 

ଶୋଇବାର ଅଭିନୟ କରି, ଝାଳନାଳ ଆଣ୍ଠିଏ ହୋଇ, ଗରମଟାରେ ଶୋଇଲା ଘର ଭିତରେ ତଳେ ପଡ଼ିରହି ଉପରକୁ ଚାହିଁ ରହିଥିଲା ସୁନୀଲା । ବହୁତ ବେଳୁ ତା ନିଦ କେବଳ ଭାଙ୍ଗି ଯାଇ ନାହିଁ, ଚେଷ୍ଟା କଲେ ମଧ୍ୟ ଆଉ ନିଦ ଫେରିଆସୁ ନାହିଁ । ରାତିରେ ନିଦ ହେବ କି ନାହିଁ, ସେ ବିଷୟରେ ବି ସନ୍ଦିହାନ ସେ ।

 

ତାର ବାପା ମଦନବାବୁ । ବାପା, ଯିଏ ଜନ୍ମ ହେଇଛି, ଯାହାର ଔରସରୁ ଜନ୍ମ ହୋଇଛି ସେ, ତାଙ୍କ ବିଷୟରେ ଖରାପ ଭାବିବା ହୁଏତ ଉଚିତ ନୁହେଁ । ସମସ୍ତେ ତ ସେଇଆ କୁହନ୍ତି । କ’ଣ ଗୋଟାଏ ବଡ ସଂସ୍କୃତ ଶ୍ଳୋକ ଅଛି ସେ ବିଷୟରେ । ନାଟକରେ ଥରେ (ଶୁଣିଥିଲା) ସୁନୀଲା । ମନେ ନ ପଡ଼ିଲେ ବି ଖିଆଲ ଆସୁଛି, କୁଆଡେ ବାପା (ସ୍ୱର୍ଗରେ) ମହାନ, ବାପା ପରମ ଧର୍ମ–ସର୍ବଶ୍ରେଷ୍ଠ, କ’ଣ ସବୁ ଏମିତି ବଡ଼ ବଡ଼ କଥା ।

 

ଏଇ ବାପାମାନଙ୍କ ବିଷୟରେ ଏ ବଡ଼ ବଡ଼ କଥା କ’ଣ ଲେଖାଯାଇଛି ?

 

ଜନ୍ମଦାତାମାନେ ସବୁ ଏଡ଼େ ଇତର, ଏଡ଼େ ଛୋଟ, ଏତେ ଘୃଣ୍ୟ, ନୀଚ ହୋଇପାରନ୍ତି-? ଏତେ ନୀଚ ଯେ ଯାହା ଭାବି ହେବ ବି ନାହିଁ ?

 

ଛୋଟଲୋକ କୋଉଠିକାର...

 

ନିଜ ମନକୁ ମନ ଆଉଡ଼େଇଲା ସୁନୀଲା । ତାର ଇଚ୍ଛା ହେଉଥିଲା, ଏଇ ମୁହୂର୍ତ୍ତରେ ଉଠିଯାଇ ଦୁଇ ଗାଲରେ ଠାସ୍ ଠାସ୍ ଚଟକଣା ଦୁଇଟା ବସାଇ ଏ ଘରୁ ବାହାରି ଚାଲିଯିବାକୁ । ଚାଲିଯିବାକୁ ସାରା ଜୀବନ ପାଇଁ ।

 

ନିଜ ଭାବନାରେ କ୍ରମଶଃ ସେ ଏତେ ବୁଡ଼ିଯାଉଥିଲା ଯେ, ମଦନବାବୁଙ୍କର ପାଟିରେ ଶବ୍ଦ କେବଳ ଶୁଭିବା ବ୍ୟତୀତ ସ୍ପଷ୍ଟ ଭାବରେ ଆଉ କିଛି ଶୁଣୁ ନ ଥିଲା ସେ । ଶୁଭୁ ନ ଥିଲା ତାକୁ ।

 

ମନ ଦେଇ ଆଉ ଗୋଟାଏ କାମ କରୁଥିଲା ବେଳେ, ନିକଟରେ ରେଡ଼ିଓଟାଏ ବାଜୁଥିଲେ ସେ କାମରେ ବୁଡ଼ି ରହି ଯେମିତି ରେଡ଼ିଓର ଶବ୍ଦଟା କେବଳ କାନରେ ବାଜୁଥାଏ ଆଉ ମଝିରେ ମଝିରେ ହଠାତ୍ ଧ୍ୟାନ ଭାଙ୍ଗି ଆସିଲାବେଳେ ଗୋଟାଏ ଜଣାଶୁଣା ଶବ୍ଦ କାନରେ ବାଜିଯାଏ, ସେମିତି ଶୁଭୁଥିଲା ତାକୁ ।

 

ଅନୀଲା ଭଲ କରିଛି । ବେଳେବେଳେ ଅନୀଲାର ଏ ବ୍ୟବହାରକୁ ସେ ସମର୍ଥନ ନ କରିପାରୁଥିଲେ ମଧ୍ୟ ଏଇ ମୁହୂର୍ତ୍ତରେ ତା’ର ଧାରଣା ହେଲା, ୟା’ଠାରୁ ଭଲ କାମ, ଉଚିତ କର୍ତ୍ତବ୍ୟ ବୋଧହୁଏ ଅନୀଲା ପକ୍ଷରେ ଆଉ କିଛି ନ ଥିଲା । ମନପ୍ରାଣ ଦେଇ ଅନୀଲାକୁ ସମର୍ଥନ କରୁଥିଲା ସେ । ଆଉ ଭାବୁଥିଲା, ଆଜି ସନ୍ଧ୍ୟା ପରେ ରଙ୍ଗମଞ୍ଚକୁ ଯାଇ ଅନୀଲାକୁ ଦେଖି ଆସିବ ସେ ଏବଂ ଜଣାଇଦେଇ ଆସିବ ତାର ମନକଥା । ଏକାନ୍ତରେ ଏ ଛୋଟଲୋକୀର କାହାଣୀ କହିଆସିବ ସମ୍ଭବ ହେଲେ ।

 

ମଦନବାବୁ ପାଟି କରି କହୁଥିଲେ ସେମିତି, “ଏଡ଼ୁରୁ ଏଡ଼ୁଟିଏ ବଢ଼ାଇଲି କୁଢ଼ାଇଲି, ଏବେ ଜବାନ୍ ହୋଇଗଲାକ୍ଷଣି ଚିଡ଼ିଆ (ଦେ....) ? ଆରେ....ମୋତେ କ’ଣ କରି ପାଇଲେଣି କି ଏମାନେ ? ଦେଖ ହୋ, ମୁଁ ଡାକିଲି, ବୁଝାଇଲି, ମୋତେ ପୁଣି କୁହାହଉଛି କ’ଣ ନାଁ ମୋ ଦାୟିତ୍ୱ ମୋତେ ମୁଣ୍ଡାଇବାକୁ ଦିଅ ! କିଏ....ତମ ଦାୟିତ୍ୱ ଏମିତି ତମେ ମୁଣ୍ଡାଇବାର ଥିଲା ତ ଆମ ଦାୟିତ୍ୱ ମୁଣ୍ଡେଇବ କିଏ ? ଆମେ କ’ଣ ଫୋପଟ୍ ପଇସା ସାରି ଏଡ଼େଟିଏ କଲୁ ତମକୁ ?”

 

ଅନୀଲାକୁ ଡାକିବାକୁ ରଙ୍ଗମଞ୍ଚ ଯାଇ ଫେରି ଆସିଛନ୍ତି ଯେ, ଅନୀଲା ଏଇ ଦାୟିତ୍ୱ କଥାଗୁଡ଼ିକ କହିଥିଲା । ହୁଏତ ଆଉ ସବୁ ଲୋକେ ଥିବେ ପାଖାଆଖରେ । ନ ହେଲେ ଅନୀଲା ଏଡ଼େ ଭଦ୍ରଭାବରେ କଥା ନ କହି, ଫେରାଇ ଦେଇଥାଆନ୍ତା ଆଉ କ’ଣ ଅଶ୍ଳୀଳ ଭାବରେ ଶୁଣାଇଦେଇ ଦି’ପଦ ।

 

ସୁସ୍ଥ, ସବଳ, ପୁଣି ବୁଦ୍ଧ ନୁହଁ କି ଅକର୍ମଣ୍ୟ ନୁହ । ସିଏ ଚାହୁଁଛନ୍ତି, ତାଙ୍କରି ଔରସରୁ ସୃଷ୍ଟ ଝିଅମାନେ ନିଜକୁ ବିକିଭାଙ୍ଗି ପଇସା ଆଣିବେ, ଏପରି କି ଦିହ ବିକି ପଇସା ଆଣିଲେ ବି ତାଙ୍କର ଆପତ୍ତି ନାହିଁ ! କିନ୍ତୁ ସିଏ ନିଜେ କିଛି କରିବେ ନାହିଁ । ଯୁବକ ଭାଇଟିଏ, ସିଏ ବି ନିର୍ଲଜ୍ଜ ଭାବରେ ଭଉଣୀର ଯୌବନ କଥା କହି, ତାଙ୍କର ରୁପ ବର୍ଣ୍ଣନା କରି ଅବା ଜୁଟାଇ ଦେଇ ବଞ୍ଚିଯିବାକୁ ଚାହେଁ ।

 

କି ବିଚିତ୍ର ଜୀବନ ! ଶତାବ୍ଦୀର ସର୍ବଶ୍ରେଷ୍ଠ ଗ୍ଳାନି ବୋଧହୁଏ ଏହା ହିଁ । ପିତା ଚାହେଁ, ଭରଣପୋଷଣ ପାଇଁ ତାର ଦେହଜୀବନୀ ହେଉ । ଭାଇ ଚାହେଁ, ଭଉଣୀ ଅପରର ଉପଭୋଗ୍ୟା ହୋଇ ତାକୁ ଅର୍ଥ ଦେଉ, ତାକୁ ବଞ୍ଚାଇ ରଖୁ ।

 

ଶତ ଶତ ଲୋଲୁପ ଆଖି, କ୍ଷୁଧିତ ବାଘ ଭଳି ପୁରୁଷଙ୍କର ପଞ୍ଝାରୁ ନିଜକୁ ବଞ୍ଚାଇବା ପାଇଁ ଝିଅଟିଏ ଧାଇଁ ବୁଲେ । ରକ୍ଷା କରିପାରେନାଁ । ଦେହ ତା’ର କାଳ ହୁଏ । ଯୌବନ, ଯାହା ନାରୀତ୍ୱର ପରମ ସମ୍ପଦ, ମାନବିକତାର ଶ୍ରେଷ୍ଠ ଅବଦାନ, ସେଇ ହୁଏ ତାର ମରଣବେଳ ।

 

ନା, ଦର୍ଶନ ନୁହେଁ । ସୁନୀଲାକୁ ଜୀବନ ଏତେ ଭୟାବହ, ଏତେ ଅବସାଦମୟ ପୂର୍ବରୁ କେବେ ଲାଗି ନ ଥିଲା ।

 

ରୋଷେଇ ଘରୁ ବୋଧହୁଏ ମା କହିଲା, “କାହିଁକି ମିଛୁଟାରେ ପାଟି କରୁଚ ମ ? ଯିଏ ତ ଗଲା ଗଲା ।”

 

“ପାଟି କରିବି ନାହିଁ’’ ? କିଓ ମିଛରେ ଖାଇବା ପିଇବାକୁ ଦେଇଥିଲି ? ଏତେ ଶିଖେଇଲି, ଏତେ ବୁଝେଇଲି । ପଦେ ହସରେ ତାଙ୍କର ଟଙ୍କା ଝରୁଛି । ରାତିଏ ଗଲେ ଏବେ ତାଙ୍କର ହାତୀଏ ମିଳିଛି । ଟିକିଏ ଦିହକୁ ଦିହ ବଜାଇଦେଲେ ଦଶ ଟଙ୍କା ହୋଇଯିବ ! ଏତିକିବେଳେ ସିଏ ଚାଲିଯିବ ?”

 

ଇସ୍...କି ଜଘନ୍ୟ ଲୋକଟା ! ଝିଅ ବିଷୟରେ ଏମିତି କହିପାରୁଛି । ବେଶ୍ୟାର ଦଲାଲ୍ ବି ୟା’ଠାରୁ ଉଚ୍ଚରେ !

 

“ଏଥର ତ ଏମିତି ସମସ୍ତେ ଯିବେ । ଆମେ “ଚଳିବା କେମିତି ? ଖଣ୍ଡିଉଡ଼ା ତାଙ୍କୁ ଶିଖାଇଲା କିଏ ? କିଲୋ....ତୋର ଯଦି ଏତେ ମନ ଉଚ୍ଛନ୍ନ ହେଉଥିଲା, ଏଇଠିକି ଏବେ ନାଗର ଡାକିଥିଲେ କ’ଣ ଚଳି ନ ଥାନ୍ତା । କିଏ ଏବେ ମନା କରୁଥିଲା ? ନାହିଁ....ନାହିଁ...ଅଲଗା ଖଞ୍ଜା କରି ରହିବେ ଆମର.....”

 

“କ’ଣ ଝିଅ ବିଷୟରେ ଏମିତି କହୁଚ ମ ?” ମା’କୁ ବାଧିଲା ବୋଧହୁଏ ଏଥର ।

 

“ଏଁ, ନିଜ କଥା ଭାବୁନ । ଝିଅ ଝିଅ କ’ଣ ? କିଓ ରୀନାଟା ତ ସାନ । ଆଉ ତ ଗୋଟାଏ ବୁଢ଼ୀ ହେଲାଣି ଆସି–ତାକୁ କେହି ଆଡ଼ ଆଖିରେ ବି ପଚାରୁ ନାହାନ୍ତି । ଏଇଟା ହେଲେ ଯାଇଥାଆନ୍ତା ।”

 

ଦି’ କାନରେ ହାତ ଦେଇ ସୁନୀଲା ଏଥର ତଳକୁ ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦିଉଠିଲା ।

 

ବ୍ୟବସାୟ କରିବା ପାଇଁ କୋଉଠୁ ନେଇଆସିଛି କି କିଣି କରି ? ସୁନୀଲାର ଧାରଣା ହେଲା ସେଇଆ ।

 

ସେ ଜାଣିଥିଲା, ଯାହାକୁ ବାପା ବାପା ଡାକେ ତା’ର ଇତରତା, ତା’ର ନୀଚତା । କିନ୍ତୁ ଏଇଟା ତ ପଶୁଟାଏ ! ପଶୁଠାରୁ ବି ହୀନ ! କୁକୁର ବି ନିଜ ସନ୍ତାନକୁ ସ୍ନେହ କରେ ।

 

ଆଉ ଶୁଣିବା ତା’ ପକ୍ଷରେ ସମ୍ଭବ ନୁହେଁ ।

 

ସୁନୀଲାର କାନ୍ଦିବାଟା ହଠାତ୍ ଶୁଭିଗଲା ବୋଧହୁଏ ।

 

–“ନା, ନା.....ମୁଁ ଯାହା କୁହେ ରୋକଠୋକ୍ କୁହେ–ଲୁଚାଛପା କିଛି ନାହିଁ । କାହାକୁ ବାଧୁ କି ଯାହା ହଉ । ଦେଖୁନ, ୟାକୁ କ’ଣ ଆଉ କଣ୍ଟ୍ରାକ୍ଟ ମିଳିବ ? କେହି ଭଲା ପଚାରୁଚନ୍ତି ଆସି ? ଇଏ ଯଦି ରଙ୍ଗମଞ୍ଚକୁ ଯାଆନ୍ତା କି କୁଆଡ଼େ ଯାଆନ୍ତା ସିନା !”

 

ଧୈର୍ଯ୍ୟର, ସହନଶୀଳତାର ବି ଗୋଟାଏ ସୀମା ଅଛି । ଅତି ଅସହାୟ ଚଢ଼େଇଟିଏ ବି ଧୈର୍ଯ୍ୟଚ୍ୟୁତି ଘଟିଲେ କାମୁଡ଼ି ପାରୁ କି ନ ପାରୁ, ଖୁମ୍ପି ଦେବାକୁ ଦଉଡ଼ିଆସେ ପରିଣତି କ’ଣ ହେବ ନ ଜାଣି ।

 

କୋହ, କାନ୍ଦ, ଲୁହ ସବୁକୁ ଏଡ଼ାଇ ଦେଇ ନିଜର ସମସ୍ତ ଶକ୍ତି, ସବୁ ଜୋର୍ ଧରି ସୁନୀଲା ଉଠିଆସିଲା ହଠାତ୍ । ସମ୍ଭାଳି ରହିବା ଆଉ ତା’ ପକ୍ଷରେ ସମ୍ଭବ ନ ଥିଲା ।

 

–“ବଦମାସ୍ କୋଉଠିକାର–ତମେ ପୁଣି ବାପ ହେଇଚ ? ଲଜ୍ଜା ଲାଗୁ ନାହିଁ ? ଝିଅର ଦିହବିକା ପଇସାରେ ଚଳିବ ? ଝିଅକୁ ବଢ଼େଇ କୁଢ଼େଇ, ତାର ବଢ଼ିଲା ଦିହକୁ କାଟି କାଟି, ଟିକିଟିକି କରି ବିକି ବିକି ବଞ୍ଚିବ ? ପଶୁ ! ତମକୁ ଟିକେ ଲାଜ ଲାଗୁ ନାହିଁ କହିବାକୁ ଯେ ମୋ ପାଖକୁ କେହି ଆଉ ଆସୁ ନାହାନ୍ତି ବୋଲି ? ଯାଉନ, ରାସ୍ତାରେ ଠିଆ ହୋଇ ଲୋକ ଡାକି ଆଣିବ, ଯିଏ ମୋ ପାଖରେ ରାତିରେ ଶୋଇବ–ଆଉ ତମକୁ ପଇସା ଦେଇଯିବ ? କହିବ, ମୋ ଝିଅ ପାଖରେ ଶୋଇବ ଆସ–ରାତିକର ଫିସ୍ ଏତେ ଟଙ୍କା । ନିର୍ଲଜ୍ଜ–ଛୋଟଲୋକ କୋଉଠିକାର”–

 

ରୋଷେଇଘରୁ ବୋଉ ଉଠିଆସିଲା । ଧଣ୍ଡ ସାପ ଭଳି, ନିର୍ଜୀବ ଭଳି ପଡ଼ିଥିବା ସୁରେଶ ବି ଉଠିଆସିଲା ଦାଣ୍ଡଘରୁ । ଜଣେ ଦୁଇ ଜଣ ପଥଚାରୀ ବି ହୁଏତ ରାସ୍ତା ଉପରେ ଦଣ୍ଡକ ପାଇଁ ଥକ୍‍କା ମାରି ଛିଡ଼ା ହୋଇଯାଇଥିବେ ସୁନୀଲାର ଚିତ୍କାର ଶୁଣି । ସୁନୀଲା ତା’ର ସମସ୍ତ ଶକ୍ତି ଦେଇ ଚିତ୍କାର କରି କହୁଥିଲା । ଆଖିରୁ ତା’ର ନିଆଁ ବାହାରୁଥିଲା ଆଉ ଲୁହ ଝରି ପଡ଼ୁଥିଲା । ଲୁହ ବହୁ ନ ଥିଲେ ସେ ହୁଏତ ମଦନବାବୁଙ୍କୁ ଆଖି ନିଆଁରେ ଜାଳି ଦେଇଥାଆନ୍ତା !

 

ଶାନ୍ତ, ଶିଷ୍ଟ, ପାଉଁଶ ଭଳି ଶୀତଳ ସୁନୀଲା ଯେ କେବେ ଏମିତି ରଡ଼ନିଆଁରେ ପରିଣତ ହୋଇଯାଇପାରେ, ଏକଥା ମଦନବାବୁ ବୋଧହୁଏ ଭାବିପାରି ନ ଥିଲେ । ନିଜର ମନକଥା ସେଇଥିପାଇଁ ସେ ଏମିତି ଅତି ଖୋଲାଖୋଲି ଭାବରେ ପ୍ରକାଶ କରି ପକାଇଥିଲା । ପ୍ରତିବାଦ କରେ ଅନୀଲା । ସୁନୀଲା ସବୁ ସହିଯାଏ–ଅନୀଲାକୁ ବୁଝାଏ । ଅନୀଲାର ଅନୁପସ୍ଥିତି ତାଙ୍କୁ ଏତେ ସାହସ ଦେଇଥିଲା ହୁଏତ ।

 

ଦଣ୍ଡକ ପାଇଁ ସ୍ତମ୍ଭୀଭୂତ ହୋଇ ରହିଗଲେ ସମସ୍ତେ । ନୀରବ ହୋଇଗଲା ସବୁ । ମଦନବାବୁ କେବଳ ନୀରବରେ ଦମ୍‍ ନେଇ ନେଇ ଉତ୍‍କ୍ଷିପ୍ତା ସୁନୀଲାକୁ ଚାହିଁ ରହିଥିଲେ । କିଛି କହିପାରୁ ନ ଥିଲେ ।

 

ଉଦ୍‍ଭ୍ରାନ୍ତ ଭଳି କଥା କେଇ ପଦ ଏକାଦମରେ କହିଦେଇ ସାରିଲା ପରେ ସୁନୀଲା ଅଣନିଶ୍ୱାସୀ ହୋଇଗଲା ଭଳି ଜୋରରେ ଜୋରରେ ଦମ୍ ନେଲା । ଉତ୍ତେଜନା ଫଳରେ ଅଣନିଶ୍ୱାସୀ ହୋଇଯାଇଥିଲା ସେ ।

 

ସେହି ଅଳ୍ପ ସମୟ ନୀରବତା ବହୁତ ସମୟ ଭଳି ଲାଗିଲା ପ୍ରତ୍ୟେକଙ୍କୁ । ତା’ପରର ଅବସ୍ଥାଟା ସକ୍ରିୟ ମନରେ କେହି ଚିନ୍ତା କରି, ଠିକ୍ କରି ପାରୁ ନ ଥିଲେ ବୋଧହୁଏ ।

 

ହଠାତ୍ ବିସ୍ଫୋରଣ ଘଟିଗଲା ପରର ଅଶାନ୍ତ ନୀରବତା ।

 

ମଦନବାବୁ ନୀରବତା ଭାଙ୍ଗିଲେ ଏଥର ନିଜର ପିତୃତ୍ୱ ଜାହିର କରିବା ଉଦ୍ଦେଶ୍ୟରେ । ସୁନୀଲାକୁ ନ ଚାହିଁ ମା’ଙ୍କ ଆଡ଼କୁ ଅନାଇ କହିଲେ, “ଦେଖୁଚ, ଶୁଣୁଚଟି ? କେଡ଼େ କେଡ଼େ କଥା କହିଯାଉଛି ସିଏ ? ଛୋଟ ମୁହଁରେ ବଡ଼ କଥା । ଟିକେ ବି ଲାଜସରମ ନାହିଁ, ବାପ ଆଗରେ ପୁଣି କଥା କୁହା ହେଉଛି ?”

 

–“ଲାଜସରମ ? ପୁଣି ତମ ଆଗରେ ? ଯୋଉ ବାପ କହିପାରେ ଝିଅ ବୁଢ଼ୀ ହୋଇଗଲାଣି, ତାକୁ ଆଉ ଭଡ଼ା ମିଳିବ ନାହିଁ ? ଝୁଅ ନ କମେଇପାରିଲେ ଯୋଉ ବାପ କୁହେ ଘରୁ ବାହାରିଯିବାକୁ– ?”

 

ଏଥର ଉତ୍ତ୍ୟକ୍ତ ହୋଇ ମଦନବାବୁ କହିଉଠିଲେ, “ଦେବି ଯେ ଦିଇଟା ଥୋଇ, ବେଶୀ ମୁହଁ ବଢ଼ି ବଢ଼ି କଥା କହୁଚୁ ? ଆ....ରେ....ହଁ, କହିଲି ତ ଭଲ ଭଲି, କ’ଣ ହେଲା ସେଠୁ ? କ’ଣ ମୁଁ ମିଛ କଥା କହିଲି ?”

 

“ନାହିଁ, ଯୋଗ୍ୟ କଥାଗୁଡ଼ାକ ସବୁ କହୁଚ, ଆଉ....ମାରିବ ତ ମାର–ସେତିକି ତ ବାକି ରଖିଛ । ଦିହରେ ହାତ ଲଗେଇବ ବଡ଼ ଝିଅକୁ ମାରିବା ପାଇଁ...ମାର, କାହିଁକି ଆଉ ରହିଲ––?’’ ଆଗେଇ ଆସିଲା ସୁନୀଲା ମଦନବାବୁଙ୍କ ଆଡ଼କୁ, ଆଗେଇଆସି ସେମିତି କହିଚାଲିଲା––“ଆମ ଭଡ଼ା ପଇସାରେ ଏତେ ଦିନ ଚଳିଲ, ତମକୁ ଟିକେ ଲାଜସରମ ନାହିଁ ? ଆମକୁ ପରପୁରୁଷଙ୍କ ସାଙ୍ଗେ ଜୁଟେଇଦେଇ ଭଡ଼ୁଆ ଭଳି ଲୁଚି ପଳେଇ ଆସିବ...ସେଥିପାଇଁ ତମକୁ ଲାଜ ଲାଗୁ ନାହିଁ....ପୁଣି କହୁଚ– ?’

ଉତ୍‍କ୍ଷିପ୍ତ ମଦନବାବୁ କାଣ୍ଡଜ୍ଞାନଶୂନ୍ୟ ହୋଇ ସୁନୀଲା ଗାଲରେ ହଠାତ୍ ଜୋରରେ ଗୋଟାଏ ଚଟକଣି କଷିଦେଲେ ଓ ସୁନୀଲା ଲୋଟିପଡ଼ିଲା ତଳେ ।

ମା’ ଆଉ ସୁରେଶ ଦଉଡ଼ିଆସି ତାକୁ ଉଠାଇଦେଲେ ତଳୁ । ମଦନବାବୁ ଆଉ କିଛି କରିବାର ବା କହିବାର ସାହସ ନ ପାଇ ରାଗ ଗର୍‍ଗର୍ ହୋଇ କଠଉ ଠକ୍ ଠକ୍ କରି ବାରିଆଡ଼କୁ ଚାଲିଗଲେ ।

ଧୀରେ ଧୀରେ ଉଠିଲା ସୁନୀଲା । ନାଁ, ସେ କାନ୍ଦୁ ନ ଥିଲା । ଗାଲରେ ତା’ର ପାଞ୍ଚ ଆଙ୍ଗୁଳିର ଦାଗ । ରୋଗା ମୁହଁଟା ଫୁଲିଗଲା ଭଳି ଦିଶୁଛି । ବ୍ଲାଉଜର କିଛି ଅଂଶ ଝାଳରେ ଭିଜିଯାଇଛି । ବାଳଗୁଡ଼ାକ ମୁକୁଳା ।

କାହାକୁ କିଛି ନ କହି, କାହାକୁ ନ ଚାହିଁ, ଧୀର ଅଥଚ ଦୃଢ଼ ଭାବରେ ପାଦ ପକାଇ ଘର ଭିତରକୁ ପଶିଗଲା ଦେହ ମୁହଁରେ ଅସମ୍ଭବ କାଠିନ୍ୟ ପ୍ରକଟିତ କରି ।

କ’ଣ ସେ ଭାବୁଥିଲା କେଜାଣି ? ମା’ ରୋଷେଇଘରକୁ ଫେରିଗଲେ । ଦଣ୍ଡକ ପରେ ସୁରେଶ ସୁନୀଲା ଥିବା ଘର ଭିତରକୁ ଉଙ୍କିମାରି ଦେଖିଲା, ସୁନୀଲା ଚିତ୍ ହୋଇ ଶୋଇରହିଛି ଆକାଶରେ ଯେଉଁ ଫାଳକ ଦେଖାଯାଉଛି, ତାକୁଇ ଚାହିଁ ରହି ।

ସନ୍ତର୍ପଣରେ ଫେରିଆସୁଥିଲା ସୁରେଶ । ତା’ର ପାଦଶବ୍ଦରେ ସୁନୀଲା ଫେରି ଚାହିଁଲା-। ସୁରେଶ ନିରିଖି ଚାହିଁ ଦେଖିଲା, ସୁନୀଲାର ଆଖିପତାରେ ଲୁହ ଜକେଇ ନାହିଁ । ଉନ୍ମାଦଗ୍ରସ୍ତ ହୋଇଥିଲା ଭଳି ଫାଙ୍କା, ଅଭିବ୍ୟକ୍ତିହୀନ ଚାହାଣିରେ ଚାହିଁରହିଛି ସେ ।

 

ସୁରେଶର ଆଖି ସହିତ ଆଖି ମିଳିଲା ତା’ର । ମୁହଁରେ କିଛି କଥା ନ କହି, ମୁଣ୍ଡ ହଲାଇ, ଆଖିରେ ଠାରି ସୁନୀଲା ତାକୁ ଡାକିଲା ପାଖକୁ । ସୁରେଶ ଆସି ଛିଡ଼ା ହେଲା ଖଟ କଡ଼ରେ ।

 

–“ବୁଲାଭାଇର ବସା ଦେଖିଚୁ ?” ଅତି ସହଜ ଗଳାରେ ପଚାରିଲା ସେ ।

 

–“ଡାକିଦେବି ?”

 

–“ନା, ଦେଖିଚୁ କି ?”

 

–“ହଁ ।”

 

–“ମୋତେ ଟିକେ ନେଇଯିବୁ ?”

 

–“ହଁ ।”

 

–“ଆଜି ଯିବା ।”

 

–‘‘ଗଲାବେଳକୁ ଡାକିବୁ, ନେଇଯିବି–’’

 

ସୁରେଶ ଫେରିଯାଉଥିଲା ଏଥର । ସୁନୀଲା ତାକୁ ପୁଣି ପଛରୁ ଡାକିଲା । କହିଲା–

 

–“ନାହିଁ, ତୋ ଯିବାର ଦରକାର ନାହିଁ, ମୋତେ ତାଙ୍କ ଠିକଣାଟା କହିଦେ ଖାଲି ।” ସୁରେଶ ତାକୁ କହିଦେଲା ଠିକଣାଟା ତା’ପରେ କେଜାଣି କାହିଁକି ଆଶ୍ଚର୍ଯ୍ୟ ପ୍ରଶ୍ନବାଚକ ଚାହାଣିରେ ଅନାଇଁ ରହିଲା ତା’ ଆଡ଼କୁ । ତାର ମୁହଁକୁ ଚାହିଁ ଚାହିଁ କ’ଣ ଖୋଜୁଥିଲା କେଜାଣି ସେଥିରୁ ? ବୋଧହୁଏ ତଉଲି ଦେଖିବାକୁ ଚେଷ୍ଟା କରୁଥିଲା କେତେ କଷ୍ଟ ଲାଗିଛି ଆଉ ତା’ର ମନରେ କ’ଣ ଅଛି ସେକଥା ଜାଣିବା ପାଇଁ ।

 

“କ’ଣ ଦେଖୁଚୁ ମୋତେ ?”

 

“ନାହିଁ.....”କହି ଚାଲିଯାଉଥିଲା ସୁରେଶ । ସୁନୀଲା କହିଲା–“ଶୁଣ୍‍, ତୁ ବାହାରେ ଯଦି ବୁଲାଭାଇଙ୍କୁ ଦେଖୁ, ତାଙ୍କୁ କହିଦବୁ, ତାଙ୍କ ଘରେ ଅପେକ୍ଷା କରିଥିବେ ମୋତେ ଆଜି ସନ୍ଧ୍ୟା ପରେ-।”

 

“ହଉ–’’

 

ସୁନୀଲା ଆକାଶକୁ ଚାହିଁଲା ପୁଣି । ମଧ୍ୟାହ୍ନର ଆଲୋକ ଏଥର ଧୀରେ ଧୀରେ ମଳିନ ପଡ଼ିଆସୁଛି । ଖରା ମଉଳି ଆସୁଛି । ଆଉ ଟିକକ ପରେ ଲାଲିମା ଛାଇଯିବ ଆକାଶ ଛାତିରେ । ତା’ପରେ ଆସିବ କଳା କଳା ରାତି । ଅନ୍ଧାର ।

 

ଘର ଭିତରକୁ ମୁହଁ ବୁଲାଇ ଚାହିଁଲା ସୁନୀଲା । ଅନୀଲାର ଟ୍ରଙ୍କ୍‍ଟା ନାହିଁ । ସେ ଜାଗାଟା ଖାଲି ପଡ଼ିଛି । ଏପର୍ଯ୍ୟନ୍ତ ସେ ଜାଗାରେ, ଆଉ କିଛି ରଖା ହୋଇନାହିଁ । ଫାଙ୍କା ଜଣାଯାଉଛି ସେତକ ଶୂନ୍ୟସ୍ଥାନକୁ ଚାହିଁଲେ ।

 

ତା’ପାଖରେ ଥୁଆହୋଇଚି ସୁନୀଲାର ଟ୍ରଙ୍କ୍‍ଟା । ଆଖିବୁଜି ସେଠି ସେଇଟା ନାହିଁ ବୋଲି କଳନା କଲା ସୁନୀଲା ।

 

ଏଇ ଘର, ଚାଳ । ୟା’ରି ତଳେ ବହୁ ରଜଘଷର ଅସୁନ୍ଦର ପୁଣି ମନୋରମ ଦିନ ବିତାଇଛି ସେ । ଦରୋଟି ଭାଷା ଶିଖିଛି ଏଇଠି । ମଣିଷ ହୋଇଛି ଏଇଠି । ମଣିଷକୁ ଭଲ ପାଇଛି, ପୁଣି ଘୃଣାକରି ଶିଖିଛି ।

 

କୌଣସି ବୈଶିଷ୍ଟ୍ୟ ନାହିଁ । ସାଧାରଣ ଭାବରେ ଛୋଟ ଚାଳଘର ଖଣ୍ଡେ ସାହି ଭିତରେ-। ନୁଆଣିଆ । ରାସ୍ତାକଡ଼ର ବତୀଖୁଣ୍ଟର ଆଲୁଅ ଗୋଟାଏ ଝରକା ଦେଇ ଘର ଭିତରେ ପଡ଼େ-। ଜହ୍ନ, ଆକାଶ ଛାତିରେ, ଟିକେ ବଙ୍କେଇ ଢଳି ପଡ଼ିଲା ବେଳେ ମେଞ୍ଚା ମେଞ୍ଚା କିରଣ ନେସିଦିଏ ଏଇ ଘର ଭିତରକୁ । ରାସ୍ତାର ନାଲି ଧୂଳିର ଝଡ଼ ପଶିଆସେ । ଜନକୋଳାହଳ, ପଥଚାରୀଙ୍କର ପାଦଶବ୍ଦ, ରିକ୍‍ସା, ସାଇକେଲର ଘଣ୍ଟି, କଦବା କେମିତି କାର୍ ବା ଜିପ୍ ହର୍ଣ୍ଣ ଶୁଭେ-

 

ସୁନୀଲାର ଦେହ ଭଳି ମିଳନ, ଜୀର୍ଣ୍ଣ, ରଙ୍ଗଧଉଳା ଖସିଯାଇଛି ଠା’ ଠା’ କରୁ । କୁତି ଦେହରୁ ରୁମ ଉପୁଡ଼ିଗଲା ପରେ ଯେମିତି ଦିଶେ, ସେମିତି ଦିଶୁଛି ।

 

ବିବର୍ଣ୍ଣ, ପ୍ରାଚୀନ ଛୋଟ ଗୋଟିଏ ଗୋଟିଏ ଚାଳଘର । ମ୍ୟୁନିସିପାଲିଟିର ମୋଟାଖାତା ଭିତରେ ତା’ର ହୁଏତ କିଛି ଅଲଗା ପରିଚୟ ଥିବ ।

 

କାହିଁକି କେଜାଣି ଘରଟାର ଚାରିଆଡ଼କୁ ଆଖି ବୁଲାଇ ବୁଲାଇ ଚାହିଁଲା ସୁନୀଲା । ମା’ ଛୁଆକୁ ଯେମିତି ଲୋଭୀ ଆଖିରେ ଚାହେଁ, ତା’ର ବିକଳାଙ୍ଗ ଦେହ ବି ମା’କୁ ସୁନ୍ଦର ଲୋଭନୀୟ ଦିଶେ, ଆଖି ତା’ର ଛୁଇଁ ଛୁଇଁ ଯାଏ ଦେହସାରା, ସେମିତି ଚାହିଁଲା ସୁନୀଲା ।

 

ଗୋଟାଏ ଅଫୁରନ୍ତ, ଅସରନ୍ତି ମାୟା, ମମତାରେ ଛାଇଗଲା ମନ ତା’ର । ଅଜଣାରେ କୋହ ଉଠିଲା ତା’ର । କାନ୍ଦିପକାଇଲା ସେ । ଫୁଲି ଫୁଲି ଉଠୁଥିଲା ତା’ର ଦେହ ।

 

ମଣିଷ ପାଇଁ ନୁହେଁ । ଏ ଘରର ମଣିଷ, ଯାହା ପାଇଁ ତା’ ନିକଟରେ ଘୃଣା ଛଡ଼ା ସଞ୍ଚିତ ଆଉ କିଛି ନାହିଁ, ତାଙ୍କ ପାଇଁ ନୁହେଁ–ଅଥଚ ମାଟିକାନ୍ଥ, ଚୂନ ପଲସ୍ତରା ହୋଇଥିବା ଏଇ ଜୀର୍ଣ୍ଣ, ପ୍ରାଚୀନ ଘରଟା ପ୍ରତି ତା’ର ଅସମ୍ଭବ ମମତା ଜାଗିଉଠିଲା ।

 

ଏ ଘରକୁ ସେ ଆଉ କେବେ ଫେରିବ ନାହିଁ । ତା’ ପାଇଁ ଏ ଘରର କୌଣସି ପରିଚୟ ରହିବ ନାହିଁ ।

 

ଏଇ ଘରର ଲୋକେ ତାକୁ ଅଲୋଡ଼ା ଅନାବଶ୍ୟକ ଭାବିଛନ୍ତି ।

 

ଅଲୋଡ଼ା ବୋଲି ମୁହଁଖୋଲି କହିସାରିଲା ପରେ ତା’ର ଯେ କୌଣସି ମୂଲ୍ୟ ନାହିଁ ଏଠି, ସେକଥା ଜାଣିସାରିଲା ପରେ ସୁନୀଲା କ’ଣ ରହିପାରେ ? ରହିବା କ’ଣ ଉଚିତ୍ ?

 

ଆଉ କେବେ.....କେବେ ସେ ଏ ଘରର ଚତୁଃସୀମା ଭିତରକୁ ଫେରିବ ନାହିଁ । ଏ ଘର ତା’ପାଇଁ ପର ହୋଇଯିବ ।

 

ରୀନା, ବୁଟୁ ହରିକା ଫେରିଲେ ସ୍କୁଲରୁ । ବହିବସ୍ତାନୀ ପକେଇ ଦେଇ ସେମାନେ ଖାଇବାକୁ ଦେବାକୁ ପାଟି କଲେ । ରୀନା ଆସି ଚାହିଁଦେଇଗଲା ତା’ ଅପାକୁ । ଏ ବେଳଟାରେ ଯେ ସେ କାହିଁକି ମୁହଁ ମାଡ଼ି ଶୋଇରହିଛି, ବୁଝିପାରିଲା ନାହିଁ । ସାଧାରଣତଃ ସୁନୀଲା ହିଁ ଖାଇବାକୁ ଦେଇଥାଏ । ମା’ ଉଠି କାମଦାମ କରିପାରେନା, ସାନ ଛୁଆଟାକୁ ଛାଡ଼ି । ରୀନା ଚାହିଁଦେଇ ଫେରିଗଲା । ଡାକିଲା ନାହିଁ ।

 

ବୁଟୁ ବି ପଶିଆସିଲା ଘର ଭିତରକୁ । ସେମିତି ଆଶ୍ଚର୍ଯ୍ୟ ହୋଇ ଚାହିଁଲା ସୁନୀଲାକୁ । ଧୀରେ ଧୀରେ ତା’ ପାଖକୁ ଆସିଲା ସେ । ସୁନୀଲାର କଇଁ ସେତେବେଳଯାଏ ବି ବନ୍ଦ ହୋଇ ନ ଥିଲା । ଅପା ପିଠିରେ ହାତ ରଖି ବୁଟୁ ଡାକିଲା–“ଅପା, ତୋ ଦିହ କ’ଣ ହଉଛି ?”

 

ଆବେଗରେ ସୁନୀଲା ତାକୁ କୋଳକୁ ନେଇ ଆସି ନିଜର ଲୁହବୋଳା ମୁହଁରେ ବୁଟୁକୁ ଗାଲରେ, ଓଠରେ ବୋକ ପରେ ବୋକ ଦେଇଗଲା । କାବା ହୋଇଯାଉଥିଲା ବୁଟୁ । କ’ଣ ହୋଇଛି ଅପାର ଆଜି ?

 

କାବା ହୋଇ ବୁଟୁ ସେମିତି ଚାହିଁଥିଲା ସୁନୀଲାକୁ । କିଛି କହୁ ନ ଥିଲା କି ଅନୀଲାର ଏପରି ଉଦ୍‍ଭ୍ରାନ୍ତ ବ୍ୟବହାରର କୌଣସି ପ୍ରତିବାଦ ମଧ୍ୟ କରୁ ନ ଥିଲା ।

 

“ମୋତେ ମନେ ରଖିବୁ ?” –ସେମିତି କାନ୍ଦି କାନ୍ଦି ସାନଭାଇକୁ କୋଳରେ ଜାକି ଧରି ପଚାରିଲା ସୁନୀଲା । ଏଭଳି ପ୍ରଶ୍ନର କୌଣସି ଅର୍ଥ ନ ବୁଝିଲେ ବି ଅପାର ଆଦର, ସୋହାଗ ସବୁ ମନେ ପକାଇ ସାନପିଲାଟା ସୁନୀଲାର ଆଖିପତାରେ ଲାଗିଥିବା ଲୁହକୁ ପୋଛି ଦେଇ କହିଲା–“ହଁ.....ସବୁଦିନେ ମନେରଖିବି”–“ତୋ ଅପାକୁ ଆଉ ଖୋଜିବୁ ନାହିଁ ରେ”......ବୁଟୁ କୌଣସି ଉତ୍ତର ଦେଲା ନାହିଁ । ଶେଷ ଥର ପାଇଁ ବୋକ ଦେଇ ତାକୁ ଛାଡ଼ିଦେଲା ସୁନୀଲା । ମା’ ଡାକୁଥିଲା ତାକୁ ଖାଇବା ପାଇଁ । ପଛକୁ ଚାହିଁ ଚାହିଁ ସେ ଫେରିଗଲା ସେ ଘର ଭିତରୁ ।

 

ଅପରାହ୍ନ ସରିଆସିବା ଉପରେ । ଆଉ ଟିକେ ପରେ ନଇଁ ଆସିବ ସନ୍ଧ୍ୟା । ଟିକେ ଟିକେ ଅଗଣନ ତାରାରେ ଛାଇଯିବ ଆକାଶ । ଆସନ୍ନ ସନ୍ଧ୍ୟାରେ ଆକଶଟା କେମିତି ମୁହଁ ଫୁଲାଇଲା ପରି ବିଷଣ୍ଣ ଦିଶୁଥିଲା ।

 

ଧୀରେ ଧୀରେ ଉଠିଲା ସୁନୀଲା ।

 

ଗୋଟାଏ କୋଣରେ ସାନପିଲାଟା ଭୂଇଁରେ କନାରେ ଗଡ଼ୁଥିଲା । ତାକୁ କୋଳରେ ଧରି, ଗେଲ କଲା, ପୁଣି ଶୁଆଇଦେଲା ।

 

ଘର ଭିତରଟା ଅନ୍ଧାରିଆ ହୋଇ ଆସିଲାଣି ।

 

ଲଣ୍ଠନଟା ପୋଛି ସେଥିରେ କିରୋସିନି ପକେଇ ଜଳେଇଦେଲା ସେ । ଘର ଭିତରେ କମାଇଦେଇ ରଖି ବାହାରକୁ ଆସିଲା । ବାହାରର ଖୋଲା ପବନ ତା’ର ବିଷଣ୍ଣ ମନକୁ ହାଲୁକା କରିଦେଲା ।

 

ଆକାଶରୁ ଆଲୋକ ନିଭି ନିଭି ଯାଉଛି । ତାକୁ ପ୍ରସ୍ତୁତ ହେବାକୁ ପଡ଼ିବ । ନିଜର ଭବିଷ୍ୟତ, ଯାହା ଅନିଶ୍ଚିତ, ସେ ବିଷୟରେ ଭାବିବାକୁ ଭଲ ଲାଗିଲା ନାହିଁ ତାକୁ । କାରଣ କିଛି ଭାବି ପାରିଲା ନାହିଁ ସେ । ବେଳେ ବେଳେ ଆଖି ଆଗରେ ଭାସିଆସୁଛି ଗୋଟାଏ ମଧୁର ସ୍ୱପ୍ନ ଭଳି ପରିବେଶ । ନୂଆ ଗୋଟାଏ ଅନାସ୍ୱାଦିତ ପୁଲକରେ ଭରିଯାଉଛି ତାର ଦେହ ମନ । ଚମକ ଆସୁଛି ମନରେ, ସେ ରମଣୀୟ ଦିନରେ ରୋମାଞ୍ଚକର କଳନାରେ ।

 

ପୁଣି ବେଳେ ବେଳେ ଦେଖାଦେଉଛି ଦୁଃସ୍ୱପ୍ନ, ଗୋଟାଏ ଦୁର୍ଦ୍ଦିନରେ କଳାଛାଇ ।

 

ତେଣୁ ଲାଭ ନାହିଁ ଭାବି ସେ କଥା । କୁଆଡ଼େ ସେ ଯିବ ? କ’ଣ କରିବ ? କାହାକୁ....କାହାକୁ.....ଖୋଲି କହିପାରିବ ତା’ର ଜୀବନର ଏ ଅକଥନୀୟ ଗ୍ଳାନିର କାହାଣୀ ?

 

ସେ ଅଲୋଡ଼ା, ଅପାଂକ୍ତେୟ...ପ୍ରୌଢ଼ା–ବିଗତଯୌବନା ।

 

ଆଖୁ ଚୋବାଇସାରି ଛଦା ଫିଙ୍ଗିଦେଲା ପରି ସମସ୍ତ ସମାଜ ତାକୁ ଫୋପାଡ଼ି ଦେଇଛି । ନାଃ, ଭାବି ଲାଭ ନାହିଁ କିଛି । ତା’ର ଥଳକୂଳ କିଛି ନାହିଁ ।

 

କୂଅମୂଳକୁ ଆସି ନିଜ ଉପରେ ଅଜସ୍ର ପାଣି ଢାଳିହେଲା ସେ ବହୁ ସମୟ ପର୍ଯ୍ୟନ୍ତ । ଖିଆଲ ନାହିଁ କେତେବେଳଯାଏ କେତେ ବାଲ୍‍ଟି ପାଣି ସେ ଢାଳିଛି ମୁଣ୍ଡରେ । ସତେ କି ସାରା ଜୀବନର ଅବସାଦ ଧୋଇ ହୋଇ ଯାଉଥିଲା ତା’ର ଦେହ ମନରୁ !

 

ଖିଆଲ ଭାଙ୍ଗିଲା ମା’ ଡାକରେ । –“କିଲୋ...ସଞ୍ଜବେଳଟାରେ ଢୁଢୁ ହୋଇ କେତେ ପାଣି ଅଜାଡ଼ୁଚୁ....ଇଲୋ ....ପୁଣି ମୁଣ୍ଡଟାରେ ଢାଳୁଚୁ ପାଣିଗୁରାକ.... ? ଦିହ ଖରାପ ହବ ନାଇଁ...-?”

 

ସଙ୍କୁଚିତ ହୋଇଗଲା ସୁନୀଲା । ଦେହରେ ଲୁଗା ନାହିଁ । ବହୁ ଅଂଶ ଅନାବୃତ ।

 

ନାଃ, କେହି ଆସୁ ନାହାନ୍ତି ଏଣେ । ମା’ ଦେଖିଦେଇ, ପାଟିକରି ଡାକି ପୁଣି ଫେରିଯାଇଛି । ସନ୍ଧ୍ୟାରେ ଶୀତଳ ହାଲୁକା ପବନ ଏଥର ସୀତ୍କାର ଆଣି ଦେଲା ଦେହରେ ତାର । ଦେହ ଶୀତେଇଉଠିଲା ପବନ ବାଜି ।

 

ପୋଛିପାଛି ହୋଇ, ଶୁଖିଲା ଲୁଗାଟାଏ ଦେହରେ ଜଡ଼ାଇ, ଘର ଭିତରକୁ ପଶି ଆସିଲା ସୁନୀଲା ।

 

ସୁରେଶ, ବାପା ବାହାରକୁ ଗଲେଣି ଚାଲି । ପିଲାଏ ପଢ଼ିବାକୁ ବସିଲେଣି ।

 

କେତେବେଳ ହେଲାଣି ଆସି କେଜାଣି ? ରାତି ହେଲାଣି ।

 

ନିଜ ଟ୍ରଙ୍କ୍‍ ଫିଟାଇଲା ସୁନୀଲା । ବାଛି ବାଛି ଭଲ ଶାଢ଼ିଟାଏ କାଢ଼ିଲା । ଫିକା ନୀଳ, କଦଳୀପତ୍ର ରଙ୍ଗର ଶାଢ଼ିଟାଏ–ତାକୁ ବେଶ୍‍ ମାନେ ଶାଢ଼ିଟା । ତା’ ସାଙ୍ଗକୁ ଖାପ ଖାଇଲା ରଙ୍ଗର ବ୍ଲାଉଜ ପିନ୍ଧିଲା ।

 

ଲଣ୍ଠନ ମୁହଁପାଖକୁ ଟେକି ଧରି, ଅଇନାରେ ମୁହଁ ଦେଖି, ବହୁ ସମୟ ଧରି ପ୍ରସାଧନ କଲା । ଆଖିରେ ସେ ପ୍ରାୟ କେବେ କଜଳ ଲଗାଏ ନାହିଁ । ଆଜି ଲଗାଇଲା କିନ୍ତୁ । କ’ଣ ଭାବି, ଟ୍ରଙ୍କ୍‍ କଡ଼ରୁ ଛୋଟ ଏସେନ୍‍ସ ଶିଶିଟା କାଢ଼ିଲା । ଏଇଟା ରଖିଥାଏ, ବାହାରକୁ କଲ୍‍ ରେ ଗଲାବେଳେ, ଅଭିନେତ୍ରୀର ଥାଟ ବଜାୟ ରଖିବା ପାଇଁ । ମନକୁ ମନ ହସିଦେଇ, ଅଧା ଶିଶିଟା ନିଜ ଶାଢ଼ିରେ ଢାଳିଦେଲା । ଆଃ...କହି ନିଜେ ଜୋରରେ ଦମେ ନିଶ୍ୱାସ ନେଇ, ଶସ୍ତା ଏସେନ୍‍ସର ମହକ ନେଲା । ଘରସାରା ଖେଳିବୁଲିଲା ସେ ସୁବାସ ।

 

ପ୍ରସାଧାନ ସାରି ପୁଣି ଥରେ ନିଜ ମୁହଁକୁ ଦେଖିଲା ସେ । କୁଙ୍କୁମ ଶିଶିଟା କାଢ଼ି କପାଳରେ କୁଙ୍କୁମ ବିନ୍ଦୁଏ ଦେଲା ।

 

ନିଜ ରୂପରେ ନିଜେ ମୁଗ୍‍ଧ ହୋଇଉଠିଲା ଏଥର ।

 

ସତେ କି ଆଜି ଚାଲିଛି ସେ କେଉଁ ଅଭିସାରରେ ।

 

ଟ୍ରଙ୍କ୍‍ ଢଳୁ ଶାଢ଼ି, ଜିନିଷପତ୍ର ସବୁ ଟେକି ବାହାର କଲା କିଛି ଟଙ୍କା । ସାରା ଜୀବନର ସଞ୍ଚୟ ତାର ବିଭିନ୍ନ କଲ୍‍ରୁ, ବାପାଙ୍କର ଶ୍ୟେନଦୃଷ୍ଟିରୁ ବଞ୍ଚାଇ ଉଦ୍‍ବୃତ୍ତ ରହିଛି ଏତକ । ସୁନୀଲା ଆଉ ଅନୀଲା ଛଡ଼ା କେହି ଜାଣନ୍ତି ନାହିଁ ଏ ଟଙ୍କା କଥା । ଅନୀଲାର ବି କିଛି ସଞ୍ଚୟ ଏମିତି ଥିଲା । ତା’କୁ ସେ ନେଇଯାଇଛି ।

 

ଛୋଟ ଭ୍ୟାନିଟି ବ୍ୟାଗରେ ରଖିଲା ସେତକ । କେତେ ହେବ କେଜାଣି ? କେବେ ସାହସ କରି ଗଣି ନାହିଁ ସେ । କାଳେ କିଏ ଦେଖି ଦେବ । ନିଜର ଉପାର୍ଜନ ନିଜେ ଚୋରି କରିଛି !

 

ହାଲୁକା ପାଦରେ ବାହାରକୁ ଆସିଲା । ମା’କୁ ଯାଇଁ କହିଲା, ମୁଁ ଏଇଠୁ ଆସୁଚି ଟିକେ-

 

ରୋଷେଇଘରର ଛୋଟ ଡିବିରିର ଆଲୁଅର ଯେଉଁ କ୍ଷୀଣ ରେଖା ବାହାରେ ଆସି ପଡ଼ୁଥିଲା, ସେଥିରେ ସୁନୀଲାର ରୁପ, ବେଶପୋଷାକର ବାହାର ଦେଖିବା ମା’ ପକ୍ଷରେ ସମ୍ଭବ ନ ଥିଲା । କିନ୍ତୁ, ଏସେନ୍‍ସର ତୀବ୍ର ଗନ୍ଧରେ ସେ ମୁହଁ ଟେକି ଚାହିଁଲେ ।

 

କିଛି ଉତ୍ତର ଦେଲେ ନାହିଁ କିନ୍ତୁ । ଉତ୍ତରକୁ ଅପେକ୍ଷା ନ କରି ସୁନୀଲା ଚାଲିଆସିଲା ସେଠାରୁ । ବାରଣ୍ଡାରେ ସଉପ ପକାଇ ରୀନା ଓ ବୁଟୁ ପାଠ ପଢ଼ୁଥିଲେ । ସେମାନେ ଲଣ୍ଠନର ଆଲୋକରେ ଦେଖି ପାରୁଥିଲେ ଅପାର ରୂପସଜ୍ଜା । ରୀନାର ମନରେ ଚମକ ଲାଗିବାର ବୟସ । ବୁଲି ବୁଲି ଚାହୁଁଥିଲେ ସେମାନେ ।

 

ବାହାରି ଯାଉ ଯାଉ ପୁଣି କ’ଣ ଭାବି ଘର ଭିତରକୁ ପଶିଆସିଲା । ଟ୍ରଙ୍କ୍ ଫିଟାଇ ଆଉ ଦୁଇ ତିନି ଖଣ୍ଡ ଶାଢ଼ି, କେଇ ଖଣ୍ଡ ବ୍ଲାଉଜ, ବ୍ରେସରୀ, ସାୟା କାଢ଼ିନେଲା । ସେସବୁକୁ ଖଣ୍ଡେ କାଗଜ କାଢ଼ି ଗୁଡ଼ାଇଲା, ଲଣ୍ଡ୍ରିକୁ ନେବା ପ୍ୟାକେଟ୍‍ ଭଳି । ସାନ ଛୁଆଟା ପାଖରେ ଲଣ୍ଠନଟାକୁ କମାଇ ରଖିଦେଲା ।

 

ବାରଣ୍ଡାରେ ବସିପଡ଼ି ବୁଟୁକୁ, ରୀନାକୁ ଦୁଇ ଥର ଗେଲ କରିଦେଲା । ବୁଟୁ ବୋକାଙ୍କ ଭଳି ଚାହିଁ ରହିଲେ ବି ରୀନା ଚୁମା ପାଇବା ସାଙ୍ଗେ ସାଙ୍ଗେ ଗାଲଟାକୁ ପୋଛିପକାଇ ‘ଇସ୍’ ବୋଲି କହିଲା ।

 

ସୁନୀଲା ତାଙ୍କୁ ହାତ ଉଠାଇ ଟା’, ଟା’, କରିବା ଭଙ୍ଗୀରେ କହିଲା ‘ଯାଉଛି’ ।

 

ବହି, ଖାତାରୁ ମୁହଁ ଉଠାଇ ସେମାନେ ସୁନୀଲାକୁ ଚାହିଁ ରହି ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲେ । ଫିକ୍‍କିନା ହସିଦେଲା ସୁନୀଲା । ଚଟି ପାଦରେ ଗଳାଇ ବାହାରିଗଲା ।

 

ଗଲାବେଳେ କାହିଁକି କେଜାଣି ଘର ଦୁଆର ମୁହଁରେ ଠିକ୍ କପାଳ ଠୁକାଇ ମୁଣ୍ଡିଆଟିଏ ମାରିଲା ସେ ।

 

ତା’ପରେ ରାଜପଥକୁ ବାହାରି ଆସିଲା । ରାସ୍ତା ଉପରେ ଛିଡ଼ାହୋଇ ଦୁଇକଡ଼କୁ ଚାହିଁଲା ।

 

ସେତେବେଳକୁ ସନ୍ଧ୍ୟା ଅତିକ୍ରାନ୍ତ ହେଲାଣି । ରାଜରାସ୍ତାର ଠୋଲାପିନ୍ଧା ବତୀଗୁଡ଼ାକ ଚାରିକଡ଼େ ଅଜସ୍ର ପତଙ୍ଗର ଭିଡ଼ । ଆକାଶରେ ଜହ୍ନ ନାହିଁ । ଅଗଣନ ଟିକି ଟିକି ତାରା ଆଖି ମିଟିକା ମାରୁଛନ୍ତି । ରାଜରାସ୍ତାର ଜନ କୋଳାହଳ ବଢ଼ିଉଠିଛି । ଆଉ ଟିକକ ପରେ ମିଳେଇଯିବ । ଗଳିରୁ, ଯେଉଁଠି ରାସ୍ତାଟା ବାହାରି ପ୍ରଧାନ ରାସ୍ତାରେ ମିଶିଛି ଓ ସେଥିରୁ ଯେଉଁ ଅଂଶତକ ଦେଖାଯାଉଛି, ସେଠି ଅସଂଖ୍ୟ ନୀଳ ନାଲି ବତୀ ଜଳିଉଠୁଛି । ରିକ୍‍ସା, ମଟର, ପଥଚାରୀଙ୍କର ଶବ୍ଦରେ ମୁଖରିତ ହୋଇଉଠିଛି ମହାନଗରୀ ।

 

ପ୍ରଥମ ରାତିର ପବନ ହାଲୁକା ହୋଇ ଉଠିଛି । ସୁନୀଲା, ଆଗକୁ ପାଦ ବଢ଼ାଇଲା । ଦେହ, ମନ ତା’ର ଅଜଣା ପୁଲକରେ ଭରିଯାଇଛି । ଏତେ ହାଲୁକା ମନ, ଏତେ ଖୁସି ସେ କେବେ ହୋଇ ନ ଥିଲା ।

 

ଦିନର ସେ ଭାରାକ୍ରାନ୍ତ ମନ କୁଆଡ଼େ.....କାହିଁ କୁଆଡ଼େ ଅପସରି ଯାଇଛି ଏ ମାୟାବିନୀ ରାତ୍ରିର ସ୍ପର୍ଶରେ ।

 

କିନ୍ତୁ କୁଆଡ଼େ ଯିବ ସେ ? ଯୁଆଡ଼େ ହେଉ.....ଏଥର ସେ ପ୍ରଧାନ ରାଜରାସ୍ତାର ଜନକୋଳାହଳକୁ ସ୍ପର୍ଶ କଲା । କୋଳାହଳମୁଖରିତ ମହାନଗରୀର ରାତି ଭିତରେ ମିଳାଇଗଲା ସୁନୀଲା....

 

–“ଶୋଇଲୁଣି ?”

 

–“ଉଁ....”

 

–“ନିଦ ଲାଗୁ ନାହିଁ ?”

 

–“ଉଁ....ହୁଁ....”

 

–“ରାତି କେତେ ହେଲାଣି ଜାଣିଚୁ ?”

 

–“ସରି ନାହିଁ ତ ।”

 

–“ଏ ରାତି କ’ଣ ସରିବ ନାହିଁ ?”

 

–“ନ ସରୁ....ନ ସରିଲେ ଭଲ ହୁଅନ୍ତା....ଦିନର ଆଲୁଅରେ ଯଦି ଏ ସ୍ୱପ୍ନ ଭାଙ୍ଗିଯାଏ-?”

 

–“ଇଏ କ’ଣ ସ୍ୱପ୍ନ ?”

 

–“କେଜାଣି ? ....ମୁଁ କିଛି ଜାଣେ ନାହିଁ–’’

 

–“ସ୍ୱପ୍ନ କ’ଣ କେବେ ଏତେ ସୁନ୍ଦର ଆଉ ଏତେ କରୁଣ ହୁଏ ?”

 

–“ଦିନରେ ତମେ ବଦଳିଯିବ ନାହିଁ ତ ? ମୋତେ ଏମିତି....ଏମିତି ତମ ଛାତିରେ ଧରି ରଖିବ ତ ?”

 

–“ଅବିଶ୍ୱାସ ହଉଛି ?”

 

–“କାଳେ ଯଦି ବଦଳିଯାଅ ତମେ ? ମୋର...ମୋର ଆଉ କେହି ନାହାନ୍ତି....ବଡ଼ ନିଃସହାୟ ମୁଁ....କିଛି ନାହିଁ ମୋର––’’

 

–“ଛିଃ..ତୋର ସବୁ ଅଛି....ମୁଁ ନାହିଁ ? ମୁଁ ତୋର କ’ଣ କେହି ନୁହେଁ... ?”

 

–“ତମେ ମୋତେ ପର କରିଦେବ ନାହିଁ ତ ? ଭାରି ଡର ମାଡ଼ୁଛି.....”

–“ଛିଃ କାନ୍ଦ ନାହିଁ....ଆଜି ପରା ଆମର ପହିଲା ରାତି....ମଧୁବାସର...”

–“ତମେ....ତମେ ମୋତେ ସତରେ ଗ୍ରହଣ କରିପାରିବ ? କେବେ ଏଡ଼ାଇ ଦବ ନାହିଁ-? ମୁଁ ମରିଯିବି ତା’ହେଲେ.....ଆତ୍ମହତ୍ୟା କରିବି–’’

–“ତୁ ବଞ୍ଚିବୁ ଲୋ...ତୋତେ କ’ଣ ମରିବାକୁ ଛାଡ଼ିଦେବି ? –ମୋର ପରା କେହି ନାହାନ୍ତି ତିନି କୁଳରେ ।”

–“ସେମାନେ ଯଦି ଆସନ୍ତି ?”

–“କୋଉମାନେ ?

–“ବାପା... ?

–“ଆସନ୍ତୁ...”

–“ତୁମେ ତାଙ୍କୁ କ’ଣ କହିବ ?”

–“କ’ଣ କହିଲେ ତୁ ଖୁସି ହବୁ ?”

ବୁଲାର ଛାତିରେ ଲୋଟି ପଡ଼ି, ତା’ର ଲୋମଶ ଛାତିରେ ମୁଣ୍ଡ ରଖି କାନ୍ଦି କାନ୍ଦି କହୁଥିଲା ସୁନୀଲା । ବୁଲାର ଛାତି ସୁନୀଲାର ଲୁହରେ ଭିଜି ଯାଇଥିଲା । ତା’ର ଦୁଇ ହାତ ସୁନୀଲାର ପିଠି ଉପରେ ପଡ଼ିଥିଲା, ଆଉ ମଝିରେ ମଝିରେ ସେ ଛୋଟ ଛୁଆଙ୍କୁ ବୋଧ ଦେଲା ଭଳି ସୁନୀଲାର ପିଠି ଥାପୁଡ଼େଇ ଦେଇ ଆଉ ତା’ର ଗହଳ କେଶରାଶିରେ ଆଙ୍ଗୁଠି ବୁଲାଇ ବୁଲାଇ କହୁଥିଲା ।

 

ଏଥର ସୁନୀଲାର ଲୁହବୋଳା, ଶୀର୍ଣ୍ଣ ମୁହଁକୁ ଦୁଇ ହାତରେ ତୋଳିଧରି ତା’ ମୁହଁକୁ ଚାହିଁରହି ପଚାରିଲା ବୁଲା–

 

–“ଏଃ..ମୋତେ ଅନା....ଅନା....ଇଆଡ଼େ ମୋ ମୁହଁକୁ....ମୁହଁକୁ ଚାହିଁ କହିଲୁ ଦେଖି କ’ଣ ତୁ ଚାହୁଁଚୁ ? ...ମୁଁ କ’ଣ କହିଲେ ତୁ ଖୁସି ହେବୁ ?”

 

ଆଖିପତା ଧୀରେ ମେଲି ସୁନୀଲା ଚାହିଁଲା ବୁଲା ମୁହଁକୁ ।

 

ଲଣ୍ଠନଟା ଜଳିଜଳି କଳା ପଡ଼ି ଆସିଲାଣି । ସେଇ ଈଷତ୍ ଆଲୋକରେ ବୁଲା ଦେଖିଲା, ସୁନୀଲାର ଅଖିପତା କାନ୍ଦିକାନ୍ଦି ଫୁଲି ଯାଇଛି । ଏବେ ବି ଦୁଇ ବିନ୍ଦୁ ଲୁହ ମୁକ୍ତା ଭଳି ବହଆସୁଛି ତା’ର ଦୁଇଆଖି କୋଣରୁ । ଆଖି ମୁଦିରେ ଝରିପଡ଼ିବ ଥପ୍‍ କରି ।

 

ହାତ ବଢ଼ାଇଲା ବୁଲା ଲୁହଧାରକୁ ପୋଛିଦେବାକୁ, ପୁଣି ହାତ ଫେରାଇନେଲା । ନାଃ....କାନ୍ଦୁ ସେ । ଏ ଲୁହଧାରରେ ତା’ରି ଜୀବନର, ଶତ ଶତ ଗ୍ଳାନିର କାଳିମା ଧୋଇ ହୋଇଯାଉ । କଳଙ୍କର ମସି ଧୋଇ ହୋଇଯାଉ ତା’ର ମନରୁ । ତା’ର ଭିତରୁ ହସି ହସି ଦେଖାଦେବ ଅମ୍ଳାନ ସୁନୀଲା ।

 

ଯେଉଁ ସୁନୀଲା ହେବ, ଯୁଗ ଯୁଗାନ୍ତରର ଚିରନ୍ତନୀ ନାରୀ !

 

ସୁନୀଲା ଆଖିକୋଣରୁ ଉଦ୍‍ଗତ ଲୁହଧାର ପୋଛିଦେଲା ନାହିଁ ସେ ।

 

ଦୁଇ ହାତ ପାପୁଲିରେ ସୁନୀଲାର ଶୀର୍ଣ୍ଣ ମୁହଁକୁ ତୋଳି ଧରି ଥରିଲା ଓଠରେ ତା’ର ଚୁମାଟିଏ ଦେଲା । ସୁନୀଲା ଆଖି ବୁଜିଦେଲା କେବଳ । ମନା କଲା ନାହିଁ, କି କିଛି କହିଲା ନାହିଁ ।

 

–“ମୋର ବି କେହି ନାହିଁ ଲୋ....ତୁ’ ବି ମୋତେ ଦୟା କରିଚୁ...”

 

–“ଛିଃ, ଇଏ କ’ଣ କହୁଚ ?”

 

–“ହଁ ସତେ ଲୋ...ମୋ ପାଖକୁ ତୋ ଛଡ଼ା ଆଉ କିଏ ଆସନ୍ତା । ପୁଣି ମୋ ଘର କରିବାକୁ ? ମୋଠୁଁ ଅଲୋଡ଼ା କ’ଣ କାହା ଜୀବନ ଆଉ ଅଛି ?”

 

ସୁନୀଲା ବୁଲାର ଓଠରେ ହାତ ଦେଲା ତାକୁ କଥା ନ କୁହାଇ ଦେବା ପାଇଁ । ତା’ ହାତଟାକୁ ନିଜ ଓଠରୁ କାଢ଼ି ପୁଣି ବୁଲା କହିଲା–

 

–“ତୁ ମୋର କେତେ ଜାଣିଚୁ ? ମୋ ଜୀବନ କଥା...ମୁଁ କିଏ. ମୋର ପରିଚୟ କ’ଣ, ଏସବୁ କ’ଣ କେହି ଜାଣିଛି ?”

 

ଏଥର ଗୋଟାଏ ଶିହରଣ ଖେଳିଗଲା ସୁନୀଲା ଦିହରେ । ଚମକି ପଡ଼ିଲାଭଳି ହୋଇ ସେ ବୁଲାର ଓଠକୁ ଦି’ ହାତରେ ବୁଜିଦେଇ କହିଉଠିଲା–

 

–“ଥାଉ..ଥାଉ, ଏସବୁ କ’ଣ କହୁଚ ? ତମ ପରିଚୟ ତ ମୋ ପାଖରେ, କେବଳ ତମେ-। ....ତମ ଛଡ଼ା ମୁଁ ଆଉ କାହାକୁ କି ଆଉ କିଛି ଜାଣିବା ଲୋଡ଼ା ନାହିଁ ।”

 

–“ଶୁଣ, ଜୀବନଟା ଆମର ନାଟକ ନୁହେଁ....ନାଟକରେ ସବୁ ନାୟକ, ନାୟିକା ଏମିତି କହନ୍ତି ।”

 

–“ଏସବୁ କ’ଣ ନାଟକ ?”

 

–“ନାଁ....ରାଗ ନାହିଁ...ଇଏ ନାଟକ ନୁହଁ....ନାଟକସବୁ ଏଇଥିରୁ ହୁଏ ।”

 

–“ତମେ ଏମିତି ସବୁ କଥା କୁହ ନାହିଁ....ମୋତେ ଭାରି ଡର ଲାଗୁଛି.....”

 

–“କାହିଁକି ?”

 

–“ନାଟକର ଦୃଶ୍ୟ ଭଳି ଏସବୁ ଯଦି ସରିଯାଏ ? ନାଟକ ସରିଗଲେ ଆମେ ସବୁ ଯେମିତି ଅଲୋଡ଼ା ହୋଇଯାଉ, ସେମିତି ଯଦି...”

 

–“ସମସ୍ତେ ତୋ ସାଙ୍ଗେ ଖେଳି ଖେଳି ତୋ ମୁଣ୍ଡ ଖରାପ କରିଦେଇଛନ୍ତି.... ତୁ କାହାରିକୁ... ଏପରି କି ମୋତେ ବି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୋହୁ ।”

 

ସୁନୀଲାକୁ ନିଜର ପ୍ରଶସ୍ତ ବକ୍ଷ ଉପରେ ଆହୁରି ନିବିଡ଼ ଭାବରେ ଚାପି ଧରି କହୁଥିଲା ବୁଲା–“ତୋ ମନର ଭୂତ ତୋତେ ଡରାଉଛି । ତୁ ନିଜେ ଅବିଶ୍ୱାସ ନିଆଁରେ ଜଳୁଛୁ... ଆଉ ଭାବୁଛୁ, ମୁଁ ବି ମିଛ...”

 

–“ସେମିତି କୁହନା... ତୁମେ କ’ଣ ମୋ କଥା, ମୋ ଜୀବନ କଥା ଜାଣ ନାହିଁ ? ...ତମକୁ ସବୁଠୁଁ ବେଶୀ ବିଶ୍ୱାସ କରେ ବୋଲି ତ ଆଜି ସବୁଠାରୁ ଗୋଇଠା ଖାଇ, ବିଶ୍ୱାସ ରଖି ତୁମ ପାଖକୁ ଧାଇଁ ଆସିଛି ।”

 

–“ମୁଁ ଜାଣିଥିଲି, ତୁ ଆସିବୁ...ସେଇଥିପାଇଁ ମୁଁ ଅପେକ୍ଷା କରିଥିଲି । ଦିନେ ନା ଦିନେ ତୁ ଆସିବୁ ବୋଲି...ମୁଁ କେବେ କହି ନାହିଁ...ପ୍ରେମର ପ୍ରତିଯୋଗିତାରେ କେବେ ଭାଗ ନେଇ ନାହିଁ...ଭାବୁଥିଲି, ଯାଚି ହୋଇଗଲେ ତୁ କାଳେ ଏଡ଼ାଇଦବୁ, ଅବିଶ୍ୱାସ କରି...ଆଜି, ସେଇଥିପାଇଁ ସବାଶେଷରେ ସମସ୍ତେ ଦୂରେଇ ହୋଇଗଲା ପରେ ପହିଲି ଥର ପାଇଁ ମୁଁ ତୋତେ କହୁଚି...ମୁଁ ତୋତେ ଭଲପାଏ...ବହୁ ଦିନରୁ...ଯେବେ ତୋତେ ପ୍ରଥମେ ଦେଖିଥିଲି ସେଇ ଦିନଠାରୁ ।”

 

ଅନୂଢ଼ା ବଧୂଟିଏ ଭଳି ସୁନୀଲା ଲାଜରେ ମୁହଁ ଲୁଚାଇଲା ବୁଲାର ଛାତିରେ । ତା’ପରେ କ୍ଷୀଣ ସ୍ୱରରେ କହିଲା–

 

–“ମୁଁ ବି ତ ତୁମକୁ ଭଲପାଏ... ନ ହେଲେ ତୁମେ କାହିଁକି ମୋର ମନେ ପଡ଼ିଲ ?”

 

ସେମିତି ମୁହଁ ଘଷି ଘଷି କହିଲା ପୁଣି–“ଆଉ କୋଉଠିକି ନ ଯାଇ... ଆଉ କାହା କଥା ମନେ ନ ପଡ଼ି ମୋର ତ ତମରି କଥା କେବଳ ମନେପଡ଼ିଲା । ସିଧା ଚାଲିଆସିଲି–ମୋତେ ଡର ଭୟ କିଛି ଲାଗିଲା ନାହିଁ । ସତେ ଯେମିତି ବହୁତ ଆଗରୁ ମୁଁ ଆସିଥିଲି, କି ନିଜ ଘରକୁ ମୁଁ ଆସୁଛି...”

 

–“ହଁ, ମୁଁ ସେଇଆ ଜାଣିଥିଲି । ଆଉ ଜାଣିଥିଲି ଯେ, ଯେଉଁଦିନ ତୋ ଆଗରୁ ସମସ୍ତେ ଅପସରିଯିବେ–ଆଉ କେହି ବୋଲି କେହି ରହିବେ ନାହିଁ...ସେଇଦିନ ମୁ ସବା ଆଗେ ମନେପଡ଼ିବି-। ସେଇଥିପାଇଁ ଏଇ ଦିନଟିକୁ ମୁଁ ଅପେକ୍ଷା କରି ଏତେ ଦିନ ରହିଥିଲି ।”

 

–“ତମେ ମୋତେ ଏତେ ଭଲପାଅ ? ଆଗରୁ କହିଲ ନାହିଁ କାହିଁକି ? ତା’ହେଲେ ତ ମୋ ଜୀବନ ଏମିତି ଖିନଭିନ୍ ହୋଇଯାଇ ନ ଥାନ୍ତା…”

 

–“ସେତେବେଳେ ତୁ ମୋତେ ଅବିଶ୍ୱାସ କରିଥାଆନ୍ତୁ–କହିଥାଆନ୍ତୁ ଯେ ମୁଁ ବି ସମସ୍ତଙ୍କ ଭଳି ତୋର ଦେହ ଚାହେଁ...ତୋର ରୋଜଗାର ଚାହେଁ...ଆଉ ତୁ କେବେହେଲେ ମୋର ହୋଇ ନ ଥାନ୍ତୁ...”

 

ରାତି ସେତେବେଳକୁ ସରିଆସିଲାଣି ବୋଧହୁଏ । ଶେଷ ରାତ୍ରିର କାଲୁହା ପବନ ଦଲକାଏ ଦଲକାଏ ପଶି ଆସୁଛି ଘର ଭିତରକୁ । ସକାଳ ହେବାପାଇଁ ଆଉ ଘଡ଼ିଏ କି ଦି’ଘଡ଼ି ବେଳ ଅଛି ବାକି । ଜହ୍ନଟା ବହୁତ ବେଳୁ ଲୁଚିଗଲାଣି ବିଶାଳ ଆକାଶର କୋଉ କୋଣରେ । ଲଣ୍ଠନଟା ଲିଭିଗଲାଣି । ରାସ୍ତା ବତୀଖୁଣ୍ଟରୁ ତୀର୍ଯ୍ୟକ ଭାବରେ ଆଲୁଅର ଗୋଟାଏ ଖିଅ ଆସି ପଡ଼ୁଛି ସୁନୀଲାର ଗଣ୍ଡଦେଶରେ । ସେତିକି ଆଲୁଅରେ ବୁଲାର ମୁହଁର କିଛି ଅଂଶ ଝାପ୍‍ସା ଭାବରେ ଦେଖାଯାଉଛି ।

 

–“ରାତି ସରିଆସିଲାଣି ସୁନୀଲା !” ବୁଲା କହିଲା । ତା’କଥାରେ କାନ ନ ଦେଇ ସୁନୀଲା ନିଜ ଭାବନାରେ ମଗ୍ନ ରହି ପଚାରିଲା––

 

––“ତମେ କ’ଣ ମୋତେ ଗ୍ରହଣ କରିପାରିବ ?’’

–“ବେଶୀ ବଢ଼ି ବଢ଼ି କଥା କହୁଚୁ ଲୋ ? ତୋତେ ଗ୍ରହଣ କରିପାରିବି କ’ଣ ? ... ଏବେ କ’ଣ କରୁଚି ?” କଥାର ଗୁରୁତ୍ୱକୁ ହାଲୁକା କରିଦେଇ ଦୁଇ ହାତରେ ପୁଣି ଥରେ ସୁନୀଲାର ମୁହଁକୁ ଟେକି ଧରି ପଚାରିଲା ବୁଲା ।

–“ମୋ ଛାତି ଉପରେ ଶୋଇ... ମୋ ଘରେ ରହି ପଚାରୁଚୁ ଏକଥା ? ଏସବୁ ତା’ହେଲେ କ’ଣ ହଉଛି ? ତୁ ମୋତେ ଅବିଶ୍ୱାସ କରୁଚୁ ନା ?”

–“ନା, ତମେ ମୋ କଥା ବୁଝିବ ନାହିଁ... ତମକୁ ଅବିଶ୍ୱାସ କରୁ ନାହିଁ–ମୋ ଜୀବନର କଳଙ୍କ, ମୋର ଗ୍ଳାନିର ସବୁ ଟିକିନିଖି କଥା, ସବୁ ତ ତମେ ଜାଣିଚ ? ମୁଁ ତ ଅନୂଢ଼ା କୁମାରୀ ନୁହଁ...ତମେ...ତମେ କ’ଣ ଜାଣନା ବୁଲାଭାଇ ଯେ, ମୁଁ ବହୁ ଲୋକଙ୍କ ଛଳନାର ଶିକାର ହୋଇ ବହୁ ଶଯ୍ୟାର ସଙ୍ଗୀନୀ ହୋଇଛି...ସେସବୁ ମନେପଡ଼ିଲେ ମୋ ଦେହ ବି ଶୀତେଇ ଉଠୁଚି... ସେସବୁ ଜାଣି ସୁଦ୍ଧା ତମେ କ’ଣ ମୋତେ ଗ୍ରହଣ କରିପାରିବ ?”

କୋହ ଉଠାଇ କାନ୍ଦି କାନ୍ଦି କହୁଥିଲା ସୁନୀଲା, ଆଉ ତା’ର କଥା ଶେଷ ହେବା ମାତ୍ରେ ବୁଲା ହୋ ହୋ ହୋଇ ହସିଉଠିଲା । ସୁନୀଲାର ଗୋଟାଏ ହାତ ଓଟାରି ଆଣି ନିଜର ଅଧାଅଧି ଚନ୍ଦା ହୋଇ ଆସିଥିବା କପାଳରେ ବୁଲାଇଦେଇ କହିଲା ସେମିତି ହସି ହସି–

–“ମୁଁ କ’ଣ କିଶୋରଟିଏ ? ନା ତରୁଣଟିଏ ? ଦେଖୁନୁ, ବାଳ ସବୁ ଉପୁଡ଼ିଗଲାଣି ? ଆଉ, କହିଲି ପରା, ତୁ ମୋ କଥା ଜାଣିନୁ ବୋଲି ଏମିତି କହୁଚୁ ଗୁଡ଼ାଏ କଳଙ୍କ... ଗ୍ଳାନି... ଏସବୁ ବଡ଼ ବଡ଼ କଥା–

 

“ତୁ ମୋତେ ଗ୍ରହଣ କରିପାରିବୁ ସୁନୀଲା ? ... ତୁ ଯଦି ଜାଣୁ ଯେ ତୋ ବୁଲାଭାଇ ଜାରଜ ସନ୍ତାନ–କେଉଁ ତରୁଣ–ତରୁଣୀଙ୍କର ପାପପ୍ରଣୟ, ଅବୈଧ ଦେହଲିପ୍‍ସାର ଫଳ ବୋଲି ? ତୁ ଜାଣିଚୁ ମୋର ବାପ ମା’ର ଠିକଣା ନାହିଁ ।”

 

–“ବୁଲାଭାଇ !”

 

–“ଚମକି ପଡ଼ନା, ଶୁଣ୍–ତୁ ନିଜେ ଭାବୁଚୁ ତୋ ଜୀବନ ଅଲୋଡ଼ା... ତୋତେ ଆଉ କେହି ପଚାରୁ ନାହାନ୍ତି...କାନ୍ଦୁଚୁ ରାତିରାତି ଧରି... ଆଉ ମୁଁ କାନ୍ଦୁ ନାହିଁ... କେବଳ ହସି ହସି ଦୁନିଆଟାକୁ ମୋ ହସରେ ଉଡ଼ାଇଦେବି ବୋଲି ବସିଛି–କେବଳ ଏଇଥିପାଇଁ ମୁଁ ହସେ, ଲୋ ସୁନୀଲା ! କାନ୍ଦିଲେ କେହି ଶୁଣିବେ ନାହିଁ । ସମସ୍ତେ କାନ୍ଦୁଛନ୍ତି । କିଏ କୋଉଥିପାଇଁ କେଜାଣି ?”

 

ନିଶ୍ୱାସ ନେଇ ପୁଣି ବୁଲା କହିଲା–

 

–“ବାପା ମୋର ମୋ ମା’କୁ ଭଲପାଇ ତା’ ଗର୍ଭରେ ମୋତେ ଦେଇ ତାକୁ ଛାଡ଼ି ଦେଇଥିଲେ–ସେ ଦାସୀ କି ବେଶ୍ୟା ମୁଁ ଜାଣେନା... ତଥାପି... ତଥାପି ମୁଁ ବଞ୍ଚିଛି । ମୋର କେହି ନାହିଁ... ସେଇଥିପାଇଁ ସମସ୍ତେ ମୋର...”

 

ବୁଲାର କୋହ ଉଠି ଆସୁଥିଲା । ଉଦ୍‍ଗତ କୋହ ଆଉ ଲୁହକୁ ରୋଧ କରି ଭାରାକ୍ରାନ୍ତ କଣ୍ଠରେ ସେ କହିଲା–

 

–“ଛାଡ଼ଃ... ଏଥର ତୋ ପାଳି... ଏସବୁ ଜାଣି ସୁଦ୍ଧା ତୁ ମୋତେ ଗ୍ରହଣ କରିପାରିବୁ ? ମୋତେ ଘୃଣା କରିବୁ ନାହିଁ ତ ?”

 

–“ଛିଃ, ଏସବୁ କ’ଣ କହୁଚ ତମେ ?”

 

ସୁନୀଲାର କଣ୍ଠରେ ଯୁଗଯୁଗାନ୍ତରର ପ୍ରଣୟିନୀ, ନାରୀ, ମା’ର ସ୍ୱର । ବୁଲାର ଆଖିଲୁହ ପୋଛିଦେଇ ସେ କହିଲା, “ଏଇଥିପାଇଁ ତମେ ଆଜି ରାତିରେ କାନ୍ଦୁଚ ?”

 

–“ନାଇଁ ନାଇଁ... ତୁ ମୋତେ କହ ସୁନୀଲା... ଥରକ ପାଇଁ ମୋତେ ତୁ କହ ଯେ, ତୁ ମୋତେ ଭଲପାଉ... ଆଉ ତୁ ମୋତେ ଗ୍ରହଣ କଲୁ ।”

 

ସୁନୀଲାକୁ ନିଜ ଛାତିରେ ଚାପି ଧରି ଅବୋଧ ଶିଶୁ ଭଳି ଅଝଟ ସ୍ୱରରେ ତାକୁ ଦୋହଲାଇ ଦୋହଲାଇ ପଚାରୁଥିଲା ବୁଲା । ପାଗଳ ଭଳି, ଉନ୍ମତ୍ତ ଭଳି ଜାକି ଧରିଥିଲା ତାକୁ ।

 

ବୁଲାର ଓଠ ଉପରେ ନିଜର ଗାଲ ଥାପିଦେଇ ସୁନୀଲା ଥରଥର କଣ୍ଠରେ ଅତି ଧୀର ସ୍ୱରରେ କହିଲା–

 

–“ତମ ଛଡ଼ା ଆଉ କାହାକୁ ମୁଁ ଭଲ ପାଏ ନାହିଁ... ଆଗରୁ ଜାଣିଥିଲେ ଆମେ କେତେ ସୁଖୀ ହୋଇଥାଆନ୍ତେ !”

 

“ସୁନୀଲା ! ତୁ ମୋତେ ଭଲ ପାଉ... ଆଉ... ଆଉ ଥରେ କହ... କେହି... କେହି ଜଣେ ହେଲେ ଏ ଦୁନିଆରେ ମୋତେ ଏଇ ପଦକ କହି ନାହିଁ ଲୋ... ମୋ ମାଆ ବି ନୁହଁ...”

“ମୁଁ...ମୁଁ ତୁମକୁ ଭଲପାଏ ।”

ଆନନ୍ଦରେ ଉନ୍ମତ୍ତ, ଅଧୀର ହୋଇ ସୁନୀଲାର ଗାଲ, ଓଠ, କପାଳ, ଅର୍ଦ୍ଧଉନ୍ମୁକ୍ତ, ବକ୍ଷରେ ଅଜସ୍ର, ଅସଂଖ୍ୟ ଚୁମ୍ବନ ଦେଇଗଲା ବୁଲା ଉନ୍ମାଦ ଭଳି ।

ଯୁଗ ଯୁଗାନ୍ତରର ତୃଷ୍ଣା ତା’ର ମେଣ୍ଟିଗଲା ଭଳି ଚୁମ୍ବନରେ ସେ ଅତିଷ୍ଠ କରିପକାଇଲା ସୁନୀଲାକୁ ।

“ହେଃ... ଏ କ’ଣ ହଉଛି... ଛାଡ଼, ଛାଡ଼ ମୋତେ–ଦୁଷ୍ଟ–ଛଳନାରେ ନବୀନା ପ୍ରଣୟିନୀଟିଏ ଭଳି କହୁଥିଲା ସୁନୀଲା । କିନ୍ତୁ ତାର ଦେହ, ମନ, ପ୍ରାଣ ସତେ କି ଅଧୀର ଆଗ୍ରହରେ ଅପେକ୍ଷା କରିଥିଲା ତୃଷିତ ବୁଲାର ଓଠକୁ ।

ଆବେଗରେ ବୁଲା ତାକୁ ତଳକୁ ଓଲଟାଇ ଦେଇ ତା’ର ମୁହଁକୁ ଚାହିଁରହିଲା ହସହସ ମୁହଁରେ । ଦୁଷ୍ଟାମି ଲାଖିରହିଛି ହସରେ ତା’ର ।

“ଉହୁଁ...” କହିଲା ସୁନୀଲା... “ଦେଖିଲ ଝରକା ବାହାରକୁ, ରାତି ସରିଗଲାଣି ।”

ସୁନୀଲା ଛାତିରେ ମୁଣ୍ଡ ରଖି ବୁଲା ଚାହିଁଲା ଝରକା ବାଟେ । ଆକାଶଟା ପାଉଁଶିଆ ହୋଇ ଆସିଲାଣି । ତାରାଗୁଡ଼ାକ ହଜିଗଲେଣି ଆକାଶ–ବୁକୁରୁ । ବତୀଟା ନିଷ୍ପ୍ରଭ ହୋଇଗଲାଣି । ମୁହଁ ଅନ୍ଧାର ଅଛି । ଭୋର ହେବାକୁ ଅଳ୍ପ ସମୟ ବାକି । ଆସନ୍ନ ସକାଳର ଫିକା ପାଣ୍ଡୁର ଆଲୋକରେ ଘରଟା ଅସ୍ପଷ୍ଟ ଭାବରେ ଦେଖାଗଲାଣି ଏଥର ।

ରାତି ଆଉ ନାହିଁ । ଆଗାମୀ ସକାଳକୁ ପଥ ଛାଡ଼ିଦେଇ ଧୀରେ ଧୀରେ ଅପସରି ଯାଉଛି ।

ସୁନୀଲାର ମୁହଁରେ ଦୁଷ୍ଟାମିର ହସ । “ଉଠ ଏଥର...” ବୁଲା ଉଠିପଡ଼ିଲା ।

ଆକାଶଟାକୁ ଚାହିଁ ଛିଡ଼ାହେଲା । ଶେଯରୁ ଉଠି ସୁନୀଲା ବୁଲା ନିକଟକୁ ଗଲା । ବେକରେ ଲୁଗାକାନି ଗୁଡ଼ାଇ ଦେଇ ହଠାତ୍ ବୁଲାର ପାଦ ଛୁଇଁ ପ୍ରଣାମ କଲା । ବୁଲା ତାକୁ ତଳୁ ଉଠାଇନେଲା । ତା’କାନ୍ଧରେ ହାତ ପକାଇ ସେଇଠି ସେମିତି ଛିଡ଼ାହୋଇ ରହିଲା ।

ସକାଳ ଆସୁଛି । ନୂଆ ସୂର୍ଯ୍ୟ ଉଦୟ ହେବ ।

ବୁଲା ଓ ସୁନୀଲା ଦୁହେଁ ଝରକା ବାଟେ ଚାହିଁରହିଲେ ଦୂର ଖୋଲା ଆକାଶକୁ ।

ନାଃ, ଆଖିରେ ତାଙ୍କର ତନ୍ଦ୍ରା ନାହିଁ ।

ଭୋରର ଆଲୋକ କ୍ରମଶଃ ଧୀରେ ଧୀରେ ସ୍ପଷ୍ଟ ହୋଇଉଠିଲା । ବୁଲା, ସୁନୀଲାକୁ ଛାତି ଉପରକୁ ଆଉଜାଇ ଆଣିଲା ।

ଦଲକାଏ ଦଲକାଏ ପାହାନ୍ତି ପବନ ପଶି ଆସୁଥିଲା ଘର ଭିତରକୁ ।

 

ଧୀରେ ଧୀରେ ନିଜର ଅବସନ୍ନ ଆଖିପତା ମେଲିଲା ଅନୀଲା । ସାରା ଦେହରେ ଅସୀମ ବ୍ୟଥା–ବେଦନା । ବିଛଣା ଉପରୁ ଦେହ ଉଠାଇ ହେଉ ନାହିଁ ।

 

ପ୍ରସୂତି ଭବନର ଗୋଟିଏ ବେଡରେ ଶୋଇଥିଲା ସେ । ପାଖରେ ତା’ର ଗୋଟିଏ ଛୋଟ କଅଁଳ ଛନଛନିଆ ଶିଶୁ ।

 

ବହୁ କଷ୍ଟରେ ମୁଣ୍ଡ ବୁଲାଇ ନିଜ ଶଯ୍ୟାର ଦୁଇ କଡ଼କୁ ଚାହିଁଲା ସେ । ଚାରିପଟଯାକ ଆହୁରି ଅନେକ ବେଡରେ ତା’ରି ଭଳି ଆଉ କେତୋଟି ଯନ୍ତ୍ରଣାକାତର ପ୍ରସୂତି–ନଚେତ୍ ଆସନ୍ନପ୍ରସବା ନାରୀ ।

 

ଇସ୍... କି ଲଜ୍ଜା !

 

ନିଜ ଶଯ୍ୟାପାର୍ଶ୍ୱରେ ହାତଗୋଡ଼ ଜାକିଜୁକି ନିଶ୍ଚଳ ଭାବରେ ଶୋଇଥିବା ମାଂସପିଣ୍ଡୁଳାଟି ଆଡ଼କୁ ପୁଣିଥରେ ଚାହିଁଦେଇ ଅପରିସୀମ ଲଜ୍ଜାରେ, ଗ୍ଳାନିରେ ଭରିଗଲା ଅନୀଲାର ମନ ।

 

ସେ ଆତ୍ମହତ୍ୟା କରିପାରିଲା ନାହିଁ... ? କାହା ଆଗରେ... ? କିମିତି...କିମିତି ସେ ଏ ମୁହଁ ଦେଖାଇବ ?

 

ସେ ଯାହା କରିଛି, ତା’ ସାହସ ନୁହେଁ–ଦୁଃସାହସ ।

 

ହସି ହସି ନିଜର କୁମାରୀତ୍ୱକୁ ନିର୍ବିଚାରରେ ବଳି ଦେଇ ସେ ଆହ୍ୱାନ କରିଆଣିଛି ମାତୃତ୍ୱ ।

 

କିନ୍ତୁ... କିନ୍ତୁ ଏ ସନ୍ତାନର ପିତୃପରିଚୟ କ’ଣ ହେବ ? କିଏ ତାକୁ ସ୍ୱୀକାର କରିବ ଏ ସଂସାରରେ ?

 

ପ୍ରଥମେ ପ୍ରଥମେ ସେ ଏ ମାତୃତ୍ୱକୁ ଅସ୍ୱୀକାର କରିବା ପାଇଁ, ଏ ସନ୍ତାନକୁ ଭୂମିଷ୍ଠ ହେବା ପୂର୍ବରୁ ନିଃଶେଷ କରିଦେବା ପାଇଁ ବହୁ ଯତ୍ନ କରିଛି । ବହୁ ବ୍ୟର୍ଥ ପ୍ରଚେଷ୍ଟା କରିଛି । ତା’ର ଜୀବନକୁ ଅତଳାନ୍ତ ଅନ୍ଧକାରର ଗହ୍ୱରରେ, ତଳିତଳାନ୍ତ କରିଦେବା ପାଇଁ ବୋଧହୁଏ ତା’ର ଏ ରକ୍ତକଣିକାର ସୃଷ୍ଟି ! ନାଃ, ତା’ର ସମସ୍ତ ପ୍ରଚେଷ୍ଟା, ତା’ର ସମସ୍ତ ପ୍ରୟାସ, ଯତ୍ନ ବ୍ୟର୍ଥ ହୋଇଛି ।

 

ତା’ପରେ ନ ଚାହିଁଲେ ବି ସେ ବାଧ୍ୟ ହୋଇ ସ୍ୱୀକାର କରିନେଇଥିଲା । ଦମ୍ଭ ଧରି ବଞ୍ଚିବାକୁ ଚାହିଁଥିଲା ।

 

ଜୀବନ... ଆଲୋକ ଭଳି ଆଗକୁ ଆଗକୁ ବାଟ କଢ଼ାଇନିଏ । ସେଇ ଜୀବନ ପାଇଁ ବଞ୍ଚିରହିବାର ଦୁର୍ବାର ଆକାଙ୍‍କ୍ଷାକୁ ଏଡ଼ାଇଦେଇ ପାରି ନାହିଁ ବୋଲି ଏ ଦୁର୍ଯୋଗ ଏ ଆତ୍ମାଧିକାରକୁ ଜାଣିଶୁଣି ଦିନ ଗଣି ଗଣି ସ୍ୱୀକାର କରିନେଇଛି ।

 

କିନ୍ତୁ... ଏବେ... ? ଏବେ ତାର ଗତି କ’ଣ... ? କ’ଣ କରିବ ସେ ? ଚାରିଆଡ଼ ଅନ୍ଧାର ଦେଖାଗଲା ତାକୁ ନିଜର ଭବିଷ୍ୟତ ନିଜର ଜୀବନ କଥା ଚିନ୍ତା କରି !

 

ସେ ବଞ୍ଚିବାପାଇଁ ଜୀବନ ପ୍ରତି ଦୁର୍ବାର ମୋହ ନେଇ ଏ ଦୁଃସାହସ କରିଥିଲା । କିନ୍ତୁ ସେହି ଜୀବନକୁ ନେଇ ସେ ବଞ୍ଚିରହି ପାରିବ ତ ?

 

ନା କୁମାରୀ...ନା ବିବାହିତା ? କ’ଣ ବୋଲି ତାକୁ ସ୍ୱୀକାର କରିବ ଏ ଦୁନିଆ ?

 

ସେ ମାଆ । ବିବାହ କରିବାର କୌଣସି ପ୍ରମାଣ ନ ଥାଇ ସେ ମାତୃତ୍ୱକୁ ସ୍ୱୀକାର କରିନେଇଛି ।

 

ଏଠିକି ବା ତାକୁ ଆଣିଲା କିଏ ? କିଏ ପଚାରିଲେ କ’ଣ କହିବ ? କାହାକୁ କ’ଣ ଉତ୍ତର ଦେବ ଅନୀଲା ?

 

ଓଃ...ଭୟଙ୍କର ଏ ଚିନ୍ତାରେ ତା’ର ମୁଣ୍ଡଟା ଟଣ୍‍ଟଣ୍‍ ହୋଇଉଠିଲା । ଶିରା–ପ୍ରଶିରାଗୁଡ଼ାକ ଯେମିତି ଜଟିଳ ହୋଇ ଟାଣି ହୋଇ ଯାଉଛନ୍ତି !

 

ତାର ମନେପଡ଼ିଲା ଗତ ରାତିର କଥା । ସେତିକି କେବଳ ତା’ର ମନେ ଅଛି । ମଞ୍ଚ ଉପରେ ଅଭିନୟ କରୁ କରୁ ହଠାତ୍ ସେ ପେଟରେ ଅସୀମ ଯନ୍ତ୍ରଣା ଅନୁଭବ କଲା । ଯନ୍ତ୍ରଣା କ୍ରମଶଃ ବଢ଼ିବାକୁ ଲାଗିଲା । ତାକୁ ଚାରିଆଡ଼ ଧୀରେ ଧୀରେ ଅନ୍ଧାର ଦିଶିବାକୁ ଲାଗିଲା । ଅଭିନୟର ସମସ୍ତ ମଧୁରତା ହରାଇ କ’ଣ ଯେ ସେ କହିବାକୁ ଲାଗିଲା... ତା’ର ସେସବୁ ମନେ ପଡ଼ୁ ନାହିଁ ! ପରେ ପରେ ତା’ର ଥିଲା ଏକ କଠିନ ଦୃଶ୍ୟ । ତାକୁ ନଦୀରେ ଝାସଦେବା ପାଇଁ ପଡ଼ିବ । ସେଥିପାଇଁ ମଞ୍ଚଉପରେ ସୃଷ୍ଟ କୃତ୍ରିମ ନଦୀବନ୍ଧ ଉପରୁ ନଦୀ ଭିତରକୁ ସଜୋରେ ଲମ୍ଫ ଦେବାର କଥା ଥିଲା ।

 

ସେ ନଦୀବନ୍ଧରେ ଚଢ଼ିଲା ଆବହ ସଙ୍ଗୀତର ତାଳେ ତାଳେ । ବେହେଲାର କରୁଣ ମୂର୍ଚ୍ଛନା ସେତେବେଳେ ବି ମନରେ ତାର ଆଣି ଦେଉଥିଲା ଏକ ସକରୁଣ ପରିବେଶ । ଆବେଶ । କିନ୍ତୁ ଯନ୍ତ୍ରଣାଟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି...କ୍ରମଶଃ ଅସହ୍ୟ ବୋଧହେଉଛି ଏ ଯନ୍ତ୍ରଣା । ସେଥିପାଇଁ ତ୍ୱରାନ୍ୱିତ କଲା ନିଜର ଅଭିନୟର ଆକ୍‍ସନ୍ ।

 

ହଁ, ତାର ସ୍ପଷ୍ଟ ମନେ ଅଛି ସେ ଡେଇଁପଡ଼ିଲା । ତା’ପରେ...ତା’ପରେ, ହଠାତ୍ ସବୁ ଅନ୍ଧାର ହୋଇଆସିଲା । ମଞ୍ଚଉପରର ସବୁଯାକ ଆଲୁଅ ଯେମିତି ଏକାବେଳକେ ଲିଭିଗଲା । ଯେତେବେଳ ଯାଏ ମନେଅଛି ତା’ର, ସେଇ ବେଦନାଟା ବଢ଼ି ବଢ଼ି ଯାଉଥିଲା ।

 

ତା’ପରେ ସବୁ ଅନ୍ଧାର… !

 

ତା’ପରେ... ? ତା’ପରେ ନିଜକୁ ଆବିଷ୍କାର କରୁଛି ସେ ଏଠି ! ଏ ପ୍ରସୂତି ଭବନର ମଧ୍ୟସ୍ଥଳରେ । ପଳାଇବାକୁ...ମୁହଁ ଲୁଚାଇବାକୁ କି ଅପସରିଯିବାକୁ ଦେହରେ ବଳ ନାହିଁ ଆଉ ! ପରେ ପରେ ବୋଧହୁଏ ତାକୁ ନେଇ ଆସିଛନ୍ତି ଏଠିକି !

 

ନା–ମଞ୍ଚାରେ କୌଣସି ଲଜ୍ଜା ନାହିଁ ତାକୁ । ସେଠି ସେ ବଞ୍ଚିପାରିବ ଆଉ ପାଞ୍ଚ ଜଣ ଅଭିନେତ୍ରୀଙ୍କ ପରି...

 

ମନେପଡ଼ିଲେ ତାର କୁନି କୁନି ମଞ୍ଚ ଚତ୍ୱରରେ ଘୁରିବୁଲୁଥିବା ଉପେକ୍ଷିତ ଗୁଡ଼ିଏ ଛୋଟ ଛୋଟ ଛୁଆଙ୍କ କଥା–ନିଷ୍ପାପ ସରଳ ଶିଶୁ କେତୋଟି ! ତାଙ୍କର ବା କ’ଣ ତ୍ରୁଟି ଥିଲା ଏ ସଂସାରକୁ ଆସିବାରେ ? କେହି ଜାଣିବେ ନାହିଁ ତାଙ୍କର ପିତୃପରିଚୟ–ବଂଶ ପରିଚୟ । କାହାର ସହୋଦର ଭାଇ ଗୋଟିଏ ଔରସରୁ ଆଉ ଗୋଟିଏ ସଂଜ୍ଞା ନେଇ ବଞ୍ଚୁଛି–ତା’ରି କନିଷ୍ଠର ଆଉ ଏକ ସଂଜ୍ଞା ! ବିଚିତ୍ର ଏ ଜୀବନ ! ନ ଦେଖିଲେ, ନ ଜାଣିଲେ ଅବିଶ୍ୱାସ୍ୟ !

 

ରଙ୍ଗମଞ୍ଚର ପାଦ ପ୍ରଦୀପକୁ ଚିରଦିନ ଆଲୋକିତ, ପ୍ରଜ୍ୱଳିତ କରି ରଖିବା ପାଇଁ ବୋଧହୁଏ ଏ ଅବହେଳିତ କେତୋଟିଙ୍କର ସୃଷ୍ଟି !

 

ଈଷତ୍ ଆଖି ମେଲାଇ କଣେଇ କଣେଇ ଚାହିଁଲା ଅନୀଲା ନିଜର ସନ୍ତାନ ଆଡ଼କୁ ।

 

ଇଏ ବି ସେମିତି ବଞ୍ଚିବ ଏ ଦୁନିଆରେ ! ପରିଚୟହୀନ–ଜାରଜ–ଅବହେଳିତ ଜୀବନ ନେଇ !

 

ଓଃ... ଇଏ କ’ଣ ସେ କଲା ?

 

ଆଖିବୁଜି ଦେଇଥିଲେ ବି ଭାବନାରେ ଭାରାକ୍ରାନ୍ତ ହୋଇ କପାଳ ତା’ର କୁଞ୍ଚିତ ହୋଇ ଉଠୁଥିଲା । କପାଳ ଉପରେ ଚିନ୍ତାର ଆତିଶଯ୍ୟ ଯୋଗୁଁ ବିନ୍ଦୁ ବିନ୍ଦୁ ଝାଳ ଦେଖା ଦେଉଥିଲା । ତଣ୍ଟି ତା’ର ଅଠା ଅଠା ହୋଇ ଆସୁଥିଲା ।

 

ନାଃ, ସେ ଏ କଳୁଷିତ, କଳଙ୍କମୟ ଦୁନିଆରେ ଏ ନିଷ୍ପାପ ପୁଷ୍ପଟିକୁ ରଖାଇ ଦେବ ନାହିଁ–ଏ କଳଙ୍କିତ ଇତିହାସରେ ତା’ର ନାମୋଲ୍ଲେଖ ରହିବ ନାହିଁ । ସେ ବଞ୍ଚି ରହିବ ନାହିଁ । କାରଣ ସେ ଅଧିକାର ଅନୀଲା ହରାଇଛି ବୋଧହୁଏ ।

ହଁ, ସେ ତାହା ହିଁ କରିବ, ଯାହା ଏତେଦିନଯାଏ କରିପାରି ନାହିଁ ବଞ୍ଚିବାର ଲୋଭରେ ।

ସେ ଆତ୍ମହତ୍ୟା କରିବ !

ନିଜ ମନ ଭିତରର ଅତଳାନ୍ତ ଅନ୍ଧକାର ଭିତରେ ଧୀରେ ଧୀରେ ଆଚ୍ଛନ୍ନ ହୋଇ ବୁଡ଼ି ଯାଉଥିଲା ସେ । ସବୁ ଅନ୍ଧକାର । କେହି କୁଆଡ଼େ ନାହାନ୍ତି । କିଛି ଦିଶୁ ନାହିଁ ତାକୁ ।

ବଡ଼ ଭୟଙ୍କର, ବଡ଼ କରୁଣ, ଆଉ ବଡ଼ ନିଦାରୁଣ ଏ କଳା ଅନ୍ଧାର । ସେଇଥିରେ ବୁଡ଼ି ବୁଡ଼ି ଯାଉଥିଲା ଅନୀଲା ।

ନିଦାରୁଣ, ଭୟଙ୍କର ଭାବନାର କଳା ଅନ୍ଧକାର ଭିତରେ ଧୀରେ ଧୀରେ ତଳକୁ ତଳକୁ ବୁଡ଼ି ଯାଉଥିଲା ଅନୀଲା ।

–ସେ ଭୁଲିଯାଉଥିଲା ତା’ର ପରିବେଶ–ଭୁଲିଯାଉଥିଲା ସବୁ କିଛି...

ତା’ର ଅଲକ୍ଷ୍ୟରେ କେତେବେଳେ ଦୁଇ ଧାର ଲୁହ ଆଖିକୋଣରୁ ବହିଆସିଛି । କେତେବେଳେ ସେ କାନ୍ଦିବାକୁ ଆରମ୍ଭ କରିଛି ସେଇ ପ୍ରସୂତିଭବନର ବିଛଣା ଉପରେ ଶୋଇ ଶୋଇ, ପୁଣି କଇଁ କଇଁ ହୋଇ କାନ୍ଦିଛି, ତା’ର ଖିଆଲ ନାହିଁ ।

କାହାର କୋମଳ ହାତର ସ୍ପର୍ଶରେ ହୋସ ଆସିଲା ଅନୀଲାର । କିଏ ଜଣେ ତାର କପାଳରେ କଅଁଳ ହାତ ବୁଲାଉଛି । ଲୁହବୋଳା ଆଖି ମେଲି ଚାହିଁଲା ସେ । ନିଜର ହାତ ପାପୁଲି ପଛପଟେ ଲୁହ ପୋଛି ଦେବାକୁ ଗଲାବେଳକୁ ସେ ହାତଟା ତାର ଆଖି ଲୁହ ପୋଛିଦେଲା ।

 

ଏଥର ଆଖି ଖୋଲି ଚାହିଁଲା ଅନୀଲା । ଶୁଭ୍ର ପୋଷାକ ପିନ୍ଧି ସିଷ୍ଟର ଛିଡ଼ା ହୋଇଛନ୍ତି । ହସହସ ମୁହଁରେ ଅନୀଲାକୁ ଚାହିଁ ସେ କହିଲେ, “ଛିଃ କାନ୍ଦ ନାହିଁ–କଷ୍ଟ ତ ଚାଲିଗଲାଣି, ଏଥର ଖୁସି ହେବା ବେଳ... ଆଉ କାନ୍ଦୁଛ କାହିଁକି ?’’

 

ଅନୀଲା ବୋକାଙ୍କ ଭଳି କେବଳ ଅନାଇ ରହିଲା ତାଙ୍କୁ, ଉଦ୍‍ଗତ ଲୁହଧାରକୁ କୌଣସିମତେ ରୋଧ କରି ।

 

ମନେ ମନେ ଭାବୁଥିଲା, ଇଏ କୁଆଡ଼ୁ ଜାଣିବେ ତା’ର ମନ କଥା ? କାହିଁକି ସେ କାନ୍ଦୁଛି ?

 

ମାତୃତ୍ୱ... ଯାହା ନାରୀର ପରମ ଆଉ ଚରମ କାମ୍ୟ...ଯାହା ନାରୀଜୀବନର ସଫଳତାର ପ୍ରତୀକ...ସମସ୍ତ ସାର୍ଥକତା, ପରିପୂର୍ଣ୍ଣତାର ଗୌରବରେ ଉଦ୍ଭାସିତ–ମହିମାନ୍ୱିତ...ସେଇ ମାତୃତ୍ୱ ପୁଣି ନାରୀ ଜୀବନରେ ଏପରି ଚରମ ଗ୍ଳାନି, ବିପର୍ଯ୍ୟୟ ଆଣି ଦେଇପାରେ ? ...ମାତୃତ୍ୱ ପୁଣି ନାରୀ ଜୀବନରେ ଏପରି ଭୟଙ୍କର, ନିଦାରୁଣ ଅଭିଶାପର ରୂପ ନେଇ ଆସିପାରେ ?

 

ସିଷ୍ଟର୍ ଜଣକ ସେମିତି ତାର ଶଯ୍ୟାପାର୍ଶ୍ୱରେ ଛିଡ଼ା ହୋଇ ରହିଥିଲେ ତାର କପାଳରେ ହାତ ରଖି ।

 

ସେ କହିଲେ–“ହଁ, ତମର ଭଉଣୀ... ଭିଣୋଇ ଆସିଛନ୍ତି ତମକୁ ଦେଖିବାକୁ–ଏଠିକି ପଠାଇଦେବି ?”

 

ଆହୁରି ବିସ୍ମୟକର ଏ ସମ୍ବାଦ ! ଅପା କ’ଣ ବିବାହ କରିପାରେ ? ଅପା ବିବାହ କରିଛି-? କେବେ... ? କାହାକୁ... ? ଆସିଛି ପୁଣି ତାକୁ ଦେଖା କରିବାକୁ... ?

 

ସେଇ ମୁହୂର୍ତ୍ତକ ପାଇଁ ନିଜ ଜୀବନର ସବୁ ଦୁର୍ଘଟଣା ବିସ୍ମୃତ ହେଲା ଅନୀଲା ।

 

ତା’ର ବିସ୍ମୟକୁ ଆହୁରି ଦ୍ୱିଗୁଣିତ କରି ସିଷ୍ଟର୍ ଜଣକ କହିଲେ, “ସେଇ ଭିଣୋଇ ତ ତମକୁ ଗତ ରାତିରେ ସଂଜ୍ଞାହୀନା ଅବସ୍ଥାରେ ଏଠିକି ଆଣିଥିଲେ । ଇସ୍. ସିଏ ଯେଉଁ ଅବସ୍ଥା...’

 

ସିଏ ପୁଣି ଏଠିକି ଆଣିଥିଲେ ତାକୁ ? ଆଶ୍ଚର୍ଯ୍ୟ ! ଅନୀଲା କିଛି ଜାଣେନି–ତାଙ୍କୁ ଜାଣେନା ପର୍ଯ୍ୟନ୍ତ !

 

ରଙ୍ଗମଞ୍ଚର କେହି ବନ୍ଧୁ ବାନ୍ଧବୀ ଆସିଥାଇପାରନ୍ତି ହୁଏତ–ଏମିତି ଗୋଟାଏ ପରିଚୟ ଦେଇ ଦେଇଛନ୍ତି ! ଅପା କାହିଁକି ଆସିବ... ?

 

ଅନୀଲାର ବୋକା ବୋକା ମୁହଁକୁ ଦେଖି କ’ଣ ସେ ସିଷ୍ଟରଟି ଭାବିଲା କେଜାଣି, କହିଲା–“ଡାକି ଦେଉଛି...”

 

କିଛି ସ୍ଥିର କରିବା ପୂର୍ବରୁ ଅନୀଲା ସମ୍ମତି ଜଣାଇ ମୁଣ୍ଡ ଟୁଙ୍ଗାରି ଦେଲା–ତା’ର ବାକସ୍ଫୁର୍ତ୍ତି ହେଲା ନାହିଁ ।

 

ପ୍ରସୂତି ଭବନର ପ୍ରଧାନ ପ୍ରବେଶଦ୍ୱାରର ଯେଉଁ ଅଂଶତକ ଦିଶୁଥିଲା, ତାକୁଇ ଚାହିଁରହିବା ପାଇଁ ଅନୀଲା ବେକ ମୋଡ଼ି କଡ଼େଇ ହୋଇ ରହିଲା ।

 

ମୁହଁରେ ହସ ଫୁଟାଇ, ମୁଣ୍ଡରେ ଲୁଗା ଦେଇ ପଶିଆସିଲା ସୁନୀଲା । ଅନୀଲା ଆହୁରି ଭଲଭାବରେ ଲକ୍ଷ୍ୟ କଲା, ସୀମନ୍ତରେ ତା’ର ଗାରେ ସିନ୍ଦୂର । ଉଜ୍ଜ୍ୱଳ ଦିଶୁଛି, ଲଲାଟ ଉପରେ କୁଙ୍କୁମର ବଡ଼ ଟିପାଟାଏ । ସକାଳର ସୂର୍ଯ୍ୟ ଭଳି ଲାଲ୍ ଆଉ ଉଜ୍ଜ୍ୱଳ । ପ୍ରାଣପ୍ରାଚୁର୍ଯ୍ୟରେ ଅପା ତା’ର ସ୍ୱାସ୍ଥ୍ୟବତୀ ଦିଶୁଛି । ମୁହଁରେ ତା’ର ପ୍ରଶାନ୍ତିର ହସ ।

 

ଏଥର ଅନୀଲା ମୁହଁକୁ ଚାହିଁ ଚାହିଁ ହସି ହସି ସୁନୀଲା ଆଗେଇ ଆସିଲା ଅନୀଲା ଶଯ୍ୟା ପାଖକୁ । ବିଛଣାର ଗୋଟାଏ କଡ଼ରେ ବସି ଯାଉ ଯାଉ ଅନୀଲାର ହାତଟା ଚିପିଧରି କହିଲା, “କିଲୋ, ଏମିତି ଅନେଇଚୁ କ’ଣ, ମୋତେ ଚିହ୍ନିପାରୁନୁ ?”

 

କାହିଁକି କେଜାଣି ଅନୀଲା ସେଇ ମୁହୂର୍ତ୍ତରେ ନିଜର ମନ ଖୋଲି ଅପାକୁ ଏତେ ଦିନ ପରେ ଏପରି ଅବସ୍ଥାରେ ଦେଖି, ବହୁତ...ବହୁତ କଥା କହିବାକୁ ମନରେ ଭାବୁଥିଲେ ମଧ୍ୟ ପଦେ ହେଲେ କଥା କହି ପାରିଲା ନାହିଁ । ଏପରିକି ସ୍ପଷ୍ଟ ଭାବରେ ସୁନୀଲାର ମୁହଁକୁ ମଧ୍ୟ ଚାହିଁପାରିଲା ନାହିଁ ।

 

ଅକସ୍ମାତ୍‍ ତା’ର ଦୁଇ ଓଠ ଥରି ଥରି ଉଠିଲା, ଆଉ ମୁହଁ ଆରକଡ଼କୁ ବୁଲାଇନେଲା ସେ । କୋହରେ ଭାଙ୍ଗିପଡ଼ିଲା । ଗୁମୁରି ଗୁମୁରି କାନ୍ଦିଉଠିଲା ସେ । ହାତଟି ତାର ସୁନୀଲାର ହାତ ଭିତରେ ସେମିତି ରହିଥିଲା । ବଢ଼ିଲା ନଈ ଭଳି ଦେହ ତାର ଫୁଲି ଫୁଲି ଉଠୁଥିଲା । କୌଣସି ବାଧାବନ୍ଧନ ନ ମାନି ତା’ର ଲୁହଧାର ବହିଚାଲିଲା ଅବିରଳ ଭାବରେ–

 

ଅନୀଲାର ଆଖିରୁ ଲୁହଧାର ପୋଛିଦେବା ପାଇଁ ପିନ୍ଧାଲୁଗାର କାନିଟାକୁ ବଢ଼ାଇ ଦେଉ ଦେଉ ସୁନୀଲାର ମଧ୍ୟ କୋହ ଉଠିଲା ।

 

ସାନ ଭଉଣୀକୁ ସାନ୍ତ୍ୱନା ଦେବା ପାଇଁ, ବୁଝାଇଦେବା ପାଇଁ ସବୁ ପ୍ରଚେଷ୍ଟା ତା’ର ବ୍ୟର୍ଥ ହେଲା । ସେ କ୍ଷଣକାଳ ପାଇଁ କିଛି ଭାଷା ଖୋଜି ପାଇଲା ନାହିଁ ।

 

ଜୀବନଯୁଦ୍ଧରେ କ୍ଷତ ବିକ୍ଷତ ଦୁଇଟି ତରୁଣୀ, ତାଙ୍କର ଦୀର୍ଣ୍ଣ ବିଦୀର୍ଣ୍ଣ ହୃଦୟ ଖୋଲି କାନ୍ଦୁଥିଲେ–କାନ୍ଦି ଚାଲିଥିଲେ । ଅନୀଲା ବୋଧହୁଏ ତାର ଲୁହଧାରରେ ନିଜର କରୁଣ କାହାଣୀ ଶୁଣାଉଥିଲା, ଆଉ ସୁନୀଲା ସେହି ଉଦ୍‍ଗତ ଲୁହଧାର ଭିତରେ ସାନ୍ତ୍ୱନା ଦେଇ ଚାଲିଥିଲା ।

 

ଅତି ପରିଚିତ ଗୋଟାଏ କଣ୍ଠସ୍ୱର ଶୁଣି ଅନୀଲା ନିଜ କୋହ ଚାପିଧରି ଚାହିଁବାକୁ ଚେଷ୍ଟା କରୁଥିଲା ।

 

ବୁଲା କହୁଥିଲା–“ବାଃ, ଆଉ କାନ୍ଦିବାକୁ ତମକୁ ସବୁ ଜାଗା ମିଳିଲା ନାହିଁ ? କି ବେଳ ମିଳିଲା ନାହିଁ ? ଏଇ ହସପିଟାଲ୍ ଭିତରେ ଲକ୍ଷେ ଲୋକଙ୍କ ଆଗରେ, କାନ୍ଦି ଚାଲିଚ... ?

 

ବୁଲାଭାଇର ସ୍ୱର ଶୁଣି ଧୀରେ ଧୀରେ ଅନୀଲା ମୁହଁ ବୁଲାଇ ଚାହିଁଲା, ଆଉ ଅପାର ସଲଜ୍ଜଭାବ, ମୁଣ୍ଡ ଉପରକୁ ଓଢ଼ଣାଟାକୁ ଟିକେ ବେଶୀ ଟାଣିଦେବାରୁ ପୁଣି ଆଖିରୁ ଲୁହଧାର ପୋଛି ଦେଇ ହଠାତ୍ ସପ୍ରତିଭ ହୋଇ ଉଠିବା ଦେଖି ଅପାକୁ ଯାହା ପଚାରିବାକୁ ଚାହୁଁଥିଲା ଆଉ ଯାହାକୁ ଦେଖିବ ବୋଲି ଟିକକ ଆଗରୁ ଉଦଗ୍ର ଆବେଗ ନେଇ ଚାହିଁରହିଥିଲା, ତାର ଉତ୍ତର ଛାଏଁ ଛାଏଁ ପାଇଗଲା ସେ ।

 

ନିଜର ସମସ୍ତ ଅବସାଦ ଭୁଲିଯାଇ ସେହି ମୁହୂର୍ତ୍ତକ ପାଇଁ ଅନ୍ତତଃ ମନ ତା’ର ପ୍ରସନ୍ନ ହୋଇଉଠିଲା । ସେ ଖୁସି ହୋଇଗଲା ହଠାତ୍ ।

 

ଏ ଦୁର୍ଦ୍ଦିନ ଭିତରେ ମଧ୍ୟ ବୁଲାଭାଇକୁ ଦେଖି ତା’ ମୁହଁକୁ ଚାହିଁ ଦେଲା ମାତ୍ରେ ଅନୀଲା ତା’ର ବିବର୍ଣ୍ଣ ପାଣ୍ଡୁର ମୁହଁରେ ଫିକ୍‍କିନା ହସିଦେଲା । ତା’ପରେ ଲାଜରେ ମୁହଁ ଲୁଚାଇଲା ।

 

ବୁଲାଭାଇ ପାଖରେ ଦୁଃଖ କରିବାର କୌଣସି ଅର୍ଥ ହୁଏନା । ଅବସାନ କ’ଣ ସେ ନିଜେ ଜାଣେନା କି କାହାର ମୁହଁରେ ବିଷାଦ ଦେଖିବା ପାଇଁ ସେ ଅଭ୍ୟସ୍ତ ନୁହେଁ ।

 

–“କନ୍ଦାକଟା ସରିଲା ତ ? ଏଥର ଏଗୁଡ଼ାକ ଟିକେ ଧର... ମୁଁ କେତେବେଳେ ଯାଏ ଏ ବୋଝ ବୋହିବି... ?”

 

ସୁନୀଲା ଛିଡ଼ା ହୋଇଯାଇ ବୁଲା ହାତରୁ ନେଇଗଲା ଜିନିଷଗୁଡ଼ାକ, ଆଉ ଅନୀଲାର ଶଯ୍ୟାପାର୍ଶ୍ୱରେ ରଖାଯାଇଥିବା ମିଟସେଫ୍ ଉପରେ ରଖିଦେଲା ସେଗୁଡ଼ାକ ।

 

ଲୁଗାଫାଙ୍କରୁ ଈଷତ୍ କଣେଇ ଚାହିଁ ଅନୀଲା ଦେଖିଲା, ଗୋଟାଏ ହରଲିକସ୍ ଶିଶି, କ’ଣ ଗୋଟାଏ ଦୁଇଟା ଔଷଧ, ସାନ ସାନ ଜାମା ଗୋଟାଏ ଦୁଇଟା–ତା’ପରେ ବୁଲାଭାଇ ତା’ର ପକେଟରୁ ବାହାର କଲା ଗୋଟାଏ ଫିଡ଼ିଂ ବୋତଲ, ଗୋଟାଏ ଲାକ୍ଟୋଡେକସ ଡବା ମଧ୍ୟ ଆଣିଥିଲା ।

 

ସେସବୁ ରଖିସାରିଲା ପରେ ପାଖରେ ପଡ଼ିଥିବା ଗୋଟାଏ ଟୁଲ୍ ଓଟାରି ଆଣି ବସିଲା ବୁଲାଭାଇ । ତା’ପରେ ହସି ହସି ଅନୀଲାକୁ ଚାହିଁ କହିଲା, “ଆଉ ଲାଜ କାହିଁକି ? ମୁହଁ ଖୋଲ ।”

 

ଅନୀଲା ଆହୁରି ଅଧିକ ମୁହଁ ଲୁଚାଇଲା । ବୁଲାର କଥାରେ କିନ୍ତୁ ବିରକ୍ତ ପ୍ରକାଶ କଲା ନାହିଁ, କି ଦୁଃଖ କଲା ନାହିଁ ।

 

–“କାହିଁ, ଖାଇବାକୁ ଦେ କିଲୋ, ମାଗଣାରେ ମାହାଳିଆକୁ ମା’ହେଲୁ, ଖାଇବାକୁ ଦବୁ ନାହିଁ ନା କ’ଣ–

 

–“ଓଃ କାହିଁକି ତା ସାଙ୍ଗରେ ଲାଗିଚ ? ତା’ ଦେହ ପରା ଭଲ ନାହିଁ !” –ସୁନୀଲା କହିଲା-

 

–“କାଲି ଯୋଉ ଅବସ୍ଥାରେ ତାକୁ ମୁଁ ଏଠିକି ଆଣିଛି, ମୁଁ ଜାଣିଚି ନା... ନାକେଦମ୍‍ ମଣିଷ–ଷ୍ଟେଜ୍‍ଟା ଉପରେ ପଡ଼ିଯାଇଥିଲା । ବେହୋସ... ସେଥିରେ ପୁଣି ସେମାନେ ସବୁ ବିଚାର କରୁଛନ୍ତି ବସି, କାଳେ କିଏ କ’ଣ କହିବ, ତାକୁ ଡାକ୍ତରଖାନା କେମିତି ନବା... ? ମୁଁ ଯୋଗକୁ ସେଇ ବାଟେ ଆସୁଥିଲି ବୋଲି ସିନା... !”

 

ମୁହଁ ଲୁଚାଇ ଅନୀଲା ଶୁଣୁଥିଲା ସବୁ । ସେ ଏଠିକି କିମିତି ଅବସ୍ଥାରେ ଆସିଲା, ସେକଥା ମଧ୍ୟ ପଚାରିବା ଦରକାର ପଡ଼ିଲା ନାହିଁ ତାକୁ ।

 

–“ତମେ ଏକାକୀ ନେଇଆସିଲ... ?” –ସୁନୀଲା ପ୍ରଶ୍ନ କଲା ।

 

–“ଆଉ ବୋକାଟିଏ କୋଉଠୁ ଆଣିଥାନ୍ତି ? ହିରୋ ସବୁ କ’ଣ ଏତେବେଳେ ଥାଆନ୍ତି-? ତାକୁ ଆଣି, ଆଡମିଟ୍ କରି, ଶେଷକୁ ସାରାରାତି ଜଗିବସିଛି ନାଁ ବାହାରେ–ଅବଶ୍ୟ, ବେଶି କଷ୍ଟ ହୋଇନି–ଗୋଟାଏ ବେଳକୁ ହୋଇଗଲା... ତା’ପରେ ଏଇ ଶୋଇପଡ଼ିଲା ନା–ବେହୋସ୍‍ ହୋଇଥିଲା, ଗୁଡ଼ାଏ ରକ୍ତସ୍ରାବ ହୋଇଥିଲା, ତା’ପରେ ଶୋଇପଡ଼ିବା ଦେଖି, ଭୟରେ, କାଳେ କ’ଣ ହବ ବୋଲି, ରାତିସାରା ଜଗିବସିଲି । ନ ହେଲେ ତ ରାତିରେ ତମକୁ ଯାଇ ଡାକିଆଣିଥାଆନ୍ତି... ଯାହା ହଉ ହେଇଗଲା ତ !”

 

ବୁଲାଭାଇ ପ୍ରତି ଅସୀମ ଶ୍ରଦ୍ଧା ଆଉ କୃତଜ୍ଞତାରେ ଭରିଗଲା ଅନୀଲାର ମନ । ମନେ ମନେ ପ୍ରଣାମ କଲା ସେ ବୁଲାଭାଇକୁ–ତାର ଜୀବନଦାତାକୁ ।

 

ସୁନୀଲା ଆତ୍ମତୃପ୍ତି, ଗର୍ବରେ ମୁଚୁକି ମୁଚୁକି ହସୁଥିଲା ସେମିତି । ବୋଧହୁଏ ବୁଲା ପାଇଁ ମନରେ ତା’ର ଗୌରବ ବୋଧ ଆସୁଥିଲା ।

 

କିଛିକ୍ଷଣ ନୀରବତା ପରେ, ଅନୀଲା ନିଜ ଭିତରେ ଦୃଢ଼ତା ସଞ୍ଚୟ କରି ପଚାରିଲା–

 

–“ଏସବୁ କାହିଁକି ଆଣିଲ... ?”

 

–“ତୋ ପାଇଁ କିଏ ଆଣିଚି ? କିଲୋ... ଆମ ଛୁଆପାଇଁ, ଆମେ ଆଣିଚୁ ନା–

 

ଏପର୍ଯ୍ୟନ୍ତ ଶିଶୁଟିକୁ ବୋଧହୁଏ କେହି ଲକ୍ଷ୍ୟ କରିନଥିଲେ–ବୁଲାର କଥାରେ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲା–

 

କଅଁଳିଆ ପୁଅଟିଏ–ଛୋଟ ଛୋଟ ସଦ୍ୟଫିଟା ଆଖିମେଲି ଚାହୁଁଛି । ଆଲୋକ ସହ୍ୟ କରିନପାରି ଥରକୁ ଥର ଆଖି ବୁଜି ଦେଉଛି ହାତଗୋଡ଼ ହଲାଇବାକୁ ଚେଷ୍ଟା କରୁଛି ଅସଂଯତ ଭାବରେ–କେରାଏ ଛନଛନିଆ ବାଳ ମୁଣ୍ଡରେ ତାର ।

 

–“ଥଟ୍ଟା କରୁଚ ? ଲାଜ ଲାଗୁନାହିଁ ଏ ଛୁଆ ପାଇଁ ପୁଣି ଦରଦ... ?”

 

ଏଥର ଅସମ୍ଭବ ଭାବରେ ଗଭୀର ହୋଇଉଠିଲା ବୁଲା । ମୁହଁରୁ ତା’ର ହସ ମିଳେଇଗଲା ।

 

–“ତା’ର ଦୋଷ କଣ ? ତମେ ପାପ କରିବ, ଆଉ, ସିଏ ଭୋଗିବ ତମ ପାପର ଫଳ-? ତୋତେ ଉପଭୋଗ କରିବାକୁ ସମସ୍ତେ ତ ବାହାରି ଆସୁଥିଲେ... କାହିଁ, କାହାରି ଜଣକର ତ ଦେଖା ନାହିଁ ଏଠି... କେହି ଜଣେ ହେଲେ ତ ଆଗେଇ ଆସୁ ନାହାନ୍ତି, ଏ ସନ୍ତାନର ପିତୃତ୍ୱ ଦାବି କରିବାକୁ ?”

 

ଛୁଆର ମୁଣ୍ଡରେ ମମତାବୋଳା ହାତ ବୁଲାଇ ଦେଉ ଦେଉ ବୁଲା କହିଲା କଥାଗୁଡ଼ାକ, କେମିତି ଉତ୍ତେଜିତ ହୋଇଗଲା ସେ ।

 

–“ହେଃ, ଥାଉ ହସପିଟାଲଟାରେ କ’ଣ ସେମିତି କହୁଚ ? କିଏ ଶୁଣିବ !” ସୁନୀଲା ବଡ଼ ସନ୍ତର୍ପଣରେ କହିଲା ।

 

–“ଶୁଣନ୍ତୁ–ମୋର କାହା ଶୁଣାକୁ ଡର ନାହିଁ–ଏମିତି... ଏମିତି ଦିନେ ମୋତେ ବି ମୋ ବାପା ମା’ କୋଉଠି ଛାଡ଼ିଯାଇଥିଲେ, ହତାଦର କରି । ତାଙ୍କର ପାପର ଫଳ ମୁଁ ଭୋଗୁଛି– !” ଆଖି ତାର ଛଳଛଳ ହୋଇଆସିଲା ହଠାତ୍ “ଆଉ ଆଜି... ଆଜି ମୋରି ଭଳି ଆଉ ଗୋଟାଏ ଜୀବନ ଏମିତି ନଷ୍ଟ ହୋଇଯିବ । ସଢ଼ି, ପଚିଯିବ ମୁଁ ତାକୁ ସେମିତି ସହିଯିବି ? ସେ କଥା ହୋଇପାରିବ ନାହିଁ । ଏକା ନିଃଶ୍ୱାସରେ କଥାଗୁଡ଼ାକ କହିଗଲା ସେ । ଉଦ୍‍ଗତ ଲୁହବିନ୍ଦୁକୁ ରୋକିବା ପାଇଁ, ଅନ୍ୟ ଆଡ଼କୁ ବୁଲି ଚାହିଁଲା ।

 

ଅନୀଲା, ଝର ଝର କାନ୍ଦିପକାଇଲା ଏଥର । ତା’ ପକ୍ଷରେ ଅସହ୍ୟ ହେଉଥିଲା ବୁଲାର କଥା, ବୋଧହୁଏ ।

 

ଥର ଥର ଗଳାରେ ସେ, ପଚାରିଲା ।

 

–“କିନ୍ତୁ ମୁଁ... ? ମୁଁ କ’ଣ କରିବି... ? ମୋ କଥା ଟିକେ ଭାବ... ମୁଁ ବଞ୍ଚିବି କେମିତି– ?”

 

-“କାହିଁକି ? ଯେମିତି ବଞ୍ଚିଚୁ ? ସଂସାର ଏତେ ବିରାଟ ଲୋ ଅନି, ଏଠି ମରିଯିବା ଭାରି କଷ୍ଟ । ସାହସ ଥିଲେ, କେହି ଏଠି ମରେନାହିଁ । ବଞ୍ଚିବା ତ ସହଜ–ମରିଯିବା କଷ୍ଟ !”

 

ଅନୀଲା ଏଥର ଆହୁରି ଜୋରରେ ଜୋରରେ କାନ୍ଦିଉଠିଲା ।

 

–“ମୁଁ ଭୁଲ କରିଚି ବୁଲାଭାଇ...କିନ୍ତୁ ଏ ଭୁଲକୁ ତ ମୁଁ ଆଉ ସୁଧାରିପାରିବି ନାହିଁ ! ଜୀବନଟା ସାରା କ’ଣ ଗୋଟାଏ ଭୁଲ୍‍ ପାଇଁ ଜଳିପୋଡ଼ି ମରିବି... ? ମୁଁ କ’ଣ କରିବି... ବୁଲାଭାଇ ମୁଁ କ’ଣ କରିବି–“

 

କାନ୍ଦଣାରେ ଭାଙ୍ଗିପଡ଼ୁଥିଲା ଅନୀଲାର କଣ୍ଠସ୍ୱର । କଣ୍ଠ ତା’ର ରୁଦ୍ଧ ହୋଇଯାଉଥିଲା । ସୁନୀଲା ବି, କାନ୍ଦୁଥିଲା ତା’ କଥା ଶୁଣି ।

 

ଅନୀଲାର ମୁଣ୍ଡ ଆଉଁଷି ଦେଇ ଦେଇ ବୁଲା କହିଲା,–କାହିଁକି କାନ୍ଦୁଚୁ ଭଉଣୀ... ? ଯେ କୌଣସି ନାରୀ ଏ ସମାଜରେ ଏ ଭୁଲ୍‍ କରିପାରେ...କରୁଛନ୍ତି ! କିଏ ଜଣେଇ କିଏ ନ ଜଣେଇ–ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ନାରୀ ମା’ ହୁଏ–ଆଉ ତୁ ମା’ ହୋଇଚୁ–ନ ଥାଉ ତାର ପିତୃପରିଚୟ–ନ ଥାଉ ତୋର ସ୍ୱାମୀ ! ଏଇ କ’ଣ ତୋର ଗୌରବ ନୁହେଁ ! ଏଥିରେ ଡରିଯିବାର କ’ଣ ଅଛି ଲୋ ! ଯେ କୌଣସି ପୁରୁଷର ଔରସରେ ଏ ଶିଶୁ ଜନ୍ମ ହୋଇପାରନ୍ତା ! ତାକୁ କେମିତି ମଣିଷ କରି ଗଢ଼ିବୁ, ସେଇକଥା ଭାବ । ଆମର ଜୀବନର ଏ କଳଙ୍କ, ଏ ପାପ ଯେମିତି ତାକୁ ସ୍ପର୍ଶ ନ କରେ !”

 

ବୁଲାର ହାତଟା ଧରିନେଇ, ଅନୀଲା ଆହୁରି ଜୋରରେ ଜୋରରେ କାନ୍ଦିବାକୁ ଲାଗିଲା-। ଦୁଇ କୂଳ ନ ମାନି, ଲୁହର ବନ୍ୟା ତାର ଦୁଇ ଆଖିରୁ ବହିଚାଲିଲା । ବୁଲା ଆଖିରୁ ବି ଲୁହ ବହିଆସୁଥିଲା, ତାକୁ ରୋକିନେଇ, ବାଷ୍ପରୁଦ୍ଧ କଣ୍ଠରେ ବୁଲା କହିଲା ।

 

–“ତୁ କିଛି ଭାବନାହିଁ, ଅନି, ଏ ଶିଶୁ ମୋର । ତାକୁ ମଣିଷ କରିବାର ଦାୟିତ୍ୱ ମୋ ଉପରେ ଦେଇ ନିଶ୍ଚିନ୍ତ ହୋଇ ରହିପାରିବୁ ନାହିଁ ଭଉଣୀ... ?”

 

-“ବୁଲାଭାଇ...” ବାଷ୍ପ ଗଦ୍‍ଗଦ କଣ୍ଠରେ କହିଲା ଅନୀଲା ।

 

–“ହଁ, ଏ ପୁଅ ତୋର ନୁହେଁ, ମୋର–ତୁ ଭୁଲିଯା, କେବେ ଏ ତୋର ଥିଲା ବୋଲି–ସେଇଥିପାଇଁ ତ ମୁଁ ତୋ ଅପାକୁ ନେଇ ଆସିଛି ଏଠିକି–ମୋ ପୁଅକୁ ନେଇଯିବାକୁ–ତାକୁ ହତାଦର କରିବି ନାହିଁ ମଁ !”

 

ଛୁଆଟା ଗୋଡ଼ହାତ ହଲାଉଥିଲା ସେମିତି । ପ୍ରସୂତିଭବନର କାଚଝରକା ବାଟେ ସୂର୍ଯ୍ୟର ପ୍ରଖର କିରଣ ଆସି ବୁଲାର ମୁହଁ ଉପରେ ପଡ଼ୁଥିଲା ।

 

ନଇଁପଡ଼ି କୁନିପୁଅର ଗାଲରେ ବୋକ ଦେଲା ସେ । ତା’ପରେ କହିଲା–

 

–“ମଣିଷ ପୁଣି ପଶୁଠାରୁ ବି ହୀନ ହୋଇପାରନ୍ତି ଏମିତି ? ପଶୁ ବି ନିଜ ଜାତିର ଶିଶୁକୁ ହତାଦର କରେନାହିଁ–ଆପଣାର କରିନିଏ–ମଣିଷ କିନ୍ତୁ...”

 

ସୁନୀଲା ଉଠିଆସି ଛୁଆକୁ କୋଳରେ ଧରିଲା ।

 

–“ମୋ ପୁଅ କେଡ଼େ ସୁନ୍ଦର ହୋଇଛି ଲୋ–“ କହି ତା’ ଗାଲରେ ବୋକ ଦେଲା । ପରିତୃପ୍ତିର ହସ, ମୁହଁରେ ଫୁଟାଇ ବୁଲା ସୁନୀଲାକୁ ଚାହିଁ ଦେଖୁଥିଲା । ବିଜୟର ଗର୍ବରେ ମୁହଁ ତାରି ଉଦ୍‍ଭାସିତ ।

 

–“ଆମେ ଆମ ପୁଅକୁ ନେଇ ଯାଉଚୁ–ତୁ ତ କାଲି ଡିସଚାର୍ଜ ହବୁ । ଆମ ଘର ଦେଖିଚୁ ତ... ? ନ ହେଲେ, ଠିକ୍ ଅଛି, ତୁ କେତେବେଳେ ବିଦା ହେବୁ ଏଠୁ, ମୁଁ ଲେଡ଼ି ଡାକ୍ତରଙ୍କଠାରୁ ବୁଝିଯାଉଛି–ସେତିକିବେଳକୁ ଆସିବି–ତୋତେ ନେଇଯିବି...”

 

–“ଚାଲ୍, ଆଉ କ’ଣ ଦରକାର ଅଛି ? ମାଗଣାରେ ସ୍ୱାମୀ, ପୁଅ ସବୁ ତ ମିଳିଲା...ଏଥର ବାହାର ଏଠୁ–’’

 

–“ବେହିଆ...” ଲାଜରେ ସୁନୀଲାର ଗଣ୍ଡଦେଶ ଆରକ୍ତିମ ହୋଇଉଠିଲା । “ଲାଜ ସରମ କ’ଣ ସବୁ ପୋଡ଼ି ଖାଇଲଣି ? ଡାକ୍ତରଖାନାଟାରେ କ’ଣ ବୋଲି କ’ଣ କହିଯାଉଚ... ?”

 

–“ଯାଉଚୁଁ ଲୋ ଅନୀଲା– ?” ସୁନୀଲା କହିଲା, ଅନୀଲାର କପାଳରେ ହାତବୁଲାଇ ଆଣି–

 

–“ଏଥର ହସ–ଆଉ କାହିଁକି ମୁହଁ ଶୁଖାଇଚୁ ?” ବୁଲା କହିଲା ।

 

ମୁହଁରେ ଶୁଖିଲା ହସ ଫୁଟାଇଲା ଅନୀଲା, ଶୀର୍ଣ୍ଣ ହାତଟା ବଢ଼ାଇ ସୁନୀଲାର ହାତ ଧରିଲା । ତା’ପରେ ଧୀରେ ଧୀରେ, ସୁନୀଲାର କୋଳରେ ଥିବା ଶିଶୁର ଦେହରେ ମମତାବୋଳା ହାତ ବୁଲାଇଆଣିଲା, ଅତି ସନ୍ତର୍ପଣରେ ।

 

ମଞ୍ଚର ପାଦପ୍ରଦୀପର ଆଲୋକ ନୁହେଁ, ଦିନର ଆଲୋକର ସଜୀବତା ଭିତରେ, ପ୍ରତ୍ୟେକେ ମୂର୍ତ୍ତ ଦିଶୁଥିଲେ ।

 

ସୁନୀଲା ଓ ଅନୀଲା, ପରସ୍ପରକୁ ଚାହିଁଲେ କ୍ଷଣକ ପାଇଁ । ମୁହଁରେ ତାଙ୍କର ଭାଷା ନାହିଁ-

 

ଜୀବନ ସେମାନଙ୍କ ସାଥିରେ ଲୁଚୁକାଳି ଖେଳିଛି ।

 

ରଙ୍ଗବେରଙ୍ଗୀ ଆଲୁଅର ଛଳନାରେ ଅଭିନୟ ଜୀବନ ହୋଇଯାଇଛି–ପୁଣି ଜୀବନଟା ସାରା ଅଭିନୟ ପାଲଟି ଯାଇଛି ।

 

ଶୀର୍ଣ୍ଣ ଲୁହଭିଜା ଆଖିପତା ମେଲି ଅନୀଲା ଚାହିଁରହିଥିଲା ।

 

ବୁଲାଭାଇ ଓ ସୁନୀଲା ଆଗେଇ ଯାଉଥିଲେ । କ୍ରମଶଃ, ପ୍ରସୂତିଭବନର, ପ୍ରଧାନ ଦ୍ୱାର ପାର ହୋଇ, ସେମାନେ ଅଦୃଶ୍ୟ ହୋଇଗଲେ ।

 

ବହୁ ସମୟ, ଚାହିଁ ଚାହିଁ ଆଖିପତା ବୁଜିଦେଲା ଅନୀଲା ।

 

ମଞ୍ଚକନ୍ୟା ଅନୀଲାର ଦୁଇ ଆଖିରୁ ଦୁଇବିନ୍ଦୁ ଲୁହ ଗଡ଼ିଆସିଲା... ତାର ଛାତି ଥରାଇ ଗୋଟାଏ ଦୀର୍ଘଶ୍ୱାସ ବାହାରିଆସିଲା–

 

ନାଃ... ସେ କାନ୍ଦିପାରିଲା ନାହିଁ । ଅଜସ୍ର ଲୁହଧାର ତାର ଝରି ଝରି ଶୁଖିଯାଇଛି...

 

କଡ଼ଲେଉଟାଇ ଶୋଇଲା ଅନୀଲା... । ଜୀବନ... । ଆଲୋକ ଭଳି ଆଗକୁ, ଆଗକୁ ବାଟ କଢ଼ାଇ ନିଏ–

Image